କରୁଣାମୟୀ ମା ଦ୍ରୌପଦୀ – How Draupadi becomes a Great Mother!

ଅନ୍ୟାୟ, ଅଧର୍ମ, ଅନୀତିର ପୃଷ୍ଠପୋଷକ ସାଜି ନିଜକୁ ସବୁଠାରୁ ବଳୀୟାନ ଭାବୁଥିବା କୁରୁକୁଳ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ବିନଷ୍ଟ ହୋଇଯାଇଥାନ୍ତି । ଅହଂକାରୀ ଦୁର୍ଯ୍ୟୋଧନ ବ୍ୟାସ ସରୋବର ତୀରରେ ଭୀମଙ୍କ ଗଦାଘାତରେ ଭଗ୍ନଜାନୁ ହୋଇ ଅତି ଦୟନୀୟ ଅବସ୍ଥାରେ ପଡିରହିଥାନ୍ତି ମୃତ୍ୟୁକୁ ଅପେକ୍ଷାକରି । ଅନ୍ତିମକ୍ଷଣକୁ ଅପେକ୍ଷା କରି ପଡିରହିଥିବାବେଳେ ଅତି ଅପ୍ରତ୍ୟାଶିତ ଭାବରେ ସେଠାରେ ପହଞ୍ôଚ ଯାଇଥିଲେ ଗୁରୁପୁତ୍ର ଅଶ୍ୱତ୍‍ଥମା । ପ୍ରତିଶୋଧ ଅଗ୍ନିରେ ଜଳୁଥିବା ଜଣେ ବୀରର ଭେଟ ହୋଇଥିଲା ସମଧର୍ମା ଅନ୍ୟ ଏକ ପ୍ରତିଶୋଧପରାୟଣ ଯୋଦ୍ଧା ସହିତ । ପାଣ୍ଡବ ପାଞ୍ଚଭାଇଙ୍କ ଛିନ୍ନଶିର ଆଣି ଭେଟି ଦେବାପାଇଁ ଦୁର୍ଯ୍ୟୋଧନଙ୍କୁ ପ୍ରତିଶ୍ରୁତି ଦେଇ ବାହାରି ଆସିଥିଲେ । ସେହି କାଳରାତ୍ରିରେ ଦସ୍ୟୁଭଳି ଛପିଛପି ଅତି ସନ୍ତର୍ପଣରେ ଅଶ୍ୱତଥମା ଶୋଇଥିବା ଅବସ୍ଥାରେ ପାଞ୍ଚଜଣଙ୍କ ମୁଣ୍ଡକାଟି କଟାମୁଣ୍ଡ ସହ ପାଣ୍ଡବ ଶିବିରରୁ ବାହାରି ଆସିଥିଲେ ଅତି ଆନନ୍ଦରେ । ସନ୍ତାପିତ ହୃଦୟର ଜ୍ୱାଳା ପ୍ରଶମିତ ହୋଇଥିଲା ଏଇ ଭାବନାରେ ଯେ ଅନ୍ତତଃ ସେ ପିତୃହତ୍ୟାର ପ୍ରତିଶୋଧ ନେଇପାରିଛନ୍ତି ଓ ଦୁର୍ଯ୍ୟୋଧନଙ୍କୁ ତାଙ୍କର ଅନ୍ତିମ ମୁହୂର୍ତ୍ତରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଛନ୍ତି ।
କଟାମୁଣ୍ଡଗୁଡ଼ିକୁ ଭେଟି ଦେଲାବେଳେ ଦୁର୍ଯ୍ୟୋଧନ ଯେତେବେଳେ ସେସବୁକୁ ଦେଖିଦେଲେ ସେତେବେଳେ ମର୍ମାନ୍ତିକ ଦୁଃଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାହାଥିଲା ପାଣ୍ଡବମାନଙ୍କ କୁଳ ଦୀପାଳି ପାଞ୍ଚ ବାଳୁତ କୁମାରଙ୍କ ମସ୍ତକ । ଦ୍ରୌପଦୀ ପୁତ୍ରହତ୍ୟାରେ ଅଧିରହୋଇ ବିଳାପ କରିବାକୁ ଲାଗିଲେ । ଦ୍ରୌପଦୀଙ୍କ ମର୍ମଭେଦୀ କ୍ରନ୍ଦନ ଧ୍ୱନିରେ ଅଧିର ଅର୍ଜୁନ ପ୍ରତିଜ୍ଞାକଲେ ବାଳୁତକୁମାରଙ୍କ ହତ୍ୟାକାରୀର ଅନୁରୂପ ଭାବରେ ଶିରଚ୍ଛେଦ କରିବାପାଇଁ । ଅଶ୍ୱତ୍‍ଥମା ଭୟ ପାଇ ଲୁକ୍‍କାୟିତ ସ୍ଥାନ ଖୋଜିବାକୁ ଲାଗିଲେ । ହେଲେ ଅର୍ଜୁନ ପିଛା କରି ତାଙ୍କୁ ବନ୍ଦୀ କରିଥିଲେ, ଦ୍ରୌପଦୀଙ୍କ ସମ୍ମୁଖକୁ ଆଣିଥିଲେ ବିଚାର ନିମିତ୍ତ ।
