ଅହଂ ଭାବ ମନରେ ଉଚ୍ଚନୀଚ୍ଚ, ଛୋଟବଡ ଭେଦଭାବ ଉଦ୍ରକ କରେ – Ego Creates division


ଥରେ ଶାକ୍ୟବଂଶୀୟ ସାତଜଣ ରାଜକୁମାର ତଥାଗତ ବୁଦ୍ଧଙ୍କ ପ୍ରବଚନ ଶୁଣିବାକୁ ଯାଇଥିଲେ । ତଥାଗତଙ୍କ ଦିବ୍ୟବାଣୀରେ ରାଜକୁମାରମାନେ ଏତେ ପ୍ରଭାବିତ ହୋଇଯାଇଥିଲେଯେ ସେମାନଙ୍କର ସଂସାରପ୍ରତି ବୈରାଗ୍ୟଭାବ ଆସିଲା । ସିଦ୍ଧାନ୍ତନେଲେ ବୌଦ୍ଧଭିକ୍ଷୁ ହୋଇଯିବା ନିମିତ୍ତ । ନିଜ ମନୋଭାବ ସମ୍ପର୍କରେ ତଥାଗତଙ୍କୁ ଜଣାଇଲେ । ତଥାଗତଙ୍କ ଉତ୍ତର ଥିଲା- ଯଦି ତୁମମାନଙ୍କର ପ୍ରକୃତରେ ସଂସାର ପ୍ରତି ବୈରାଗ୍ୟ ଆସିଛି, ତୁମେମାନେ ବୌଦ୍ଧଧର୍ମ ଓ ସଂଘର ନିୟମପାଳନ କରିବାକୁ ଅଙ୍ଗୀକାରବଦ୍ଧ ତେବେ ମୁଁ ତୁମମାନଙ୍କୁ ସଂଘରେ ଗ୍ରହଣ କରିନେବି ।
ରାଜକୁମାରମାନେ ମନେମନେ ଭାବିଲେ ଯଦି ଏ ପ୍ରସ୍ତାବରେ ପିତାମାତାଙ୍କ ଅନୁମତି ଆଣିବାକୁ ଯିବେ ତେବେ ସେମାନେ କେବେହେଲେ ଅନୁମତି ଦେବେନାହିଁ, ବରଂ ଭଲ ହେବ ସଂଘ ଆଶ୍ରିତ ହେଲାପରେ ସେମାନଙ୍କର ଆଶୀର୍ବାଦ ନେବା । ରାଜକୁମାରମାନଙ୍କ ସାଥୀରେ ଜଣେ ସେବକ ଆସିଥିଲା । ସେମାନଙ୍କର ଅଙ୍ଗ ଭୂଷଣ ଓ ପରିଧାନ ସେହି ସେବାକାରୀଙ୍କ ହାତରେ ଦେଇ ସେମାନେ ସଂଘରେ ଯୋଗ ଦେଇଥିବା ବିଷୟ ରାଜାଙ୍କୁ ଜଣାଇ ଦେବାକୁ କହିଥିଲେ । ସେବାକାରୀଙ୍କ ମନକୁ ଆସିଲା ଯଦି ମୁଁ ସେମାନଙ୍କ ସାତ କୁମାର ସଂଘର ଆଶ୍ରୟ ନେଇଥିବା କଥା ଜଣାଇବି ତେବେ ରାଜା ହୁଏତ ବିଶ୍ୱାସ କରିବେନି । ଆହୁରି ମଧ୍ୟ ମୋତେ ସନ୍ଦେହ କରିବେ ଯେ ମୁଁ ରାଜକୁମାରମାନଙ୍କୁ କେଉଁଠି ଲୁଚାଇ ରଖିଛି । ସେବାକାରୀ ମନକୁ ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ଆସିଲା- “ହେ ସେବକ । ତୁମେ ବାରମ୍ବାର ସେହି ଆଭୂଷଣକୁ ଦେଖି ଆନନ୍ଦିତ ହେଉଛ, ତା’କୁ ରାଜକୁମାରମାନେ ନିର୍ଲୋଭ ହୋଇ ତ୍ୟାଗ କରିଛନ୍ତି । ନିଶ୍ଚିତ ଭାବରେ ସେମାନଙ୍କୁ ଏହାଠାରୁ ମୂଲ୍ୟବାନ ଆଉ କୌଣସି ଆଭୂଷଣ ମିଳିଛି ଯାହାଫଳରେ ସେମାନେ ଏହାକୁ ତ୍ୟାଗ କରିଛନ୍ତି ।’ ମନେମନେ ସେବକ ଭାବିଲେ, ଯଦି ସେମାନେ ରାଜକୁମାର ହୋଇ ଏକ ସୁରଭିତ ମାର୍ଗ ବାଛିନେଇ ପାରିଲେ ମୁଁ କାହିଁକି ସେଇ ମାର୍ଗରେ ନ ଯିବି? ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ କିଛି ନିର୍ଣ୍ଣୟ କରି ନପାରି ରାଜକୁମାରମାନଙ୍କ ନିକଟକୁ ଫେରିଆସିଲେ ସେବକ । ରାଜକୁମାରମାନେ ସେ ସମୟରେ ଦୀକ୍ଷା ନେବାକୁ ତଥାଗତଙ୍କ ସମ୍ମୁଖରେ ଠିଆ ହୋଇଥାନ୍ତି । ସେବକ ସେଠାରେ ପହଞ୍ôଚ ରାଜକୁମାରମାନଙ୍କୁ ନିଜ ମନୋଭାବ ବ୍ୟକ୍ତ କରି କହିଲେ- ମୁଁ ମଧ୍ୟ ତୁମମାନଙ୍କ ମାର୍ଗରେ ଯିବାକୁ ମନସ୍ଥ କରିଛି । ସେହି ଦିବ୍ୟମାର୍ଗରେ ଯିବାପାଇଁ ମୋର ମନ ଡାକୁଛି । ରାଜକୁମାରମାନଙ୍କ ମଧ୍ୟରୁ ଜଣେ ତଥାଗତଙ୍କୁ କହିଲେ- ମହାତ୍ମନ, ଆମମାନଙ୍କ ପୂର୍ବରୁ ଆମର ଏଇ ସେବକଙ୍କୁ ସଂଘରେ ଗ୍ରହଣ କରିିନିଅନ୍ତୁ । ତଥାଗତ ଏହାଶୁଣି କହିଲେ- “ତାଙ୍କୁ ପ୍ରଥମେ ସନ୍ନ୍ୟାସ ଦୀକ୍ଷା ଦେଲେ ତୁମେମାନେ ତାଙ୍କୁ ପ୍ରଣାମ କରିବାକୁ ହେବ ଓ ସେ ତୁମମାନଙ୍କଠାରୁ ଶ୍ରେଷ୍ଠ ବିବେଚିତ ହେବେ । ତୁମ ସାତଜଣଙ୍କୁ ତାଙ୍କ ସମ୍ମୁଖରେ ନତ ହେବାକୁ ପଡ଼ିବ ।’ ଏହାଶୁଣି ରାଜକୁମାରମାନେ ସମ୍ମିଳିତ ସ୍ୱରରେ କହିଲେ- “ମହାଭାଗ! ଆମେମାନେ କ୍ଷତ୍ରିୟ ବଂଶଜ । ଯୁଦ୍ଧରେ ଶତ୍ରୁକୁ ପରାଜିତ କରିବା ଆମର ଧର୍ମ । ଯଶ, ଖ୍ୟାତି, ପ୍ରତିଷ୍ଠା କ୍ଷତ୍ରିୟସୁଲଭ ସ୍ୱଭାବ, ହେଲେ ଏବେ ଅହଂକାର, ଗର୍ବ, ଯଶ, ଖ୍ୟାତି ଲିପ୍‍ସା, ସବୁକିଛି ଆମେ ତ୍ୟାଗ କରିଦେଇଛୁ । ତେଣୁ ଏଇ ସେବକ ନିକଟରେ ମଥାନତ କ’ଣ, ତାଙ୍କ ଚରଣସ୍ପର୍ଶରେ ଆମର ଦ୍ୱିଧାନାହିଁ ।’ ଦିବ୍ୟମାର୍ଗର ଯାତ୍ରୀ ରାଜକୁମାରମାନଙ୍କ ଏଭଳି ଉକ୍ତିରେ ତଥାଗତ ଅତି ପ୍ରସନ୍ନ ହୋଇଯାଇଥିଲେ । ବାସ୍ତବରେ ଅହଂଭାବ ଉଚ୍ଚନୀଚ, ଛୋଟବଡ଼ ଭେଦଭାବ ଉଦ୍ରେକ କରିଥାଏ । ତାହା ଦୂର ହୋଇଗଲେ ସେବକ -ପ୍ରଭୁର ପ୍ରାଚୀର ମଧ୍ୟ ଭୁଶୁଡ଼ି ପଡ଼ିଥାଏ ।

Add a Comment

Your email address will not be published. Required fields are marked *