ବାପା; ଭାରି ମିଛୁଆ

ବୋଉମାନଙ୍କ ତୁଳନାରେ ବାପାମାନେ ଭାରି ବେହିସାବୀ । ପିଲାଦିନେ କୋଉ ପର୍ବପର୍ବାଣୀରେ ବାପାଙ୍କ ସହ ଡ୍ରେସ କିଣିବାକୁ ବାହାରିଲା ବେଳକୁ ବୋଉ, ବାପାଙ୍କୁ କୁହେ,

-“ସେ Kalamandir ଦୋକାନରୁ ଆଣିବନି, ବେଶୀ ଟଙ୍କା ନେବ, ପକ୍କା ଠକ ଟା ସେ । କୋଉ ଗୋଟେ ଛୋଟ ଦୋକାନରୁ ନେଇ ଆସିବ, ହଁ ବେଶୀ ଦାମୀ ଡ୍ରେସ ଆଣିବନି, ଆଗକୁ ଅମୁକ କାମଟା ଅଛି ଯେ ।”

      ଡ୍ରେସ କିଣିବାକୁ ଯିବାର ଖୁସିଟା ମିଳେଇଯାଏ । ମୁହଁ ଫୁଲେଇ ବାପାଙ୍କ ସାଙ୍ଗରେ ଯିବାକୁ ପଡେ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଯେତେବେଳେ ବାପା ସେଇ kalamandir ଦୋକାନକୁ ଯାଆନ୍ତି ଆଉ ମୋ ମନ ମୁତାବକ ଡ୍ରେସ କିଣିଦିଅନ୍ତି । କୁହନ୍ତି,

-“ବୋଉ ପଚାରିଲେ କମେଇକି କହିବୁ, ଜମା ସତକଥା କହିବୁନି ।”

ମୋତେ ଲାଗେ ମୋ ବାପା ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

     ପିଲାଦିନେ କୋଉଠିକି ବାହାରିଲା ବେଳେ ପକେଟ୍ ଖର୍ଚ୍ଚ ମାଗିଲେ ବୋଉ ଭାରି ଚିଡିଚିଡି ହୁଏ । କୋଡ଼ିଏ ଟଙ୍କା ମାଗିଲେ ଦଶଟଙ୍କା ଦିଏ, ଆଉ ଦଶ ମାଗିଲେ ପାଞ୍ଚ । କେବେକେବେ ମୁଁ ନିଏ । ବେଶୀ ଜରୁରୀ ନଥିଲେ ବୋଉ ଉପରକୁ ଫୋପାଡ଼ି ଦେଇ ଚାଲିଯାଏ । ବାପାଙ୍କ ଆଖିରେ ଏ ସବୁ ଯାଏନି । ସେ ବୋଉକୁ ଲୁଚେଇ ମୋ ମାଗିବାଠାରୁ ଅଧିକ ଦିଅନ୍ତି । ଆଉ ବୋଉକୁ ବୁଝାନ୍ତି,

-“ଟୋକାଟା ଦିନକୁଦିନ ଭାରି ବଦଖର୍ଚୀ ହେଇଯାଉଛି । ତା ହାତକୁ ମୋଟେ ପଇସାପତର ଦେବୁନି ।”

ମୋତେ ଲାଗେ ମୋ ବାପା ସତରେ ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

       ସୁଲଗ୍ନାକୁ ଭଲପାଉଥିବା କଥା ଯୋଉଦିନ ଘରେ କହିଲି ବୋଉ ରାଗିକି ଖଣ୍ଡ ପ୍ରଳୟ କରିଦେଲା ।

-“ଚିହ୍ନା ନାହିଁ, ପରିଚୟ ନାହିଁ, ବଂଶମର୍ଯ୍ୟାଦା ଜଣାନାହିଁ । କୋଉଠିକାର ଗୋଟେ ବାରବୁଲା ଝିଅକୁ ମୁଁ ବୋହୁ କରିପାରିବିନି ।” ବୋଉର ଏଇ ପଦକ କଥାରେ ମୁଁ ଭାଙ୍ଗି ପଡ଼ିଥିଲି । କାରଣ ମୁଁ ବି ସତରେ ସୁଲଗ୍ନାକୁ ଛାଡି ତା ବିଷୟରେ ଆଉ କିଛି ଅଧିକ ଜାଣି ନଥିଲି । ଏତିକିବେଳେ ବାପା କୋଉଠିଥିଲେ କେଜାଣି ହଠାତ କହି ଉଠିଲେ,

