କେବଳ ରାଷ୍ଟ୍ରାୟତ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ରହିବ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବୁଧବାର ଦିନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ବୈଠକ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କିସନ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସଂପତି ଗୁଡିକ ଖୁବଶୀଘ୍ର ବ୍ୟବସ୍ଥିତ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସି ଜରିଆରେ ଆଲୋଚନା କରାଯିବ । ରାଜସ୍ୱ ପ୍ରଶାସନର ଆଡିସନାଲ ସେକ୍ରେଟାରୀ ପ୍ରଦୀପ ମହାପାତ୍ରଙ୍କ ସହ ମନ୍ଦିର ପ୍ରଶାସନ ଯୋଗାଯୋଗ ରଖିଛି । ଖୁବଶୀଘ୍ର ଜମିଜମାର ହିସାବ ମିଳିବ । ଚଳିତବର୍ଷ ହେବାକୁ ଥିବା ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ବୈଠକ ଖୁବଶୀଘ୍ର ଏହି ମାସରେ ଅନୁଷ୍ଠିତ ହେବ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହଯୋଗରେ ସମାପନ କରାଯିବ । ଇସ୍କନ କରୁଥିବା ଅଦିନିଆ ରଥଯାତ୍ରା ସଂପର୍କରେ ଆଲୋଚନା ହେବା ସହ ଇସ୍କନଙ୍କୁ ଏ ସଂପର୍କରେ ଗଜପତି ପତ୍ରଦ୍ୱାରା ଜଣାଇବାକୁ ନିଷ୍ପତି ହୋଇଥିଲା । ବିଭିନ୍ନ ସ୍ଥାନରେ କେତେକ ଇସ୍କନ ଭକ୍ତଙ୍କ ଦ୍ୱାରା ଅଦିନିଆ ରଥଯାତ୍ରା କରାଯାଉଥିବା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିଗୋଚର ହୋଇଛି । ହିନ୍ଦୁଧର୍ମର ରୀତି ନୀତି ଅନୁସାରେ ଓ ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା କରିବା ପାଇଁ ଇସ୍କନର ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ । ଶ୍ରୀମନ୍ଦିର ଭିତରେ ଯେଉଁସବୁ ଅସୁବିଧା ରହିଛି ସେ ସଂପର୍କରେ ଏଏସଆଇକୁ ଜଣାଇଦିଆଯାଇଛି । ବ୍ୟବସାୟିକ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ୬ଶହ କୋଟି ଟଙ୍କା ସଂପର୍କରେ ମୁଖ୍ୟପ୍ରଶାସକ କହିଲେ ଏବେ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ସେହି ଅନୁସାରେ ଷ୍ଟେଟବ୍ୟାଙ୍କ କିମ୍ବା ଅନ୍ୟ ଜାତୀୟକରଣ ବ୍ୟାଙ୍କରେ ଟେମ୍ପୁଲ ଫଣ୍ଡ ଓ କର୍ପୋସ ଫଣ୍ଡ ରଖାଯିବ । ବ୍ୟବସାୟିକ ବ୍ୟାଙ୍କରେ ଗଚ୍ଛିତ ଥିବା ୬ଶହ କୋଟି ଟଙ୍କାର ଧାର୍ଯ୍ୟ ସମୟ ଶେଷ ହେବା ପରେ ବ୍ୟାଙ୍କରୁ ଅଣାଯାଇ ଜାତୀୟକରଣ ବ୍ୟାଙ୍କରେ ରଖାଯିବ । ଶ୍ରୀମନ୍ଦିର ଭିତରେ କେତେଗୁଡିଏ ସ୍ଥାନକୁ ନିଲାମ କରାଯାଇଥିଲା । କୋଇଲି ବୈକୁଣ୍ଠ, ଦୀପ ଦୋକାନ, ଗୁଣ୍ଡିଚା ମନ୍ଦିର, ରୋହିଣୀ କୁଣ୍ଡ ଆଦି ନିଲାମ ଦିଆଯାଇଥିଲା । ଭକ୍ତମାନେ ସୁବିଧା ଦର୍ଶନ ଓ ଆର୍ଥିକ ଶୋଷଣ ନହେବା ପାଇଁ ଏହିସବୁ ନିଲାମ ପ୍ରକ୍ରିୟାର ସରଳୀକରଣ କରାଯିବ । ଯେପରି ଭକ୍ତମାନେ ସୁବିଧାରେ ଦର୍ଶନ କରିବା ସହ ସୁଖଦ ଅନୁଭୂତି ନେଇ ଫେରିବେ ସେ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତବର୍ଷ ବଜେଟ ସଂପର୍କରେ ଆଲୋଚନା ହେବା ସହ ଫାଇନାନ୍ସ ସବକମିଟିର ଅନୁମୋଦନ କ୍ରମେ ପରିଚାଳନା କମିଟିରେ ଆଲୋଚନା ହେବ । ସୁପ୍ରିମକୋର୍ଟରେ ବିଭିନ୍ନ ପ୍ରସଙ୍ଗ ଉପରେ ଶପଥ ପାଠ ଦିଆଯାଇଛି । ଖୁବଶୀଘ୍ର କୋର୍ଟର ଆଦେଶକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଗୁରୁକୂଳ ବ୍ୟବସ୍ଥା, ସେବାୟତ କଲ୍ୟାଣ ବ୍ୟବସ୍ଥା, ସେବାୟତଙ୍କ ବୀମା ଯୋଜନା ୧ଲକ୍ଷରୁ ୫ଲକ୍ଷ ବୃଦ୍ଧି, ସ୍ଥାବର ଅସ୍ଥାବର ସମ୍ପତିର ହିସାବ କରାଯିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଖଣିରୁ ଆୟ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ଓଏମସି ସଂସ୍ଥାସହ ବୁଝାମଣା କରାଯାଇଛି । ଏହାସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ ପ୍ରଦୀପ କୁମାର ସାହୁ, ଏସପି ଡା. ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ

Add a Comment