ନିତ୍ୟ ସୂର୍ଯ୍ୟ ପୂଜା ଓ ସୂର୍ଯ୍ୟ ନମସ୍କାର


ସୂର୍ଯ୍ୟ ଭଗବାନ୍ ହିଁ ଆମ ପାଇଁ ପ୍ରତ୍ୟକ୍ଷ ଦେବତା । ତାଙ୍କର ଉପସ୍ଥିତି ଯୋଗୁ ଆମକୁ ସବୁକିଛି ମିଳିଛି ଏବଂ ମିଳୁଛି ମଧ୍ୟ । ତେଣୁ ସୂର୍ଯ୍ୟ ଭଗବାନଙ୍କର ପୂଜା ଓ ବନ୍ଦନା ଦୈନନ୍ଦିନ ଜୀବନରେ କରିବା ଉଚିତ୍ । ଏପରିକି ଶାସ୍ତ୍ରରେ ସୂର୍ଯ୍ୟ ପୂଜାକୁ ନିତ୍ୟକର୍ମର ମାନ୍ୟତା ଦିଆଯାଇଅଛି । ପ୍ରାତଃ ସନ୍ଧ୍ୟାବ଼ସାନେ ତୁ ନିତ୍ୟଂ ସୂର‌୍ୟଂ ସମର୍ଚ୍ଚୟେତ୍ । (ପାରିଜାତ)
ଯେଉଁ ବ୍ୟକ୍ତି ପ୍ରତିଦିନ ପ୍ରାତଃ ସନ୍ଧ୍ୟା ଶେଷକରି ସୂର୍ଯ୍ୟ ପୂଜା ଓ ବନ୍ଦନା କରନ୍ତି, ତାଙ୍କର ଯଶ, ଖ୍ୟାତି ଆଦି ବଢିବା ସହିତ ସମସ୍ତ ଗ୍ରହଦୋଷ କଟିଥାଏ । ଏପରିକି ଯଦି କୌଣସି ବ୍ୟକ୍ତି ଚର୍ମରୋଗରେ ପୀଡିତ ଥାନ୍ତି ତେବେ ସୂର୍ଯ୍ୟପୂଜା କରିବା ନିତ୍ୟାନ୍ତ ବିଧେୟ । ସୂର୍ଯ୍ୟ ଭଗବାନ ସକଳ ପ୍ରାଣଶକ୍ତିର କେନ୍ଦ୍ରସ୍ଥଳ ହୋଇଥିବାରୁ ତାଙ୍କ ଆରାଧାନା ଦ୍ୱାରା ବ୍ୟକ୍ତିର ମନ ସବୁବେଳେ ପ୍ରଫୁଲିତ ରହିଥାଏ । ଏପରିକି ଏକଲକ୍ଷ ଗୋଦାନଠାରୁ ଗୋଟିଏ ଦିନ ସୂର୍ଯ୍ୟ ପୂଜାର ମାହାତ୍ମ୍ୟ ଅଧିକ ବୋଲି ଭବିଷ୍ୟ ପୁରାଣରେ କୁହାଯାଇଅଛି ।
ପ୍ରଦଦ୍ୟାଦ୍ ବୈ଼ ଗବ଼ାଂ ଲକ୍ଷଂ ଦୋଗ୍ଧ୍ରୀଣାଂ ବେ଼ଦପାରଗେ ।
ଏକାହମର୍ଚ୍ଚୟେଦ୍ ଭାନୁଂ ତସ୍ୟ ପୁଣ୍ୟଂ ତତୋଽଧିକମ୍ । ।
ଯେପରି କୌଣସି ପୂଜା କରିବା ବେଳେ କଳସ ପୂଜା ଏକ ଅଙ୍ଗଭାବେ କରିବାକୁ ହୋଇଥାଏ, ଠିକ୍ ସେହିପରି ସୂର୍ଯ୍ୟପୂଜା ସହିତ ସୂର୍ଯ୍ୟ ଭଗବାନଙ୍କୁ ଭକ୍ତି ସହକାରେ ମନ୍ତ୍ର ସହିତ ୧୨ ଥର ସାଷ୍ଟାଙ୍ଗ ନମସ୍କାର କରିବାକୁ ହୋଇଥାଏ ।

