ପେଟ ପାଟଣା ପାଇଁ ଲୁହାପିଣ୍ଡ,ନିଆଁ ଓ ପାଣିକୁ ସାଥି କରି ସଂଘର୍ଷ କରୁଛି କମାର ସଂପ୍ରଦାୟ

Black Smith busy in making chopper

ଭୁବନେଶ୍ୱର : ଦିନ ଥିଲା ଲୁହାର ତିଆରି ଅସ୍ତ୍ରଟିଏ ପାଇଁ ଖୋଜା ପଡୁଥିଲା କମାରଶାଳ । ମାଟି ଖୋଳିବା ପାଇଁ ଶାବଳ,କୋଦାଳ,ଠାରୁ ଆରମ୍ଭ କରି ଧାରୁଆ ଅସ୍ତ୍ର କଟୁରି,କାଠ କାଟିବା ପାଇଁ କୁରାଢୀ, କାଠପଟାକୁ ସୁନ୍ଦର ଭାବରେ ଖୋଦେଇ କରିବା ପାଇଁ ଆବଶ୍ୟକୀୟ ନିହାଣ,ବାରିଶି,ରନ୍ଦାର ପାତ,ଚାଷୀମାନେ ବିଲରେ ହଳ ବୁଲେଇବାପାଇଁ ଲଙ୍ଗଳ ମୁନକୁ ପଜେଇବା ବା ଧାନ ବିଲରୁ ପାଚିଲା ଧାନ ଗଛ କାଟିବା ପାଇଁ ଦାଆ ଇତ୍ୟାଦି ପାଇଁ କମାରଶାଳରେ ଆବଶ୍ୟକତା ଅନୁଯାୟୀ ଅସ୍ତ୍ର ତିଆରି କରି ଦେଉଥିଲେ ଏହି କମାର ସଂପ୍ରଦାୟର ପୁରୁଷମାନେ । କେବଳ ସେତିକି ନୁହେଁ ଘର ତିଆରି ବେଳେ ଆବଶ୍ୟକ ହେଉଥିବା ଲୁହା କଣ୍ଟ।। ଭଳି ଆବଶ୍ୟକୀୟ ସାମଗ୍ରୀକୁ ମଧ୍ୟ କମାର ଶାଳରେ ତିଆରି କରି ଆମକୁ ଯୋଗାଇ ଦେଉଥିଲେ । ଆଧୁନିକ ଯୁଗରେ କଳକାରଖାନରେ ମେସିନ ସାହାଯ୍ୟରେ ଏହି ସବୁ ସାମଗ୍ରୀ ଖୁବ୍ କମ୍ ସମୟ ମଧ୍ୟରେ ଅଧିକ ସଂଖ୍ୟାରେ ତିଆରି ହେବା ପରେ କାଳକ୍ରମେ ଏହି କମାର ସଂପ୍ରଦାୟ ନିଜର କୌଳିକ ବୃତ୍ତି ସଙ୍କଟରେ ପଡିଲା । ତଥାପି ଗ୍ରାମାଞ୍ଚଳରେ କମାରଶାଳ ଗୁଡିକ ଏବେ ବି ଦେଖିବାକୁ ମିଳୁଛି । ଏବେ ବି କାଠ ଅଙ୍ଗାରର ପ୍ରଖର ନିଆଁରେ ଲୁହା ପିଣ୍ଡକୁ ଗରମ କରି ହାତୁଡିରେ ବାଡେଇ ବିଭିନ୍ନ ପ୍ରକାର ଅସ୍ତ୍ର ତିଆର କରି ପାଣିରେ ବୁଡାଇ ଶୀତଳ କରି ଗ୍ରାହକ ମାନଙ୍କୁ ବିକ୍ରି କରି ପେଟପାଟଣା ପାଇଁ ଦି ପଇସା ରୋଜଗାର କରିବାକୁ ସଂଘର୍ଷ କରୁଛି ଏହି କମାର ସଂପ୍ରଦାୟର ଅନେକ ପରିବାର । ଓଡିଶାର ବିଭିନ୍ନ ଜିଲ୍ଲାର ଗାଁ ଗହଳିରେ ଶତାଧିକ ପରିବାର