-“ଆରେ, ମୁଁ ସେ ଝିଅକୁ ଜାଣିଛି ପା । ମୋ ସାଙ୍ଗର ଝିଅ ସେ । ଭାରି ଶାନ୍ତ ସୁଧାର ପିଲାଟା । ତା ବାପା ବି ଭାରି ଭଲ । ଯଦି ସେ ୟା’ର ପସନ୍ଦ ହେଇଛି ତେବେ ବାହାଘର ସେଇଠି ହିଁ ହେବ ।”

ସେଦିନ ସନ୍ଧ୍ୟାବେଳେ ବୋଉ ଠାକୁରଘରେ ସନ୍ଧ୍ୟାଆଳତୀ କଲାବେଳେ ବାପା ମୋ ପାଖକୁ ଚୁପିଚୁପି ଆସି ପଚାରିଲେ,

-“ଆରେ ସେ ଝିଅ ଘର କୋଉଠି ? ତା ଠିକଣାଟା ଦେ ମୁଁ କାଲି ତାଙ୍କ ଘରେ କଥାଟା ପକେଇବି ।”

ମୁଁ ଭାବୁଥିଲି ମୋ ବାପା ସତରେ ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

      ଏଇ କିଛିଦିନ ହେଲା ବାପାଙ୍କ

ଆଣ୍ଠୁଗଣ୍ଠି ଭାରି ଦରଜ ହେଉଛି । ଚାଲିଲାବେଳେ ଟିକେଟିକେ ଛୋଟଉଛନ୍ତି । ଭାବୁଥିଲି ବାପାଙ୍କୁ

କୋଉ ଭଲ ଡାକ୍ତର ପାଖକୁ ନେଇକି ଗଲେ ହେବ । ହେଲେ ମନେ ପଡିଗଲା ଏ ମାସରେ ପୁଅର ଆଡ଼ମିସନ ଅଛି । ଶାଳୀର ବାହାଘର, ଆଉ ଏଲ.ଆଇ.ସି. ର କିସ୍ତି ବି ଅଛି । ଆମ ଛକର Pabitra ମେଡ଼ିସିନ ଦୋକାନରୁ ଗୋଟେ ଶସ୍ତା ମାଲିସ ତେଲ ଆଉ ଚାରି/ପାଞ୍ଚଦିନ ପାଇଁ କେତେଟା ବଟିକା ଆଣି ବାପାଙ୍କୁ ଦେଇ କହିଲି,

-“ନିଅ, Pabitra କହିଛି ଏଇଥିରେ ତୁମ ଗୋଡ଼ ପୁରା ଠିକ ହେଇଯିବ ।”

        ଏଇଭିତରେ କିଛିଦିନ ବିତିଗଲାଣି । ପୁଅର ଆଡ଼ମିସନ ବି ସରିଲାଣି, ଶାଳୀ ବାହାଘର ଆଉ ଏଲ.ଆଇ.ସି. ଡିଉ ବି ।

ସେଦିନ ସନ୍ଧ୍ୟାବେଳେ ବୋଉ ବାପାଙ୍କ ଆଣ୍ଠୁରେ ତେଲ ଘଷି ଦେଉଥିଲା ବେଳେ କହୁଥିଲା,-“ଆଣ୍ଠୁଟା ତ ପୁରା ଭଲ ହେଇନି, ତୁମେ ସେ ଟୋକାକୁ କାଇଁ ମିଛ କହୁଛ ?”