ପଶୁସ୍ୱରୂପ ବନ୍ଧା ହୋଇଥିବା ଅଶ୍ୱତ୍‍ଥମାଙ୍କୁ ସମ୍ମୁଖରେ ଦେଖି ଦ୍ରୌପଦୀଙ୍କ ମାତୃହୃଦୟ ଦୟା, କ୍ଷମା, କରୁଣାରେ ବିଗଳିତ ହୋଇଯାଇଥିଲା । ଯଦିଓ ପୁତ୍ରଶୋକ ତାଙ୍କୁ ବିଚଳିତ କରିଦେଇଥିଲା ତଥାପି ଅନ୍ତରର ବେଦନାକୁ ଚାପିରଖି ମମତାମୟୀ ମା’ର ଆଦର୍ଶ ଦେଖାଇଥିଲେ । ଗୁରୁପୁତ୍ରଙ୍କୁ ନମସ୍କାର କରି ଅର୍ଜୁନଙ୍କୁ କହିଥିଲେ- ହେ ଆର୍ଯ୍ୟପୁତ୍ର! ଇଏ ଗୁରୁପୁତ୍ର ତଥା ବ୍ରାହ୍ମଣ । ଆପଣ ତାଙ୍କ ପିତାଙ୍କଠାରୁ ଶସ୍ତ୍ର ଓ ଶାସ୍ତ୍ରଜ୍ଞାନ ଶିକ୍ଷା କରି ମହାରଥୀ ଭାବରେ ଖ୍ୟାତିଲାଭ କରିଛନ୍ତି । ଏବେ ପୁତ୍ର ରୂପରେ ଆଚାର୍ଯ୍ୟ ଦ୍ରୋଣ ହିଁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି । କ୍ରୋଧବଶରେ ତାଙ୍କୁ ବଧ କଲେ ତାଙ୍କର ମାତା କୃପୀ ମୋ ଭଳି ପୁତ୍ରଶୋକରେ ଅଧିରହୋଇ ବିଳାପସହ ନିରନ୍ତର ମୃତ୍ୟୁଯନ୍ତ୍ରଣା ଭୋଗ କରିବେ । ପୁତ୍ର ପ୍ରତି ବିଶେଷ ମୋହ କାରଣରୁ ସେ ପତି ଦ୍ରୋଣାଚାର୍ଯ୍ୟଙ୍କ ଚିତାରେ ସତୀ ନାରୀ ଭାବରେ ଝାସ ଦେଇ ନଥିଲେ । ତାଙ୍କୁ ବନ୍ଧନମୁକ୍ତ କରି ଛାଡ଼ି ଦିଅନ୍ତୁ ।’
ମାତୃହୃଦୟର ଏହି ଅନାବିଳ ମମତ୍ୱବୋଧ, ଆକୁଳ ନିବେଦନକୁ ଅର୍ଜୁନ ଏଡ଼ାଇ ପାରି ନଥିଲେ । ପୁତ୍ର ହତ୍ୟାର ପ୍ରତିଶୋଧ ନିକଟରେ କରୁଣାମୟୀ ମାଆର ମମତା ବିଜୟୀ ହୋଇଗଲା । ଦ୍ରୌପଦୀଙ୍କଠାରୁ ଏହା ଶୁଣିବାପରେ ଅର୍ଜୁନ ତରବାରୀରେ ଅଶ୍ୱତଥମାଙ୍କ କେଶ ମୁଣ୍ଡନ କରି ଶ୍ରୀହୀନ ଅଶ୍ୱତଥମାଙ୍କୁ ଶିବିରରୁ ବାହାର କରିଦେଇଥିଲେ । ବାତ୍ସଲ୍ୟମମତାରେ ଅନ୍ଧ ଦ୍ରୌପଦୀଙ୍କ ନିକଟରେ ସେ ଥିଲେ ଗୁରୁପୁତ୍ର । ନିଜ ଦୁଃଖକୁ ସେ କୃପୀଙ୍କ ଦୁଃଖ ସହ ତୁଳନା କରି ଯେଉଁ ମହନୀୟତାର ପରିଚୟ ଦେଇଥିଲେ ତାହା ଥିଲା ଅନନ୍ୟ ।

ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯିବାର କାରଣ କ’ଣ? Why do we call Arjuna’s Chariot as Kapidvaja?

