କୌଣସି କର୍ମ କରିବାକୁ ହେଲେ ପାଞ୍ଚଟି ଉପାଦାନର ଆବଶ୍ୟକତା ରହିଛି – କ’ଣ ସେମାନେ?

ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର କର୍ମକୁ ପର୍ଯ୍ୟାଲୋଚନା କରି କର୍ମ କରିବାପାଇଁ ପାଞ୍ଚଟି ଉପାଦାନର କଥା ‘ଶ୍ରୀମଦ୍‌ ଭଗବଦ୍‌ଗୀତା’ରେ କହିଛନ୍ତି। ସେଗୁଡ଼ିକ ହେଉଛି- ୧. ଅଧିଷ୍ଠାନ, ୨. କର୍ତ୍ତା, ୩. କରଣ, ୪. ପ୍ରୟାସ ଏବ˚ ୫. ଦୈବ।

୧. ଅଧିଷ୍ଠାନ: ଯାହାକୁ ଆଶ୍ରୟ କରି କର୍ମ କରାଯାଏ, ତାହା ଅଧିଷ୍ଠାନ। ମନୁଷ୍ୟ ବା ଜୀବର ଶରୀର ହେଉଛି ଅଧିଷ୍ଠାନ। ଏହି ଶରୀର ଦ୍ବାରା ମନୁଷ୍ୟ ସମସ୍ତ କର୍ମ ସାଧନ କରିଥାଏ।

୨. କର୍ତ୍ତା: ଶରୀର ମଧ୍ୟରେ ଯେଉଁ ବ୍ୟକ୍ତିତ୍ବ ଅଛି, ସେ ହେଉଛି କର୍ତ୍ତା। ଶରୀର ଥାଇ ବ୍ୟକ୍ତିତ୍ବ ନଥିଲେ ବା ବ୍ୟକ୍ତିତ୍ବ ଥାଇ ଶରୀର ଅଯୋଗ୍ୟ ହୋଇଗଲେ, କର୍ମ ହୋଇପାରିବ ନାହିଁ। ବ୍ୟକ୍ତିତ୍ବ ଓ ଶରୀରକୁ ଚିହ୍ନଟ କରିବାପାଇଁ ଏହି ‘କର୍ତ୍ତା’ ନାମକରଣ କରାଯାଇଛି।

୩. କରଣ: ମନୁଷ୍ୟକୁ କର୍ମ କରିବାପାଇଁ ଦୁଇଟି କରଣ (କାରକ)ର ଆବଶ୍ୟକତା ରହିଛି। ‘ଅନ୍ତଃକରଣ’ ହେଉଛି ପୂର୍ବଜନ୍ମମାନଙ୍କର ସ˚ସ୍କାର। ଏହା କୌଣସି କର୍ମ କରିବାକୁ ଉତ୍ସାହିତ କରେ ତଥା କର୍ମକୁ ସୁଗମ କରେ। ‘ବହିଃକରଣ’ ହେଉଛି ଏହି ଜନ୍ମର ପଞ୍ଚଜ୍ଞାନେନ୍ଦ୍ରିୟ ଓ ପଞ୍ଚକର୍ମେନ୍ଦ୍ରିୟ। ଏହା ମାଧ୍ୟମରେ ଅନ୍ତଃକରଣ ନିଜକୁ ପ୍ରକାଶ କରିଥାଏ।

୪. ପ୍ରୟାସ: ଚତୁର୍ଥ ଉପାଦାନ ହେଉଛି ପ୍ରୟାସ ବା ଚେଷ୍ଟା। ସବୁକିଛି ଠିକ୍‌ଠାକ୍‌ ଥିଲେ ମଧ୍ୟ ଚେଷ୍ଟା ନକଲେ କୌଣସି କର୍ମ ହୋଇପାରେ ନାହିଁ। ଚେଷ୍ଟା ଓ କରଣ ପରସ୍ପରର ପରିପୂରକ। ଇନ୍ଦ୍ରିୟମାନେ କର୍ମ ନ କଲେ ଚେଷ୍ଟା ମୂଲ୍ୟହୀନ ହୋଇଯାଏ ଏବ˚ ଚେଷ୍ଟା ଥାଇ ଯଦି ଇନ୍ଦ୍ରିୟମାନେ ସହଯୋଗ ନ କରନ୍ତି ତେବେ କର୍ମ ସମ୍ଭବପର ହୁଏ ନାହିଁ।

୫. ଦୈବ: ପଞ୍ଚମ ହେତୁ ହେଉଛି ଦୈବ। ଅନେକ ଦୈବକୁ ମନୁଷ୍ୟର ଭାଗ୍ୟ ବୋଲି କହନ୍ତି। କେହି କେହି ଦୈବକୁ ଈଶ୍ବରଙ୍କର ଇଚ୍ଛା ସହିତ ତୁଳନା କରନ୍ତି। ଦୈବ ଏକ ଅଦୃଶ୍ୟ ଶକ୍ତିର ପରିକଳ୍ପନା। ଏହା ମନୁଷ୍ୟକୁ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ବା ପରିବେଶକୁ ଟାଣିନିଏ। ପରିବେଶର ପ୍ରଭାବରେ କର୍ମ ବିନା ପ୍ରଚେଷ୍ଟାରେ ଆପେ ହୋଇଯାଏ ବା ବିନା କାରଣରେ ଭଣ୍ତୁର ହୁଏ। ଏଣୁ ଦୈବ ହେଉଛି ପରିବେଶ।

ମନ, ବାଣୀ ଓ ଶରୀରଦ୍ବାରା ମନୁଷ୍ୟ ସମସ୍ତ କର୍ମ କରିଥାଏ। ଏହି କର୍ମ ଠିକ୍‌ ଅଥବା ଭୁଲ୍‌ ହୋଇପାରେ। ଜ୍ଞାତା, ଜ୍ଞାନ ଓ ଜ୍ଞେୟ- ଏହି କର୍ମରେ ପ୍ରେରଣା ଯୋଗାନ୍ତି। କର୍ତ୍ତା, କରଣ ଓ କ୍ରିୟା- କର୍ମକୁ ସ˚ପନ୍ନ କରାନ୍ତି।

Add a Comment

Your email address will not be published. Required fields are marked *