କରୁଣାମୟୀ ମା ଦ୍ରୌପଦୀ – How Draupadi becomes a Great Mother!

ଅନ୍ୟାୟ, ଅଧର୍ମ, ଅନୀତିର ପୃଷ୍ଠପୋଷକ ସାଜି ନିଜକୁ ସବୁଠାରୁ ବଳୀୟାନ ଭାବୁଥିବା କୁରୁକୁଳ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ବିନଷ୍ଟ ହୋଇଯାଇଥାନ୍ତି । ଅହଂକାରୀ ଦୁର୍ଯ୍ୟୋଧନ ବ୍ୟାସ ସରୋବର ତୀରରେ ଭୀମଙ୍କ ଗଦାଘାତରେ ଭଗ୍ନଜାନୁ ହୋଇ ଅତି ଦୟନୀୟ ଅବସ୍ଥାରେ ପଡିରହିଥାନ୍ତି ମୃତ୍ୟୁକୁ ଅପେକ୍ଷାକରି । ଅନ୍ତିମକ୍ଷଣକୁ ଅପେକ୍ଷା କରି ପଡିରହିଥିବାବେଳେ ଅତି ଅପ୍ରତ୍ୟାଶିତ ଭାବରେ ସେଠାରେ ପହଞ୍ôଚ ଯାଇଥିଲେ ଗୁରୁପୁତ୍ର ଅଶ୍ୱତ୍‍ଥମା । ପ୍ରତିଶୋଧ ଅଗ୍ନିରେ ଜଳୁଥିବା ଜଣେ ବୀରର ଭେଟ ହୋଇଥିଲା ସମଧର୍ମା ଅନ୍ୟ ଏକ ପ୍ରତିଶୋଧପରାୟଣ ଯୋଦ୍ଧା ସହିତ । ପାଣ୍ଡବ ପାଞ୍ଚଭାଇଙ୍କ ଛିନ୍ନଶିର ଆଣି ଭେଟି ଦେବାପାଇଁ ଦୁର୍ଯ୍ୟୋଧନଙ୍କୁ ପ୍ରତିଶ୍ରୁତି ଦେଇ ବାହାରି ଆସିଥିଲେ । ସେହି କାଳରାତ୍ରିରେ ଦସ୍ୟୁଭଳି ଛପିଛପି ଅତି ସନ୍ତର୍ପଣରେ ଅଶ୍ୱତଥମା ଶୋଇଥିବା ଅବସ୍ଥାରେ ପାଞ୍ଚଜଣଙ୍କ ମୁଣ୍ଡକାଟି କଟାମୁଣ୍ଡ ସହ ପାଣ୍ଡବ ଶିବିରରୁ ବାହାରି ଆସିଥିଲେ ଅତି ଆନନ୍ଦରେ । ସନ୍ତାପିତ ହୃଦୟର ଜ୍ୱାଳା ପ୍ରଶମିତ ହୋଇଥିଲା ଏଇ ଭାବନାରେ ଯେ ଅନ୍ତତଃ ସେ ପିତୃହତ୍ୟାର ପ୍ରତିଶୋଧ ନେଇପାରିଛନ୍ତି ଓ ଦୁର୍ଯ୍ୟୋଧନଙ୍କୁ ତାଙ୍କର ଅନ୍ତିମ ମୁହୂର୍ତ୍ତରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଛନ୍ତି ।
କଟାମୁଣ୍ଡଗୁଡ଼ିକୁ ଭେଟି ଦେଲାବେଳେ ଦୁର୍ଯ୍ୟୋଧନ ଯେତେବେଳେ ସେସବୁକୁ ଦେଖିଦେଲେ ସେତେବେଳେ ମର୍ମାନ୍ତିକ ଦୁଃଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାହାଥିଲା ପାଣ୍ଡବମାନଙ୍କ କୁଳ ଦୀପାଳି ପାଞ୍ଚ ବାଳୁତ କୁମାରଙ୍କ ମସ୍ତକ । ଦ୍ରୌପଦୀ ପୁତ୍ରହତ୍ୟାରେ ଅଧିରହୋଇ ବିଳାପ କରିବାକୁ ଲାଗିଲେ । ଦ୍ରୌପଦୀଙ୍କ ମର୍ମଭେଦୀ କ୍ରନ୍ଦନ ଧ୍ୱନିରେ ଅଧିର ଅର୍ଜୁନ ପ୍ରତିଜ୍ଞାକଲେ ବାଳୁତକୁମାରଙ୍କ ହତ୍ୟାକାରୀର ଅନୁରୂପ ଭାବରେ ଶିରଚ୍ଛେଦ କରିବାପାଇଁ । ଅଶ୍ୱତ୍‍ଥମା ଭୟ ପାଇ ଲୁକ୍‍କାୟିତ ସ୍ଥାନ ଖୋଜିବାକୁ ଲାଗିଲେ । ହେଲେ ଅର୍ଜୁନ ପିଛା କରି ତାଙ୍କୁ ବନ୍ଦୀ କରିଥିଲେ, ଦ୍ରୌପଦୀଙ୍କ ସମ୍ମୁଖକୁ ଆଣିଥିଲେ ବିଚାର ନିମିତ୍ତ ।
ପଶୁସ୍ୱରୂପ ବନ୍ଧା ହୋଇଥିବା ଅଶ୍ୱତ୍‍ଥମାଙ୍କୁ ସମ୍ମୁଖରେ ଦେଖି ଦ୍ରୌପଦୀଙ୍କ ମାତୃହୃଦୟ ଦୟା, କ୍ଷମା, କରୁଣାରେ ବିଗଳିତ ହୋଇଯାଇଥିଲା । ଯଦିଓ ପୁତ୍ରଶୋକ ତାଙ୍କୁ ବିଚଳିତ କରିଦେଇଥିଲା ତଥାପି ଅନ୍ତରର ବେଦନାକୁ ଚାପିରଖି ମମତାମୟୀ ମା’ର ଆଦର୍ଶ ଦେଖାଇଥିଲେ । ଗୁରୁପୁତ୍ରଙ୍କୁ ନମସ୍କାର କରି ଅର୍ଜୁନଙ୍କୁ କହିଥିଲେ- ହେ ଆର୍ଯ୍ୟପୁତ୍ର! ଇଏ ଗୁରୁପୁତ୍ର ତଥା ବ୍ରାହ୍ମଣ । ଆପଣ ତାଙ୍କ ପିତାଙ୍କଠାରୁ ଶସ୍ତ୍ର ଓ ଶାସ୍ତ୍ରଜ୍ଞାନ ଶିକ୍ଷା କରି ମହାରଥୀ ଭାବରେ ଖ୍ୟାତିଲାଭ କରିଛନ୍ତି । ଏବେ ପୁତ୍ର ରୂପରେ ଆଚାର୍ଯ୍ୟ ଦ୍ରୋଣ ହିଁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି । କ୍ରୋଧବଶରେ ତାଙ୍କୁ ବଧ କଲେ ତାଙ୍କର ମାତା କୃପୀ ମୋ ଭଳି ପୁତ୍ରଶୋକରେ ଅଧିରହୋଇ ବିଳାପସହ ନିରନ୍ତର ମୃତ୍ୟୁଯନ୍ତ୍ରଣା ଭୋଗ କରିବେ । ପୁତ୍ର ପ୍ରତି ବିଶେଷ ମୋହ କାରଣରୁ ସେ ପତି ଦ୍ରୋଣାଚାର୍ଯ୍ୟଙ୍କ ଚିତାରେ ସତୀ ନାରୀ ଭାବରେ ଝାସ ଦେଇ ନଥିଲେ । ତାଙ୍କୁ ବନ୍ଧନମୁକ୍ତ କରି ଛାଡ଼ି ଦିଅନ୍ତୁ ।’
ମାତୃହୃଦୟର ଏହି ଅନାବିଳ ମମତ୍ୱବୋଧ, ଆକୁଳ ନିବେଦନକୁ ଅର୍ଜୁନ ଏଡ଼ାଇ ପାରି ନଥିଲେ । ପୁତ୍ର ହତ୍ୟାର ପ୍ରତିଶୋଧ ନିକଟରେ କରୁଣାମୟୀ ମାଆର ମମତା ବିଜୟୀ ହୋଇଗଲା । ଦ୍ରୌପଦୀଙ୍କଠାରୁ ଏହା ଶୁଣିବାପରେ ଅର୍ଜୁନ ତରବାରୀରେ ଅଶ୍ୱତଥମାଙ୍କ କେଶ ମୁଣ୍ଡନ କରି ଶ୍ରୀହୀନ ଅଶ୍ୱତଥମାଙ୍କୁ ଶିବିରରୁ ବାହାର କରିଦେଇଥିଲେ । ବାତ୍ସଲ୍ୟମମତାରେ ଅନ୍ଧ ଦ୍ରୌପଦୀଙ୍କ ନିକଟରେ ସେ ଥିଲେ ଗୁରୁପୁତ୍ର । ନିଜ ଦୁଃଖକୁ ସେ କୃପୀଙ୍କ ଦୁଃଖ ସହ ତୁଳନା କରି ଯେଉଁ ମହନୀୟତାର ପରିଚୟ ଦେଇଥିଲେ ତାହା ଥିଲା ଅନନ୍ୟ ।

ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯିବାର କାରଣ କ’ଣ? Why do we call Arjuna’s Chariot as Kapidvaja?