ଅଶ୍ୱତ୍‍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପର୍ଶୁରାମ ଓ ମାର୍କଣ୍ଡେୟ- ଏହି ଆଠଜଣଙ୍କୁ ଚିରଞ୍ଜୀବୀ କୁହାଯାଇଥାଏ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକାନ୍ତ ଅନୁଗତ, ଭକ୍ତ ଶିରୋମଣି ହନୁମାନ ଚିରଞ୍ଜୀବୀ ହେବାସହ ଅଜର, ଅମର ଓ ନିତ୍ୟଜୀବୀ ବୋଲି ବିବେଚିତ ହୋଇଥାନ୍ତି- ଆନନ୍ଦ ରାମାୟଣରେ ଏହା ବର୍ଣ୍ଣିତ ଅଛି । ଲଙ୍କା ବିଜୟ ପରେ ହନୁମାନ ଏକମାତ୍ର ଶ୍ରୀରାମଙ୍କ ପ୍ରତି ନିଜର ନିଶ୍ଚଳ ଭକ୍ତି ପ୍ରାର୍ଥନା କରିଥିଲେ । ଏହା ଶୁଣି ଶ୍ରୀରାମ ଭକ୍ତଶ୍ରେଷ୍ଠ ହନୁମାନଙ୍କୁ ଆଲିଙ୍ଗନ କରି କହିଥିଲେ- “ହେ କପିଶ୍ରେଷ୍ଠ, ଏହା ହିଁ ହେବ । ସଂସାରରେ ଯେ ପର୍ଯ୍ୟନ୍ତ ମୋ କଥା ପ୍ରଚଳିତ ଥିବ ସେ ପର୍ଯ୍ୟନ୍ତ ତୁମର ନାମ, କୀର୍ତ୍ତି ଅତୁଟ, ଅମ୍ଳାନ ରହିଥିବ ଏବଂ ତୁମର ଶରୀରରେ ପ୍ରାଣ ମଧ୍ୟ ରହିଥିବ । ତୁମେ ମୋର ଯେଉଁ ଉପକାର କରିଛ ତାହାର ପ୍ରତିଦାନ ମୁଁ କେବେ ଦେଇ ପାରିବିନି କି ତାହା ପରିଶୋଧ କରିପାରିବିନି ।’
ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିଥିଲେ- “ହେ ପ୍ରଭୁ! ଯେ ପର୍ଯ୍ୟନ୍ତ ସଂସାରରେ ଆପଣଙ୍କ ପାବନ କଥାମୃତ ପ୍ରଚଳିତ ଥିବ, ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ଆଜ୍ଞା ପାଳନକାରୀ ହିସାବରେ ମର୍ତ୍ତ୍ୟଲୋକରେ ରହିଥିବି, ମୋତେ ଏହି ଆଶୀର୍ବାଦ ଦିଅନ୍ତୁ ।’
ଇନ୍ଦ୍ରଙ୍କଠାରୁ ହନୁମାନ ବରପ୍ରାପ୍ତ ହୋଇଥିଲେ ଯେ ତାଙ୍କର ମୃତ୍ୟୁ ସେ ପର୍ଯ୍ୟନ୍ତ ହେବନାହିଁ ଯେ ପର୍ଯ୍ୟନ୍ତ ସେ ସ୍ୱୟଂ ମୃତ୍ୟୁ କାମନା କରିନାହାନ୍ତି ।
ଏକଦା ସୀତାଙ୍କ ଦ୍ୱାରା ପ୍ରଦତ୍ତ ମଣି ଓ ରତ୍ନ ବିଭୂଷିତ ହାର ପରିଧାନ କରି ଭଗବାନ ରାମଙ୍କ ସମ୍ମୁଖରେ ହାତଯୋଡି ଦଣ୍ଡାୟମାନଥିଲେ । ପ୍ରଭୁ ପ୍ରସନ୍ନ ହୋଇ କହିଥିଲେ, “ହନୁମାନ! ମୁଁ ତୁମ ଉପରେ ବହୁତ ପ୍ରସନ୍ନ । ତୁମେ ଇଚ୍ଛାନୁଯାୟୀ ବର ପ୍ରାର୍ଥନା କରିପାର । ଯେଉଁ ବର ତ୍ରିଲୋକରେ, ଏପରିକି ଦେବତାଙ୍କୁ ମିଳିବା ଦୁର୍ଲଭ ସେ ବର ମଧ୍ୟ ମୁଁ ତୁମକୁ ଅବଶ୍ୟ ଦେଇପାରିବି ।’
ହନୁମାନ ପ୍ରାର୍ଥନା କରିଥିଲେ “ପ୍ରଭୁ! ଯଦି ମୋ ଉପରେ ପ୍ରସନ୍ନ ତେବେ ମୋତେ ଏହି ବର ଦିଅନ୍ତୁ ଯେପରି ସଦାସର୍ବଦା ଆପଣଙ୍କ ସାନ୍ନିଧ୍ୟ ଲାଭ କରି ପାଖେପାଖେ ରହିଥିବି ।’
ପ୍ରଭୁ ଶ୍ରୀରାମ ଆଶ୍ୱାସନା ଦେଇ ହନୁମାନଙ୍କୁ କହିଥିଲେ- “ତାହା ହିଁ ହେବ । ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ । ତୁମେ ଜୀବନ୍ମୁକ୍ତ ହୋଇ ସଂସାରରେ ସୁଖପୂର୍ବକ ବାସ କରିବ । କଳ୍ପର ଅନ୍ତରେ ତୁମେ ମୋର ସାଯୁଜ୍ୟ ପ୍ରାପ୍ତ ହେବ ।’
ଏଥିରୁ ଜ୍ଞାତ ହୁଏ ଯେ ହନୁମାନ କେବଳ ଚିରଞ୍ଜୀବୀ ନୁହନ୍ତି, ସେ ନିତ୍ୟଜୀବୀ, ଇଚ୍ଛାମୃତ୍ୟୁକୁ ବରଣ କରୁଥିବା ଅଜେୟ, ଅମର ଭକ୍ତଶ୍ରେଷ୍ଠ । ଭଗବାନ ଶ୍ରୀରାମ ତାଙ୍କୁ କଳ୍ପର ଶେଷରେ ସାଯୁଜ୍ୟ ମୁକ୍ତିର ବରଦାନ ଦେଇଥିଲେ । ଏବେ ବି କଳିଯୁଗରେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ହନୁମାନଙ୍କ ଦର୍ଶନ କୌଣସି ନା କୌଣସି ରୂପରେ ପାଇଛନ୍ତି ଓ ତାଙ୍କର ଉପସ୍ଥିତିକୁ ଉପଲବ୍ôଧ କରୁଛନ୍ତି ।
ହନୁମାନଙ୍କୁ ହିନ୍ଦୁ ସଂସ୍କୃତିରେ ରୁଦ୍ରାବତାର ଭାବେ ଗ୍ରହଣ କରାଯାଇଥାଏ । ମହାଭାରତ ଯୁଦ୍ଧରେ ବୀରଶ୍ରେଷ୍ଠ ଅର୍ଜୁନଙ୍କ ରଥର ସାରଥି ଥିଲେ ଭଗବାନ ଶ୍ରୀକୃଷ୍ଣ, ଆଉ ସେହି ରଥର ଶୀର୍ଷରେ ଥିଲେ ବୀରଶ୍ରେଷ୍ଠ ହନୁମାନ । ସେହି କାରଣରୁ ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯାଇଥାଏ ।