ଏହି ବୃତ୍ତିକୁ ନିଜର ରୋଜଗାରର ପନ୍ଥା ଭାବରେ ଆଜି ମଧ୍ୟ ଗ୍ରହଣ କରି ଜୀବକି ପାଇଁ ସଂଘର୍ଷ କରୁଛନ୍ତି । କୁଟିର ଶିଳ୍ପ,ହସ୍ତ ଶିଳ୍ପ ଏବଂ କୈାଳିକ ବୃତ୍ତିଧାରୀମାନଙ୍କ ପାଇଁ ଯୋଜନା ପ୍ରଣୟନ କରି ସହାୟତା ପ୍ରଦାନ କରୁଛନ୍ତି ବୋଲି ପ୍ରଚାର ଚାଲିଛି । ହେଲେ ଏହି ଗରମ ଲୁହା ପିଣ୍ଡକୁ ନିଆଁ ପାଣି ସହିତ ଓଜନିଆ ହାତୁଡି,ହାମର ସାହାଯ୍ୟରେ ବିଭିନ୍ନ ପ୍ରକାର ଅସ୍ତ୍ର ତିଆରି କରୁଥିବା ଏହି ସମ୍ପ୍ରଦାୟ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ ପାଇବା ଠାରୁ ବହୁ ଦୂରରେ ବୋଲି କ୍ଷୋଭର ସହିତ କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକର ମାଣତୀର ଛକରେ କମାରଶାଳ କରି ପରିବାର ପ୍ରତିପୋଷଣ କରୁଥିବା କମାର ମଧୁସୁଦନ ଓଝା । ଏହି ବୃତ୍ତିଧାରୀଙ୍କୁ ସରକାରୀ ସହାୟତା କିମ୍ବା ଋଣ ପ୍ରଦାନ ସଂପର୍କରେ ଜଣାଇବା ପାଇଁ ବ୍ଲକରେ କିମ୍ବା ଜିଲ୍ଲାରେ କେଉଁ କାର୍ଯ୍ୟାଳୟ କାର୍ଯ୍ୟ କରୁଛି ତାହା ଆମକୁ ଜଣା ନାହିଁ ବୋଲି କହିଛନ୍ତି ଅଙ୍ଗୁଳାଇ ନାରଣପୁରର ପୁରୁଷୋତ୍ତମ ଓଝା । ଆମେ ଚାଷୀଙ୍କ ଚାହିଦା ଅନୁସାରେ ଦାଆ ତିଆରି କରୁଛୁ, ବିକ୍ରି କରିଲେ ପରିବାର ପ୍ରତିପୋଷଣ ପାଇଁ ଦି ପଇସା ପାଇଲେ ଖୁସି ହେବୁ । କୈାଣସି ସରକାରୀ ଅଧିକାରୀ ଆମ ବୃତିର ଉନ୍ନତି ପାଇଁ ଆମକୁ କେବେ କିଛି ଜଣାଇ ନାହାନ୍ତ କି ପରାମର୍ଶ ଦେଇ ନାହାନ୍ତି । ଏପରିକି ଦୈବ-ଦୁର୍ବିପାକ ଯଥା ଗତ ବର୍ଷର ଫନି ବାତ୍ୟାରେ ଶାଳଘର କ୍ଷତିଗ୍ରସ୍ତ ହେଲା । ହେଲେ ସରକାରୀ ସହାୟତା ପାଇଁ ବ୍ଲକକୁ ଦୈାଡି ଦୈାଡି ନିରାଶ ହେଲୁ । ଚଳିତ ବର୍ଷ ଅମ୍ପନ ବାତ୍ୟାରେ ମଧ୍ୟ କ୍ଷତିଗ୍ରସ୍ତ ହେଇଛୁ ହେଲେ ସରକାରୀ ସହାୟତା ସାତ ସପନ ହୋଇ ରହିଛି ।

Add a Comment