Luck gets unfolded … ଭାଗ୍ୟଂ ଫଲତି ସବ଼ର୍ତ୍ର…..

ଅଜୟ କୁମାର ବେହେରା
ଇମଂ ବିବସ୍ୱତେ ଯୋଗଂ ପ୍ରୋକ୍ତବାନହମବ୍ୟୟମ୍, ବିବସ୍ୱାନ୍ ମନବେ ପ୍ରାହ ମନୁରିକ୍ଷାକବେଽବ୍ରବୀତ୍ । । ମହାନ ଗୀତା – ଜ୍ଞାନଯୋଗର ପ୍ରଥମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଥିଲେ, ଯାହାର ଅର୍ଥ ହେଲା – ଏହି ଅକ୍ଷୟ ଫଳଦାୟକ ଯୋଗ ବିଷୟରେ ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ କହିଥିଲି । ସୂର୍ଯ୍ୟ, ମନୁଙ୍କୁ ଓ ମନୁ, ଈକ୍ଷ୍ବାକଙ୍କୁ ଏହି ଯୋଗ କଥା କହିଥିଲେ । କାଳକ୍ରମେ ଏହି ଯୋଗର ଜ୍ଞାନ ବିସ୍ତୃତି ହୋଇ ଚାଲିଛି । ଗୀତାର ଏହି ଶ୍ଲୋକ ସହିତ ଜାଗତିକ ଜ୍ୟୋତିଷର ତାତ୍ତ୍ୱିକ ସଂହତିକୁ ସୂଚାଇବାର ଯଥାର୍ଥ୍ୟ ରହିଛି । ମାତ୍ର ଗୋଟିଏ ଶ୍ଲୋକରେ ଜାଗତିକ ଜ୍ୟୋତିଷର ସଂହତି ସୀମିତ ନୁହେଁ । ଏହିପରି ଅନେକ ଶ୍ଲୋକରେ ଏହାର ତାତ୍ତ୍ୱିକ ସଂହତି ପରିଦୃଷ୍ଟ ହୁଏ । ଜାଗତିକ ଜ୍ୟୋତିଷରେ ଜୀବର ବିଭିନ୍ନାବସ୍ଥାରେ ଭିନ୍ନ ଭିନ୍ନ ଭାବ ବିକାଶଗତ ପରିକଳ୍ପନାକୁ ଫଳିତ ଜ୍ୟୋତିଷରେ ଅନ୍ତର୍ଭୁକ୍ତ କରାଗଲା ବେଳେ ପୃଥିବୀର ସମୁଦାୟ ଘଟଣାବଳୀର ସୂଚନାକୁ ସଂହିତା କୁହାଯାଏ । ପ୍ରାଣୀର ବିଭିନ୍ନ ବିକାଶଗତ ଭାବର ସମୀକ୍ଷା ହୋରା ଜ୍ୟୋତିଷ ଅନ୍ତର୍ଭୁକ୍ତ । ହୋରା ଓ ସଂହିତାର ସମନ୍ୱୟରେ ଫଳିତ ଜ୍ୟୋତିଷ ପ୍ରତିଷ୍ଠିତ । ଗୀତା ଜ୍ଞାନଯୋଗର ପ୍ରଥମ ଶ୍ଲୋକରେ ହୋରା ବା ପ୍ରାଣୀର କୁଣ୍ଡଳିନୀ ବିକାଶର ଯୋଜନା ବିଜ୍ଞାନରେ ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ମାନଙ୍କୁ ପରୋକ୍ଷରେ ସୂଚିତ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ମୁଁର ଅର୍ଥ ସନାତନ ଆଦିଶକ୍ତିର ବିସ୍ତୃତି ରୂପକ ବ୍ରହ୍ମ ଭାବକୁ ଏଥିରେ ସୂଚିତ କରାଯାଇଛି । ତେଣୁ ବ୍ରହ୍ମର ଅସୀମ ଶକ୍ତି ପର୍ଯ୍ୟାୟରୁ କେତେକ ବିବର୍ତ୍ତନାତ୍ମକ ଶକ୍ତିରୁ ସୂର୍ଯ୍ୟଙ୍କ ପ୍ରତିଷ୍ଠା ଓ ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରର ଉତ୍ପତ୍ତି । ଚନ୍ଦ୍ରରେ ସୂର୍ଯ୍ୟଙ୍କର ତେଜ ପ୍ରତିଫଳିତ ହେବାରେ ପଞ୍ଚମହାଭୂତମାନେ ତାଙ୍କର ନିହିତ ଶକ୍ତି ମଧ୍ୟରେ ଏକ ଭାବ
ସଞ୍ଚାର କରନ୍ତି, ଯାହାକି ଅତ୍ୟନ୍ତ ମଧୁର । ଏହି ପଞ୍ଚମହାଭୂତ ମାନଙ୍କର ସୃଜନାତ୍ମକ ନବରସକୁ ନବଗ୍ରହ ମାଧ୍ୟମରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମାଣ କରାଯାଇଛି । ଏହି ରସ ବା ବିବର୍ତ୍ତନାତ୍ମକ ଶକ୍ତି ସ୍ପନ୍ଦନରେ ପଞ୍ଚମହାଭୂତମାନେ ତଦନୁସାରେ ସ୍ପନ୍ଦିତ ହୋଇ, ଏକ ସମନ୍ୱିତ ଧାରାରେ ଜୀବର ଶରୀର ଓ ଜଡ଼ର ସୃଷ୍ଟି କରନ୍ତି ।
ଜୀବ ମଧ୍ୟରେ ଆତ୍ମା, ତାର ସଂସ୍କାରଗତ ଭାବ ନେଇ, ଏହି ରସ ସମନ୍ୱୟରେ ସମସ୍ତ ପ୍ରକାର କର୍ମ ଆଦି ଭୋଗକରେ । ତାର ସଂସ୍କାର ଭାବ ନବରସ ମାଧ୍ୟମରେ ପ୍ରସାରିତ କରି, ସେ ତାହା ମଧ୍ୟରେ ବିଭିନ୍ନ ମାନସିକ ପ୍ରତିକ୍ରିୟା ସୃଷ୍ଟିକରେ, ଯାହାକି ତାର ଜୀବଭାବର ନୂତନ ରୂପରେଖ ନେଇ ଏହି ବ୍ରହ୍ମ ମଧ୍ୟରେ ଘୂରିବୁଲେ । କର୍ମ ତଥା ମାନସିକଭାବ ପର୍ଯ୍ୟାୟରେ ତାର ଏହି ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ତଥା ଅନୁଭୂତି ଗୁଡ଼ିକ ତାକୁ ଗୁଣକର୍ମ ବିଭାଗରେ ବିଭାଜିତ କରାଇ, ସେହି ପ୍ରକାରେ ଯୋନି ଓ ବର୍ଣ୍ଣାଦିରେ ସନ୍ନିହିତ ହୋଇ, ପୁଣି ଜନ୍ମ ନେବାରେ ସାହାଯ୍ୟ କରିଥାଏ । ଉପରୋକ୍ତ ତଥ୍ୟ, ଜ୍ଞାନଯୋଗର ପ୍ରଥମ ଶ୍ଲୋକରେ ସନ୍ନିହିତ ହେବା ବେଳେ ଏହାର ସମୀକ୍ଷା ତଥା ସୂକ୍ଷ୍ମ ପର୍ଯ୍ୟାଲୋଚନାଗତ ଭାବମାନ ପରୋକ୍ଷରେ ଗୀତାର ବିଭିନ୍ନ ଶ୍ଲୋକ ମାଧ୍ୟମରେ ସୂଚିତ ହୋଇଛି ।
