ପରମ ଭକ୍ତ ଶବରୀ – A Great Devotee Shavari

ଶବରୀ ଭଗବାନଙ୍କର ପରମ ଭକ୍ତ ଥିଲା । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଶବରୀ ଏତେ କୁରୂପା ଥିଲା ଯେ ତା’ର ନିଜ ଜାତିର ଲୋକ ମଧ୍ୟ ତାକୁ ଘୃଣାଚକ୍ଷୁରେ ଦେଖୁଥିଲେ । ବାପା ମାଆଙ୍କର ବଡ଼ ଚିନ୍ତାଥିଲା ଝିଅ କିପରି ବିବାହ କରିବ । ଶେଷରେ ଜଣେ ଶବର ଜାତିର ଯୁବକ ମିଳିଗଲା । ରାତାରାତି ବିବାହକରି ସେହି ରାତିରେ ଯୁବକକୁ କନ୍ୟାସହ ବିଦା କରିଦେଲେ ପିତାମାତା । ଯୁବକ ପତ୍ନୀକୁ ନେଇ ଚାଲିଗଲା । ଯୁବକ ଆଗେଆଗେ ଓ ଶବରୀ ପଛେପଛେ ଚାଲିଥାନ୍ତି । ଦଣ୍ଡକାରଣ୍ୟରେ ପହଞ୍ôଚଲା ବେଳକୁ ସୂର୍ଯ୍ୟୋଦୟ ହେଲା, ଯୁବକର ମନକୁ ଆସିଲା ସ୍ତ୍ରୀର ମୁହଁ ଦେଖିବା ନିମନ୍ତେ । ପଛକୁ ଫେରି ସେ ଶବରୀର ମୁହଁକୁ ଦେଖିଲାପରେ ତା’ର ଭୟଙ୍କର ଦେଖାଯାଉଥିବା, କୁତ୍ସିତ ରୂପ ଦେଖି ଡରି ଜୀବନବିକଳରେ ଦୌଡ଼ିବାକୁ ଲାଗିଲା । ଭାବିଲା ପତ୍ନୀ ତ ନୁହେଁ, ବୋଧହୁଏ ଡାକିନୀଟାଏ ତା’ସହିତ ଚାଲିଆସିଛି । ବିଚରା ଦଣ୍ଡକାରଣ୍ୟରେ ଶବରୀ ରହିଗଲା ଏକାକିନୀ । ସେଠାରେ ରହୁଥିବା ଋଷିମାନେ ତା’ର କଦାକାର ରୂପ ଦେଖି ଅଛୁତ (ଅସ୍ପୃଶ୍ୟ) କହି ତା’କୁ ତିରସ୍କାର କଲେ । ମତଙ୍ଗ ନାମକ ଜଣେ ବୃଦ୍ଧ ଋଷିଙ୍କର ଶବରୀ ପ୍ରତି ଦୟା ହେଲା । ସେ କୃପା କରି ଶବରୀକୁ ଆଶ୍ରମ ନେଇଯାଇଥିଲେ ହେଁ ଅନ୍ୟ ଋଷିମାନେ ଏହାର ଘୋର ବିରୋଧ କରିଥିଲେ । ଦୃଢ଼ମନା ମତଙ୍ଗ କିନ୍ତୁ ଶବରୀକୁ ଆଶ୍ରା ଦେଇଥିଲେ । ମତଙ୍ଗ ଋଷି ଥିଲେ ତା’ର ବାପା, ମାଆ, ଆଶ୍ରୟଦାତା ସବୁକିଛି ।
ଶେଷରେ ସେଇ ସମୟ ଆସି ପହଞ୍ôଚଲା ଯାହା ସମସ୍ତଙ୍କ ପାଇଁ ଆସିଥାଏ । ମତଙ୍ଗ ଋଷିଙ୍କ ଶେଷସମୟ ଆସନ୍ନ ଜାଣି ଶବରୀ ଦୁଃଖରେ ଅଧୈର୍ଯ୍ୟ ହୋଇ କାନ୍ଦିବାକୁ ଲାଗିଲା । ଋଷି ଆଶ୍ୱାସନା ଦେଇ କହିଲେ, ମାଆ ତୁ ଚିନ୍ତା କରନାହିଁ, ମୋର ଯିବାବେଳ ହୋଇଗଲା ମୁଁ ଯିବି; କିନ୍ତୁ ତୋର ଜନ୍ମ ସାର୍ଥକ ହେବ । ଦିନେ ତୋର କୁଟୀରରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପାଦଦେବେ । ଏହା ଶୁଣିବାପରେ ଶବରୀ ସବୁ ଦୁଃଖ ଭୁଲି ଯାଇଥିଲା ।
