ଭଗବାନଙ୍କ ବିଚିତ୍ର ଲୀଳା


ପରମାତ୍ମା ଯେମିତି ସବୁବେଳେ ଆମ ଚିନ୍ତନ ପରିସରରେ ରହନ୍ତି । ସେଥିପାଇଁ ଯନିବାନ ହେବା ଉଚିତ । ମସ୍‌ଜିଦ୍‌, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଯୁଆଡ଼େ ଗଲେ ବି ଧର୍ମାନୁଷ୍ଠାନ ଆମ ଭିତରେ ରହୁ । ଆମେ କି;ୁ ଉପାସନାସ୍ଥଳରେ ଉପସ୍ଥିତ ଥାଉ କି;ୁ ଆମ ଭିତରେ ଉପାସନାସ୍ଥଳ ନଥାଏ । ଆମ ଭିତରେ ଅନ୍ୟ ଚିନ୍ତା ସବୁ ଲହଡ଼ି ମାରୁଥାନ୍ତି । ଏମିତି ହେଲେ ବର୍ଷବର୍ଷ ଧରି ଉପାସନା ପୀଠରେ ପହଞ୍ଚିଲେ ବି ଯାହା ଫଳ ମିଳିବା କଥା ତାହା ମିଳେନା । ଗଛମୂଳ ବି ମସ୍‌ଜିଦ୍‌ ପାଲଟିଯିବ ଯଦି ପୂଜା ନିଜ ଭିତରେ ଅଛି । ତେଣୁ ପରମାତ୍ମାଙ୍କ ଚିନ୍ତନରେ ବୁଡ଼ି ରହିବାଠାରୁ ଉପାସନାସ୍ଥଳ ଆଉ କିଛି ନଥାଏ । ପ୍ରତିଟି ଅଙ୍ଗ ତାଙ୍କ ସେବାରେ ଲାଗିପାରିଲେ ଶରୀର ଧନ୍ୟ ହୋଇଯିବ । ଏ ନେଇ ଉଦାହରଣଟିଏ । କୌରବ-ପାଣ୍ଡବଙ୍କର ଘମାଘୋଟ ଲଢ଼େଇ ଚାଲିଥାଏ । ଭୀମ ଦୁର୍ଯେ୍ୟାଧନର ଜାନୁକୁ ଗଦାରେ ପ୍ରହାର କରୁଥାନ୍ତି । ପ୍ରାଣ ବିକଳରେ ଦୁର୍ଯେ୍ୟାଧନ ଆତ୍ମଗୋପନ କରିଥାଏ । ପାଖରେ ପହଞ୍ଚିଲେ ଦ୍ରୋଣଙ୍କ ପୁତ୍ର ଅଶ୍ୱମା । ଦୁର୍ଯେ୍ୟାଧନକୁ କହିଲେ । ‘ଦୁର୍ଯେ୍ୟାଧନ, ତୁମେ ଯଦି ସେନାପତି ଦାୟିତ୍ୱ ମତେ ଦେଇ ଥାଆନ୍ତ, ତେବେ ତୁମର ଏ ଦଶା କେବେ ହୋଇନଥାନ୍ତା । ଏବେ ବି ସମୟ ଅଛି । ମୋତେ ସେନାପତିର ଦାୟିତ୍ୱ ଦିଅ ।’ ଭଗବାନ କୃଷ୍ଣଙ୍କୁ ବାଦ ଦେଇ ଦୁର୍ଯେ୍ୟାଧନର ଯୁଦ୍ଧରେ ଜିତିବା ନିଶ୍ଚିତ ବୋକାମୀ । ତଥାପି ଅହଂକାରୀ ଦୁର୍ଯେ୍ୟାଧନ ଅଶ୍ୱମାକୁ ସେନାପତିର ଦାୟିତ୍ୱ ଦେଲେ । ଅଶ୍ୱମା ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଏକ ଶର ପ୍ରୟୋଗ କଲେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କ ଉପରେ । ପୁତ୍ରମାନେ ରାତିରେ ଶୋଇଥାଆନ୍ତି । ହଠାତ୍‌ ଶରଟିଏ ଆସିଲା । କଅଁଳ ଶିଶୁଙ୍କ ମୁଣ୍ଡକୁ ଗଣ୍ଡିଠାରୁ ଛିଡ଼େଇ ଦେଇ ଚାଲିଗଲା । ଘର ସାରା ରକ୍ତର ଲହଡ଼ି ମାରୁଛି । ଶିଶୁମାନଙ୍କର ଏ ଅବସ୍ଥା ଦେଖି କାହାର ବା ଧୈର୍ଯ୍ୟ ରହିବ ! ଦ୍ରୌପଦୀ ଖୁବ୍‌ ଜୋରରେ କାନ୍ଦୁଥାଆନ୍ତି । ଯିଏ ଯେତେ ବୁଝାଇଲେ ବି ବୁଝୁନଥିଲେ । ଭଗବାନ କୃଷ୍ଣ କହିଲେ- ‘କୃଷ୍ଣାକୁ କେହି ବୁଝାଇପାରିବେନି । ମାଆର ହୃଦୟ । ସନ୍ତାନର ଦେହ ଟିକିଏ ଖରାପ ହେଲେ ମାଆ ଧୈର୍ଯ୍ୟ ରଖିପାରେନା । କାନ୍ଦିପକାଏ । ଆଉ ନିଜ ଆଖି ଆଗରେ ସନ୍ତାନର ମୃତୁ୍ୟ ଦେଖି କୋଉ ମାଆ ସମ୍ଭାଳି ରହିବ !’ ଭଗବାନ ଦ୍ରୌପଦୀଙ୍କ ପାଖରେ ପହଞ୍ଚିଲେ । ଦ୍ରୌପଦୀ ପ୍ରଭୁଙ୍କ ପାଦ ଧରି ଖୁବ୍‌ କାନ୍ଦିଲେ । ଲୁହରେ ସେ ପାଦକୁ ଧୋଇଦେଲେ । ଭଗବାନ କହିଲେ । ‘କୃଷ୍ଣା ! କାନ୍ଦିଲେ କ’ଣ ସନ୍ତାନମାନେ ଆଉ ଫେରିବେ !’ ଦ୍ରୌପଦୀ କହିଲେ । ‘ପ୍ରଭୁ, ସେମାନେ ଆଉ ଫେରିବେ ନାହିଁ । ଏ ସଂସାର ମରଣଶୀଳ । ଆସିଲେ ଦିନେ ନା ଦିନେ ଯିବାକୁ ହେବ ବୋଲି ମୁଁ ଭଲଭାବରେ ଜାଣେ । ସେଥିପାଇଁ ମୁଁ କାନ୍ଦୁନାହିଁ । ମୋ କାନ୍ଦିବାର କାରଣ ହେଉଛି, ଆତତାୟୀ ଅଶ୍ୱମା ସେମାନଙ୍କୁ ଶୋଇଥିବା ଅବସ୍ଥାରେ ମାରିଦେଲା । ମୋ ସନ୍ତାନମାନେ ଆପଣଙ୍କ ଦର୍ଶନ କରିପାରିଲେନି । ଅନ୍ତତଃ ଚେଇଁଥିଲେ ତ ଆପଣଙ୍କୁ ସେମାନେ ଦେଖି ଥାଆନ୍ତେ । ସେଥିପାଇଁ ମୋର କାନ୍ଦଣା ।’ ଏହା ହିଁ ହେଉଛି ପ୍ରଭୁଙ୍କ ପ୍ରତି ପ୍ରୀତି । ଏମିତିକି ମୃତୁ୍ୟ ସମୟରେ ବି ଭଗବାନଙ୍କ ରୂପକୁ ଆଖି ଦେଖୁ । ତାଙ୍କ ନାମକୁ ତୁଣ୍ଡ ଉଚ୍ଚାରଣ କରୁ । ପ୍ରତିଟି ଅଙ୍ଗରେ ତାଙ୍କର ଅନୁଭବ ଆସିବା ଦରକାର ।