ସୂର୍ଯ୍ୟ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀର ତାଲିକା –


ଗୋଟା ଅରୁଆ ଚାଉଳରେ ଅଳ୍ପ ହଳଦୀ ଗୁଣ୍ଡ, କିଛି ଜଳ ଏବଂ ଘୃତ ମିଶାଇ ପାଖରେ ରଖ (ଅକ୍ଷତ) ।
ପଞ୍ଚପାତ୍ର – ଗୋଟିଏ ଛୋଟ ପାତ୍ର ଏବଂ ଚାମଚ (ଉଦ୍ଧରିଣୀ), ଅର୍ଘ୍ୟ (ବଡ) ପାତ୍ର, ଚନ୍ଦନ, ବିଭିନ୍ନ ପ୍ରକାର ଫୁଲ ଓ କ୍ଷୀର ।

ବାହ୍ୟ ଶୁଦ୍ଧି
ଅଗଣାରେ ବା ଯେଉଁଠି ସୂର୍ଯ୍ୟ ଭଗବାନ ଦେଖାଯାଉଥିବେ ସେଠାରେ ପୂର୍ବ ମୁଖା ହୋଇ ଆସନ କରି ପ୍ରଥମେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖ । ପରେ ନିମ୍ନ ଲିଖିତ ମନ୍ତ୍ର ପଢି ନିଜ ଉପରେ ଦକ୍ଷିଣ ହାତରେ ଥିବା ଜଳକୁ ସିଞ୍ଚ ।
ଓଁ ଅପବ଼ିତ୍ରଃ ପବ଼ିତ୍ରୋ ବ଼ା ସବ଼ର୍ାବ଼ସ୍ଥାଂ ଗତୋଽପି ବ଼ା ।
ୟଃ ସ୍ମରେତ୍ ପୁଣ୍ଡରୀକାକ୍ଷଂ ସ ବ଼ାହ୍ୟାଭ୍ୟନ୍ତରଃ ଶୁଚିଃ । ।

ଆସନ ପୂଜା –
ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖି ନିମ୍ନ ଲିଖିତ ମନ୍ତ୍ର ପଢି ଆସନ ଉପରେ ଜଳକୁ ସିଞ୍ଚ ଏବଂ ଭୂମିକୁ ସ୍ପର୍ଶ କର ।
ପୃଥ୍ୱି ତ୍ୱୟା ଧୃତା ଲୋକା ଦେବ଼ି ତ୍ୱଂ ବ଼ିଷ୍ଣୁନା ଧୃତା ।
ତ୍ୱଂ ଚ ଧାରୟ ମାଂ ଦେବ଼ି ପବ଼ିତ୍ରଂ ଚାସନଂ କୁରୁ । ।

ଆଚମନ –
ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତରେ ରଖି ନିମ୍ନ ଲିଖିତ ମନ୍ତ୍ର ପଢି ତିନି ଥର ଆଚମନ କର ।
ସ୍ତ୍ରୀଲୋକମାନେ କେବଳ ଆଚମନ କରିବା ବେଳେ ପୁରୁଷମାନେ ଆଚମନ ସହିତ କେଶବ, ନାରାୟଣ ଆଦି କହି ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗକୁ ଛୁଇଁ ନେବେ ।
ଓଁ ଅଚ୍ୟୁତାୟ ନମଃ ।
ଓଁ ଅନନ୍ତାୟ ନମଃ ।
ଓଁ ଗୋବ଼ିନ୍ଦାୟ ନମଃ ।(ସ୍ତ୍ରୀଲୋକଙ୍କ ପାଇଁ)
ପୁରୁଷମାନଙ୍କ ପାଇଁ
ଓଁ ଅଚ୍ୟୁତାୟ ନମଃ ।
ଓଁ ଅନନ୍ତାୟ ନମଃ ।
ଓଁ ଗୋବ଼ିନ୍ଦାୟ ନମଃ ।
କେଶବ଼, ନାରାୟଣ, ମାଧବ଼, ଗୋବ଼ିନ୍ଦ, ବ଼ିଷ୍ଣୁ, ମଧୁସୂଦନ, ତ୍ରିବ଼ିକ୍ରମ, ବ଼ାମନ, ଶ୍ରୀଧର, ହୃଷୀକେଶ, ପଦ୍ମନାଭ, ଦାମୋଦର । ।
ପରେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଦକ୍ଷିଣ ହାତକୁ ଧୋଇନିଅ ।

ଗୁରୁ ଧ୍ୟାନ –
ନିମ୍ନ ଲିଖିତ ମନ୍ତ୍ର ପଢି ନିଜ ଗୁରୁଙ୍କୁ ଧ୍ୟାନ କର ।
ଗୁରୁର୍ବ୍ରହ୍ମା ଗୁରୁବ଼ିର୍ଷ୍ଣୁଃ ଗୁରୁର୍ଦେବେ଼ା ମହେଶ୍ୱରଃ ।
ଗୁରୁସ୍ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରବେ଼ ନମଃ । ।

ଶ୍ରୀ ଗଣପତି ଧ୍ୟାନ –
ନିମ୍ନ ଲିଖିତ ମନ୍ତ୍ର ପଢି ଶ୍ରୀ ଗଣେଶଙ୍କୁ ଧ୍ୟାନ କର ।
ଶୁକ୍ଲାମ୍ବରଧରଂ ବ଼ିଷ୍ଣୁଂ ଶଶୀବ଼ର୍ଣ୍ଣଂ ଚତୁର୍ଭୁଜମ୍ ।
ପ୍ରସନ୍ନବ଼ଦନଂ ଧ୍ୟାୟେତ୍ ସବ଼ର୍-ବ଼ିଘ୍ନୋପଶାନ୍ତୟେ । ।

ପ୍ରାଣାୟାମ –
ଦକ୍ଷିଣ ହାତରେ ନାସିକ ମୁଦ୍ରା କରି ଦକ୍ଷିଣ ହାତର ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ବାମ ନାସାରେ ପ୍ରଶ୍ୱାସ ନିଅ ।
ଓଁ ଭୂଃ । ଓଁ ଭୂବ଼ଃ । ଓଁ ସୁବ଼ଃ । ଓଁ ମହଃ । ଓଁ ଜନଃ । ଓଁ ତପଃ । ଓଁ ସତ୍ୟମ୍ ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ପ୍ରଶ୍ୱାସ ରୂପରେ ନେଇଥିବା ବାୟୁକୁ ଦେହ ଭିତରେ ଧରି ରଖ ।
ଓଁ ତତ୍ ସବ଼ିତୁବ଼ର୍ରେଣ୍ୟମ୍ । ଭର୍ଗୋ ଦେବ଼ସ୍ୟ ଧୀମହି । ଧିୟୋ ୟୋ ନଃ ପ୍ରଚୋଦୟାତ୍ ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ଆବୃତ୍ତି କରିବାବେଳେ ଦକ୍ଷିଣ ନାସାଦ୍ୱାରା ନିଶ୍ୱାସ ଛାଡ ।
ଓଁ ଆପୋ ଜ୍ୟୋତୀରସୋଽମୃତଂ ବ୍ରହ୍ମ ଭୂର୍ଭୁବ଼ସ୍ସୁବ଼ରୋମ୍ ।
ଦକ୍ଷିଣ ହାତରେ ନାସିକ ମୁଦ୍ରା କରି ଦକ୍ଷିଣ ହାତର କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ସମୟରେ ଦକ୍ଷିଣ ନାସାରେ ପ୍ରଶ୍ୱାସ ନିଅ ।
ଓଁ ଭୂଃ । ଓଁ ଭୂବ଼ଃ । ଓଁ ଁ୍ ସୁବ଼ଃ । ଓଁ ମହଃ । ଓଁ ଜନଃ । ଓଁ ତପଃ । ଓଁ ଁ୍ ସତ୍ୟମ୍ । ।
ପରେ କନିଷ୍ଠ ଓ ଅନାମିକା ଅଙ୍ଗୁଳି ସାହାଯ୍ୟରେ ବାମ ନାସାକୁ ଏବଂ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢ ।
ଓଁ ତତ୍ ସବ଼ିତୁବ଼ର୍ରେଣ୍ୟମ୍ । ଭର୍ଗୋ ଦେବ଼ସ୍ୟ ଧୀମହି । ଧିୟୋ ୟୋ ନଃ ପ୍ରଚୋଦୟାତ୍ ।
ପରେ ବୁଢା ଅଙ୍ଗୁଳି ସାହାଯ୍ୟରେ ଦକ୍ଷିଣ ନାସାକୁ ବନ୍ଦ କରି ନିମ୍ନ ଲିଖିତ ମନ୍ତ୍ର ମାନସିକ ଭାବେ ପଢିବା ବେଳେ ବାମ ନାସା ଦ୍ୱାରା ନିଶ୍ୱାସ ଛାଡ ।
ଓଁ ଆପୋ ଜ୍ୟୋତୀରସୋଽମୃତଂ ବ୍ରହ୍ମ ଭୂର୍ଭୁବ଼ସ୍ସୁବ଼ରୋମ୍ ।
ଏହିପରି ଅତି କମରେ ତିନି ଥର ପ୍ରାଣାୟାମ କର ।
ପରେ ପଞ୍ଚପାତ୍ରରୁ ବାମ ହାତରେ ଉଦ୍ଧରିଣୀ ଦ୍ୱାରା କିଛି ଜଳ ଆଣି ଡାହାଣ ହାତକୁ ଧୋଇନିଅ ।