ବାପା ହସିଦେଲେ ଆଉ କହିଲେ,-“କମ୍ ରୋଜଗାର କରୁଥିବା ଲୋକଙ୍କୁ ବେଶୀ ମିଛ କହିବାକୁ ପଡେ ।”

ମୁଁ ଭାବୁଥିଲି ମୋ ବାପା ସତରେ ଭାରି ମିଛୁଆ ।

ସେଦିନ ମୁଁ ଭୁଲ କରିନଥିଲି,…

ଭୁବନେଶ୍ୱର: “ଜୀବନରେ ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି । କିନ୍ତୁ କିଛି ଭୁଲ୍ ସାରା ଜୀବନକୁ ପ୍ରଭାବିତ କରେ। ହୁଏତ ସେଦିନର ଭୁଲ ମୋ ଜୀବନକୁ ପ୍ରଭାବିତ କରିଛି । କିନ୍ତୁ ସେଦିନର ଭୁଲ ଯୋଗୁ ମୁଁ ଆଜି ନିଜକୁ ପାପୀ ବୋଲି ଭାବିବା ଅନୁଚିତ୍ । ସେଦିନ ହୁଏତ ମୁଁ ଭୁଲ୍ କରିଥିଲି, କିନ୍ତୁ ମୁଁ କୌଣସି ପାପ କରି ନ ଥିଲି । ମନର ଭୋକ ପରି ଭଲପାଇବାର ଭୋକ ବି ସାଧାରଣ ମଣିଷଙ୍କ ଭଳି ମୋ ପାଖରେ ଥିଲା। ନିଜକୁ ଜଣେ ପାପୀ କରିବାର ଅବକାଶ ନ ଥିଲା। ଜଣେ ପାପ କରୁଥିବା ମଣିଷ ଶତ ପ୍ରତିଶତ ଜାଣିଥାଏ ଯେ, ସେ ପାପ କରୁଛି। ଏଣୁ ବିଫଳ ହେବାର ସମ୍ଭାବନା ତା ପାଖରେ କ୍ଷୀଣ। କିନ୍ତୁ ମୋ ଭଳି ଜଣେ ଅଜ୍ଞାନୀ ମଣିଷ ପାଖରେ କୌଣସି ପଥ ନ ଥିଲା। ଆଉ ଖାସ୍ ସେଇଥି ପାଇଁ ମୁଁ ସେଦିନ ସେମିତି କରିବାକୁ ଯାଇଥିଲି। ଜାଣିଛନ୍ତି ମୋ କାହାଣୀ କ’ଣ ? ଏମିତି କ’ଣ ମୁଁ କରିଥିଲି, ଯାହାକୁ ଆପଣ କହିବେ ପାପ, ଆଉ ମୁଁ କହିବି ଅଜ୍ଞତା !”
ଭଲ ପାଇବା କଣ ଭୁ’ଲ
ଭଲ ପାଇବା କଣ ଭୁଲ? ଭଲ ପାଇବାର ଲାଳସା ମୋ ଭିତରେ ଜମାଟ ବାନ୍ଧିବାର ମୁଖ୍ୟ କାରଣ ଥିଲା ମୋ ବ୍ୟକ୍ତିଗତ ଜୀବନଶୈଳୀ। ମୁଁ ଏମିତି ଗୋଟେ ପରିବାରରେ ଜନ୍ମ ନେଇଥିଲି ଯୋଉଠି ବାପା, ମା’ଙ୍କ ଭଲପାଇବା ଟିକକ ମିଳିବା ମୋ ପାଇଁ ରକ୍ଷଣଶୀଳତାର ବେଡ଼ିରେ ଛନ୍ଦି ହୋଇଯାଇଥିଲା। ମୁଁ ପିଲାବେଳେ ଅନ୍ୟଙ୍କଠାରୁ ସ୍ନେହ ଓ ପ୍ରେମ ପାଇବା ପାଇଁ ବିକଳ ହେଉଥିଲି। ବାପାଙ୍କ ଭଲ ପାଇବା ମୋ ପାଇଁ ବାସ୍ତବରେ ଏକ ବଡ଼ ଅଭିଳାଷ ଥିଲା। କିନ୍ତୁ ସେ ଭଲପାଇବା ମୋତେ ପ୍ରାପ୍ତ ହେଲାନାହିଁ। ସ୍କୁଲ ଗଲି, ପାଠ ପଢ଼ିଲି। ବଦଳୁଥିବା ସମାଜ ମୋ ସାମ୍ନାରେ ଗତିଶୀଳ ହେଉଥିଲା। ଦେହକୁ ଲାଜ ଛୁଇଁବା ପରେ ଏ କଥା ମୁଁ ସ୍ପଷ୍ଟ ଭାବେ ଅନୁଭବ କଲି।