ମତଙ୍ଗ ଶରୀର ତ୍ୟାଗ କଲେ । ଶବରୀ ରହିଲା ପ୍ରଭୁ ଶ୍ରୀରାମଙ୍କ ପ୍ରତୀକ୍ଷାରେ । ପ୍ରତୀକ୍ଷା ଥିଲା ଅନନ୍ତ । ସେହି ପ୍ରତୀକ୍ଷା ଭିତରେ ଭରି ରହିଥିଲା ଯୁଗଯୁଗର ଉକ୍ରଣ୍ଠା । ନିଶାର୍ଦ୍ଧରେ କେହି ପଶୁପକ୍ଷୀ କୁଟୀର ଦେଇଯାଉଥିôବା ଶବ୍ଦ କାନରେ ବାଜିଲେ ସେ ଆନମନା ହୋଇପଡ଼େ । କାନ ଡେରେ, ତା’ର ଆରାଧ୍ୟ, ପରମପ୍ରିୟ ପ୍ରଭୁ ଶ୍ରୀରାମ ଆସିଲେ କି? ଅୟୁତଯୁଗର ଉକ୍ରଣ୍ଠା ନେଇ ପ୍ରତ୍ୟେକ ଦିନ କୁଟୀର ବାହାରେ ପୁଷ୍ପ ବିଛାଇ ଶବରୀ ଅପେକ୍ଷା କରେ ତା’ର ପରମପ୍ରିୟ ପ୍ରଭୁଙ୍କୁ । ଜାତିଜାତିକା ଫଳ ଜଙ୍ଗଲରୁ ଆଣି ଫଳକୁ ଚାଖି ସ୍ୱାଦୁ ଯୁକ୍ତ ଫଳ ହିଁ ରଖିଥାଏ । ଗୋଟିଏ ଦିନର ପ୍ରତୀକ୍ଷା ସରିଯାଏ ସିନା ବୃଥାରେ, ହେଲେ ମରିଯାଏ ନାହିଁ । ପ୍ରଭୁ ଆସନ୍ତିନାହିଁ । ପୁଣି ପରଦିନରେ ପ୍ରତୀକ୍ଷା ଆରମ୍ଭ ହୁଏ । ପ୍ରତ୍ୟହ ତଟକା ଫଳ ଆଣି ରଖିଥାଏ, ମନ ଭିତରେ ଉଚ୍ଚାଶା, ପ୍ରଭୁ ଆସିଲେ ନିଜେ ହିଁ ତାଙ୍କୁ ଖୁଆଇଦେବ ।
ଋଷିବାଣୀକୁ ସତ୍ୟ ପ୍ରମାଣିତ କରି ଶେଷରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ପଦାର୍ପଣ କଲେ ଶବରୀର କୁଟୀରରେ । ଶବରୀର ଆନନ୍ଦର ସୀମା ନଥିଲା । ଆଖିରୁ ବହିଯାଇଥିଲା ଧାରଧାର ଲୁହ, ଆନନ୍ଦାଶ୍ରୁ । ସେ ଭଗବାନଙ୍କ ଚରଣତଳେ ପଡ଼ିଗଲା । ଆସନ ପାରି କୁଟୀରରେ ବସାଇଦେଲା । ମାଆ ଯେପରି ଛୋଟ ପିଲାଙ୍କୁ ଖୁଆଇ ଦିଏ, ସେହିପରି ଅତି ଶ୍ରଦ୍ଧାରେ ବାଛିବାଛି ମିଠାଫଳ ଚାଖି ପ୍ରଭୁଙ୍କୁ ଖୁଆଇ ଦେଇଥିଲା ଶବରୀ । ଶବରୀ ହୃଦୟରେ ଶ୍ରୀରାମଙ୍କ ସାନ୍ନିଧ୍ୟ ଲାଭର ବ୍ୟାକୁଳତା- ଅନୁରୂପ ଭାବରେ ଏକାନ୍ତ ଅନୁରକ୍ତ ଭକ୍ତ କୁଟୀରରେ ପଦାର୍ପଣ ନିମନ୍ତେ ପ୍ରଭୁଙ୍କ ଉକ୍ରଣ୍ଠା । ଭକ୍ତ-ଭଗବାନ ଏକ-ଅଭିନ୍ନ ହୋଇଗଲେ ।

Add a Comment

Your email address will not be published. Required fields are marked *