ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯିବାର କାରଣ କ’ଣ? Why do we call Arjuna’s Chariot as Kapidvaja?

ଅଶ୍ୱତ୍‍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପର୍ଶୁରାମ ଓ ମାର୍କଣ୍ଡେୟ- ଏହି ଆଠଜଣଙ୍କୁ ଚିରଞ୍ଜୀବୀ କୁହାଯାଇଥାଏ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକାନ୍ତ ଅନୁଗତ, ଭକ୍ତ ଶିରୋମଣି ହନୁମାନ ଚିରଞ୍ଜୀବୀ ହେବାସହ ଅଜର, ଅମର ଓ ନିତ୍ୟଜୀବୀ ବୋଲି ବିବେଚିତ ହୋଇଥାନ୍ତି- ଆନନ୍ଦ ରାମାୟଣରେ ଏହା ବର୍ଣ୍ଣିତ ଅଛି । ଲଙ୍କା ବିଜୟ ପରେ ହନୁମାନ ଏକମାତ୍ର ଶ୍ରୀରାମଙ୍କ ପ୍ରତି ନିଜର ନିଶ୍ଚଳ ଭକ୍ତି ପ୍ରାର୍ଥନା କରିଥିଲେ । ଏହା ଶୁଣି ଶ୍ରୀରାମ ଭକ୍ତଶ୍ରେଷ୍ଠ ହନୁମାନଙ୍କୁ ଆଲିଙ୍ଗନ କରି କହିଥିଲେ- “ହେ କପିଶ୍ରେଷ୍ଠ, ଏହା ହିଁ ହେବ । ସଂସାରରେ ଯେ ପର୍ଯ୍ୟନ୍ତ ମୋ କଥା ପ୍ରଚଳିତ ଥିବ ସେ ପର୍ଯ୍ୟନ୍ତ ତୁମର ନାମ, କୀର୍ତ୍ତି ଅତୁଟ, ଅମ୍ଳାନ ରହିଥିବ ଏବଂ ତୁମର ଶରୀରରେ ପ୍ରାଣ ମଧ୍ୟ ରହିଥିବ । ତୁମେ ମୋର ଯେଉଁ ଉପକାର କରିଛ ତାହାର ପ୍ରତିଦାନ ମୁଁ କେବେ ଦେଇ ପାରିବିନି କି ତାହା ପରିଶୋଧ କରିପାରିବିନି ।’
ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିଥିଲେ- “ହେ ପ୍ରଭୁ! ଯେ ପର୍ଯ୍ୟନ୍ତ ସଂସାରରେ ଆପଣଙ୍କ ପାବନ କଥାମୃତ ପ୍ରଚଳିତ ଥିବ, ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ଆଜ୍ଞା ପାଳନକାରୀ ହିସାବରେ ମର୍ତ୍ତ୍ୟଲୋକରେ ରହିଥିବି, ମୋତେ ଏହି ଆଶୀର୍ବାଦ ଦିଅନ୍ତୁ ।’
ଇନ୍ଦ୍ରଙ୍କଠାରୁ ହନୁମାନ ବରପ୍ରାପ୍ତ ହୋଇଥିଲେ ଯେ ତାଙ୍କର ମୃତ୍ୟୁ ସେ ପର୍ଯ୍ୟନ୍ତ ହେବନାହିଁ ଯେ ପର୍ଯ୍ୟନ୍ତ ସେ ସ୍ୱୟଂ ମୃତ୍ୟୁ କାମନା କରିନାହାନ୍ତି ।