ଶ୍ରୀମନ୍ଦିରରୁ ଚୋରି


ପୁରୀ,୨ା୪: ସୋମବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମମନ୍ଦିରରୁ ହୁଣ୍ଡିଟଙ୍କା ଓ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଚାରିପଟେ ୨୪ଘଂଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ଥିବା ସତେ୍ୱ କିପରି ଚୋରି ହେଲା ତାହା ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ଏସପି ଡା. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଓଡିଶା ପୁଲିଓ, ଜଗନ୍ନାଥ ଟେମ୍ପୁଲ ପୁଲିସ ଓ ଆବଶ୍ୟକ ସୁରକ୍ଷା କର୍ମୀ ଥିବାବେଳେ ଶ୍ରୀମନ୍ଦିର ପରିସରରୁ ଚୋରି ହେବା ଘଟଣାକୁ ଗୁରୁତର ସହ ପୁଲିସ ବିଚାର କରୁଛି । ଏଥିରେ କାହାର ହାତ ଅଛି, କିଏ ଏଭଳି କାଣ୍ଡ ଘଟାଇପାରେ, କେଉଁମାନେ ଏଥିରେ ସାମିଲ ଅଛନ୍ତି, ଏହି ଚୋରିର ମାଷ୍ଟର ମାଇଣ୍ଡ କିଏ ସେ ସଂପର୍କରେ ସିଂହଦ୍ୱାର ପୁଲିସ ଖୋଳତାଡ ଆରମ୍ଭ କରିଛି । ଦୁର୍ବୃତମାନେ ରାମମନ୍ଦିରର ଲୁହା କବାଟକୁ କଟର ସାହାଯ୍ୟରେ କାଟି ଭିତରେ ଥିବା ହୁଣ୍ଡିକୁ ଭାଙ୍ଗିଥିଲେ । ହୁଣ୍ଡିରେ ଥିବା ୧୨ହଜାର ଟଙ୍କା, ଛୋଟ ପିତଳ ମୂର୍ତି ଓ ଶାଳଗ୍ରାମଗୁଡିକ ଚୋରି କରିନେଇଥିଲେ । ରାତି ସାଢେ ୧୧ଟା ପରେ କୌଣସି ଦୁର୍ବୃତ ମନ୍ଦିର ଭିତରେ ପ୍ରବେଶ କରି ଏହି ଚୋରି କରିଥିବା ସନ୍ଦେହ କରାଯାଉଛି ।
ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଟାର୍ଗେଟ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ଶ୍ରୀମନ୍ଦିରର ଚାରିପଟେ ସିସିଟିଭି ଖଞ୍ଜାଯାଇଥିବାବେଳେ ଚୋର କିପରି ଶ୍ରୀମନ୍ଦିରରେ ପ୍ରବେଶ କଲା ତାହା ପୁଲିସ ଜାଣିପାରିଲା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି

ମକର ସଂକ୍ରାନ୍ତିର ଠିକ୍ ପୂର୍ବଦିନ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କ ସ୍ୱତନ୍ତ୍ର ବେଶ – ନବାଙ୍କ ବେଶ

ଭୁବନେଶ୍ୱର: ରାତି ପାହିଲେ ମକର ସଂକ୍ରାନ୍ତି। ଭଗବାନ୍‌ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା। ସାରା ଭାରତ ବର୍ଷରେ ଏହି ପର୍ବକୁ ବଡ଼ ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ସ୍ନାନ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଉତ୍ତରାୟଣ ମକର ସଂକ୍ରାନ୍ତି ପାଳନର ବିଧି କିନ୍ତୁ ସ୍ୱତନ୍ତ୍ର। ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟ ସ୍ୱରୂପରେ ପରିକଳ୍ପନା କରି ଏହି ଦିନ ଘରେ ଘରେ ମକର ଚାଉଳକୁ ପ୍ରସାଦ ଭାବେ ଠାକୁରଙ୍କୁ ଲାଗି କରାଯାଇଥାଏ। ଏହି ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଭାବେ ପରିକଳ୍ପିତ ହେଉଥିବା ଆମ ଠାକୁର କିନ୍ତୁ ପୂର୍ବରାତିରେ ମହା ନାରାୟଣ ଭାବେ ଉପାସିତ ହୁଅନ୍ତି।

ସଂକ୍ରାନ୍ତିର ଠିକ୍‌ ପୂର୍ବଦିନ, ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କୁ ଏ ସ୍ୱତନ୍ତ୍ର ବେଶରେ ସଜାଇ ଦିଆଯାଏ। ଜାଣିଛନ୍ତି କ’ଣ କୁହାଯାଏ ଏହି ବେଶକୁ ? ମହାପ୍ରଭୁ ଜଗନ୍ନାଥଙ୍କୁ ରାତିରେ ନବାଙ୍କ ବେଶ କରାଯାଏ। ଅନେକ ଲୋକେ ହୁଏତ ଜାଣି ନ ଥିବା ଏହି ବେଶକୁ ମହାନାରାୟଣ ବେଶ କୁହାଯାଏ। ଶ୍ରୀ ସମ୍ପ୍ରଦାୟ ଏହି ବେଶ ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ କରିଛି। ସରଳ ଭାଷାରେ କହିଲେ ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ମତବାଦ ଜଗନ୍ନାଥଙ୍କୁ ନିଜର ବୋଲି ପ୍ରମାଣିତ କରିବାକୁ ଚଷ୍ଟା କରିଛନ୍ତି। ତନ୍ମଧ୍ୟରେ ମହାନ୍‌ ଭାରତୀୟ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଶ୍ରୀ ସମ୍ପ୍ରଦାୟ ମହାପ୍ରଭୁଙ୍କୁ ଏହି ବେଶ ମାଧ୍ୟମରେ ମହାନାରାୟଣ ବା ବିଷ୍ଣୁ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥତ୍‌ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦାପନା ପୂର୍ବସନ୍ଧ୍ୟାରେ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥଙ୍କ ହାତରେ ପୁଷ୍ପ ଓ ଶୋଲ ନିର୍ମିତ ଶଙ୍ଖ, ଚକ୍ର ଓ ଶ୍ରୀ ବଳଭଦ୍ରଙ୍କ ହାତରେ ହଳ, ମୂଷଳ ଶୋଭା ପାଇଥାଏ। ଏହି ବେଶରେ ଶ୍ରୀ ବିଗ୍ରହମାନେ ସମ୍ପୁର୍ଣ୍ଣ ଭାବେ ଗେଣ୍ଡୁ ଫୁଲ ଓ ତୁଳସୀରେ ସଜ୍ଜିତ ହୋଇଥାନ୍ତି। ଏହି ବେଶରେ ମାଳଚୁଳ ସହ ଟୋପର, ତଗିଡି ଓ ମକର କୁଣ୍ଡଳ ଲାଗି କରାଯାଇଥାଏ। ସମ୍ପ୍ରତି ଶ୍ରୀ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଏହି ବେଶ ପାଇଁ ଖର୍ଚ୍ଚ ବହନ କରୁଛନ୍ତି।

ରାମାନୁଜ ଶ୍ରୀ ଜଗନ୍ନାଥ

ବିଶିଷ୍ଟ ଅଦ୍ୱେତବାଦର ପ୍ରଚାରକ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଦକ୍ଷିଣ ଭାରତର ପରମ ବୈଷ୍ଣବ ଏହି ଆଚାର୍ଯ୍ୟ ଦ୍ୱାଦଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ତାଙ୍କ ପ୍ରଭାବରେ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ନିର୍ମାଣ ଓ ଶ୍ରୀମନ୍ଦିର ଅଁଳା ବେଢାରେ ଗେରୁ ପ୍ରଳେପ(ରାମାନନ୍ଦି ଚିତା ଅଙ୍କନ) ତାଙ୍କ ସମୟରୁ କରାଯାଇଥିବା ଗବେଷକମାନେ କୁହନ୍ତି। ରାମାନୁଜଙ୍କୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ଶୁଣିବାକୁ ମିଳେ।

କୁହାଯାଏ ଶ୍ରୀମନ୍ଦିରରେ ପୂଜିତ ବିଗ୍ରହ ସମ୍ପୁର୍ଣ୍ଣ ଉତ୍କଳୀୟ ଶୈଳୀରେ ପୂଜା ହୁଅନ୍ତି। ରାମାନୁଜଙ୍କ ଆଗମନ ସମୟରେ ଏଭଳି ପୂଜା ଦେଖି ଅସନ୍ତୁଷ୍ଟ ହୋଇ ପଡିଥିଲେ ଆଚାର୍ଯ୍ୟ ରାମାନୁଜ। ସେ ସମ୍ପୁର୍ଣ୍ଣ ନୈଷ୍ଠିକ ଓ ଦାକ୍ଷିଣାତ୍ୟ ବ୍ରାହ୍ମଣମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସେବା କରାଇବାକୁ ଗଜପତିଙ୍କୁ ଅନୁରୋଧ କରିଥିଲେ। ଗଜପତି ମଧ୍ୟ ତାଙ୍କ କଥାରେ ସହମତ ହୋଇଥିଲେ। ହେଲେ ଯେଉଁଦିନ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ବ୍ୟବସ୍ଥା କରାଗଲା ସେ ଦିନ ରାମାନୁଜ ପୁରୀରେ ଉପସ୍ଥିତ ନ ଥିଲେ। ଲୋକକଥା କୁହେ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ପାଇଁ ଚିନ୍ତା କରିଥିବା ରାମାନୁଜଙ୍କୁ ପୂର୍ବରାତିରେ ଗରୁଡଙ୍କ ମାଧ୍ୟମରେ ସ୍ୱୟଂ ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ଉଡ଼ାଇ ନେଇ ଦକ୍ଷିଣ ଭାରତ କୁର୍ମକ୍ଷେତ୍ରରେ ଛାଡି ଆସିଥିଲେ ଏବଂ ନୀତି ପରିବର୍ତ୍ତନ ନ ହୋଇ ପୂର୍ବବତ୍‌ ଚାଲିଥିଲା।

ମହାପ୍ରଭୁଙ୍କ ପରମଭକ୍ତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଗମନ ପରେ ଉପରୋକ୍ତ ମହାନାରାୟଣ ବେଶ କରାଯାଉଥିବା ଗବେଷକମାନେ ଅନୁମାନ କରନ୍ତି।

ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ

ଭୁବନେଶ୍ୱର – ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।