ଧୀରେ ଧୀରେ ମୋର ଏସବୁକୁ ଅନୁଭବ କରିବା ବଳବତ୍ତର ହେଲା । ବିଶେଷକରି ସାଙ୍ଗସାଥୀଙ୍କ ସହ କଥା ହେବା ପରେ ଇପ୍ସିତ ସ୍ୱପ୍ନର ରାଜକୁମାର କଥା ମୁଁ ଭାବିବସେ। ନିଜକୁ ସଜାଇ ଦିଏ ଜଣେ ପରୀ ଭଳି। ଭାବନାତ୍ମକ ଦୃଷ୍ଟିରେ ମୁଁ ପାଲଟିଯାଏ ଗୋଟେ ପ୍ରେମିକା। ପତଙ୍ଗଟିଏ ଭଳି ଅଗ୍ନିରେ ଝାସ ଦେଇ ସେଇ ଆନନ୍ଦରେ ଅଭିଭୂତ ହେବାକୂ ମୁଁ ଶତଚେଷ୍ଟା କରୁଥାଏ। ପରିବର୍ତ୍ତନର ଆଭାସ ମୁଁ ବାରି ପାରୁଥିଲି ସେତେବେଳେ ମୋ ଦେହରୁ।
ମୁଁ ଆଉଟିକେ ବଡ଼ ହେଲି। କଲେଜ ଗଲି। ସେତେବେଳେ ଏଇ ପୁରଷର ମାନସିକତାକୁ ମୁଁ ଆଉ ଟିକେ ଭଲ ଭାବରେ ଦେଖିଲି। ମୋ ପାଇଁ ଯାହା ସ୍ୱପ୍ନ ଥିଲା ସେଠି ମୋ ସାଥିମାନଙ୍କ ପାଇଁ ସେ ସବୁ ଥିଲା ବାସ୍ତବତା । ସମସ୍ତଙ୍କର କେହି ନା କେହି ବୟଫ୍ରେଣ୍ଡ ଥିଲେ। ରବିବାର ସେମାନେ ସବୁ ଫିଲ୍ମ ଯାଆନ୍ତି, ବିୟୁଟି ପାର୍ଲର୍ ବି ଯାଆନ୍ତି। ସେତେବେଳେ ସେମାନଙ୍କଠାରୁ ପ୍ରଥମଥର ପାଇଁ ଡେଟିଂ କରୁଥିବା କଥାଟି ଶୁଣିଥିଲି । ପରେ ସେମାନେ ଡେଟିଂ ସମୟରେ ସେଇ ସବୁ ରୋମାଣ୍ଟିକ୍ ମୁହୂର୍ତ୍ତ ସବୁକୁ କିଭଳି ଅଙ୍ଗେ ନିଭାନ୍ତି ସେକଥା ମତେ ଟିକିନିଖ୍ କୁହନ୍ତି। ମୁଁ ଖୁସି ହୁଏ। ମନ ବିଚଳିତ ହୁଏ। କ’ଣ ହୁଏ କେଜାଣି ମୋ ଦେହରେ !
ତା’ ପରେ ଭାବେ, ମୁଁ ବୋଧହୁଏ ସୁନ୍ଦରୀ ନୁହେଁ। କୋଉ ପୁଅ ମତେ କାଇଁ ପଟିବ ଯେ? ମୁଁ ବିଚଳିତ ହୁଏ। ଏକା ଏକା ବସି ଭାବେ। ନିର୍ଦ୍ଧିଷ୍ଟ ଭାବେ କହିଲେ ମୁଁ ଡିପ୍ରେସନ୍କୁ ଚାଲିଯାଏ। ଏକାକୀ ବୋଧ ମତେ ବିଚଳିତ କରିପକାଏ। ସତରେ ମୁଁ ମୋ ଅଯୋଗ୍ୟତାକୁ ସ୍ୱୀକାର କରି ନେଇଥିଲି ଯେମିତି।
ମୁଁ ପ୍ରେମିକଟେ ଚାହୁଁଥିଲି। ଖାସ୍ ସେଇଥିପାଇଁ ବୋଧହୁଏ ଇଣ୍ଟରନେଟ୍ ଚ୍ୟାଟିଂରେ ବ୍ୟସ୍ତ ରହୁଥିଲି। ଦୀର୍ଘ ସମୟ ଧରି କୌଣସି ଅଜଣା ପୁଅ ସହ ଗପୁଥିଲି। ଆପଣଙ୍କ ଭାଷାରେ କହିପାରନ୍ତି ମୁଁ ଗୋଟେ ବ୍ଲାଇଣ୍ତ ଡେଟ୍ରେ ଚାଲି ଯାଉଥିଲି ସେଇ ତଥା କଥିତ ପ୍ରେମିକମାନଙ୍କ ସହ। ହେଲେ କାହାକୁ କେବେ ସ୍ୱଦେହରେ ମୁଁ ଭେଟି ନ ଥିଲି। ପ୍ରେମିକଟିଏ ପାଇବାର ବିଫଳତା ମତେ ଅନ୍ୟମନସ୍କ କରୁଥିଲା।
