ରଥଖଳାରେ ରଥକାଠ ଅନୁକୂଳ : ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା

ପୁରୀ :‌ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ଶେଷ ହୋଇଛି। ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଏହି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ପରମ୍ପରା ଆଜି ଯଥାବିଧି ପାଳିତ ହୋଇଯାଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଆଜି ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଛନ୍ତି। ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ଶ୍ରୋତ୍ରିୟ ବ୍ରାହ୍ମଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରି ଚଳିତ ବର୍ଷର ରଥଯାତ୍ରା ଯେପରି ନିର୍ବିଘ୍ନରେ ଶେଷ ହେବ, ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ତିନି ରଥ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୧୯୩ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ ୬୭୨ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ନୟାଗଡ଼ ବନଖଣ୍ଡରୁ କାଠକଟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକ୍‌ରେ ୫୩ ଖଣ୍ଡ କାଠ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିସାରିଛି। ୧୨ ଫୁଟ୍‌ ଲମ୍ବର ୩୪ ଖଣ୍ଡ କାଠ ମଧ୍ୟରୁ ୧୦ ଖଣ୍ଡ ଅସନ ଓ ୨୪ ଖଣ୍ଡ ଧଉରା କାଠ ଆସିଛି। ସେହିଭଳି ୨୦ ଫୁଟ୍‌ ଲମ୍ବର ୧୯ ଖଣ୍ଡ କାଠରୁ ୧୧ଟି ଅସନ ଓ ୮ଟି ଧଉରା କାଠ ରହିଛି। ପରେ ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବ।

Add a Comment