ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ କରାଯାଇଥିବା ସମ୍ପର୍କରେ ସେ କହିଛନ୍ତି। ସୁପ୍ରିମ୍‌କୋର୍ଟ ରାମମନ୍ଦିର ମାମଲାରେ ରାୟ ଦେବାର ୮୭ ଦିନ ପରେ ଟ୍ରଷ୍ଟ୍‌ ଗଠନ ହୋଇଛି। ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହି ଆଖଡ଼ା ଏବଂ ରାମଲଲାଙ୍କ ପକ୍ଷକାରଙ୍କର ଜଣେ ଲେଖାଏଁ ସଦସ୍ୟ ରହିବେ। ମୋଦି ସରକାର ଟ୍ରଷ୍ଟ ଠାରୁ ନିଜକୁ ଅଲଗା ରଖିବାକୁ ଚାହୁଁଥିବା କୁହାଯାଉଛି। ସେହିପରି ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଲ ଦାସଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ୬୭ ଏକର ଜମି ସହିତ ୨.୫ ଏକର ବିବାଦୀୟ ଜମି ମଧ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅନ୍ତର୍ଭୁକ୍ତ ହେବ। ଏଣିକି ମନ୍ଦିର ନିର୍ମାଣ ତଥା ମନ୍ଦିର ସହିତ ସମ୍ପୃକ୍ତ ଥିବା ସମସ୍ତ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ବହନ କରିବ। ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍‌ କରି କହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍‌ସି-ଏସ୍‌ଟି ବର୍ଗର ଟ୍ରଷ୍ଟି ମଧ୍ୟ ରହିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୯ରେ ରାୟ ପ୍ରକାଶ ସମୟରେ ସୁପ୍ରିମ୍‌କୋର୍ଟ ରାମମନ୍ଦିର ନିର୍ମାଣ ଲାଗି ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Add a Comment