ଯାହା ପାଗଳାମୀର ରୂପ ନେବାକୁ ଆରମ୍ଭ କଲା। ଦିନେ ମୋତେ ଭେଟିବାକୁ ମୋ ଜଣେ ସମ୍ପର୍କୀୟ ଭାଇ ମୋ ହଷ୍ଟେଲକୁ ଆସିଲେ। ମୁଁ ସମସ୍ତଙ୍କୁ କହିଦେଲି ମୋ ବୟଫ୍ରେଣ୍ଡ ଆସୁଛି ବୋଲି। ସେ ମୋ ପାଖକୁ ଆସିବାର ଠିକ୍ କିଛି ଦିନ ପୂର୍ବରୁ ମୁଁ ଟେଲିଫୋନ୍ ରିସିଭର ଉଠାର ବ୍ଲାଙ୍କ କଲ୍ରେ ଢେର ସମୟ ମନକୁ ମନ ଗପୁଥିଲି। ଭାବୁଥିଲି ସମସ୍ତେ ଅନୁଭବ କରନ୍ତୁ ମୁଁ ବି ପ୍ରେମ କରିପାରେ।
ମ୍ୟାନେଜମେଣ୍ଟ କଲେଜରେ ଜଏନ୍ କଲି। ଏଠି ପ୍ରେମ କରିବା କି ସେକ୍ସ କରିବା ସେମିତି କିଛି ବଡ଼ କଥା ନ ଥିଲା। ସବୁ ଠିକ୍ ଠାକ୍ ପାରସ୍ପରିକ ସହମତିରେ ଚାଲିଥିଲା। ମୋତେ ବି କେହି ଜଣେ ମିଳିଗଲେ ଏଠି। ମୁଁ ପାଦ ତଳେ ଲାଗୁ ନ ଥାଏ। ଜୀବନ ବ୍ୟାପୀ ଯେଉଁ ସବୁ ଅଶା ସଞ୍ଚିଥିଲି ସେ ସବୁ ଏଠି ଫଳବତୀ ହେବାକୂ ବସିଥାଏ। ମୁଁ କାହାର ପ୍ରେମିକା ପାଲଟି ଯାଇଥାଏ, ସତସତିକା। ମ୍ୟାନେଜମେଣ୍ଟ କଲେଜରେ ମୋର ପ୍ରଥମ ପ୍ରେମ ମୋତେ ଯେତିକି ଭଲ ଲାଗୁଥାଏ ସେତିକି କଣ୍ଟା ଭଳି ଫୋଡ଼ି ହୁଏ। କାରଣ ସେଇ ପ୍ରେମିକ ଜଣକ ମୋ ପ୍ରତି କମିଟେଡ୍ ନ ଥିଲେ କିନ୍ତୁ ମୁଁ ସାବିତ୍ରୀ ଭଳି ତାଙ୍କୁ ହିଁ ମୋର ସତ୍ୟବାନ୍ ରୂପେ ପ୍ରାପ୍ତ କରିବାକୁ ପ୍ରତୀକ୍ଷା କରିଥିଲି। ହେଲେ ପରିଣାମ ଭୟଙ୍କର ହେଲା।
ସାବିତ୍ରୀ ସତ୍ୟବାନ୍ଙ୍କ ପାଇଁ ଉପବାସ କରିଥିଲେ, ହେଲେ ଏଠି ମୁଁ ପ୍ରେମିକାଟିଏ ହେବାକୁ ମୋର ତଥାକଥିତ ସତ୍ୟବାନ୍ଙ୍କ ସହ ସେକ୍ସ କଲି। ଭାବିଥିଲି ସେକ୍ସ ହିଁ ଗୋଟିଏ ମାଧ୍ୟମ ଯାହା ତାଙ୍କ ସହ ମୋର ସମ୍ପର୍କକୁ ମଜଭୁତ୍ କରିବ ଆଉ ଏକାଠି ହୋଇ ପାରିବୁ ସବୁଦିନ ପାଇଁ। ହୁଏତ ମୋ ସହ ସେକ୍ସ କରିବା ପରେ ସେ ମତେ କେବେ ଛାଡ଼ିବେନି। କିନ୍ତୁ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ସେ ମୋତେ ପରିତ୍ୟାଗ କଲେ। ନିଜ ଶରୀରକୁ ମୁଁ ଧିକ୍କାର କଲି। ଗଭୀର ଆତ୍ମଦହନରେ ଦ୍ରଵୀଭୁତ ହେବା ପରେ ନିଜ ଶରୀରକୁ ମୁଁ ଥୁ’ ବୋଲି କହିଲି। ତାଙ୍କ ସହ ସେଇ ଅନ୍ତରଙ୍ଗତା ପାଇଁ ଯଦି ମୁଁ ଗର୍ଭବତୀ ହୋଇଯାଏ, ମୋତେ କେହି ବିବାହ କରିବେନି। ମୁଁ ସମାଜ ଆଗରେ ଲଜ୍ଜିତ ହେବି । ଏହା ଭାବି ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲି। ଡାହାଣ ହାତର ଶୀରା କାଟିଦେଲି।