ପଶ୍ଚିମ ଓଡ଼ିଶାରେ ମା’ ଦୁର୍ଗାଙ୍କ ପୂଜା ବେଳେ କାହିଁକି ବାଜେ ଦୁଲ୍‌ଦୁଲି

ବଲାଙ୍ଗିର : ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ସାରା ଓଡ଼ିଶା ଏବେ ମା’ଙ୍କ ଧରାବତରଣ ଖୁସିରେ ମସ୍‌ଗୁଲ। ପଶ୍ଚିମ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ସବୁଠି ଉତ୍ସବର ପରିବେଶ। ତେବେ ଅନ୍ୟ ସ୍ଥାନ ଗୁଡ଼ିକ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ମା’ଙ୍କ ଆରାଧନା ବେଳେ ଏକ ବିଶେଷ ପରମ୍ପରା ପାଳନ କରାଯାଇଥାଏ। ଏହି ପରମ୍ପରାଟି ଏଠାକାର ଦୁଲ୍‌ଦୁଲି ବାଦ୍ୟ ସହ ଜଡ଼ିତ। ଦୁଲ୍‌ଦୁଲିର ଷୋହଳଭରଣୀ ବାଦ୍ୟ ସାଙ୍ଗେ ସାଙ୍ଗେ ମା’ଙ୍କ ଆରାଧନା ଏଠାରେ କରାଯାଇଥାଏ।