ଧ୍ୟାନଯୋଗର ୪୪ ଶ୍ଲୋକଟି ମଧ୍ୟ ଏକ ଦୃଷ୍ଟାନ୍ତ । ଯଥା –
ପୂବ଼ର୍ାଭ୍ୟାସେନ ତେନୈବ଼ ହ୍ରିୟତେ ହ୍ୟବ଼ଶୋଽପି ସଃ ।
ଜିଜ୍ଞାସୁରପି ୟୋଗସ୍ୟ ଶବ୍ଦବ୍ରହ୍ମାତି ବ଼ର୍ତ୍ତତେ । ।
ଅର୍ଥ ହେଲା ପୂର୍ବଜନ୍ମର ସେହି ଯୋଗାଭ୍ୟାସ ତଥା ଜୀବଭାବସ୍ଥ ସଂସ୍କାର ଜନିତ ଅଭ୍ୟାସ ହିଁ ତାହାକୁ ସେହିପରି କରିଥାଏ । ଏଣୁ ବିଭିନ୍ନ ନୈସର୍ଗିକ ଜ୍ୟୋତିଃ ପିଣ୍ଡର ଗତିରେ ବିଭିନ୍ନ ରୂପ ରକସର ପ୍ରଭାବରେ, ତାର ମନ ସେହିପରି ଭାବରେ ପ୍ରତିଫଳନ କରେ ଓ ଏହି ପ୍ରତିଫଳନାତ୍ମକ ଭାବନେଇ ଜୀବାତ୍ମା ତାର ଦେହର ବିଭିନ୍ନ ପର୍ଯ୍ୟାୟରେ ଥିବା କୁଣ୍ଡଳିନୀ ରସ (ଭାବ)ରେ ପ୍ରଭାବିତ ହୋଇ, ତଦନୁସାରେ ଆଚରଣ କରେ । ଏହି ଭାବକୁ ଜ୍ୟୋତିଷଶାସ୍ତ୍ର କୁହେ, ଭାଗ୍ୟଂ ଫଲତି ସବ଼ର୍ତ୍ର ନ ଚ ବ଼ିଦ୍ୟା ନ ଚ ପୌରୁଷମ୍ ଇତ୍ୟାଦି । ତେଣୁ ଜାଗତିକ ଜ୍ୟୋତିଷରେ ତାର ଜନ୍ମକୋଷ୍ଠୀ (ମୌଳିକ ସ୍ଥିରୀକୃତ ନିୟମରେ କୁଣ୍ଡଳିନୀ ଶକ୍ତି କ୍ରମ)ରେ ସୂଚିତ କରାଗଲା ବେଳେ ବିଭିନ୍ନ ଗ୍ରହମାନଙ୍କର ଗତିରେ ସେହି କୁଣ୍ଡଳିନୀର ପ୍ରତିକ୍ରିୟାର ଏକ ଆକଳନକୁ ଫଳିତ ଜ୍ୟୋତିଷ ଭାବେ ଗ୍ରହଣ କରାଯାଏ । ଶରୀରର ଭାବଭଙ୍ଗୀ ଓ ଆତ୍ମାର ମାଧୁର୍ଯ୍ୟରୂପୀ ବାକ୍ଶକ୍ତି ମାଧ୍ୟମରେ ପ୍ରକାଶଗତ କ୍ରିୟାକୁ ନବରସ ପରିସରଭୁକ୍ତ କରାଯାଇଛି । କାରଣ ପରୋକ୍ଷରେ ଏହି ସବୁ ପ୍ରକାଶରେ ଆତ୍ମାର ଅନ୍ତର୍ନିହିତ ବିଭିନ୍ନ ଭାବ ତଥା କର୍ମ ଇତ୍ୟାଦିର ତତ୍ତ୍ୱକୁ ଉପସ୍ଥାପନା କରାଯାଏ । ଏହିସବୁ ବିକାଶ ଦିଗ ହିଁ ଆତ୍ମରତି ନିଷ୍ପନ୍ନ ନବରସର ବିସ୍ତୃତି ଓ ବ୍ୟବସ୍ଥାପନା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଶାସ୍ତ୍ରରେ ନବଦ୍ୱାର ପୁରଂ ଦେହୀ ବୋଲି ମଧ୍ୟ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ଦେହର ଏଗାର ଗୋଟି ଦ୍ୱାର ଥିବା ବିଷୟ ସହିତ ଏହାକୁ ସମ୍ବନ୍ଧିତ କରିବା ଅନୁଚିତ । କାରଣ ଦେହୀର ନବଦ୍ୱାର ବିଷୟ ସୂଚୀତ ଦେହର ନୁହେଁ । ଦେହୀ ହେଉଛି ଜୀବାତ୍ମା ବା ଜୀବାଖ୍ୟ କୁଣ୍ଡଳିନୀ ରୂପୀ ଶକ୍ତି ସମନ୍ୱୟର ଏକ ଯୋଜନା । ତେଣୁ ଆଧ୍ୟାତ୍ମ୍ୟ ବିଦ୍ୟା ଧାରଣାଗତ ଜ୍ଞାନରୂପରେ ପ୍ରତିଷ୍ଠିତ ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଜନାର ନବରସକୁ ନଅଟି ଗ୍ରହ ମାଧ୍ୟମରେ ଦର୍ଶାଯାଇଛି । ଏହି ନବରସର ପରିସରଭୂକ୍ତ ହୋଇ ବିଭିନ୍ନ ଗ୍ରହମାନେ କିପରି ଭାବରେ ଫଳ ପ୍ରଦାନ କରନ୍ତି ତାର ସୂଚନା ନବଗ୍ରହ ସ୍ତୋତ୍ର ମଧ୍ୟରେ ପ୍ରଦତ୍ତ । ତେଣୁ ଜାଗତିକ ଜ୍ୟୋତିଷରେ ଜୀବପ୍ରତି ଫଳାଦେଶରେ ଅନୁପ୍ରାଣିତ ଜ୍ୟୋତିଷୀମାନେ ପ୍ରଥମେ କୁଣ୍ଡଳିନୀ ସାଧନା ତଥା ତାହାର ଜ୍ଞାନ ଆହରଣ ପୂର୍ବକ ତତ୍ତ୍ୱକୁ ନିଜେ ହୃଦୟଙ୍ଗମ କରିବା ନିତାନ୍ତ ଆବଶ୍ୟକ । ପ୍ରତ୍ୟେକ ଜୀବର କର୍ମ, ଜ୍ଞାନ ଇତ୍ୟାଦି ଅନ୍ତର୍ନିହିତ ଜୀବାଖ୍ୟ କୁଣ୍ଡଳିନୀଶକ୍ତି ପ୍ରକ୍ରିୟାର ବିକାଶ ଜନିତ ବ୍ୟକ୍ତାବ୍ୟକ୍ତଭାବ ଦିଗକୁ ସୂଚିତ କରେ । ହିନ୍ଦୁ ଫଳିତ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଗ୍ରହମାନଙ୍କରୁ ନିଷ୍ପନ୍ନ ପ୍ରଭାବ, କୁଣ୍ଡଳିନୀ ଶକ୍ତିର ଅନ୍ତର୍ଭୁକ୍ତ ବିଧାନ ଅନୁସାରେ ବିକାଶ ଦିଗରେ ସମନ୍ୱିତ ଗୁଣ ତଥା ଦିଗକୁ ନିରୂପଣ କରିବା, ଏହା ହିଁ ଏହାର ତାତ୍ପର୍ଯ୍ୟ । ଏଥି ନିମିତ୍ତ କେବଳ ଦଶାପ୍ରକରଣ ଦିଗକୁ ଦୃଷ୍ଟିଦେଲେ ଚଳିବ ନାହିଁ, ଗୋଚରର ପ୍ରଭାବକୁ ଫଳବିଚାରରେ ଅଧିକ ଗୁରୁତ୍ୱ ଦେବା ମଧ୍ୟ ଅପରିହାର୍ଯ୍ୟ ।