ସଙ୍କଳ୍ପ –
ଦକ୍ଷିଣ ହାତରେ କିଛି ଫୁଲ, ଅକ୍ଷତ ଏବଂ ଜଳ ନେଇ ହାତକୁ ମୁଠା କରି ବାମ ହାତର ପାପୁଲି ଉପରେ ରଖି ଦକ୍ଷିଣ ଜଙ୍ଘ ଉପରେ ରଖ ଏବଂ ନିମ୍ନ ଲିଖିତ ମନ୍ତ୍ର ପଢି ସଙ୍କଳ୍ପ କର ।
ମମୋପାତ୍ତ ସମସ୍ତ ଦୁରିତକ୍ଷୟଦ୍ୱାରା ଶ୍ରୀ ପରମେଶ୍ୱର-ପ୍ରୀତ୍ୟର୍ଥଂ, ଅଦ୍ୟଃ, ମମ ଜନ୍ମାଭ୍ୟାସାତ୍ ଜନ୍ମପ୍ରଭୁତି ଏତତ୍କ୍ଷଣପର‌୍ୟନ୍ତଂ ମଧ୍ୟେ ସମ୍ଭାବ଼ିତାନାଂ ସବେ଼ର୍ଷାଂ ପାପାନାଂ ସଦ୍ୟଃ ଅପନୋଦନାର୍ଥଂ, ସମସ୍ତ ଗ୍ରହଦୋଷ ନିବ଼ାରଣାର୍ଥଂ, ଧର୍ମ-ଅର୍ଥ-କାମ-ମୋକ୍ଷ-ଚତୁବ଼ିର୍ଧ-ଫଲ-ପ୍ରାପ୍ତ୍ୟର୍ଥଂ, ଆଦିତ୍ୟସ୍ୟ ଦ୍ୱାଦଶ-ନମସ୍କାରାଖ୍ୟଂ କର୍ମ କରିଷ୍ୟେ । ଫୁଲ, ଅକ୍ଷତ ଓ ଜଳକୁ ତଳେ ପକାଇ ହାତକୁ ଧୋଇ ନିଅ ।
ଅର୍ଘ୍ୟ –
ପଞ୍ଚପାତ୍ରରେ କିଛି ଅକ୍ଷତ, ଫୁଲ ଓ କ୍ଷୀର ମିଶାଇ ଅଞ୍ଜଳିଦ୍ୱାରା ନିମ୍ନ ଲିଖିତ ମନ୍ତ୍ର ପଢି ସୂର୍ଯ୍ୟଭଗବାନଙ୍କୁ ଅର୍ଘ୍ୟ ପ୍ରଦାନ କର ।
ଏହି ସୂର‌୍ୟ! ସହସ୍ରାଂଶୋ ତେଜୋରାଶେ ଜଗତ୍ପତେ ।
ଅନୁକମ୍ପୟ ମାଂ ଭକ୍ତ୍ୟା ଗୃହାଣାର୍ଘ୍ୟଂ ଦିବାକର । ।
ଅର୍ଘ୍ୟ ପ୍ରଦାନ କରିବା ପରେ ସୂର୍ଯ୍ୟମଣ୍ଡଳସ୍ଥିତ ଆଦିତ୍ୟ ନାରାୟଣଙ୍କୁ ନିମ୍ନ ଲିଖିତ ମନ୍ତ୍ର ପଢି ଧ୍ୟାନ କରିବା ପରେ ଏକ ଏକ ନାମକୁ ଭକ୍ତିସହକାରେ ଉଚ୍ଚାରଣ କରିବା ପରେ ସାଷ୍ଟାଙ୍ଗ ନମସ୍କାର କର ।
ଧେୟଃ ସଦା ସବ଼ିତୃମଣ୍ଡଲ-ମଧ୍ୟବ଼ର୍ତ୍ତୀ