ଏକଦା ସୀତାଙ୍କ ଦ୍ୱାରା ପ୍ରଦତ୍ତ ମଣି ଓ ରତ୍ନ ବିଭୂଷିତ ହାର ପରିଧାନ କରି ଭଗବାନ ରାମଙ୍କ ସମ୍ମୁଖରେ ହାତଯୋଡି ଦଣ୍ଡାୟମାନଥିଲେ । ପ୍ରଭୁ ପ୍ରସନ୍ନ ହୋଇ କହିଥିଲେ, “ହନୁମାନ! ମୁଁ ତୁମ ଉପରେ ବହୁତ ପ୍ରସନ୍ନ । ତୁମେ ଇଚ୍ଛାନୁଯାୟୀ ବର ପ୍ରାର୍ଥନା କରିପାର । ଯେଉଁ ବର ତ୍ରିଲୋକରେ, ଏପରିକି ଦେବତାଙ୍କୁ ମିଳିବା ଦୁର୍ଲଭ ସେ ବର ମଧ୍ୟ ମୁଁ ତୁମକୁ ଅବଶ୍ୟ ଦେଇପାରିବି ।’
ହନୁମାନ ପ୍ରାର୍ଥନା କରିଥିଲେ “ପ୍ରଭୁ! ଯଦି ମୋ ଉପରେ ପ୍ରସନ୍ନ ତେବେ ମୋତେ ଏହି ବର ଦିଅନ୍ତୁ ଯେପରି ସଦାସର୍ବଦା ଆପଣଙ୍କ ସାନ୍ନିଧ୍ୟ ଲାଭ କରି ପାଖେପାଖେ ରହିଥିବି ।’
ପ୍ରଭୁ ଶ୍ରୀରାମ ଆଶ୍ୱାସନା ଦେଇ ହନୁମାନଙ୍କୁ କହିଥିଲେ- “ତାହା ହିଁ ହେବ । ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ । ତୁମେ ଜୀବନ୍ମୁକ୍ତ ହୋଇ ସଂସାରରେ ସୁଖପୂର୍ବକ ବାସ କରିବ । କଳ୍ପର ଅନ୍ତରେ ତୁମେ ମୋର ସାଯୁଜ୍ୟ ପ୍ରାପ୍ତ ହେବ ।’
ଏଥିରୁ ଜ୍ଞାତ ହୁଏ ଯେ ହନୁମାନ କେବଳ ଚିରଞ୍ଜୀବୀ ନୁହନ୍ତି, ସେ ନିତ୍ୟଜୀବୀ, ଇଚ୍ଛାମୃତ୍ୟୁକୁ ବରଣ କରୁଥିବା ଅଜେୟ, ଅମର ଭକ୍ତଶ୍ରେଷ୍ଠ । ଭଗବାନ ଶ୍ରୀରାମ ତାଙ୍କୁ କଳ୍ପର ଶେଷରେ ସାଯୁଜ୍ୟ ମୁକ୍ତିର ବରଦାନ ଦେଇଥିଲେ । ଏବେ ବି କଳିଯୁଗରେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ହନୁମାନଙ୍କ ଦର୍ଶନ କୌଣସି ନା କୌଣସି ରୂପରେ ପାଇଛନ୍ତି ଓ ତାଙ୍କର ଉପସ୍ଥିତିକୁ ଉପଲବ୍ôଧ କରୁଛନ୍ତି ।
ହନୁମାନଙ୍କୁ ହିନ୍ଦୁ ସଂସ୍କୃତିରେ ରୁଦ୍ରାବତାର ଭାବେ ଗ୍ରହଣ କରାଯାଇଥାଏ । ମହାଭାରତ ଯୁଦ୍ଧରେ ବୀରଶ୍ରେଷ୍ଠ ଅର୍ଜୁନଙ୍କ ରଥର ସାରଥି ଥିଲେ ଭଗବାନ ଶ୍ରୀକୃଷ୍ଣ, ଆଉ ସେହି ରଥର ଶୀର୍ଷରେ ଥିଲେ ବୀରଶ୍ରେଷ୍ଠ ହନୁମାନ । ସେହି କାରଣରୁ ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯାଇଥାଏ ।

Add a Comment

Your email address will not be published. Required fields are marked *