ଶ୍ରୀମନ୍ଦିର ଐତିହ୍ୟ କରିଡରରେ ହେବ ବ୍ୟାପକ ପରିବର୍ତ୍ତନ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଅନ୍ତର୍ଗତ ଐତିହ୍ୟ କରିଡରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଗଜପତିଙ୍କ ଅଧ୍ୟକ୍ଷତାରେ ଏଥିନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଐତିହ୍ୟ କରିଡର ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ଭୂମିପୂତ୍ର ଏହି କରିଡରର ରୂପରେଖ ନେଇ ଉପସ୍ଥାପନା କରିଥିଲା । ଗଜପତି ମହାରାଜ ଏହି କରିଡରରେ ବ୍ୟାପକ ପରିବର୍ତ୍ତନର ପ୍ରସ୍ତାବ ଦେଇଥିଲେ । ଏଥିରେ ସ୍ୱତନ୍ତ୍ର ଭାବେ ଯଜ୍ଞ, ସଂକିର୍ତ୍ତନ ପାଇଁ ବ୍ୟବସ୍ଥା ରହିବା ସହ ଏକସାଙ୍ଗରେ ୫,୦୦୦ ଭକ୍ତ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିବ ବୋଲି ଗଜପତି କହିଥିଲେ । ସେହିପରି ରଥଯାତ୍ରା ପରି ଚନ୍ଦନ ଓ ଦୋଳ ଯାତ୍ରା ସମୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପରିଚାଳନା ସମିତି ପ୍ରସ୍ତାବ ଦେଇଥିଲା । ପର୍ବ ପର୍ବାଣି ସମୟରେ ଯେପରି ସାହି ଲୋକମାନଙ୍କ ଯାତାୟତ ଉପରେ ଅସୁବିଧା ରହିବ ନାହିଁ ତାହାର ବ୍ୟବସ୍ଥା ରହିବା ପାଇଁ ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ । ଶ୍ରୀମନ୍ଦିର ସମ୍ମୁଖ ଦେଇ ସ୍ୱର୍ଗଦ୍ୱାରକୁ ଶବ ନେବାର ବ୍ୟବସ୍ଥା ମଧ୍ୟ ରହିବ । ହେଲେ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଏହି ଐତିହ୍ୟ କରିଡର ନିର୍ମାଣରେ ଉତ୍କଳୀୟ କଳାକୃତିକୁ ଗୁରୁତ୍ୱ ଦିଆଯାଇନାହିଁ । ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟ କରିଡର ନେଇ ମତାମତ ଲୋଡିଥିଲେ । ଏଯାବତ ୨୩୦ଟି ଇ-ମେଲ ଆସିଛି । ଏସମସ୍ତ ପ୍ରସ୍ତାବ ଓ ସ୍ଥାନୀୟ ବାସିନ୍ଧାଙ୍କ ମତାମତକୁ ଆଧାର କରି ମାର୍ଚ୍ଚ ଶେଷ ବା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଏହାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ ।

Add a Comment