ନାରାୟଣଃ ସରସିଜାସନସନ୍ନିବ଼ିଷ୍ଟଃ ।
କେୟୂରବ଼ାନ୍ ମକରକୁଣ୍ଡଲବ଼ାନ୍ କିରୀଟୀ
ହାରୀ ହିରଣ୍ମୟବ଼ପୁର୍ଦ୍ଧୃତ-ଶଙ୍ଖଚକ୍ରଃ । ।
୧. ଓଁ ଶ୍ରୀ ମିତ୍ରାୟ ନମଃ । ୨. ଓଁ ଶ୍ରୀ ରବ଼ୟେ ନମଃ । ୩. ଓଁ ଶ୍ରୀ ସୂର‌୍ୟାୟ ନମଃ । ୪. ଓଁ ଶ୍ରୀ ଭାନବେ଼ ନମଃ । ୫. ଓଁ ଶ୍ରୀ ଖଗାୟ ନମଃ । ୬. ଓଁ ଶ୍ରୀ ପୁଷ୍ଣେ ନମଃ । ୭. ଓଁ ଶ୍ରୀ ହିରଣ୍ୟଗର୍ଭାୟ ନମଃ । ୮. ଓଁ ଶ୍ରୀ ମରୀଚୟେ ନମଃ । ୯. ଓଁ ଶ୍ରୀ ଆଦିତ୍ୟାୟ ନମଃ । ୧୦. ଓଁ ଶ୍ରୀ ସବ଼ିତ୍ରେ ନମଃ । ୧୧. ଓଁ ଶ୍ରୀ ଅର୍କାୟ ନମଃ । ୧୨. ଓଁ ଶ୍ରୀ ଭାସ୍କରାୟ ନମଃ ।
ଉପରୋକ୍ତ ମନ୍ତ୍ର ପଢି ୧୨ଥର ନମସ୍କାର କରିବାପରେ ସୂର୍ଯ୍ୟ ଭଗବାନଙ୍କର ସାରଥି ଅରୁଣଙ୍କୁ ନିମ୍ନଲିଖିତ ମନ୍ତ୍ର ପଢି ପୂର୍ବ ଭଳି ଅର୍ଘ୍ୟ ପ୍ରଦାନ କର ।
ବ଼ିନତାତନୟୋ ଦେବ଼ କର୍ମସାକ୍ଷୀ ସୁରେଶ୍ୱରଃ ।
ସପ୍ତାଶ୍ୱଃ ସପ୍ତରଜ୍ଜୁଶ୍ଚ ଅରୁଣୋ ମେ ପ୍ରସୀଦତୁ । ।
ଓଁ କର୍ମସାକ୍ଷିଣେ ଶ୍ରୀ ଅରୁଣାୟ ନମଃ । ।
ନିମ୍ନ ଲିଖିତ ମନ୍ତ୍ର ପଢି ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଅର୍ଘ୍ୟ ଜଳରୁ କିଛି ପାଦୋଦକ ଭାବରେ ପାନ କର ।
ଅକାଲମୃତ୍ୟୁହରଣଂ ସବ଼ର୍ବ଼୍ୟାଧିବ଼ିନାଶନମ୍ ।
ସୂର‌୍ୟପାଦୋଦକଂ ତୀର୍ଥଂ ଜଠରେ ଧାରୟାମ୍ୟହମ୍ । ।
ଓଁ ତତ୍୍ ସତ୍ । ସବ଼ର୍ଂ ବ୍ରହ୍ମାର୍ପଣମସ୍ତୁ । ।

