ଜାତୀୟ ପର୍ଯ୍ୟଟନସ୍ଥଳୀର ରୂପ ପାଇବ ପ୍ରାଚୀନ ଶକ୍ତିପୀଠ ତାରାତାରିଣୀ

ଭୁବନେଶ୍ୱର:  ଭାରତର ପୂରାତନ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ତାରାତାରିଣୀ ହେଉଛି ଅନ୍ୟତମ। ଓଡ଼ିଶାର ସ୍ବକୀୟ କଳାଶୈଳୀରେ ଏହି ମନ୍ଦିରର ଉନ୍ନତିକରଣ ହେବ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ପୂରାତନ ଶକ୍ତିପୀଠ ‘ତାରାତାରିଣୀ’ ମନ୍ଦିରର ଉନ୍ନତିକରଣ ଯୋଜନାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏଥି ସହିତ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଯୋଜନା ଅନୁସାରେ ମନ୍ଦିରରେ ସିଂହଦ୍ୱାରର ଉନ୍ନତିକରଣ ସହ ଯାତ୍ରୀଙ୍କ ପାଇଁ ସୁବିଧା କରାଯିବ। ସେହିଭଳି ପ୍ରସାଦ ସେବନ ମଣ୍ଡପ, ମୁଣ୍ଡନ ଗୃହ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିର ପାଖରେ ପୁଲିସ ଆଉଟ୍‌ପୋଷ୍ଟ ଓ ଓ୍ଵାଚ୍‌ଟାଓ୍ଵାର ମଧ୍ୟ ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁବିଧା ଲାଗି  ଫୁଡ କିଓସ୍କ, ପିଇବା ପାଣି, ଜୋତା ଷ୍ଟାଣ୍ଡ, ହାତ ଧୋଇବା ପାଇଁ ବ୍ୟବସ୍ଥା, ବିଶ୍ରାମ ପାଇଁ ମଣ୍ଡପ ଓ ଏକ  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ  କରାଯିବ। ସେହିଭଳି ପାହାଡ଼ ଉପରେ ଯୋଗାଭ୍ୟାସ ପାଇଁ ଏକ ହଲ୍‌ ନିର୍ମାଣ ହେବ। ତାରାତାରିଣୀ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ରୂପ ଦିଆଯିବ।

ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଳକୃଷ୍ଣ, ଏସିଏସ୍‌ଆରଡି ପିକେ ଜେନା, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ୫-ଟି ସଚିବ ଭି .କେ. ପାଣ୍ଡିଆନ୍‌, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର, ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Add a Comment