ଅଶ୍ୱତ୍‍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପର୍ଶୁରାମ ଓ ମାର୍କଣ୍ଡେୟ- ଏହି ଆଠଜଣଙ୍କୁ ଚିରଞ୍ଜୀବୀ କୁହାଯାଇଥାଏ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକାନ୍ତ ଅନୁଗତ, ଭକ୍ତ ଶିରୋମଣି ହନୁମାନ ଚିରଞ୍ଜୀବୀ ହେବାସହ ଅଜର, ଅମର ଓ ନିତ୍ୟଜୀବୀ ବୋଲି ବିବେଚିତ ହୋଇଥାନ୍ତି- ଆନନ୍ଦ ରାମାୟଣରେ ଏହା ବର୍ଣ୍ଣିତ ଅଛି । ଲଙ୍କା ବିଜୟ ପରେ ହନୁମାନ ଏକମାତ୍ର ଶ୍ରୀରାମଙ୍କ ପ୍ରତି ନିଜର ନିଶ୍ଚଳ ଭକ୍ତି ପ୍ରାର୍ଥନା କରିଥିଲେ । ଏହା ଶୁଣି ଶ୍ରୀରାମ ଭକ୍ତଶ୍ରେଷ୍ଠ ହନୁମାନଙ୍କୁ ଆଲିଙ୍ଗନ କରି କହିଥିଲେ- “ହେ କପିଶ୍ରେଷ୍ଠ, ଏହା ହିଁ ହେବ । ସଂସାରରେ ଯେ ପର୍ଯ୍ୟନ୍ତ ମୋ କଥା ପ୍ରଚଳିତ ଥିବ ସେ ପର୍ଯ୍ୟନ୍ତ ତୁମର ନାମ, କୀର୍ତ୍ତି ଅତୁଟ, ଅମ୍ଳାନ ରହିଥିବ ଏବଂ ତୁମର ଶରୀରରେ ପ୍ରାଣ ମଧ୍ୟ ରହିଥିବ । ତୁମେ ମୋର ଯେଉଁ ଉପକାର କରିଛ ତାହାର ପ୍ରତିଦାନ ମୁଁ କେବେ ଦେଇ ପାରିବିନି କି ତାହା ପରିଶୋଧ କରିପାରିବିନି ।’
ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିଥିଲେ- “ହେ ପ୍ରଭୁ! ଯେ ପର୍ଯ୍ୟନ୍ତ ସଂସାରରେ ଆପଣଙ୍କ ପାବନ କଥାମୃତ ପ୍ରଚଳିତ ଥିବ, ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ଆଜ୍ଞା ପାଳନକାରୀ ହିସାବରେ ମର୍ତ୍ତ୍ୟଲୋକରେ ରହିଥିବି, ମୋତେ ଏହି ଆଶୀର୍ବାଦ ଦିଅନ୍ତୁ ।’
ଇନ୍ଦ୍ରଙ୍କଠାରୁ ହନୁମାନ ବରପ୍ରାପ୍ତ ହୋଇଥିଲେ ଯେ ତାଙ୍କର ମୃତ୍ୟୁ ସେ ପର୍ଯ୍ୟନ୍ତ ହେବନାହିଁ ଯେ ପର୍ଯ୍ୟନ୍ତ ସେ ସ୍ୱୟଂ ମୃତ୍ୟୁ କାମନା କରିନାହାନ୍ତି ।
ଏକଦା ସୀତାଙ୍କ ଦ୍ୱାରା ପ୍ରଦତ୍ତ ମଣି ଓ ରତ୍ନ ବିଭୂଷିତ ହାର ପରିଧାନ କରି ଭଗବାନ ରାମଙ୍କ ସମ୍ମୁଖରେ ହାତଯୋଡି ଦଣ୍ଡାୟମାନଥିଲେ । ପ୍ରଭୁ ପ୍ରସନ୍ନ ହୋଇ କହିଥିଲେ, “ହନୁମାନ! ମୁଁ ତୁମ ଉପରେ ବହୁତ ପ୍ରସନ୍ନ । ତୁମେ ଇଚ୍ଛାନୁଯାୟୀ ବର ପ୍ରାର୍ଥନା କରିପାର । ଯେଉଁ ବର ତ୍ରିଲୋକରେ, ଏପରିକି ଦେବତାଙ୍କୁ ମିଳିବା ଦୁର୍ଲଭ ସେ ବର ମଧ୍ୟ ମୁଁ ତୁମକୁ ଅବଶ୍ୟ ଦେଇପାରିବି ।’
ହନୁମାନ ପ୍ରାର୍ଥନା କରିଥିଲେ “ପ୍ରଭୁ! ଯଦି ମୋ ଉପରେ ପ୍ରସନ୍ନ ତେବେ ମୋତେ ଏହି ବର ଦିଅନ୍ତୁ ଯେପରି ସଦାସର୍ବଦା ଆପଣଙ୍କ ସାନ୍ନିଧ୍ୟ ଲାଭ କରି ପାଖେପାଖେ ରହିଥିବି ।’
ପ୍ରଭୁ ଶ୍ରୀରାମ ଆଶ୍ୱାସନା ଦେଇ ହନୁମାନଙ୍କୁ କହିଥିଲେ- “ତାହା ହିଁ ହେବ । ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ । ତୁମେ ଜୀବନ୍ମୁକ୍ତ ହୋଇ ସଂସାରରେ ସୁଖପୂର୍ବକ ବାସ କରିବ । କଳ୍ପର ଅନ୍ତରେ ତୁମେ ମୋର ସାଯୁଜ୍ୟ ପ୍ରାପ୍ତ ହେବ ।’
ଏଥିରୁ ଜ୍ଞାତ ହୁଏ ଯେ ହନୁମାନ କେବଳ ଚିରଞ୍ଜୀବୀ ନୁହନ୍ତି, ସେ ନିତ୍ୟଜୀବୀ, ଇଚ୍ଛାମୃତ୍ୟୁକୁ ବରଣ କରୁଥିବା ଅଜେୟ, ଅମର ଭକ୍ତଶ୍ରେଷ୍ଠ । ଭଗବାନ ଶ୍ରୀରାମ ତାଙ୍କୁ କଳ୍ପର ଶେଷରେ ସାଯୁଜ୍ୟ ମୁକ୍ତିର ବରଦାନ ଦେଇଥିଲେ । ଏବେ ବି କଳିଯୁଗରେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ହନୁମାନଙ୍କ ଦର୍ଶନ କୌଣସି ନା କୌଣସି ରୂପରେ ପାଇଛନ୍ତି ଓ ତାଙ୍କର ଉପସ୍ଥିତିକୁ ଉପଲବ୍ôଧ କରୁଛନ୍ତି ।
ହନୁମାନଙ୍କୁ ହିନ୍ଦୁ ସଂସ୍କୃତିରେ ରୁଦ୍ରାବତାର ଭାବେ ଗ୍ରହଣ କରାଯାଇଥାଏ । ମହାଭାରତ ଯୁଦ୍ଧରେ ବୀରଶ୍ରେଷ୍ଠ ଅର୍ଜୁନଙ୍କ ରଥର ସାରଥି ଥିଲେ ଭଗବାନ ଶ୍ରୀକୃଷ୍ଣ, ଆଉ ସେହି ରଥର ଶୀର୍ଷରେ ଥିଲେ ବୀରଶ୍ରେଷ୍ଠ ହନୁମାନ । ସେହି କାରଣରୁ ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯାଇଥାଏ ।