ଜାମ୍ମୁକାଶ୍ମୀରରେ ସେନାକୁ ସଫଳତା

ଜାମ୍ମୁକାଶ୍ମୀରରେ ସେନାକୁ ସଫଳତା । ସେନା ଅପରେସନରେ ଟଳିଲେ ୨ ଆତଙ୍କବାଦୀ । ପୋଲିସ ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାରେ କାଟପୁରା ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖୁଫିଆ ସୂଚନା ପରେ , ଶନିବାର ସଂଧ୍ୟାରେ ପୁରା ଅଂଚଳକୁ ଘେରାଉ କରି ସେନା, ସିଆରପିଏଫ୍  ଓ ପୋଲିସ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜୋରଦାର  ଗୁଳିବନିମୟ ହୋଇଥିଲା । ଏହି ସମୟରେ ଆତଙ୍କୀଙ୍କୁ ସରେଣ୍ଡର କରିବାକୁ ସେନା ସୁଯୋଗ ବି ଦେଇଥିଲା । ତେବେ ଏହାକୁ ଗ୍ରହଣ ନକରି ଗୁଳି ବିନିମୟ ଜାରି ରଖିଥିଲେ ଆତଙ୍କୀ । ଶେଷରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ମାରଣାସ୍ତ୍ର, ଗୁଳିଗୋଳା ଜବତ ହୋଇଛି । ନିହତ ଆତଙ୍କବାଦୀ ଜିନ୍ନତ ଉଲ୍ ଇସଲାମ୍ ଓ ସକିଲ୍ ଅହମ୍ମଦ ଡାର ବୋଲି ଜଣାପଡିଛି । ଜିନତ ଉଲ୍ ଇସଲାମ୍ ୨୦୧୬ରେ ନିହତ ହିଜବୁଲ୍ ଆତଙ୍କୀ ବୁରହାନ୍ ବାନୀର ସାଥୀ ବୋଲି କୁହାଯାଉଛି । ଏଠାରେ ସୂଚନା ଦିଆଯାଇପାରେ ଅପରେସନ୍ ଅଲଆଉଟରେ ସେନା ୨୦୧୮ ବର୍ଷରେ ୨୬୨ ଆତଙ୍କୀଙ୍କୁ ନିପାତ୍ କରିଥିଲା ।