ଦଶାପ୍ରକରଣରେ ମତପାର୍ଥକ୍ୟ ଥାଇ ୪୨ଟି ଦଶାର ବ୍ୟବସ୍ଥା ଥିଲେ ମଧ୍ୟ ଗୋଚରରେ କୌଣସି ମତଭେଦ ନଥାଏ । ଏଣୁ ଗୋଚର ପ୍ରଭାବକକୁ ନେଇ ଯେଉଁ ତତ୍କାଳ ସୂଚନା ଦିଆଯାଏ, ତାହା ଅଧିକ ଯଥାର୍ଥ ହେବା ପରି ମନେହୁଏ । କିନ୍ତୁ ଏହାକୁ ଦଶାପ୍ରକରଣରେ ଯୁକ୍ତ କରିବାକୁ ହେବ ।
ଜ୍ୟୋତିଷଶାସ୍ତ୍ର ଦେବଚକ୍ଷୁରୂପୀ ବ୍ରହ୍ମବିଦ୍ୟା – ବ୍ରହ୍ମବିଦ୍ୟା ଆଧ୍ୟାତ୍ମ୍ୟ ବିଦ୍ୟା ଅଟନ୍ତି । ଆଧ୍ୟାତ୍ମ୍ୟବିଦ୍ୟା ସ୍ୱଭାବର ବିଶେଷଣାତ୍ମକ ରୂପ । ଅକ୍ଷରଂ ପରମଂ ବ୍ରହ୍ମ ଆଧ୍ୟାତ୍ମ୍ୟ ସ୍ୱଭାବ଼ ଉଚ୍ୟତେ (ଗୀତା) । ସ୍ୱଭାବ ଜାଣିବା ନିମିତ୍ତ ନିଜ ଜୀବକୁଣ୍ଡଳିନୀ ସାଧନାଗତ ଜ୍ଞାନର ଆବଶ୍ୟକତା ଥାଏ । ସେହି କୁଣ୍ଡଳିନୀର ବିଜ୍ଞାନଗତ ସ୍ୱଅନୁଭୂତି ନଥାଇ, ଜ୍ୟୋତିଷ ଶାସ୍ତ୍ରରେ ତଥା ଫଳାଦେଶରେ ଆଗେଇବା ମାନବ ଧର୍ମର ପରିପନ୍ଥୀ ନୁହେଁ । ଧର୍ମଗ୍ଲାନିରେ ଅଧର୍ମର ବିସ୍ତାର ହୁଏ । ଅଧର୍ମରୁ ଜଗତର ବିପର୍ଯ୍ୟୟ ସୃଷ୍ଟି ଏବଂ ବିପର୍ଯ୍ୟୟରେ ଜୀବମାନେ ଉଦ୍ଭ୍ରାନ୍ତ, ଉତ୍ପୀଡ଼ିତ ତଥା ବିକ୍ଷିପ୍ତ ଭାବରେ ବିନାଶ ଦିଗକୁ ମାଧବମାନ ହୁଅନ୍ତି । ଏଣୁ ଏହାକୁ ଦୃଷ୍ଟିରେ ରଖି, ଜ୍ୟୋତିଷୀମାନେ ନିଜର କର୍ମପନ୍ଥାକୁ ସୂଚାରୁ ରୂପେ ନିୟନ୍ତ୍ରଣ କରିବା ଆବଶ୍ୟକ । ଯୁଗଧର୍ମ ଅନୁସାରେ ଶାସକଥିଲେ ରାଜାମାନେ । ଶାସନକାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ଦିଗରେ ଦିଗ୍ଦର୍ଶନ ତଥା ପରାମର୍ଶ ଦେବାକୁ ଗୁଣି ଜ୍ଞାନୀ ମାନଙ୍କୁ ରାଜସଭାରେ ସ୍ଥାନ ଦେଉଥିଲେ । ଜ୍ୟୋତିଷୀମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । କିନ୍ତୁ ଯୁଗର ବିବର୍ତ୍ତନ ଅନୁସାରେ ଜୀବର ଗୁଣ କର୍ମର ମଧ୍ୟ ପରିବର୍ତ୍ତନ ଘଟିଚାଲିଲା । ଏବେ ଆମେ ଏପରି ଗୋଟିଏ ଯୁଗରେ ପହଞ୍ôଚଅଛୁ ଯହିଁରେ ଜୀବମନେ ପ୍ରକୃତିଠାରୁ ତଥା ଦୈବୀ ସଂବିଧାନ୍ ଠାରୁ ଦୂରେଇ ଯାଇଛନ୍ତି ତଥା ଅଧର୍ମର ପୁରା ଘେରରେ ବନ୍ଦୀ । ଏହିମାନେ ଶାସକ ହେଲେ, ଏଠାରେ ଜ୍ୟୋତିଷୀମାନେ କିପରି ଭାବରେ ଜୀବମାନଙ୍କୁ ରକ୍ଷା କରିପାରିବେ? କେବେ ସମ୍ଭବ ନୁହେଁ । ସାଂପ୍ରତିକ ଜୀବନରେ ଜୀବମାନେ କୁଣ୍ଡଳିନୀଶକ୍ତି ବା ଦେବଚକ୍ଷୁ କିମ୍ବା ବେଦଚକ୍ଷୁ ନତୁବା ବ୍ରହ୍ମବିଦ୍ୟା ଏହି ସବୁକୁ ସମ୍ମାନ ଦିଅନ୍ତି ନାହିଁ । ଏହି ସଂପର୍କରେ ଏ ମାନଙ୍କ ପରିଭାଷା ପୃଥକ । ଏମାନେ ବୁଝନ୍ତି କୁଣ୍ଡଳିନୀ ଶକ୍ତି ଅର୍ଥାତ୍ କୁଣ୍ଡଳାକାଗ ଶକ୍ତି = ମୁଦ୍ରା । ବ୍ରହ୍ମବିଦ୍ୟା = ବ୍ରହ୍ମଚାପୁଡ଼ା ଅର୍ଥାତ୍ ବାହୁବଳରେ ଗୁଣ୍ଡାମୀ । ଏମାନେ ଗୋଟିଏ ଗୋଟିଏ ବେଦର ସ୍ରଷ୍ଟା ତଥା ବ୍ରହ୍ମା । ନିଜର ଇଛା ଅନୁସାରେ ନିଜର ସ୍ୱାର୍ଥରକ୍ଷା ପାଇଁ ଆଇନ କାନୁନ୍ ସୃଷ୍ଟି କରିପାରନ୍ତି । ଶୋଷଣ, ଧର୍ଷଣ, କ୍ଷମତା ଲାଭ ପାଇଁ ନୀତି ନିୟମକୁ ଦଳିଚକଟି ଦେଇ ପାରନ୍ତି । ଏମାନଙ୍କ ସମାଜ ଭିତରେ ବିଚାର ଜ୍ୟୋତିଷୀଟିଏ ନୀତି ନିୟମକୁ ଜଳାଞ୍ଜଳି ଦେଇ କୁଣ୍ଡଳିନୀ ଶକ୍ତି ସଂଗ୍ରହରେ ଭାଗି ପଡ଼ନ୍ତି । ତେବେ ନିଷ୍ଠାପର, ଆତ୍ମମର୍ଯ୍ୟାଦା ସଂପନ୍ନ ଜ୍ୟୋତିଷୀମାନେ ଅବଶିଷ୍ଟ ସୁଧୀ ସମାଜକୁ ରକ୍ଷା କରିବା ଦିଗରେ ସେମାନଙ୍କୁ ଦିଗ୍ଦର୍ଶନ ଦେଇ ନିଜର ନୈତିକ ଦାୟିତ୍ୱ ସଂପନ୍ନ ସହିତ ମାନବ ଧର୍ମର ଧ୍ୱଜାକୁ ମ୍ଲାନ ନ କରିବାରେ ବ୍ରତୀ ହୋଇ ଗୀତାର ସେହି ବାଣୀକୁ ମର୍ଯ୍ୟାଦାବନ୍ତ କରିବା ବାଞ୍ଛନୀୟ ।
ସମ୍ପାଦକ, ବରେଣ୍ୟବାଣୀ, ଅରୁଣୋଦୟ ନଗର,
କଟକ, ଦୂରଭାଷ : ୯୪୩୭୦୩୧୨୫୩