ଜାମ୍ମୁକାଶ୍ମୀରରେ ସେନାକୁ ସଫଳତା

ଜାମ୍ମୁକାଶ୍ମୀରରେ ସେନାକୁ ସଫଳତା । ସେନା ଅପରେସନରେ ଟଳିଲେ ୨ ଆତଙ୍କବାଦୀ । ପୋଲିସ ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାରେ କାଟପୁରା ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖୁଫିଆ ସୂଚନା ପରେ , ଶନିବାର ସଂଧ୍ୟାରେ ପୁରା ଅଂଚଳକୁ ଘେରାଉ କରି ସେନା, ସିଆରପିଏଫ୍  ଓ ପୋଲିସ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜୋରଦାର  ଗୁଳିବନିମୟ ହୋଇଥିଲା । ଏହି ସମୟରେ ଆତଙ୍କୀଙ୍କୁ ସରେଣ୍ଡର କରିବାକୁ ସେନା ସୁଯୋଗ ବି ଦେଇଥିଲା । ତେବେ ଏହାକୁ ଗ୍ରହଣ ନକରି ଗୁଳି ବିନିମୟ ଜାରି ରଖିଥିଲେ ଆତଙ୍କୀ । ଶେଷରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ମାରଣାସ୍ତ୍ର, ଗୁଳିଗୋଳା ଜବତ ହୋଇଛି । ନିହତ ଆତଙ୍କବାଦୀ ଜିନ୍ନତ ଉଲ୍ ଇସଲାମ୍ ଓ ସକିଲ୍ ଅହମ୍ମଦ ଡାର ବୋଲି ଜଣାପଡିଛି । ଜିନତ ଉଲ୍ ଇସଲାମ୍ ୨୦୧୬ରେ ନିହତ ହିଜବୁଲ୍ ଆତଙ୍କୀ ବୁରହାନ୍ ବାନୀର ସାଥୀ ବୋଲି କୁହାଯାଉଛି । ଏଠାରେ ସୂଚନା ଦିଆଯାଇପାରେ ଅପରେସନ୍ ଅଲଆଉଟରେ ସେନା ୨୦୧୮ ବର୍ଷରେ ୨୬୨ ଆତଙ୍କୀଙ୍କୁ ନିପାତ୍ କରିଥିଲା ।

ବି.ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ରେଡ୍‌

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ଚଢ଼ାଉ। ସମାଜବାଦୀ ପାର୍ଟି ସରକାର ବେଳେ ହୋଇଥିବା ବେଆଇନ୍‌ ବାଲି ଖନନ ଓ ଖଣି ଖନନ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ହୋଇଛି। ବି.ଚନ୍ଦ୍ରକଳାଙ୍କ ଲକ୍ଷ୍ନୌସ୍ଥିତ ବାସଭବନ ସମେତ ୧୨ଟି ସ୍ଥାନରେ ଏହି ରେଡ୍‌ କରାଯାଇଛି। ତେବେ ଏହି ଚଢ଼ାଉ ବେଳେ ବିଭିନ୍ନ ଅନିୟମିତତା ହୋଇଥିବା ଜଣାପଡ଼ିଛି।

ଏଥିସହ କେତେକ ଠିକାଦାରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ସମାଜବାଦୀ ପାର୍ଟି ସରକାର ବେଳେ ହୋଇଥିବା ହୋଇଥିବା ଏହି ବେଆଇନ୍‌ ଖନନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସିବିଆଇ ୫ଟି ଏତଲା ରୁଜୁ କରିଛି। ମୁଖ୍ୟତଃ ବାନ୍ଦା, ହମିରପୁର, ବୁଲନ୍ଦ ସହର ଆଦି ଜିଲ୍ଲାରେ ହୋଇଥିବା ଅନିୟମିତତା ନେଇ ତଦନ୍ତ କରାଯାଉଛି।

ସିବିଆଇ ଅଧିକାରୀ କହିଛନ୍ତି ଯେ, ଯାଞ୍ଚ ସୂରୁ ମିଲିଥିବା ତଥ୍ୟ ଅନୁଯାୟୀ କେତେକ ଜିଲ୍ଲାରେ ମନ ଇଚ୍ଛା ଖଣି ଖନନ ହୋଇଛି ଏବଂ ଖନନ ପାଇଁ ପଟ୍ଟା ଦିଆଯାଇଛି। ମୁଖ୍ୟତଃ ହମିରପୁର ଜିଲ୍ଲାରେ ସର୍ବାଧିକ ବେଆଇନ୍‌ ଖନନ ହୋଇଥିବା ଜଣାପଡ଼ିଛି। ସିବିଆଇ ଆଜି ସକାଳ ୭ଟା ବେଳେ ଲକ୍ଷ୍ନୌର ଆଇଏଏସ୍‌ ଚନ୍ଦ୍ରକଳାଙ୍କ ସରକାରୀ ବାସଭବନ ପ୍ଲଟ ନଂ-୧୦୧ରେ ଚଢାଉ କରିଥିଲା।

Sanskrit week celebrated in DAV School Rourkela

ଡିଏଭି ପବ୍ଲିକ୍ ସ୍କୁଲରେ ସଂସ୍କୃତ ସପ୍ତାହ
ରାଉରକେଲା,୨୨ା୮: ବାସନ୍ତୀ କଲୋନୀସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଗତ ୭ ଦିନ ଧରି ପ୍ରାର୍ଥନା ସଭାରେ ସଂସ୍କୃତି ଭାଷାର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସଂସ୍କୃତ ଭିତ୍ତିକ ପ୍ରତିଯୋଗିତା ଯଥା ଶ୍ଲୋକ ଉଚ୍ଚାରଣ, ରଚନା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ‘ଶୃତିନ୍ୟାସ’ ତରଫରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତୀୟ ସଂସ୍କୃତି, ଐତିହ ବେଦ ଓ ଉପନିଷଦ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ମନୁଷ୍ୟ ଜୀବନର ଅର୍ଥ ଏବଂ ଆଜିର ସମାଜରେ ଛାତ୍ର ମାନଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଶୃତିନ୍ୟାସ ତରଫରୁ ଶ୍ରୀକାନ୍ତ ଷଡଙ୍ଗୀ, ଅମୂଲ୍ୟ ମଲ୍ଲିକ ଓ ରଞ୍ଜିତ ନାୟକ ଏଡୁକମ୍ ସ୍ଲାଇଡ୍ ଜରିଆରେ ‘ସଂସ୍କୃତ ଭାଷାର ଇତିହାସ’ ଶୀର୍ଷକ ଏକ ଡକୁମେଣ୍ଟାରୀ ଚିତ୍ର ପ୍ରଦର୍ଶନ କରିଥିଲେ । ଯାହା ଆର‌୍ୟୁବିଜ୍ଞାନ, ଜଳ ବିଜ୍ଞାନ ଓ ଯନ୍ତ୍ର ବିଜ୍ଞାନ ଉପରେ ପର୍ଯ୍ୟବସିତ ଥିଲା । ଏହି ଉତ୍ସବରେ ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଯସ୍ୱିନ୍ଦର କୌର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।