ଶ୍ରୀରାମାନୁଜାଚାର୍ଯ୍ୟ – Shri Ramanujacharya

ଶ୍ରୀରାମାନୁଜାଚାର୍ଯ୍ୟ କରୁଣା ଓ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସନ୍ଥ ଭାବରେ ସେ ସକଳ ଜୀବର କଲ୍ୟାଣ କାମନା କରୁଥିଲେ । ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଗୁୁରୁ ଏକ ମନ୍ତ୍ର ଶିକ୍ଷା ଦେଇଥିଲେ- ନାରାୟଣ ମନ୍ତ୍ର । ଏହି ମନ୍ତ୍ର ଯାହାଙ୍କ କାନରେ ପଡ଼ିବ ସେ ସକଳଦୁଃଖ, ପାପତାପରୁ ମୁକ୍ତି ପାଇଯିବ ବୋଲି ଗୁରୁ କହିଥିଲେ । ତେବେ ସତର୍କ କରାଇ ଦେଇଥିଲେ ଏହି ମନ୍ତ୍ରକୁ ବଡ଼ ପାଟିରେ ଜପ ନ କରିବା ପାଇଁ । ବଡ଼ ଶ୍ରଦ୍ଧାରେ ଏହି ମନ୍ତ୍ର ଜପ କରୁଥାନ୍ତି ରାମାନୁଜାଚାର୍ଯ୍ୟ । କର୍ଣ୍ଣକୁହରରେ ସର୍ବଦା ପ୍ରତିବିମ୍ବିତ ହେଉଥିଲା ଗୁୁରୁଙ୍କ କଠୋର ନିର୍ଦେଶ- “ଏହି ମନ୍ତ୍ରକୁ ଉଚ୍ଚସ୍ୱରରେ ଜପ କରିବ ନାହିଁ ।’
ରାମାନୁଜାଚାର୍ଯ୍ୟ ପ୍ରତ୍ୟହ ଦେଖୁଥିଲେ ନିଜ ଚତୁଃପାଶ୍ୱର୍ରେ ଥିବା ଲୋକମାନଙ୍କୁ, ଯେଉଁମାନେ କିଛିନା କିଛି ଦୁଃଖ, ଅବସାଦରେ ଘାଣ୍ଟି ହେଉଥିଲେ । ବିଷଣ୍ଣ ମନରେ ସେ ଭାବୁଥିଲେ କିଭଳି ଏଇ ଲୋକମାନଙ୍କ ଦୁର୍ଦଶାର ଅପନୋଦନ ହୋଇପାରିବ? ବେଶ୍‍ କିଛିଦିନ ଏଇପରି ଭାବିବା ପରେ ଶେଷରେ ଦିନେ ତାଙ୍କର ଧ୍ୟାନ କେନ୍ଦ୍ରିତ ହେଲା ଗୁରୁମନ୍ତ୍ର ଉପରେ । ମନେମନେ ଭାବିଲେ ଯଦି ଏଭଳି ଏକ ମନ୍ତ୍ର ଶିଖିଛି ତେବେ ଏହା ଜନକଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗ ନକରିବି କାହିଁକି? ତେବେ ଠିକ୍‍ ପରମୁହୂର୍ତ୍ତରେ ଗୁରୁଙ୍କର ନିର୍ଦେଶ ଉଲ୍ଲଙ୍ଘନ ଓ ତଜ୍ଜନିତ ଗୁରୁୁଙ୍କ କ୍ରୋଧର ପାତ୍ର ହେବା ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । ଦିନେ ତାଙ୍କର ଦୟାର୍ଦ୍ର ଚିତ୍ତ ମନ୍ତ୍ରୋଚ୍ଚାରଣ ପ୍ରସଙ୍ଗରେ ବିଦ୍ରୋହ କରି ଉଠିଲା ।
ରାତି ପାହି ଆସୁଥାଏ । ବ୍ରାହ୍ମ ମୁହୂର୍ତ୍ତରେ ପକ୍ଷୀମାନେ ବିଚିତ୍ର କଳରବ କରି ନୀଡ଼ରୁ ଖାଦ୍ୟସନ୍ଧାନରେ ବାହାରକୁ ଉଡ଼ିଯାଉଥାନ୍ତି । ମନ୍ଦିରରେ ପ୍ରାତଃକାଳୀନ ଆରତି ଘଣ୍ଟଘଣ୍ଟିର ଧ୍ୱନି ଶୁଭୁଥାଏ । ଲୋକେ ଶଯ୍ୟାତ୍ୟାଗ କରି ଯିଏ ଯାହାର କାର୍ଯ୍ୟକରିବା ନିମନ୍ତେ ପ୍ରସ୍ତୁତ ହେଉଥାନ୍ତି । ରାମାନୁଜାଚାର୍ଯ୍ୟ ନିଜ ପର୍ଣ୍ଣ କୁଟୀରର ମଥାନକୁ ଉଠିଗଲେ । ସମସ୍ତେ ଶୁଣିପାରିଲା ଭଳି ଉଚ୍ଚସ୍ୱରରେ ଗୁରୁମନ୍ତ୍ର ପାଠ କରିବାକୁ ଲାଗିଲେ ।
ଏହି ମନ୍ତ୍ର ଉଚ୍ଚସ୍ୱରରେ ପଢ଼଼ୁଥିଲାବେଳେ ନିକଟରେ ଥିବା ଗୁରୁ ଏହା ଶୁଣିବାକୁ ପାଇ ଚକିତ ହୋଇଗଲେ । ନିଜର ଏକାନ୍ତ ଅନୁଗତ, ବିଶ୍ୱସ୍ତ ଶିଷ୍ୟର ଏଭଳି ଆଚରଣରେ ସ୍ତମ୍ଭୀଭୂତ ହୋଇ କୁଟୀର ବାହାରକୁ ଆସି ଶିଷ୍ୟଙ୍କ ଉଦ୍ଦେଶ୍ୟରେ କହିଲେ- “ରାମାନୁଜ! ତୁମେ ଏ କ’ଣ କଲ? ଗୁରୁଙ୍କ ଆଦେଶ ଉଲ୍ଳଙ୍ଘନ କଲ କାହିଁକି? ଗୁରୁଦ୍ରୋହ ଅପରାଧରେ ତୁମେ ଖାଲି ଦଣ୍ଡିତ ହେବନାହିଁ, ନର୍କଗାମୀ ହେବ । ତୁମ ଭଳି ଅବିଶ୍ୱସ୍ତ ଶିଷ୍ୟକୁ ଏହି ମନ୍ତ୍ର ଶିକ୍ଷାଦେଇ ମୁଁ ମହାଭୁଲ୍‍ କରିଛି ।’
ରାମାନୁଜ ନମ୍ରଭାବରେ ଉତ୍ତର ଦେଲେ- “ଗୁରୁଦେବ, ଆପଣଙ୍କ ଆଦେଶ ଅବମାନନା ଅପରାଧରେ ନର୍କଗାମୀ ହେଲେ ବି ତାହା ମୋ ପାଇଁ କଲ୍ୟାଣପ୍ରଦ ହେବ; କିନ୍ତୁ ଏହାଦ୍ୱାରା ଅନ୍ତତଃ ଅଗଣିତ ଲୋକଙ୍କର ଦୁର୍ଦଶା ଦୂରହୋଇ ସେମାନଙ୍କ କଲ୍ୟାଣ ହୋଇପାରିବ ତ? ନିଜର ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ମୁଁ ଏହା କରିନାହିଁ, ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ହିଁ ମୁଁ କରିଛି । ଏ ନିମନ୍ତେ ଯେଉଁ ଦଣ୍ଡ ମିଳିବ ତାହା ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ । ସେମାନଙ୍କ ଦୁଃଖଦୁର୍ଦଶା ତ ମୋତେ ଅହରହ ବିଚଳିତ କରୁଥିଲା । ମୁଁ କିପରି ବା ନିଷ୍କ୍ରିୟ ରହିଥାନ୍ତି ।’
ଜଣେ ମହାନୁଭବୀ ଶିଷ୍ୟଠାରୁ ଏଭଳି ଉତ୍ତର ଶୁଣି ଗୁରୁ ଦରଦୀ ଶିଷ୍ୟକୁ ତଳକୁ ଓହ୍ଲାଇ ଆସିବାକୁ କହିଲେ । ରାମାନୁଜ ଓହ୍ଲାଇ ଆସିବାମାତ୍ରେ ତାଙ୍କୁ ଆଲିଙ୍ଗନ କରି କହିଲେ- ତୁମଭଳି ଜଣେ ମହାନୁଭବୀ ଶିଷ୍ୟ ପାଇ ଯଥାର୍ଥରେ ମୁଁ ଗର୍ବିତ ।

ସାଧୁସନ୍ଥଙ୍କ ହୃଦୟ ବିସ୍ତୀର୍ଣ୍ଣ – The Hearts of Sadhus are ever expanding!

ସେସମୟରେ ବାବରଙ୍କ ମୃତ୍ୟୁ ହୋଇଯାଇଥାଏ । ଉତ୍ତରାଧିକାରୀ ଭାବରେ ତାଙ୍କର ପୁତ୍ର ହୁମାୟୁନ୍‍ ରାଜଗାଦିରେ ବସିଥାନ୍ତି । ହୁମାୟୁନ ଥିଲେ ଅତି ମାତ୍ରାରେ ମହତ୍ତ୍ୱାକାଙ୍‍କ୍ଷୀ ଓ ରାଜ୍ୟଲୋଭୀ । ଆଖପାଖ ରାଜ୍ୟମାନଙ୍କୁ ନିଜ ସାମ୍ରାଜ୍ୟରେ ମିଶାଇ ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏଭଳି ଏକ ଅଦମନୀୟ ଅଭୀପ୍‍ସା ନେଇ ସେ ଗୁଜରାଟ ତଥା ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ନିଜ ଅଧୀନକୁ ନେବା ପାଇଁ ଅଗ୍ରସର ହୋଇ ଶେରଶାହାଙ୍କ ରାଜ୍ୟ ଉପରେ ଆକ୍ରମଣ କଲେ । ହେଲେ ଶେରଶାହାଙ୍କୁ ଯୁଦ୍ଧରେ ପରାସ୍ତ କରିବା ହୁମାୟୁନଙ୍କ ପକ୍ଷରେ ସମ୍ଭବ ନଥିଲା । ହୁମାୟୁନ୍‍ ପରାସ୍ତହୋଇ ପଶ୍ଚିମ ଦିଗକୁ ପଳାୟନ କଲେ । ମାର୍ଗରେ ସେ ଜାଣିବାକୁ ପାଇଲେ ଯେ ଗୁରୁ ନାନକଙ୍କ ତିରୋଧାନ ପରେ ତାଙ୍କ ଆସନରେ ବସିଥିବା ଶିଖ୍‍ଗୁରୁ ଅଙ୍ଗଦ ଦେବଙ୍କ ଆଶୀର୍ବାଦର ସୁଫଳ ପ୍ରତ୍ୟେକ ଶ୍ରଦ୍ଧାଳୁ ପାଉଛନ୍ତି । ତାଙ୍କର ଆଶୀର୍ବାଦ ଅନ୍ୟଥା ହେଉ ନଥିବା ଜାଣିଲାପରେ ତାଙ୍କୁ ସାକ୍ଷାତ୍‍ କରିବାକୁ ଗଲେ ।
ହୁମାୟୁନ ତାଙ୍କ ନିକଟରେ ପହଞ୍ôଚବା ସମୟରେ ସେ ଧ୍ୟାନମଗ୍ନ ଥିଲେ । ତେଣୁ ତାଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରି ନଥିଲେ । ହୁମାୟୁନ ମନେମନେ ଭାବିଲେ ସନ୍ଥ ଏବେ ଧ୍ୟାନମଗ୍ନ ଅଛନ୍ତି । ନିଶ୍ଚୟ କିଛିକ୍ଷଣ ପରେ ଆଖି ଖୋଲିବେ । ଦୀର୍ଘସମୟ ଅପେକ୍ଷା ପରେ ହୁମାୟୁନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ହଠାତ୍‍ ଉତ୍ତ୍ୟକ୍ତ ହୋଇ ହୁମାୟୁନ ମନେମନେ ଭାବିଲେ ସନ୍ଥ ଜାଣିଶୁଣି ତାଙ୍କୁ ଉପେକ୍ଷା କରୁଛନ୍ତି । ତାଙ୍କୁ ଉପଯୁକ୍ତ ଶିକ୍ଷାଦେବା ନିମନ୍ତେ ମନସ୍ଥ କରି ତରବାରୀ କୋଷମୁକ୍ତ କଲେ । ଠିକ୍‍ ସେହି ସମୟରେ ଅଙ୍ଗଦଙ୍କ ଧ୍ୟାନ ସମାପ୍ତ ହେଲା । ଆଖିଖୋଲି ଦେଖନ୍ତି ତ ସମ୍ମୁଖରେ ସମ୍ରାଟ ହୁମାୟୁନ ଶାଣିତ ତରବାରୀ ହାତରେ ଧରି ଦଣ୍ଡାୟମାନ । ନିମିଷକରେ ସବୁକଥା ଜାଣିନେଲେ ଦିବ୍ୟଦ୍ରଷ୍ଟା ଗୁରୁ ଅଙ୍ଗଦ । ହସିହସି ହୁମାୟୁନଙ୍କ ଉଦ୍ଦେଶ୍ୟରେ କହିଲେ- ସେଭଳି କୌଣସି କାରଣ ନଥାଇ ଖୁବ୍‍ଶୀଘ୍ର ତୁମେ କ୍ରୋଧିତ ହୋଇଗଲ ଯେ? ସମ୍ରାଟ ଭାବରେ ଏହା ଭୁଲିଯାଉଛ କ୍ରୋଧ ମନୁଷ୍ୟର ହିତାହିତ ଜ୍ଞାନ, ସକଳ ବୁଦ୍ଧିବିବେକ ନଷ୍ଟ କରିଦିଏ । ଏଭଳି ଅବସ୍ଥାରେ ତା’ର ବିନାଶ ବିଳମ୍ବିତ ହୁଏନାହିଁ । ବିବେକଭ୍ରଷ୍ଟ ବ୍ୟକ୍ତି ଅଚିରେ ନାଶ ଗଲାପରି ନଷ୍ଟବୁଦ୍ଧି ବ୍ୟକ୍ତି ଅବିଳମ୍ବେ ନାଶ ଯାଇଥାଏ । ଏଭଳି କ୍ରୋଧ ଦ୍ୱାରା ତୁମେ ଅଯଥାରେ ତୁମ ଶକ୍ତିର ଅପଚୟ କରୁଛ । ଏହି ଶକ୍ତିକୁ ମହତ୍‍ ଉଦ୍ଦେଶ୍ୟରେ ବିନିଯୋଗ କରିବାସ୍ଥଳେ ଏହାର ଦୁରୁପଯୋଗ କରୁଛ । ଶେର୍‍ଶାହଙ୍କ ସହ ସମ୍ମୁଖ ଯୁଦ୍ଧରେ ପରାଜିତ ହୋଇ ତୁମେ ପଳାୟନ କଲ, ଆଉ ଜଣେ ସନ୍ଥ (ଫକିର) ସମ୍ମୁଖରେ ନିଜ ଶକ୍ତିର ବୃଥା ଅସ୍ଫାଳନ ଦେଖାଉଛ; ତଥାପି ମୋର ତୁମପ୍ରତି ଦ୍ୱେଷ ଭାବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ତୁମେ ବହୁକଷ୍ଟ ସ୍ୱୀକାର କରି ଏଠାକୁ ଆସିଛ, ସେ କଷ୍ଟ ବ୍ୟର୍ଥ ହେବନାହିଁ । ତୁମେ ବିଜୟୀ ହେବ, କିନ୍ତୁ ବିଳମ୍ବରେ । ସମୟ ଅତିକ୍ରାନ୍ତ ହେଲା । ହୁମାୟୁନ ବିଜୟୀ ହେଲେ । ଅଙ୍ଗଦଙ୍କ ଆଶୀର୍ବାଦ ସତ୍ୟ ସାବ୍ୟସ୍ତ ହୋଇଥିଲା । ଅଙ୍ଗଦ ଦେବଙ୍କ ଆଶୀର୍ବାଦ କଥା ମନେପଡ଼ିଗଲା ହୁମାୟୁନଙ୍କର । କୃତଜ୍ଞତା ପ୍ରକାଶ ଉଦ୍ଦେଶ୍ୟରେ ତତ୍‍କ୍ଷଣାତ୍‍ ତାଙ୍କ ନିକଟକୁ ଆସିବାକୁ ମନସ୍ଥ କଲେ, ହେଲେ ସେ ସମୟକୁ ଅଙ୍ଗଦଙ୍କ ସ୍ୱର୍ଗବାସ ହୋଇଯାଇଥାଏ । ତାଙ୍କ ଆସନ ଅଳଙ୍କୃତ କରିଥିଲେ ଗୁରୁ ଅମର ଦାସ । ସାଧୁସନ୍ଥଙ୍କ ହୃଦୟ ଏହିପରି ବିସ୍ତୀର୍ଣ୍ଣ, କିନ୍ତୁ ସଂକୀର୍ଣ୍ଣମନା ବ୍ୟକ୍ତି ଏହା ଉପଲବ୍ଧି କରିପାରି ନ ଥା’ନ୍ତି ।

