ପବିତ୍ର ଶାମ୍ବ ଦଶମୀ / Samba Dasami / What is to be done?
ଭୁବନେଶ୍ୱର: ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ତନ୍ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ ।
ଏହି ପରିପ୍ରେକ୍ଷୀରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ‘ଶାମ୍ବଦଶମୀ’ ପର୍ବ ପାଳନ କରାଯାଉଛି।
କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗରେ ପିଡୀତ ହୋଇଥିଲେ । ଏହି ରୋଗରୁ ଉପଶମ ପାଇଁ ଗର୍ଗମୁନୀ ତାଙ୍କୁ ଏକ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଶାମ୍ବ ଆରୋଗ୍ୟ ଲାଭ କରିଥିଲେ।
ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଆଜିବି ଘରେଘରେ ମାଆ ମାନେ ସନ୍ତାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ଉପାସନା କରିଥାଆନ୍ତି।
ପୌଷମାସ ଶୁକ୍ଲପକ୍ଷ ଦଶମୀ ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ବା ଶମ୍ବର ଦଶମୀ ଭାବେ ପାଳନ କରିଥାନ୍ତି । ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଏହି ଦିନ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ । ତେଣୁ ହିନ୍ଦୁ ନାରୀମାନେ ନିଜ ନିଜର ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତି ।
ଶାମ୍ବ ଦଶମୀରେ ପ୍ରଥମ ଧୂପ ବ୍ରାହ୍ମ ମୂହୁର୍ତ୍ତରେ ଫଳମୂଳ, ମିଷ୍ଠାନ୍ନ ସହ ହୋଇଥାଏ । ଦ୍ଵିତୀୟ ଧୂପରେ ଖିରୀ, ଖେଚେଡି ଆଦି ଦିନ 12ଟା ବେଳେ ନୈବେଦ୍ୟ ଦିଆଯାଏ । ତୃତୀୟ ଧୂପ ସୂର୍ଯ୍ୟାସ୍ତ ସମୟରେ ପିଠାପଣା ଆଦିରେ ବଢାଯାଏ । ଶାମ୍ବ ଦଶମୀ ପୂଜାର ଧର୍ମ ଦର୍ଶନ ଓ ନିଗୂଢ ତତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମାନୁଷ୍ୟଠାରୁ ଆରମ୍ଭ କରି ସମଗ୍ର ଜୀବ ଓ ଉଦ୍ଭିଦ ଜଗତ ସୂର୍ଯ୍ୟ ଟାପ ବିନା ବଞ୍ଚି ରହିବା କଷ୍ଟକର । ସୂର୍ଯ୍ୟଶକ୍ତିର ରୋଗ ନିବାରଣ ଗୁଣଟିକୁ ଲୋକ ବିଶ୍ଵାସ ପାଇଁ ଶାମ୍ବ ଦଶମୀ ପୂଜାରେ ଦର୍ଶାଯାଇଛି ।
ଅନ୍ୟ କେତେକ ମତରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବିଧିବିଧାନ ଓ ଭିନ୍ନ ଭିନ୍ନ ବ୍ୟଞ୍ଜନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଏ। ପରିବାରର ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ନିତ୍ୟକର୍ମ ସାରି ଘର ଅଗଣାରେ ବା ତୁଳସୀ ଚଉରା ମୂଳରେ ଚିତା କାଟି କଦଳୀ ପତ୍ରରେ ସକାଳ ଧୂପ ପାଇଁ ମଣ୍ଡାପିଠା, କାକରା, ବିରି ବରା, ମକର ଚାଉଳ, ଛେନାଗୁଡ଼, ଖିରି ଏବଂ ମିଠା ଦହି ଉଦିତ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣକରନ୍ତି। ଅପରାହ୍ନରେ ପାନପତ୍ର ଓ ହଳଦୀପାଣି ସିଞ୍ଚନ ପୂର୍ବକ ଅନ୍ନଭୋଗ ହୋଇଥାଏ। ସନ୍ଧ୍ୟାରେ ଯମଙ୍କ ଉଦ୍ଦେଶ୍ୟରେ ମହାକାଳ ପୂଜା ହୁଏ ଏବଂ ବୁଢ଼ା ଚକୁଳି ପୂଜା କରାଯାଇଥାଏ।
କିମ୍ବଦନ୍ତୀ ଅନୁସାରେ ଏକଦା ଶ୍ରୀକୃଷ୍ଣ ଅନ୍ତଃପୁରର ଦ୍ବାର ଜଗିବା ପାଇଁ ପୁତ୍ର ଶାମ୍ବଙ୍କୁ ଦାୟିତ୍ବ ଦେଇଥିଳେ। ହଠାତ୍ ପହଞ୍ଚିଲେ ମହାକ୍ରୋଧୀ ଦୁର୍ବାସା ମୁନି। ସେ ସଙ୍ଗେ ସଙ୍ଗେ କୃଷ୍ଣଙ୍କୁ ସାକ୍ଷାତ ପାଇଁ ଚାହିଁଲେ। ଶାମ୍ବ ଏଥିରେ ବ୍ୟତିକ୍ରମ କରି ଅନ୍ତଃପୁରରେ ପ୍ରବେଶ କରି କୃଷ୍ଣ ଙ୍କୁ ଡାକିବାରୁ କୃଷ୍ଣ ହଠାତ୍ ରାଗିଯାଇ ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହେଉ ବୋଲି ଅଭିଶାପ ଦେଇଥିଲେ। ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ଏବଂ ଏଥିରୁ ମୁକ୍ତ ହେବା ପାଁ କୋଣାର୍କର ଅର୍କକ୍ଷେତ୍ରରେ ୧୨ ବର୍ଷ କାଳ କଠୋର ତପସ୍ୟା ଓ ସୂର୍ଯ୍ୟ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। ଏହି ବିଶ୍ବାସ ଆଧାରରେ ଉପକୂଳ ଓଡ଼ିଶାର ଜନଜୀବନରେ ସୂର୍ଯ୍ୟ ଉପାସନାର ମହତ୍ତ୍ବ ରହିଛି। ପ୍ରତିଟି ପରିବାରର ମା’ମାନେ ଘରର ପ୍ରତ୍ୟେକ ସଦସ୍ୟଙ୍କ ମଙ୍ଗଳ ସ୍ବାସ୍ଥ୍ୟର କାମନା କରି ରୋଗ ଅନୁଯାୟୀ ନିର୍ଦ୍ଦିଷ୍ଟ ଭୋଗ ବାଢ଼ିଥାନ୍ତି।
ସର୍ବୋପରି ସୂର୍ଯ୍ୟ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର ଶାମ୍ବ ନିଜ ପିତା ଶ୍ରୀକୃଷ୍ଣଙ୍କ ଦ୍ବାରା ଶାପଗ୍ରସ୍ତ ହେବା ପରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ପ୍ରାପ୍ତି ହୋଇଥିଲେ। ଏହି ତିଥିରେ ସୂର୍ଯ୍ୟ ଉପାସନା କଲେ ପରିବାରରେ ସୁଖଶାନ୍ତି ସହିତ ସୁସ୍ବାସ୍ଥ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।