ମା ତାରିଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ସୋଲଡା ଗ୍ରାମସ୍ଥିତ ବାବା ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ମା ତାରିଣୀଙ୍କ ବିଗ୍ରହ ଓ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ନିକଟସ୍ଥ ପୁଷ୍କରଣୀରୁ ପବିତ୍ର ଜଳକଳସକୁ ଏକ ଭବ୍ୟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରି ମନ୍ଦିର ପରିସରରେ ସ୍ଥାପନ କରିଥିଲେ । ଏହାପରେ ମନ୍ଦିର ପରିସରରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ମା ତାରିଣୀଙ୍କ ପ୍ରତିମାରେ ଜୀବନ୍ୟାସ,ମନ୍ଦିର ପ୍ରତିଷ୍ଠା,ମହତୀ ଭୋଗ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିଥିଲେ । ଚୈତନ୍ୟ ସ୍ୱାଇଁ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ସ୍ୱାଇଁ ଯଜ୍ଞକର୍ତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଉତ୍ସବରେ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ମା’ଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ପୂର୍ଣ୍ଣାହୁତି ପରେ ସମସ୍ତ ଭକ୍ତ ସାମୂହିକ ପ୍ରସାଦ ସେବନ କରିଥିଲେ । ଚକ୍ରଧର ସ୍ୱାଇଁ,ଛତ୍ରପତି ସ୍ୱାଇଁ,ଶୁଭକାନ୍ତ ସ୍ୱାଇଁ ପ୍ରମୁଖଙ୍କ ସହ ସୋଲଡା ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Add a Comment