ଅହଂ ଭାବ ମନରେ ଉଚ୍ଚନୀଚ୍ଚ, ଛୋଟବଡ ଭେଦଭାବ ଉଦ୍ରକ କରେ – Ego Creates division


ଥରେ ଶାକ୍ୟବଂଶୀୟ ସାତଜଣ ରାଜକୁମାର ତଥାଗତ ବୁଦ୍ଧଙ୍କ ପ୍ରବଚନ ଶୁଣିବାକୁ ଯାଇଥିଲେ । ତଥାଗତଙ୍କ ଦିବ୍ୟବାଣୀରେ ରାଜକୁମାରମାନେ ଏତେ ପ୍ରଭାବିତ ହୋଇଯାଇଥିଲେଯେ ସେମାନଙ୍କର ସଂସାରପ୍ରତି ବୈରାଗ୍ୟଭାବ ଆସିଲା । ସିଦ୍ଧାନ୍ତନେଲେ ବୌଦ୍ଧଭିକ୍ଷୁ ହୋଇଯିବା ନିମିତ୍ତ । ନିଜ ମନୋଭାବ ସମ୍ପର୍କରେ ତଥାଗତଙ୍କୁ ଜଣାଇଲେ । ତଥାଗତଙ୍କ ଉତ୍ତର ଥିଲା- ଯଦି ତୁମମାନଙ୍କର ପ୍ରକୃତରେ ସଂସାର ପ୍ରତି ବୈରାଗ୍ୟ ଆସିଛି, ତୁମେମାନେ ବୌଦ୍ଧଧର୍ମ ଓ ସଂଘର ନିୟମପାଳନ କରିବାକୁ ଅଙ୍ଗୀକାରବଦ୍ଧ ତେବେ ମୁଁ ତୁମମାନଙ୍କୁ ସଂଘରେ ଗ୍ରହଣ କରିନେବି ।
ରାଜକୁମାରମାନେ ମନେମନେ ଭାବିଲେ ଯଦି ଏ ପ୍ରସ୍ତାବରେ ପିତାମାତାଙ୍କ ଅନୁମତି ଆଣିବାକୁ ଯିବେ ତେବେ ସେମାନେ କେବେହେଲେ ଅନୁମତି ଦେବେନାହିଁ, ବରଂ ଭଲ ହେବ ସଂଘ ଆଶ୍ରିତ ହେଲାପରେ ସେମାନଙ୍କର ଆଶୀର୍ବାଦ ନେବା । ରାଜକୁମାରମାନଙ୍କ ସାଥୀରେ ଜଣେ ସେବକ ଆସିଥିଲା । ସେମାନଙ୍କର ଅଙ୍ଗ ଭୂଷଣ ଓ ପରିଧାନ ସେହି ସେବାକାରୀଙ୍କ ହାତରେ ଦେଇ ସେମାନେ ସଂଘରେ ଯୋଗ ଦେଇଥିବା ବିଷୟ ରାଜାଙ୍କୁ ଜଣାଇ ଦେବାକୁ କହିଥିଲେ । ସେବାକାରୀଙ୍କ ମନକୁ ଆସିଲା ଯଦି ମୁଁ ସେମାନଙ୍କ ସାତ କୁମାର ସଂଘର ଆଶ୍ରୟ ନେଇଥିବା କଥା ଜଣାଇବି ତେବେ ରାଜା ହୁଏତ ବିଶ୍ୱାସ କରିବେନି । ଆହୁରି ମଧ୍ୟ ମୋତେ ସନ୍ଦେହ କରିବେ ଯେ ମୁଁ ରାଜକୁମାରମାନଙ୍କୁ କେଉଁଠି ଲୁଚାଇ ରଖିଛି । ସେବାକାରୀ ମନକୁ ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ଆସିଲା- “ହେ ସେବକ । ତୁମେ ବାରମ୍ବାର ସେହି ଆଭୂଷଣକୁ ଦେଖି ଆନନ୍ଦିତ ହେଉଛ, ତା’କୁ ରାଜକୁମାରମାନେ ନିର୍ଲୋଭ ହୋଇ ତ୍ୟାଗ କରିଛନ୍ତି । ନିଶ୍ଚିତ ଭାବରେ ସେମାନଙ୍କୁ ଏହାଠାରୁ ମୂଲ୍ୟବାନ ଆଉ କୌଣସି ଆଭୂଷଣ ମିଳିଛି ଯାହାଫଳରେ ସେମାନେ ଏହାକୁ ତ୍ୟାଗ କରିଛନ୍ତି ।’ ମନେମନେ ସେବକ ଭାବିଲେ, ଯଦି ସେମାନେ ରାଜକୁମାର ହୋଇ ଏକ ସୁରଭିତ ମାର୍ଗ ବାଛିନେଇ ପାରିଲେ ମୁଁ କାହିଁକି ସେଇ ମାର୍ଗରେ ନ ଯିବି? ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ କିଛି ନିର୍ଣ୍ଣୟ କରି ନପାରି ରାଜକୁମାରମାନଙ୍କ ନିକଟକୁ ଫେରିଆସିଲେ ସେବକ । ରାଜକୁମାରମାନେ ସେ ସମୟରେ ଦୀକ୍ଷା ନେବାକୁ ତଥାଗତଙ୍କ ସମ୍ମୁଖରେ ଠିଆ ହୋଇଥାନ୍ତି । ସେବକ ସେଠାରେ ପହଞ୍ôଚ ରାଜକୁମାରମାନଙ୍କୁ ନିଜ ମନୋଭାବ ବ୍ୟକ୍ତ କରି କହିଲେ- ମୁଁ ମଧ୍ୟ ତୁମମାନଙ୍କ ମାର୍ଗରେ ଯିବାକୁ ମନସ୍ଥ କରିଛି । ସେହି ଦିବ୍ୟମାର୍ଗରେ ଯିବାପାଇଁ ମୋର ମନ ଡାକୁଛି । ରାଜକୁମାରମାନଙ୍କ ମଧ୍ୟରୁ ଜଣେ ତଥାଗତଙ୍କୁ କହିଲେ- ମହାତ୍ମନ, ଆମମାନଙ୍କ ପୂର୍ବରୁ ଆମର ଏଇ ସେବକଙ୍କୁ ସଂଘରେ ଗ୍ରହଣ କରିିନିଅନ୍ତୁ । ତଥାଗତ ଏହାଶୁଣି କହିଲେ- “ତାଙ୍କୁ ପ୍ରଥମେ ସନ୍ନ୍ୟାସ ଦୀକ୍ଷା ଦେଲେ ତୁମେମାନେ ତାଙ୍କୁ ପ୍ରଣାମ କରିବାକୁ ହେବ ଓ ସେ ତୁମମାନଙ୍କଠାରୁ ଶ୍ରେଷ୍ଠ ବିବେଚିତ ହେବେ । ତୁମ ସାତଜଣଙ୍କୁ ତାଙ୍କ ସମ୍ମୁଖରେ ନତ ହେବାକୁ ପଡ଼ିବ ।’ ଏହାଶୁଣି ରାଜକୁମାରମାନେ ସମ୍ମିଳିତ ସ୍ୱରରେ କହିଲେ- “ମହାଭାଗ! ଆମେମାନେ କ୍ଷତ୍ରିୟ ବଂଶଜ । ଯୁଦ୍ଧରେ ଶତ୍ରୁକୁ ପରାଜିତ କରିବା ଆମର ଧର୍ମ । ଯଶ, ଖ୍ୟାତି, ପ୍ରତିଷ୍ଠା କ୍ଷତ୍ରିୟସୁଲଭ ସ୍ୱଭାବ, ହେଲେ ଏବେ ଅହଂକାର, ଗର୍ବ, ଯଶ, ଖ୍ୟାତି ଲିପ୍‍ସା, ସବୁକିଛି ଆମେ ତ୍ୟାଗ କରିଦେଇଛୁ । ତେଣୁ ଏଇ ସେବକ ନିକଟରେ ମଥାନତ କ’ଣ, ତାଙ୍କ ଚରଣସ୍ପର୍ଶରେ ଆମର ଦ୍ୱିଧାନାହିଁ ।’ ଦିବ୍ୟମାର୍ଗର ଯାତ୍ରୀ ରାଜକୁମାରମାନଙ୍କ ଏଭଳି ଉକ୍ତିରେ ତଥାଗତ ଅତି ପ୍ରସନ୍ନ ହୋଇଯାଇଥିଲେ । ବାସ୍ତବରେ ଅହଂଭାବ ଉଚ୍ଚନୀଚ, ଛୋଟବଡ଼ ଭେଦଭାବ ଉଦ୍ରେକ କରିଥାଏ । ତାହା ଦୂର ହୋଇଗଲେ ସେବକ -ପ୍ରଭୁର ପ୍ରାଚୀର ମଧ୍ୟ ଭୁଶୁଡ଼ି ପଡ଼ିଥାଏ ।

