ଖଣ୍ଡଗିରି ମେଳା: ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନକରାଯାଇ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ

ଭୁବନେଶ୍ବର : ତପୋଭୂମି ଖଣ୍ଡଗିରିକୁ ଛୁଟି ଆସିଛନ୍ତି ଶହ ଶହ ସନ୍ଥ। ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ ସାଧୁ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହୋଇଥିବା ବେଳେ ଅଖଣ୍ଡ ଧୂନୀ ଜଳିଛି। ଚଳିତ ବର୍ଷ ମହାଯୋଗ ତିଥି ପଡ଼ୁଥିବାରୁ ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ଆନୁକୂଲ୍ୟରେ ସାଧୁସନ୍ଥଙ୍କ ଦ୍ବାରା ଆସିଥିବା ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନକରାଯାଇ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ସନାତନ ଧର୍ମ, ବିଶ୍ବ ପରିବେଶ, ମାନବବାଦର ଅଭ୍ୟୁଦୟ ନିମିତ୍ତ ପ୍ରଦ୍ୟେକ ଦିନ ଧର୍ମ ଆଲୋଚନା କରାଯିବ ବୋଲି ପରିଷଦର ବାବା ପଞ୍ଚଦେବ ଓ ହରିଓଁ ବାବା ଶିଶୁଛବି ସୂଚନା ଦେଇଛନ୍ତି।

ରାଣୀହଂସପୁର ବିଜେ କଲେ ଅନନ୍ତକେଶରୀ ଦେବ
ଏକ ବିରାଟ ପଟୁଆରରେ ଅନନ୍ତ କେଶରୀ ଦେବ ରାଣୀହଂସପୁରକୁ ବିଜେ କରିଥିଲେ। ସଂକୀର୍ତନ, ଘୋଡ଼ାନାଚ, ଷଣ୍ଢ ନାଚ, ସମ୍ବଲପୁରୀ ବାଜାର ରୋଶଣି ସହ ଆତସବାଜି ପ୍ରଦର୍ଶନ ମଧ୍ୟରେ ଅନନ୍ତକେଶରୀ ସୁସଜ୍ଜିତ ବିମାନରେ ବସି ନାଗା ମଠରୁ ରାଣୀଗୁମ୍ଫାକୁ ଯାତ୍ରା କରିଥିଲେ। ଜାଗମରା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଦେଖିବାକୁ ଜାଗମରାରୁ ଖଣ୍ଡଗିରି ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରଭୁ ସେଠାରେ ଲଳିତା କୁଣ୍ଡରେ ଚାପ ଖେଳି ନିଃଶାର୍ଦ୍ଧରେ ‌ମନ୍ଦିରକୁ ଫେରିଛନ୍ତି।

Add a Comment