ଅସନ୍ତୁ ଜାଣିବା ପଞ୍ଚବାଦ୍ୟ ଦୁଲ୍‌ଦୁଲିର ଏହି ଷୋହଳଭରଣୀ ବାଦ୍ୟ ଓ ମା’ଙ୍କ ପୂଜା ସମ୍ପର୍କରେ।

ଢୋଲ, ନିଶାନ, ତାଶା, ଟିମକିଡ଼ି ଓ ମହୁରୀ। ଏହି ୫ଟି ବାଦ୍ୟର ମିଶ୍ରଣକୁ ପଞ୍ଚବାଦ୍ୟ ଦୁଲ୍‌ଦୁଲି ବୋଲି କୁହାଯାଇଥାଏ। ଆଦିବାସୀ ମାନଙ୍କ ପୂଜାପାଠ, ଯାନିଯାତ୍ରାରେ ଏହି ବାଦ୍ୟର ପ୍ରାଧାନ୍ୟ ରହିଛି। ଦୁଲ୍‌ଦୁଲିର ତାଳେତାଳେ ଏମାନେ ମାଟି ମାଆ ସହିତ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ଆର୍ଯ୍ୟ ସଂସ୍କୃତି ପରମ୍ପରାରେ ଦେବୀଙ୍କୁ ପଣ୍ଡିତ ବେଦମନ୍ତ୍ରରେ ଆବାହନ କରୁଥିବା ବେଳେ ଆଦି ପରମ୍ପରାରେ ଷୋହଳଭରଣୀ ବାଦ୍ୟ ସହିତ ଦେବୀଙ୍କୁ ଆରାଧନା କରାଯାଏ।

ଦୁର୍ଗାପୂଜା ସମୟ ଆସିଲେ, ପଶ୍ଚିମ ଓଡ଼ିଶାରେ ଡକରା ପଡ଼େ ଦୁଲ୍‌ଦୁଲି ବାଦ୍ୟକାରଙ୍କୁ। ମାଆଙ୍କ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷୋହଳ ପ୍ରକାର ବାଦ୍ୟରେ ଷୋହଳଭରଣୀ ବାଦ୍ୟ ବଜାଇଥାନ୍ତି ଏମାନେ। ମାଆଙ୍କ ଷୋଡ଼ଶ ଉପଚାର ପୂଜା ସହ ବାଜିଥାଏ ଏହି ୧୬ ପ୍ରକାର ବାଦ୍ୟ ବା ଷୋହଳଭରଣୀ।

କ’ଣ ଏହି ଷୋହଳଭରଣୀ ବାଦ୍ୟ?

ମାଙ୍କ ଷୋଡ଼ଶ ଉପଚାର ପୂଜାର ତାଳେ ତାଳେ ମୁହୁରିଆ ବିଭିନ୍ନ ସ୍ୱର ଦେଇ ମା’ଙ୍କୁ ଆବାହନ କରିଥାନ୍ତି। ଅନ୍ୟ କଳାକାରମାନେ ତାଳ ଦେଇ ଷୋହଳଭରଣୀ ବାଜା ବଜାଇଥାନ୍ତି। ଗୋଟିଏ ଗୋଟିଏ ଭରଣୀର ଚାରୋଟି ଝୁପାବାଦ୍ୟ ମଧ୍ୟ ରହିଛି। ୧୬ଟି ବାଦ୍ୟରେ ୬୪ଟି ଝୁଆ ବାଜିଥାଏ। ପତର ଉଠେନ, ଦେ ଅଣା, ବାଲି କଢ଼ା, ଦେ ବସା, ଉଦଲ ଫିକା, ଚକରକେଲି, ରସାବେଶ ଭଳି ୧୬ ପ୍ରକାର ବାଦ୍ୟକୁ ନେଇ ଷୋହଳଭରଣୀ ବାଦ୍ୟ ବାଜିଥାଏ।