ପରମ ଭକ୍ତ ଶବରୀ – A Great Devotee Shavari

ଶବରୀ ଭଗବାନଙ୍କର ପରମ ଭକ୍ତ ଥିଲା । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଶବରୀ ଏତେ କୁରୂପା ଥିଲା ଯେ ତା’ର ନିଜ ଜାତିର ଲୋକ ମଧ୍ୟ ତାକୁ ଘୃଣାଚକ୍ଷୁରେ ଦେଖୁଥିଲେ । ବାପା ମାଆଙ୍କର ବଡ଼ ଚିନ୍ତାଥିଲା ଝିଅ କିପରି ବିବାହ କରିବ । ଶେଷରେ ଜଣେ ଶବର ଜାତିର ଯୁବକ ମିଳିଗଲା । ରାତାରାତି ବିବାହକରି ସେହି ରାତିରେ ଯୁବକକୁ କନ୍ୟାସହ ବିଦା କରିଦେଲେ ପିତାମାତା । ଯୁବକ ପତ୍ନୀକୁ ନେଇ ଚାଲିଗଲା । ଯୁବକ ଆଗେଆଗେ ଓ ଶବରୀ ପଛେପଛେ ଚାଲିଥାନ୍ତି । ଦଣ୍ଡକାରଣ୍ୟରେ ପହଞ୍ôଚଲା ବେଳକୁ ସୂର୍ଯ୍ୟୋଦୟ ହେଲା, ଯୁବକର ମନକୁ ଆସିଲା ସ୍ତ୍ରୀର ମୁହଁ ଦେଖିବା ନିମନ୍ତେ । ପଛକୁ ଫେରି ସେ ଶବରୀର ମୁହଁକୁ ଦେଖିଲାପରେ ତା’ର ଭୟଙ୍କର ଦେଖାଯାଉଥିବା, କୁତ୍ସିତ ରୂପ ଦେଖି ଡରି ଜୀବନବିକଳରେ ଦୌଡ଼ିବାକୁ ଲାଗିଲା । ଭାବିଲା ପତ୍ନୀ ତ ନୁହେଁ, ବୋଧହୁଏ ଡାକିନୀଟାଏ ତା’ସହିତ ଚାଲିଆସିଛି । ବିଚରା ଦଣ୍ଡକାରଣ୍ୟରେ ଶବରୀ ରହିଗଲା ଏକାକିନୀ । ସେଠାରେ ରହୁଥିବା ଋଷିମାନେ ତା’ର କଦାକାର ରୂପ ଦେଖି ଅଛୁତ (ଅସ୍ପୃଶ୍ୟ) କହି ତା’କୁ ତିରସ୍କାର କଲେ । ମତଙ୍ଗ ନାମକ ଜଣେ ବୃଦ୍ଧ ଋଷିଙ୍କର ଶବରୀ ପ୍ରତି ଦୟା ହେଲା । ସେ କୃପା କରି ଶବରୀକୁ ଆଶ୍ରମ ନେଇଯାଇଥିଲେ ହେଁ ଅନ୍ୟ ଋଷିମାନେ ଏହାର ଘୋର ବିରୋଧ କରିଥିଲେ । ଦୃଢ଼ମନା ମତଙ୍ଗ କିନ୍ତୁ ଶବରୀକୁ ଆଶ୍ରା ଦେଇଥିଲେ । ମତଙ୍ଗ ଋଷି ଥିଲେ ତା’ର ବାପା, ମାଆ, ଆଶ୍ରୟଦାତା ସବୁକିଛି ।
ଶେଷରେ ସେଇ ସମୟ ଆସି ପହଞ୍ôଚଲା ଯାହା ସମସ୍ତଙ୍କ ପାଇଁ ଆସିଥାଏ । ମତଙ୍ଗ ଋଷିଙ୍କ ଶେଷସମୟ ଆସନ୍ନ ଜାଣି ଶବରୀ ଦୁଃଖରେ ଅଧୈର୍ଯ୍ୟ ହୋଇ କାନ୍ଦିବାକୁ ଲାଗିଲା । ଋଷି ଆଶ୍ୱାସନା ଦେଇ କହିଲେ, ମାଆ ତୁ ଚିନ୍ତା କରନାହିଁ, ମୋର ଯିବାବେଳ ହୋଇଗଲା ମୁଁ ଯିବି; କିନ୍ତୁ ତୋର ଜନ୍ମ ସାର୍ଥକ ହେବ । ଦିନେ ତୋର କୁଟୀରରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପାଦଦେବେ । ଏହା ଶୁଣିବାପରେ ଶବରୀ ସବୁ ଦୁଃଖ ଭୁଲି ଯାଇଥିଲା ।
ମତଙ୍ଗ ଶରୀର ତ୍ୟାଗ କଲେ । ଶବରୀ ରହିଲା ପ୍ରଭୁ ଶ୍ରୀରାମଙ୍କ ପ୍ରତୀକ୍ଷାରେ । ପ୍ରତୀକ୍ଷା ଥିଲା ଅନନ୍ତ । ସେହି ପ୍ରତୀକ୍ଷା ଭିତରେ ଭରି ରହିଥିଲା ଯୁଗଯୁଗର ଉକ୍ରଣ୍ଠା । ନିଶାର୍ଦ୍ଧରେ କେହି ପଶୁପକ୍ଷୀ କୁଟୀର ଦେଇଯାଉଥିôବା ଶବ୍ଦ କାନରେ ବାଜିଲେ ସେ ଆନମନା ହୋଇପଡ଼େ । କାନ ଡେରେ, ତା’ର ଆରାଧ୍ୟ, ପରମପ୍ରିୟ ପ୍ରଭୁ ଶ୍ରୀରାମ ଆସିଲେ କି? ଅୟୁତଯୁଗର ଉକ୍ରଣ୍ଠା ନେଇ ପ୍ରତ୍ୟେକ ଦିନ କୁଟୀର ବାହାରେ ପୁଷ୍ପ ବିଛାଇ ଶବରୀ ଅପେକ୍ଷା କରେ ତା’ର ପରମପ୍ରିୟ ପ୍ରଭୁଙ୍କୁ । ଜାତିଜାତିକା ଫଳ ଜଙ୍ଗଲରୁ ଆଣି ଫଳକୁ ଚାଖି ସ୍ୱାଦୁ ଯୁକ୍ତ ଫଳ ହିଁ ରଖିଥାଏ । ଗୋଟିଏ ଦିନର ପ୍ରତୀକ୍ଷା ସରିଯାଏ ସିନା ବୃଥାରେ, ହେଲେ ମରିଯାଏ ନାହିଁ । ପ୍ରଭୁ ଆସନ୍ତିନାହିଁ । ପୁଣି ପରଦିନରେ ପ୍ରତୀକ୍ଷା ଆରମ୍ଭ ହୁଏ । ପ୍ରତ୍ୟହ ତଟକା ଫଳ ଆଣି ରଖିଥାଏ, ମନ ଭିତରେ ଉଚ୍ଚାଶା, ପ୍ରଭୁ ଆସିଲେ ନିଜେ ହିଁ ତାଙ୍କୁ ଖୁଆଇଦେବ ।
ଋଷିବାଣୀକୁ ସତ୍ୟ ପ୍ରମାଣିତ କରି ଶେଷରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ପଦାର୍ପଣ କଲେ ଶବରୀର କୁଟୀରରେ । ଶବରୀର ଆନନ୍ଦର ସୀମା ନଥିଲା । ଆଖିରୁ ବହିଯାଇଥିଲା ଧାରଧାର ଲୁହ, ଆନନ୍ଦାଶ୍ରୁ । ସେ ଭଗବାନଙ୍କ ଚରଣତଳେ ପଡ଼ିଗଲା । ଆସନ ପାରି କୁଟୀରରେ ବସାଇଦେଲା । ମାଆ ଯେପରି ଛୋଟ ପିଲାଙ୍କୁ ଖୁଆଇ ଦିଏ, ସେହିପରି ଅତି ଶ୍ରଦ୍ଧାରେ ବାଛିବାଛି ମିଠାଫଳ ଚାଖି ପ୍ରଭୁଙ୍କୁ ଖୁଆଇ ଦେଇଥିଲା ଶବରୀ । ଶବରୀ ହୃଦୟରେ ଶ୍ରୀରାମଙ୍କ ସାନ୍ନିଧ୍ୟ ଲାଭର ବ୍ୟାକୁଳତା- ଅନୁରୂପ ଭାବରେ ଏକାନ୍ତ ଅନୁରକ୍ତ ଭକ୍ତ କୁଟୀରରେ ପଦାର୍ପଣ ନିମନ୍ତେ ପ୍ରଭୁଙ୍କ ଉକ୍ରଣ୍ଠା । ଭକ୍ତ-ଭଗବାନ ଏକ-ଅଭିନ୍ନ ହୋଇଗଲେ ।