କିନ୍ତୁ କିଛି କ୍ଷଣ ପରେ ବିଚଳିତ ହୋଇ ମୃତ୍ୟର ନିର୍ଣ୍ଣୟ ଜୀବନ ବଞ୍ଚିବାର ମୋହ ଆଗରେ ହାର ମାନିଗଲା। ମତେ ପହଞ୍ଚାଇଦେଲା ପୁନାର ସେହି ହସ୍ପିଟାଲରେ। ମୁଁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ହାବୁଡ଼ରେ ପଡିଲି। ସେ ଚିକିତ୍ସା କଲେ ହାତରେ ପଟି ବାନ୍ଧି ମୋତେ ସମ୍ଭାବ୍ୟ ମୃତ୍ୟୁରୁ ପୁଣି ଥରେ ଜୀବନମୁହାଁ କରାଇଲେ।
ମୁଁ ବଞ୍ଚିଗଲି। ବାପା ଏ କଥା ଜାଣିବା ପରେ ନିଜ ନିଷ୍ପତ୍ତି ଶୁଣାଇଦେଲେ। ତୁରନ୍ତ ମୋ ବିବାହ ସ୍ଥିର ହେଲା। ମୋର ହୃଦୟ ଭାଙ୍ଗିଥିଲା, ମୁଁ ପ୍ରେମ ପାଇବାରୁ ବଞ୍ଚିତ ହେଉଥିଲି ଏହି କ୍ଷତିର ଭରଣା ପାଇଁ ମୋର ବିବାହ ସ୍ଥିର ହେଲା ତାହା ନୁହେଁ ବରଂ ସନ୍ତାନ ଜନ୍ମର ଅଭୀପ୍ସା ଆଉ ମୋ ତଥା ମୋ ପରିବାରର ଆତ୍ମଗ୍ଲାନିର ରକ୍ଷା ପାଇଁ ସମ୍ଭବତଃ ଏପରି ଥିଲା ନିଷ୍ପତ୍ତି।
ଆଜି ମୁଁ ଏମିତି..
ମୁଁ ଆଜି ଜଣେ ୬ ବର୍ଷୀୟ ପୁଅର ଜନନୀ। ଯାହାର ପିତା ତାକୁ ଛାଡ଼ି ଚାଲିଯାଇଛନ୍ତି। ଏକେଲା ପଣ ମୋ ପାଖରେ ଏବେବି ସେମିତି ଅଛି ଯେମିତି ଥିଲା। କିନ୍ତୁ ଆଜି ମୋ ପୁଅ ମୋର ସର୍ବସ୍ୱ ପାଲଟି ଯାଇଛି। ଯାହା ମୁଁହକୁ ଚାହିଁ ମୁଁ ମୃତ୍ୟୁ ପର‌୍ୟ୍ୟନ୍ତ ଅନ୍ତତଃ ବାସ୍ତବିକ ଜୀବନ ଜୀଇଁ ପାରିବି ବୋଲି ଭାବୁଛି।
ମୁଁ ସବୁବେଳେ ଭାବେ ମୁଁ ପ୍ରେମରେ ପଡ଼ିଥିଲି କିନ୍ତୁ ପ୍ରେମରେ କେବେ ବଢ଼ିପାରିନି। ଏହା କ’ଣ ମୋର ଭାଗ୍ୟ ଥିଲା, ମୁଁ କ’ଣ ଜଣେ ଅନୁଚିତ୍ ପୁରୁଷର ଚୟନ କରି ନିଜ ଭାଗ୍ୟକୁ ଅନ୍ଧକାରକୁ ଠେଲି ଦେଇଥିଲି ? ଏମିତି ଅନେକ ପ୍ରଶ୍ନ ଆଜି ମୋତେ ଆନ୍ଦୋଳିତ କରେ। ଜଣେ ପ୍ରାପ୍ତ ବୟସ୍କା ନାରୀଟିଏ ଭାବେ ମୁଁ ଆଜି ଗୋଟିଏ କଥାରେ ଅଟକିଛି, ଯଦି ସେଦିନ ମୁଁ ଜାଣିଥାନ୍ତି କେମିତି ନିଷ୍ପତ୍ତି ନିଆଯାଏ, ତେବେ କ’ଣ ଏତେ ସବୁ ଘଟଣା ହୋଇଥାନ୍ତା ?
ବି.ଦ୍ର. – ପଲ୍ଲବୀ ନାମ୍ନୀ ଜଣେ ମହିଳାଙ୍କ ଏହି କାହାଣୀଟି The Logical Indian Crewରୁ ସଂଗୃହୀତ

