ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଦ। ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଢ଼ୁଥିଲା ତ ଆଉ କିଏ ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ‌ ଧୈର୍ଯ୍ୟର ପରୀକ୍ଷା ଦେଉଥିଲା। ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା। ଭୋର୍‌ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ଶେଷରେ ରାତି ୯ଟା ୪୦ରେ ମହାଦୀପ ଉଠିଥିଲା। ପୂର୍ବ ବର୍ଷ ୯ଟା ୨୩ରେ ମହାଦୀପ ଉଠିଥିବା ବେଳେ ଏଥର ବି ନିର୍ଧାରିତ ସମୟ ପୂର୍ବରୁ ଏଇ ଦୃଶ୍ୟ ଦେଖିବାକୁ ମିଳିଥିଲା। ମହାଦୀପ ଉଠିବା କ୍ଷଣି ହରିବୋଲ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର।


Add a Comment