ଅଁଳା ନବମୀ କ’ଣ?

ଭୁବନେଶ୍ୱର: ଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଅଁଳା ନବମୀ କାର୍ତ୍ତୀକ ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ। ଏହି ବ୍ରତ ପାଳନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୁଏ। ଶାସ୍ତ୍ର ଅନୁଯାୟୀ ଏହି ଦିନ ଆମେ ଯେଉଁ ପୂଣ୍ୟ ଅର୍ଜନ କରିଥାଉ ତାହା କେବେ କ୍ଷୟ ହୁଏ ନାହିଁ। ଏହି ଦିନ ଦାନ, ପୂଜା, ଭକ୍ତି, ସେବା ଇତ୍ୟାଦି କରାଯାଏ । ଏହାର ପୂଣ୍ୟ ଜନ୍ମ ଜନ୍ମାନ୍ତର ଯାଏଁ ପ୍ରାପ୍ତ ହୋଇଥାଏ।  ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ ଓ ଏହାପରେ ଗଛ ତଳେ ଭୋଜନ ପ୍ରସ୍ତୁତ କରି ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତି। ମହିଳାମାନେ ଏହି ବ୍ରତ ସନ୍ତାନ ସୁଖ ପ୍ରାପ୍ତି କରିବା ଲାଗି ଓ ତାଙ୍କର ମଙ୍ଗଳ କାମନା କରି ରଖିଥାନ୍ତି। ଆସନ୍ତୁ ଜଣିବା କ’ଣ ରହିଛି ଏହା ପଛର କାହାଣୀ।

ପୁରାଣ କଥା ଅନୁଯାୟୀ ଥରେ ମାଆ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିବାକୁ ଆସିଥିଲେ। ରାସ୍ତାରେ ତାଙ୍କୁ ବିଷ୍ଣୁ ଓ ଶିବଙ୍କୁ ଏକାଠି ପୂଜା କରିବାକ ଇଚ୍ଛା ଉଦ୍ରେକ ହେଲା। ହେଲେ ଲକ୍ଷ୍ମୀ ମାଆ ଚିନ୍ତାରେ ପଡ଼ିଗଲେ ଯେ, ସେ ଏକାଠି କିପରି ଭଗବାନ ବିଷ୍ଣୁ ଓ ଶିବଙ୍କୁ ପୂଜା କରିବେ।

ସେତେବେଳେ ତାଙ୍କୁ ମନେପଡ଼ିଲା ଯେ ତୁଳସୀ ଓ ବେଲର ସମସ୍ତ ଗୁଣ ଏକାଠି ଅଁଳା ଗଛରେ ଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ଓ ବିଲ୍ୱ ପତ୍ର ଶିବଙ୍କ । ଅଁଳା ଗଛରେ ଦୁଇଟିଯାକର ଗୁଣ ଏକାଠି ଥିବାରୁ ଏହାକୁ ବିଷ୍ଣୁ ଓ ଭଗବାନ ଶିବଙ୍କର ପ୍ରତୀକ ବୋଲି କୁହାଯାଏ। ଏହାପରେ ମାଆ ଲକ୍ଷ୍ମୀ ଅଁଳାଗଛ ପୂଜା କରିଥିଲେ। ବାସ୍‌ ସେବେଠୁ ହିଁ ଚାଲିଆସୁଛି ଏହି ପରମ୍ପରା। ସେହି ଦିନଠୁ ଏହିଦିନକୁ ଅଁଳା ନବମୀ ଭାବେ ପାଳନ କରାଯାଏ।

Add a Comment