ଋଷି ମୁଦ୍ଗଲ – Sage Mudgal


କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହେବା ପୂର୍ବରୁ ସେଠାରେ ବହୁ ଯାଗ, ଯଜ୍ଞ ହେବା ସହ ବହୁ ମୁନି, ଋଷିମାନେ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଋଷି ମୁଦ୍ଗଲ । ସେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଭୂମିରେ ଘୋର ତପସ୍ୟାରେ ଜୀବନ ନିର୍ବାହ କରୁଥିଲେ । ତାଙ୍କର ଧର୍ମାଚରଣ ଓ ଈଶ୍ୱର ଆରାଧନାର ସାଧନା ଭିତରେ ଜୀବନ ନିର୍ବାହର ପନ୍ଥା ଥିଲା ଭିନ୍ନ । କ୍ଷେତରୁ ସଂଗୃହୀତ ଶସ୍ୟରେ ପ୍ରସ୍ତୁତ ଖାଦ୍ୟରେ ନିଜେ ଜୀବନନିର୍ବାହ ସହ ଯଜ୍ଞ ଓ ଅତିଥି ସକ୍ରାରରେ ବ୍ୟୟ କରୁଥିଲେ । ଏହା ପ୍ରାତ୍ୟହିକ କର୍ମ ଥିଲା ତାଙ୍କର ।
ଏକଦା ତାଙ୍କର ଏଭଳି ଦାନଶୀଳତାର ପରୀକ୍ଷା ନିମନ୍ତେ ଭୟଙ୍କର କ୍ରୋଧୀ ଋଷି ରୂପେ ପରିଚିତ ଦୁର୍ବାସା ତାଙ୍କ ନିକଟରେ ପହଞ୍ଚିଲେ । ସାଥୀରେ ଥିଲେ ତାଙ୍କର ଛ’ହଜାର ଶିଷ୍ୟ । ଥରେ ଦୁଇଥର ନୁହେଁ, ଏମିତି କେତେବାର ଦୁର୍ବାସା ଆକସ୍ମିକ ଭାବରେ ତାଙ୍କର ଆଶ୍ରମରେ ପହଞ୍ଚିଯା’ନ୍ତି । କିନ୍ତୁ ଦୈବବଳରେ ବଳୀୟାନ, କଠୋର ସାଧନାରେ ସିଦ୍ଧିଲାଭ କରିଥିବା ଋଷି ମୁଦ୍ଗଲ ପ୍ରତ୍ୟେକଥର ଦୁର୍ବାସାଙ୍କ ସହ ଶିଷ୍ୟମାନଙ୍କୁ ଯଥାରୀତି ସକ୍ରାର କରି ବିଦାୟ ଦେଇଥା’ନ୍ତି । ପ୍ରତ୍ୟେକ ଅତିଥି ତୁଷ୍ଟ ହୋଇ ଫେରିଥା’ନ୍ତି ତାଙ୍କ ଆଶ୍ରମରୁ ।
ଅନେକଥର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଦୁର୍ବାସା ମୁଦ୍ଗଲଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ଆଶୀର୍ବାଦ ପ୍ରଦାନ କରି ଦୁର୍ବାସା ତାଙ୍କୁ ବର ଦେଇଥିଲେ ସ୍ୱର୍ଗପ୍ରାପ୍ତି ନିମନ୍ତେ ।
ସମୟାନୁସାରେ ସ୍ୱର୍ଗର ଦେବଦୂତମାନେ ମୁ୍ଦ୍ଗଲଙ୍କ ନିକଟରେ ପହଞ୍ଚିଲେ ତାଙ୍କୁ ସ୍ୱର୍ଗକୁ ନେବା ନିମନ୍ତେ । କିନ୍ତୁ ଋଷି ମୁଦ୍ଗଲ ପ୍ରଥମେ ସ୍ୱର୍ଗପୁରର ବୈଶିଷ୍ଟ୍ୟ ସମ୍ପର୍କରେ ସେମାନଙ୍କଠାରୁ ଶୁଣିବାକୁ ଚାହିଁଥିଲେ । ସ୍ୱର୍ଗଲୋକ ସମ୍ପର୍କରେ ସବିଶେଷ ଜାଣିବାପରେ ହୃଦ୍ବୋଧ ହେଲେ ଯାଇ ପାରନ୍ତି ବୋଲି ଋଷି ମୁଦ୍ଗଗଲ କହିଥିଲେ । ଦେବଦୂତମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଇଥିପାଇଁ ଯେ ଅନେକେ ସ୍ୱର୍ଗଲୋକ ଅକୁଣ୍ଠରେ କାମନା କରୁଥିଲାବେଳେ ମୁଦ୍ଗଗଲଙ୍କଠାରେ ତା’ର ବ୍ୟତିକ୍ରମ ଘଟିଥିଲା ।
ସ୍ୱର୍ଗପୁରର ବର୍ଣ୍ଣନା କରି ଦେବଦୂତମାନେ କହିଥିଲେ, ତପସ୍ୱୀ ଶ୍ରେଷ୍ଠ! ସ୍ୱର୍ଗପୁରରେ ମର୍ତ୍ତ୍ୟର ଦୁଃଖ, କ୍ଲେଶ, ନିରାନନ୍ଦ କିଛି ହେଲେ ନାହିଁ । ସେଠାରେ ଜରା କିମ୍ବା ମୃତ୍ୟୁର ମଧ୍ୟ ଭୟ ନାହିଁ । କେବଳ ସୁଖ ହିଁ ସୁଖ । ପୁଣ୍ୟକର୍ମାମାନଙ୍କର ଏହା ଆବାସସ୍ଥଳ । ଧର୍ମାତ୍ମା, ଜିତେନ୍ଦ୍ରିୟ ଓ ଦାନୀ ବ୍ୟକ୍ତି ହିଁ ଏହି ପୁରର ଅଧିକାରୀ ହୋଇଥା’ନ୍ତି । ଆପଣ ଏହି ତିନିଟିଯାକ ଗୁଣର ଅଧିକାରୀ । ତେଣୁ ଆପଣଙ୍କୁ ସ୍ୱର୍ଗ ଲୋକକୁ ନେବା ପାଇଁ ଆମେ ଆସିଛୁ ।
ଯଦି ଧର୍ମାତ୍ମା, ଜିତେନ୍ଦ୍ରିୟ ଓ ଦାନୀ ବ୍ୟକ୍ତିମାନଙ୍କର ସ୍ୱର୍ଗ ଏକମାତ୍ର ନିବାସ ସ୍ଥଳ, ତେବେ ଦିନକୁ ଦିନ ସେମାନଙ୍କର ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ହେଉଥିବ? ଦେବଦୂତମାନଙ୍କୁ ପୁଣି ପଚାରିଥିଲେ ଋଷି ମୁଦ୍ଗଲ ।
ଏହାର ଉତ୍ତରରେ ଦେବଦୂତମାନେ କହିଥିଲେ – ସ୍ୱର୍ଗ ହେଉଛି ଭୋଗଭୂମି, ଅତଏବ ଏଠାରେ କର୍ମର ଲେଶମାତ୍ର ସ୍ଥାନ ନାହିଁ । ପୂର୍ବର କର୍ମଫଳ ଆଧାରରେ ଯେହେତୁ ଏହା ପ୍ରାପ୍ତ ହୋଇଥାଏ ତେଣୁ ଏଠାରେ କର୍ମର ଆବଶ୍ୟକତା ପଡ଼ି ନଥାଏ । ଜୀବନକାଳରେ ମୃତ୍ୟୁଲୋକର କରାଯାଇଥିବା କର୍ମର ଫଳ ହିଁ ଏଠାରେ ଭୋଗ କରିବାକୁ ହୋଇଥାଏ, କୌଣସି ନୂଆ କର୍ମ କରିବାକୁ ପଡ଼ି ନଥାଏ । ଯେତେବେଳେ ପୁଣ୍ୟ କର୍ମଫଳ କ୍ଷୀଣ ହୋଇଯାଏ, ସେତେବେଳେ ସେମାନଙ୍କୁ କର୍ମକ୍ଷେତ୍ରକୁ ଫେରିଯିବାକୁ ପଡିଥାଏ ।
ଏହା ଶୁଣିବାପରେ ମୁଦୁଗଲ ଗମ୍ଭୀର ସ୍ୱରରେ କହିଲେ- “ତୁମମାନକୁ ସ୍ୱର୍ଗପୁରକୁ ଫେରିଯିବାକୁ ପଡ଼ିବ । ଯେଉଁ ଲୋକରେ କୌଣସି କର୍ମ ନାହିଁ, କେବଳ ଭୋଗ ହିଁ ଭୋଗ, ମୁଁ ସେଠାକୁ ଯିବାକୁ ପସନ୍ଦ କରିବି ନାହିଁ । ତୁମର ସ୍ୱର୍ଗଲୋକ ଅପେକ୍ଷା ଏହି ମୃତ୍ୟୁଲୋକ ମୋ ନିକଟରେ ଅଧିକ ପ୍ରିୟ । ଏଇଠାରେ ହିଁ ମୁଁ କର୍ମସାଧନାରେ ମଗ୍ନ ରହିବି । ମୃତ୍ୟୁଲୋକରେ ଲୋକମଙ୍ଗଳ ମାଧ୍ୟମରେ ମୁଁ ମୋର କର୍ମସାଧନା ଜାରି ରଖିବି । ଏହା ମାଧ୍ୟମରେ ଯଦି ମୁଁ ମୋକ୍ଷ ପାଇବି ତ ଭଲ ନଚେତ୍ ମୋ ମନରେ କୌଣସି ଅବସାଦ ନାହିଁ ।”
ଋଷି ମୁଦ୍ଗଲଙ୍କଠାରୁ ଏହା ଶୁଣି ସ୍ୱର୍ଗଦୂତମାନେ ଫେରିଯାଇଥିଲେ ।