ପଣସ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃଦରୋଗକୁ ଦୂର କରାଏ

ଭୁବନେଶ୍ୱର: ଅନେକ ଲୋକ ପଣସ ଖାଇବାକୁ ବେଶ୍ ଭଲ ପାଆନ୍ତି। ପଣସ କଠାକୁ ତରକାରୀ, ବରା ଓ ବିଭିନ୍ନ ଉପାୟରେ ଲୋକମାନେ ରୋଷେଇ କରି ଖାଇବାକୁ ଭଲପାଆନ୍ତି। ସେହିପରି ଏହା ପାଚିଗଲେ ମଧ୍ୟ ଲୋକମାନେ ଏହାର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହା ସ୍ୱାଦରେ ଯେମିତି ଭଲ, ଶରୀର ପକ୍ଷେ ମଧ୍ୟ ସେତିକି ଭଲ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଭିଟାମିନ୍-ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ଭିଟାମିନ-ଇ, କାର୍ବୋହାଇଡ୍ରେଟ୍ସ୍, ସେଲେନିୟମ୍ ଓ ପୋଟାସିୟମ୍ ଏଥିରେ ପ୍ରଚୁର ମାତ୍ରାରେ ଅଛି। ଯାହାକି ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପଣସରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ।
• ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଉପକାରୀ। ପଣସକଠାକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ପ୍ରତିଦିନ ପିଇଲେ ଆଜମା ରୋଗରୁ ଉପଶମ ମିଳିଥାଏ।
• ପଣସରେ ଥିବା ଭିଟାମିନ୍ ‘ସି’ ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।
• ପଣସରେ ଥିବା କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ ହାଡ଼କୁ ମଜଭୂତ କରିଥାଏ।
• ପଣସ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଏଜେଣ୍ଟ ପରି ମଧ୍ୟ କାମ କରିଥାଏ। ଫଳରେ ଆମ ଚେହେରାର ସୌନ୍ଦର‌୍ୟ୍ୟ ରକ୍ଷା ହେବା ସହ କେଶର ମଧ୍ୟ ରକ୍ଷା ହୋଇଥାଏ।
• ପଣସରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦରୋଗ ଜନିତ ରୋଗରୁ ମଧ୍ୟ ସୁରକ୍ଷିତ ରଖିଥାଏ।
• ଏଥିରେ ଥିବା ଆଇରନ୍ ଏନିମିଆ ଓ ଅଲସର୍ ପରି ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ ରଖିଥାଏ।

