ବିଶ୍ୱ ଗୋ-ସୁରକ୍ଷା ବାହିନୀର ରାଷ୍ଟ୍ରୀୟ ଅଧିବେଶନ

କଟକ : ବିଶ୍ୱ ଗୋ ସୁରକ୍ଷା ବାହିନୀ ରାଷ୍ଟ୍ରୀୟ ଅଧିବେଶନ କଟକ ସହିଦ ଭବନଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରେ ସ୍ଥାନୀୟ ଦୋଳମୁଣ୍ଡାଇଠାରୁ ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ସହିଦ ଭବନଠାରେ ପହଂଚିଥିଲା । ଏହାପରେ ସହିଦ ଭବନରେ ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ଅଧିବେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗୋଆର ପ୍ରତିନିଧି ପ୍ରକାଶ ମାଲେଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅଧିବେଶନ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନମନ୍ ଯୋଶୀ, ଅରୁଣ ଜେଠା, ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ, ସ୍ୱାମୀ ଅସୀମାନନ୍ଦ ମହାରାଜ, ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ପଣ୍ଡିତ ଜିତୁ ଦାଶ, ଅନିର୍ବାଣ ନିୟୋଗୀ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ନମିତା ପଣ୍ଡା, ଭାଗବତ ସାହୁ, ସନ୍ଥ ନାଗାର୍ଜୁନ ଦାସ, ମୁକୁଲ ମିଶ୍ର ଓ କିଷନଲାଲ ଭରତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋ-ସେବା, ଗୋ-ସୁରକ୍ଷା ଓ ହିନ୍ଦୁ ରାଷ୍ଟ୍ର ଗଠନ ଉପରେ ଆଲୋକପାତ କରିବା ସହ ବିଶ୍ୱ ଗୋ ସୁରକ୍ଷା ବାହିନୀର କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ଗୋମାତାଙ୍କ ସୁରକ୍ଷା ବିଶ୍ୱର ରକ୍ଷା ବୋଲି ଆୟୋଜିତ ଅଧିବେଶନରେ ଯୋଗଦେଇଥିବା ୧୭ଟି ରାଜ୍ୟର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଆସନ୍ତା ଦିନରେ ବିଶ୍ୱ ଗୋସୁରକ୍ଷା ବାହିନୀର ଗ୍ରାମାଂଚଳରୁ ପ୍ରଚାର ପ୍ରସାର କରାଯାଇ ସମସ୍ତଙ୍କୁ ବିଶ୍ୱ ଗୋ ସୁରକ୍ଷା ବାହିନୀରେ ଯୋଗଦାନ କରିବା ପାଇଁ ରାଜ୍ୟ ସଂଯୋଜିକା ସ୍ୱର୍ଣ୍ଣଲତା ଦଳାଇ ଆହ୍ୱାନ ଦେଇଥିଲେ । ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଭାରତବର୍ଷକୁ ଗୋ ଆଧାରିତ ପରିବେଶ ସୃଷ୍ଟି କରି ମନୁଷ୍ୟ ବଂଚିବାର ରାହା ପାଇବେ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଠେଙ୍ଗା ବାହିନୀର ମୁଖ୍ୟ କମାଣ୍ଡର କୃଷକ ଲକ୍ଷ୍ମଣ ଦାସଙ୍କ ନେତୃତ୍ୱରେ ବାହିନୀର ସଦସ୍ୟମାନେ ଗୋ ସୁରକ୍ଷା ବାହିନୀରେ ଯୋଗଦେଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ୨୫ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀର ସର୍ବାଧକାରୀ ଜନାର୍ଦ୍ଦନ ପାତ୍ର, ସର୍ବମହନ୍ତ ରବୀନ୍ଦ୍ର ବସ୍ତିଆ, ଶୈଳେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱହିନ୍ଦୁ ପରିଷଦର ଭାଗବତ ସାହୁ ବିଶ୍ୱ ଗୋସୁରକ୍ଷା ବାହିନୀକୁ ଆଗେଇ ନେବା ପାଇଁ ପରିଷଦ ସବୁ ପ୍ରକାର ସହଯୋଗ କରିବ ବୋଲି କହିଥିଲେ । ଅଂଜୁ ପଣ୍ଡା ଓ ଶ୍ରଦ୍ଧା ମା\’ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Add a Comment