ଯେଉଁଠି ଦୁର୍ବଳତା ଅଧିକ ସେଠାରେ ବିପଦର ସମ୍ଭାବନା ସେତେ ଅଧିକ – Weakness brings difficulties in life

ଦୁର୍ବଳତା ବା ମୋହ ସ୍ଥଳ ବିଶେଷରେ ମଣିଷକୁ ବିପଦର ଅତଳ ଗହ୍ୱରକୁ ଠେଲି ଦେଇଥାଏ । ଅଧିକ ମୋହ/ଦୁର୍ବଳତା ଅଧିକ ଦୁଃଖ, ଉଦ୍‍ବେଗର କାରଣ ହୋଇଥାଏ, ଏହା ସ୍ୱତଃସିଦ୍ଧ । ଯେଉଁଠି ଦୁର୍ବଳତା ଅଧିକ ସେଠାରେ ବିପଦର ସମ୍ଭାବନା ସେତେ ଅଧିକ । ଦ୍ୟୁତକ୍ରୀଡ଼ା ପ୍ରତି ଦୁର୍ବଳତା ଧର୍ମରାଜ ଯୁଧିଷ୍ଠିରଙ୍କୁ ସର୍ବହରା କରିଦେଇଥିଲା । ଦୁର୍ଯ୍ୟୋଧନଙ୍କ ପ୍ରତି ଧୃତରାଷ୍ଟ୍ରଙ୍କର ଅଧିକ ମୋହ ହିଁ ତାଙ୍କୁ ଅତିମାତ୍ରାରେ ସ୍ୱୌରାଚାରୀ କରିଦେଇଥିଲା, ଦାନ ପ୍ରତି ବିଶେଷ ମୋହ କାରଣରୁ ବଳି ପାତାଳଗାମୀ ହୋଇଥିଲେ ।
ଠିକ୍‍ ସେହିପରି ଏକ ଦୁର୍ବଳତା ଥିଲା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଯାହାଙ୍କ ପାଇଁ ତାଙ୍କ ହୃଦୟରେ ସୃଷ୍ଟି ହୋଇଥିଲା ଗଭୀର କ୍ଷତ । ନିଜର ଏକମାତ୍ର ପୁତ୍ର ଅଶ୍ୱତ୍‍ଥମାକୁ ଗୋ କ୍ଷୀର ଟୋପେ ପିିଇବାକୁ ଦେବାପାଇଁ ଏକଦା ଅକ୍ଷମ ଥିଲେ ଦ୍ରୋଣାଚାର୍ଯ୍ୟ । ବାଲ୍ୟକାଳର ପରମ ମିତ୍ର ପାଞ୍ଚାଳ ନରେଶଙ୍କ ନିକଟକୁ ଯାଇଥିଲେ ସାହାଯ୍ୟ ଭିକ୍ଷା ଉଦ୍ଦେଶ୍ୟରେ କେବଳ ପୁତ୍ର ନିମିତ୍ତ । ହେଲେ ପାଞ୍ଚାଳ ନରେଶ ତିରସ୍କାର ପୂର୍ବକ ଫେରାଇ ଦେଇଥିଲେ । ରିକ୍ତ ହସ୍ତରେ ଫେରିଥିଲେ ଦ୍ରୋଣାଚାର୍ଯ୍ୟ ଘୋର ଅପମାନ ସହି ।
ମହାଭାରତର ମହାପ୍ରଳୟଙ୍କରୀ ଯୁଦ୍ଧ ଆରମ୍ଭ ହୋଇଯାଇଥାଏ । ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ଅମିତ ବଳଶାଳୀ, ତାଙ୍କୁ ପରାସ୍ତ କରିବା ଦୁରୂହ ଥିଲା ପାଣ୍ଡବମାନଙ୍କ ନିକଟରେ । ଏହା ଭଲଭାବରେ ଜାଣିଥିଲେ ମହାଭାରତ ଯୁଦ୍ଧର ମହାନାୟକ ଶ୍ରୀକୃଷ୍ଣ । କୌଶଳରେ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରାଯାଇପାରେ- ଏଭଳି ଏକ ଉପାୟ ପାଞ୍ôଚଥିଲେ ଶ୍ରୀକୃଷ୍ଣ । ଦ୍ରୋଣାଚାର୍ଯ୍ୟଙ୍କର ଦୁର୍ବଳତାକୁ ହିଁ ସେ ଏ ନିମନ୍ତେ ଶ୍ରେଷ୍ଠ ଅସ୍ତ୍ରବୋଲି ଜାଣିଥିଲେ । ରକ୍ତମାଂସର ମଣିଷକୁ ଦୁର୍ବଳତା ତ ସୁଅ ମୁହଁର ପତର ଭଳି ଭସାଇ ନେଇଯାଇଥାଏ । ଆଉ ଦ୍ରୋଣାଚାର୍ଯ୍ୟ ବା କି ଛାର? ଏହି ଦୁର୍ବଳତାକୁ ଆୟୁଧ କରିବାକୁ ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇଥିଲେ ଚକ୍ରଧାରୀ ଶ୍ରୀକୃଷ୍ଣ ।
ଧର୍ମ ସଂକଟରେ ପଡ଼ିଗଲେ ଯୁଧିଷ୍ଠିର । ଜୀବନସାରା ଯେ ସତ୍ୟର ଆଶ୍ରୟ ନେଇଛନ୍ତି ଏବେ ସେଥିରୁ ବିଚ୍ୟୁତ ହେବେ, ନ ହେଲେ ରକ୍ଷା ନାହିଁ । ଗୁରୁ ଦ୍ରୋଣଙ୍କ ଦୁର୍ବଳତାର ସୁଯୋଗ ନେଇ ଅଗତ୍ୟା ମିଥ୍ୟା କହିବାକୁ ବାଧ୍ୟ ହୋଇଥିଲେ ଯୁଧିଷ୍ଠିର । ଯୁଦ୍ଧ କ୍ଷେତ୍ରରେ “ଅଶ୍ୱତ୍‍ଥମା ମୃତ’ ବୋଲି ଶୁଣିବା ପରେ ସତ୍ୟାଶ୍ରୟୀ ଯୁଧିଷ୍ଠିରଙ୍କୁ ଏହାର ସତ୍ୟତା ସମ୍ପର୍କରେ ପଚାରିଥିଲେ ଦ୍ରୋଣାଚାର୍ଯ୍ୟ । ସତ୍ୟବାଦୀ ଶିଷ୍ୟ କଦାପି ମିଥ୍ୟା କହି ନପାରେ- ଏହା ଥିଲା ଦୃଢ଼ ଧାରଣା । “ଅଶ୍ୱତ୍‍ଥମା ହତ-ନର ବା ଗୁଞ୍ଜରେ’ ବୋଲି କହିବାକୁ ବାଧ୍ୟ ହୋଇଥିଲେ ଯୁଧିଷ୍ଠିର ।
ସ୍ୱେହାସ୍ପଦ ପୁତ୍ରର ମୃତ୍ୟୁ ସମ୍ବାଦ ଶତଧା ବିଦୀର୍ଣ୍ଣ କରିଦେଇଥିଲା ଦ୍ରୋଣାଚାର୍ଯ୍ୟଙ୍କ ହୃଦୟକୁ । ଏହା ଶୁଣିଲା ମାତ୍ରେ ହତୋତ୍ସାହ ହୋଇ ଅସ୍ତ୍ରତ୍ୟାଗ କରି ପ୍ରାୟୋପବେଶନରେ ବସିପଡ଼ିଲେ । ଏହି ସୁଯୋଗରେ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ତାଙ୍କର ଶିରଚ୍ଛେଦ କରିଥିଲେ । ପାଞ୍ଚାଳ ନୂପତିଙ୍କ ଅପମାନର ପ୍ରତିଶୋଧ ନେଇଥିଲେ ଧୃଷ୍ଟଦ୍ୟୁମ୍ନ । ଜଣେ ମହାନ୍‍ ଯୋଦ୍ଧାଙ୍କ ମହାପ୍ରସ୍ଥାନ ହୋଇଗଲା ମୋହବଶରୁ । ମହାଭାରତ ଯୁଦ୍ଧର ଏହି ଅଦମନୀୟ ଯୋଦ୍ଧାଙ୍କ ଜୀବନାବସାନରେ ପାଣ୍ଡବମାନେ ଆଶ୍ୱସ୍ତ ହୋଇଥିଲେ ସତ, ହେଲେ ସତ୍ୟବାଦୀ ଯୁଧିଷ୍ଠିରଙ୍କୁ ସେହି ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା- “ବିଜୟ ଲାଭ ଅଶାରେ ଶିଷ୍ୟ ହୋଇ ମଧ୍ୟ ମୋର ବିଶ୍ୱାସକୁ ଧୂଳିସାତ୍‍ କରିଦେଲ । ସମ୍ମୁଖ ସଂଗ୍ରାମ ନକରି ଦୁର୍ବଳତାକୁ ଅସ୍ତ୍ର କରି ଯେଉଁ ଅପକୀର୍ତ୍ତି ଅର୍ଜିଲ ତାହା ତୁମ ସତ୍ୟବାଦିତାକୁ ସବୁଦିନ ପାଇଁ କଳଙ୍କିତ କରିଦେଲା ।’

