କାଶ୍ମୀର ପଣ୍ଡିତଙ୍କ ଭାବନକୁ କୁଠାରଘାତ କରାଯାଇଛି : ଦିବ୍ୟା ରାଜଦାନ

ନୂଆଦିଲ୍ଲୀ (ଏଜେନ୍ସି) : ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶିକାରା’ ଗତକଶଲି ସମଗ୍ର ଭାରତରେ ମୁକ୍ତିଲାଭ କରିଛି । ତେବେ ମୁକ୍ତିଲାଭ କରୁକରୁ ଏହାକୁ ନେଇ ବିବାଦ ଦେଖାଦେଇଛି । ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ଦୃଶ୍ୟ ଆତଙ୍କବାଦ ହେତୁ ନିଜର ସର୍ବସ୍ୱ ହରାଇ ଅତି ଦୟନୀୟ ଭାବେ ଜମ୍ମୁ-କାଶ୍ମୀରରୁ ଦୀର୍ଘ ବର୍ଷ ଧରି ବାହାରେ ଆସି ରହୁଥିବା କାଶ୍ମୀର ପଣ୍ଡିତଙ୍କ ଭାବନା ଉପରେ କୁଠାରାଘାତ କରାଯାଇଛି ବୋଳି ସମାଜସେବୀ ଦିବ୍ୟା ରାଜଦାନ ଆପତ୍ତି ଉଠାଇଛନ୍ତି । ଏହି ଚଳଚ୍ଚିତ୍ରରେ ଅନେକ କିଛି ଏଭଳି ଦୃଶ୍ୟ ରହିଛି ଯାହାର କାଶ୍ମୀର ସମସ୍ୟାର ବାସ୍ତବବିରୋଧୀ ଅଟେ । ଏହି ଚଳଚ୍ଚିତ୍ରରେ କାଶ୍ମୀରବାସୀମାନେ ଭୋଗୁଥିବା ଦୁର୍ଦ୍ଦଶାରୁ ମୁକ୍ତି ପାଇବା ଲାଗି ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଳେଖି ସାହାଯ୍ୟ ଭିକ୍ଷା କରିବା ଅବାସ୍ତବ ତଥା କଳ୍ପୋକଳ୍ପିତ ଅଟେ ବୋଲି ଦିବ୍ୟା ଅଭିଯୋଗ କରିଛନ୍ତି । ପ୍ରକାଶ୍ୟ ଯେ, ୯୦ ଦଶକରେ କାଶ୍ମୀରର ଇସ୍‌ଲାମୀୟ ମୌଳବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନେ ସେଠାରେ ଦୀର୍ଘ ବର୍ଷ ଧର ିବସବାସ କରୁଥିବା କାଶ୍ମିରୀ ପଣ୍ଡିତମାନଙ୍କୁ ୨ଟି ବିକଳ୍ପ ଦେଇଥିଲେ । ଗୋଟିଏ ହେଉଛି ସେମାନେ ଅଥବା ଇସ୍‌ଲାମକୁ ଗ୍ରହଣ କରିନିଆନ୍ତୁ ଅବା ନିଜର ପିତୃପୁରୁଷଙ୍କ ଘରକୁ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତୁ । ଏଥିଲାଗି ଏକ ଶୁକ୍ରବାରରେ ଆଜାନ ପଢ଼ାଯିବା ପରେ ମାଇଖ ଯୋଗେ କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ଘରଦ୍ୱାର ଛାଡ଼ି ଚାଲିଯିବା ଲାଗି କୁହାଯାଇଥିଲା । ଫଳରେ ପ୍ରାଣବିକଳରେ କାଶ୍ମିୀର ପଣ୍ଡିତମାନେ କାଶ୍ମୀରରେ ଥିବା ସେମାନଙ୍କ ଭିଟାମାଟି ଛାଡ଼ି ଅନ୍ୟତ୍ର ପଳାଇଥିଲେ । ଯେଉଁମାନେ ଯାଇନଥିଲେ ସେମାନଙ୍କୁ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ଗଣସଂହାର କରିଥିଲେ । ସେବେଠାରୁ କାଶ୍ମୀର ପଣ୍ଡିତମାନେ ଆଉ କାଶ୍ମୀରକୁ ଫେରି ପାରିନାହାନ୍ତି । ତେବେ ବିଧୁ ବିନୋଦ ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଶିକାରା’ରେ କାଶ୍ମୀର ପଣ୍ଡିତଙ୍କ ଦୁଃଖଭରା ନିଷ୍ଠୁର ବାସ୍ତବତାକୁ ଦର୍ଶାନଯାଇ ଅବାସ୍ତବ ଓ ମନଗଢ଼ା କାହାଣୀ ଦେଖାଯାଇଥିବାରୁ ତାକୁ କାଶ୍ମୀର ପଣ୍ଡିତ ଓ ସମାଜସେବୀ ଦିବ୍ୟା ରାଜଦାନ ଘୋର ବିରୋଧ କରିଛନ୍ତି ।

Add a Comment