କ୍ରିକେଟର ହେବାକୁ ଲକ୍ଷ୍ୟ ରଖି ନଥିଲେ ମୟଙ୍କ

ନୂଆଦିଲ୍ଲୀ: ୨୭ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ଏବେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏକ ଜଣାଶୁଣା ନାଁ ପାଲଟି ଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ସେ ଡେବ୍ୟୁ କରିଥିଲେ। ମେଲବର୍ଣ୍ଣରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ହନୁମା ବିହାରୀଙ୍କ ସହିତ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ମୟଙ୍କ। ପଦାର୍ପଣ ମ୍ୟାଚ୍‌ରେ ସେ ୭୬ ରନ୍ କରି ସମସ୍ତଙ୍କ ମନ ଜିଣି ନେଇଥିଲେ। ସେହିଭଳି ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ସେ ୪୨ ରନ୍ କରିଥିଲେ।

ଏବେ ସିଡ୍‌ନୀରେ ଜାନୁଆରୀ ୩ ତାରିଖରୁ ଚାଲିଥିବା ଚତୁର୍ଥ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୭୭ ରନ୍ କରିଥିଲେ। ଏଥର ବି ସେ ଇନିଂସ୍ ଓପନ୍‌ କରିବାକୁ ଆସି ଏହି ରନ୍ ସଂଗ୍ରହ କରିଥିଲେ ଓ ଭାରତକୁ ଏକ ଭଲ ପ୍ରାରମ୍ଭ ଦେଇଥିଲେ।

ଅଷ୍ଟ୍ରେଲିଆ ମାଟିରେ କ୍ୟାରିୟରର ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସ୍‌ରେ ୫୦ରୁ ଅଧିକ ରନ୍ କରି ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଥିବା ମୟଙ୍କ ପିଲା ବେଳେ କ୍ରିକେଟର ହେବା ପାଇଁ ସ୍ୱପ୍ନ ଦେଖି ନଥିଲେ। ସେ ପାଇଲଟ୍ ହେବାକୁ ଚାହୁଁଥିଲେ। କାରଣ ପିଲାବେଳେ ବିମାନ ପ୍ରତି ତାଙ୍କର ଏକ ଭିନ୍ନ ଆକର୍ଷଣ ଥିଲା। ତେଣୁ ସେ ବିଜ୍ଞାନ ପଢ଼ିବାକୁ ଚାହୁଁଥିଲେ ଓ ପରେ ପାଇଲଟ୍ ହେବାକୁ ଲକ୍ଷ୍ୟ ରଖିଥିଲେ। ‘ବିସିସିଆଇ.ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ମୟଙ୍କ କହିଛନ୍ତି, କର୍ଣ୍ଣାଟକ ପାଇଁ ଖେଳିବା ପରେ ମୁଁ କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ମନ ବଳାଇଥିଲି। ମୋ ବାପାମା’ ବି ମତେ ସମର୍ଥନ କରିଥିଲେ। ତେବେ ଅନ୍ୟ ବିକଳ୍ପ ବି ଖୋଲା ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

ଡେବ୍ୟୁ କରିବା ପାଇଁ କୋଚ୍ ରବି ଶାସ୍ତ୍ରୀ ପ୍ରସ୍ତୁତ ହେବାକୁ କହିବା ପରେ ସେ ବିଶ୍ୱାସ କରିପାରି ନଥିଲେ ବୋଲି କହିଛନ୍ତି।

ରଣଜୀ ଟ୍ରଫିରେ ମୟଙ୍କ କର୍ଣ୍ଣାଟକ ପକ୍ଷରୁ ଖେଳି ୫୦.୨୨ ହାରରେ ୩,୭୦୦ ରନ୍ କରିଛନ୍ତି।