ଦୁର୍ବଳତା ବା ମୋହ ସ୍ଥଳ ବିଶେଷରେ ମଣିଷକୁ ବିପଦର ଅତଳ ଗହ୍ୱରକୁ ଠେଲି ଦେଇଥାଏ । ଅଧିକ ମୋହ/ଦୁର୍ବଳତା ଅଧିକ ଦୁଃଖ, ଉଦ୍‍ବେଗର କାରଣ ହୋଇଥାଏ, ଏହା ସ୍ୱତଃସିଦ୍ଧ । ଯେଉଁଠି ଦୁର୍ବଳତା ଅଧିକ ସେଠାରେ ବିପଦର ସମ୍ଭାବନା ସେତେ ଅଧିକ । ଦ୍ୟୁତକ୍ରୀଡ଼ା ପ୍ରତି ଦୁର୍ବଳତା ଧର୍ମରାଜ ଯୁଧିଷ୍ଠିରଙ୍କୁ ସର୍ବହରା କରିଦେଇଥିଲା । ଦୁର୍ଯ୍ୟୋଧନଙ୍କ ପ୍ରତି ଧୃତରାଷ୍ଟ୍ରଙ୍କର ଅଧିକ ମୋହ ହିଁ ତାଙ୍କୁ ଅତିମାତ୍ରାରେ ସ୍ୱୌରାଚାରୀ କରିଦେଇଥିଲା, ଦାନ ପ୍ରତି ବିଶେଷ ମୋହ କାରଣରୁ ବଳି ପାତାଳଗାମୀ ହୋଇଥିଲେ ।
ଠିକ୍‍ ସେହିପରି ଏକ ଦୁର୍ବଳତା ଥିଲା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଯାହାଙ୍କ ପାଇଁ ତାଙ୍କ ହୃଦୟରେ ସୃଷ୍ଟି ହୋଇଥିଲା ଗଭୀର କ୍ଷତ । ନିଜର ଏକମାତ୍ର ପୁତ୍ର ଅଶ୍ୱତ୍‍ଥମାକୁ ଗୋ କ୍ଷୀର ଟୋପେ ପିିଇବାକୁ ଦେବାପାଇଁ ଏକଦା ଅକ୍ଷମ ଥିଲେ ଦ୍ରୋଣାଚାର୍ଯ୍ୟ । ବାଲ୍ୟକାଳର ପରମ ମିତ୍ର ପାଞ୍ଚାଳ ନରେଶଙ୍କ ନିକଟକୁ ଯାଇଥିଲେ ସାହାଯ୍ୟ ଭିକ୍ଷା ଉଦ୍ଦେଶ୍ୟରେ କେବଳ ପୁତ୍ର ନିମିତ୍ତ । ହେଲେ ପାଞ୍ଚାଳ ନରେଶ ତିରସ୍କାର ପୂର୍ବକ ଫେରାଇ ଦେଇଥିଲେ । ରିକ୍ତ ହସ୍ତରେ ଫେରିଥିଲେ ଦ୍ରୋଣାଚାର୍ଯ୍ୟ ଘୋର ଅପମାନ ସହି ।
ମହାଭାରତର ମହାପ୍ରଳୟଙ୍କରୀ ଯୁଦ୍ଧ ଆରମ୍ଭ ହୋଇଯାଇଥାଏ । ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ଅମିତ ବଳଶାଳୀ, ତାଙ୍କୁ ପରାସ୍ତ କରିବା ଦୁରୂହ ଥିଲା ପାଣ୍ଡବମାନଙ୍କ ନିକଟରେ । ଏହା ଭଲଭାବରେ ଜାଣିଥିଲେ ମହାଭାରତ ଯୁଦ୍ଧର ମହାନାୟକ ଶ୍ରୀକୃଷ୍ଣ । କୌଶଳରେ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରାଯାଇପାରେ- ଏଭଳି ଏକ ଉପାୟ ପାଞ୍ôଚଥିଲେ ଶ୍ରୀକୃଷ୍ଣ । ଦ୍ରୋଣାଚାର୍ଯ୍ୟଙ୍କର ଦୁର୍ବଳତାକୁ ହିଁ ସେ ଏ ନିମନ୍ତେ ଶ୍ରେଷ୍ଠ ଅସ୍ତ୍ରବୋଲି ଜାଣିଥିଲେ । ରକ୍ତମାଂସର ମଣିଷକୁ ଦୁର୍ବଳତା ତ ସୁଅ ମୁହଁର ପତର ଭଳି ଭସାଇ ନେଇଯାଇଥାଏ । ଆଉ ଦ୍ରୋଣାଚାର୍ଯ୍ୟ ବା କି ଛାର? ଏହି ଦୁର୍ବଳତାକୁ ଆୟୁଧ କରିବାକୁ ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇଥିଲେ ଚକ୍ରଧାରୀ ଶ୍ରୀକୃଷ୍ଣ ।
ଧର୍ମ ସଂକଟରେ ପଡ଼ିଗଲେ ଯୁଧିଷ୍ଠିର । ଜୀବନସାରା ଯେ ସତ୍ୟର ଆଶ୍ରୟ ନେଇଛନ୍ତି ଏବେ ସେଥିରୁ ବିଚ୍ୟୁତ ହେବେ, ନ ହେଲେ ରକ୍ଷା ନାହିଁ । ଗୁରୁ ଦ୍ରୋଣଙ୍କ ଦୁର୍ବଳତାର ସୁଯୋଗ ନେଇ ଅଗତ୍ୟା ମିଥ୍ୟା କହିବାକୁ ବାଧ୍ୟ ହୋଇଥିଲେ ଯୁଧିଷ୍ଠିର । ଯୁଦ୍ଧ କ୍ଷେତ୍ରରେ “ଅଶ୍ୱତ୍‍ଥମା ମୃତ’ ବୋଲି ଶୁଣିବା ପରେ ସତ୍ୟାଶ୍ରୟୀ ଯୁଧିଷ୍ଠିରଙ୍କୁ ଏହାର ସତ୍ୟତା ସମ୍ପର୍କରେ ପଚାରିଥିଲେ ଦ୍ରୋଣାଚାର୍ଯ୍ୟ । ସତ୍ୟବାଦୀ ଶିଷ୍ୟ କଦାପି ମିଥ୍ୟା କହି ନପାରେ- ଏହା ଥିଲା ଦୃଢ଼ ଧାରଣା । “ଅଶ୍ୱତ୍‍ଥମା ହତ-ନର ବା ଗୁଞ୍ଜରେ’ ବୋଲି କହିବାକୁ ବାଧ୍ୟ ହୋଇଥିଲେ ଯୁଧିଷ୍ଠିର ।
ସ୍ୱେହାସ୍ପଦ ପୁତ୍ରର ମୃତ୍ୟୁ ସମ୍ବାଦ ଶତଧା ବିଦୀର୍ଣ୍ଣ କରିଦେଇଥିଲା ଦ୍ରୋଣାଚାର୍ଯ୍ୟଙ୍କ ହୃଦୟକୁ । ଏହା ଶୁଣିଲା ମାତ୍ରେ ହତୋତ୍ସାହ ହୋଇ ଅସ୍ତ୍ରତ୍ୟାଗ କରି ପ୍ରାୟୋପବେଶନରେ ବସିପଡ଼ିଲେ । ଏହି ସୁଯୋଗରେ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ତାଙ୍କର ଶିରଚ୍ଛେଦ କରିଥିଲେ । ପାଞ୍ଚାଳ ନୂପତିଙ୍କ ଅପମାନର ପ୍ରତିଶୋଧ ନେଇଥିଲେ ଧୃଷ୍ଟଦ୍ୟୁମ୍ନ । ଜଣେ ମହାନ୍‍ ଯୋଦ୍ଧାଙ୍କ ମହାପ୍ରସ୍ଥାନ ହୋଇଗଲା ମୋହବଶରୁ । ମହାଭାରତ ଯୁଦ୍ଧର ଏହି ଅଦମନୀୟ ଯୋଦ୍ଧାଙ୍କ ଜୀବନାବସାନରେ ପାଣ୍ଡବମାନେ ଆଶ୍ୱସ୍ତ ହୋଇଥିଲେ ସତ, ହେଲେ ସତ୍ୟବାଦୀ ଯୁଧିଷ୍ଠିରଙ୍କୁ ସେହି ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା- “ବିଜୟ ଲାଭ ଅଶାରେ ଶିଷ୍ୟ ହୋଇ ମଧ୍ୟ ମୋର ବିଶ୍ୱାସକୁ ଧୂଳିସାତ୍‍ କରିଦେଲ । ସମ୍ମୁଖ ସଂଗ୍ରାମ ନକରି ଦୁର୍ବଳତାକୁ ଅସ୍ତ୍ର କରି ଯେଉଁ ଅପକୀର୍ତ୍ତି ଅର୍ଜିଲ ତାହା ତୁମ ସତ୍ୟବାଦିତାକୁ ସବୁଦିନ ପାଇଁ କଳଙ୍କିତ କରିଦେଲା ।’