ଆଦିତ୍ୟହୃଦୟମ୍

ତତୋ ୟୁଦ୍ଧପରିଶ୍ରାନ୍ତଂ ସ୍ମରେ ଚିନ୍ତୟା ସ୍ଥିତମ୍ ।
ରାବଣଂ ଚାଗ୍ରତୋ ଦୃଷ୍ଟା ୟୁଦ୍ଧାୟ ସମୁପସ୍ଥିତମ୍ । ୧
ଦୈବତୈଶ୍ୱ ସମାଗମ୍ୟ ଦ୍ରଷ୍ଟୁମଭ୍ୟାଗତୋ ରଣମ୍ ।
ଉପାଗମ୍ୟାବ୍ରବୀଦ୍ରାମ-ମଗସ୍ତ୍ୟୋଭଗବ଼ାନ୍ ଋଷିଃ । ୨
ରାମ-ରାମ ମହାବ଼ାହୋ ଶୃଣୁ ଗୁହ୍ୟଂ ସନାତନମ୍ ।
ୟେନ ସର୍ବାନୀନ୍ ବତ୍ସସମରେ ବିଜୟିଷ୍ୟସି । ୩
ଆଦିତ୍ୟ ହୃଦୟଂ ପୁଣ୍ୟଂ ସର୍ବଶତ୍ରୁବିନାଶନମ୍ ।
ଜୟାବହଂ ଜପେନିତ୍ୟ-ମକ୍ଷୟ୍ୟଂ ପରମଂ ଶିବ଼ମ୍ । ୪
ସର୍ବମଙ୍ଗଲ-ମାଙ୍ଗଲ୍ୟଂ ସର୍ବପାପପ୍ରଣାଶନମ୍ ।
ଚିନ୍ତାଶୋକ-ପ୍ରଶମନ-ମାୟୁବ଼ର୍ଧନ-ମୁତ୍ତମମ୍ । ୫
ରଶ୍ମିମନ୍ତଂ ଶମୁଧନ୍ତଂ ଦେବ଼ାସୁର ନମସ୍କୃତଂ ।
ପୁଜୟସ୍ୱ ବିବ଼ସ୍ୱନ୍ତଂ ଭାସ୍କରଂ ଭୁବନେଶ୍ୱରଂ । ୬
ସର୍ବଦେବାତ୍ମକୋ ଦ୍ୱେଷ ତେଜସ୍ୱି ରଶ୍ମି-ଭାବ଼ନଃ ।
ଏବ ଦେବ଼ାସୁରଗଣାନ୍ ଲୋକାନ୍ ପ୍ରତିଗଭସ୍ତିଭି । ୭
ଏଷ ବ୍ରହ୍ମା ଚ ବିଷ୍ଣୁଶ୍ଚ ଶିବ଼ଃ ସ୍କନ୍ଧ ପ୍ରଜାପତିଃ ।
ମହେନ୍ଦୋ ଧନଦଃ କାଲୌ ୟମଃ ସୋମୋ ହ୍ୟପାଂପତି । ୮
ପିତରୋ ବସବଃ ସାଧ୍ୟା ହ୍ୟଶିବନୌ ମରୁତଃ ମନୁଃ ।
ବାୟୁ-ର୍ବହ୍ନିଃ ପ୍ରଜାପ୍ରାଣ ଋତୁକର୍ତା ପ୍ରଭାକରଃ । ୯
ଆଦିତ୍ୟଃ ସବିତା ସୁର୍ଯ୍ୟଃ ଖଗ ପୁଷା ଗଭିସ୍ତିମାନ୍ ।
ସୁବର୍ଣୋସଦୃଶୋ ଭାନୁ-ର୍ହିରଣ୍ୟରେତା ଦିବ଼ାକରଃ । ୧୦
ହରିଦଶ୍ୱଃ ସହସ୍ରାର୍ଚିଃ ସପ୍ତସପ୍ତି-ର୍ମରିଚିମାନ୍ ।
ତିମିରୋମନ୍ଥନଃ ଶମ୍ଭୁସ୍ତସ୍ତ୍ୱଷ୍ଠା ମାର୍ତଣ୍ଡ ଅଂଶୁମାନ୍ । ୧୧
ହିରଣ୍ୟଗର୍ଭଃ ସିସିରସ୍ତପନୋ ଭାସ୍କରୋ ରବିଃ ।
ଅଗ୍ନିଗର୍ଭେଽଦିତେଃ ପୁତ୍ର ଶଂଖଃ ଶିଶିରନାଶନଃ । ୧୨
ବ୍ୟୋମନାଥସ୍ତମୋଭେଦି ଋଗ୍ୟଜୁସ୍ସାମପାରଗଃ ।
ଧନବୃଷ୍ଠିରପାଂ ମିତ୍ରୋ ବିନ୍ଧ୍ୟବୀଥୀପ୍ଲବଙ୍ଗମଃ । ୧୩
ଆତପୀ ମଣ୍ଡଳି ମୃତ୍ୟୁଃ ପିଙ୍ଗଳଃ ସର୍ବତାପନଃ ।
କବିର୍ବିଶ୍ୱୋ ମହାତେଜାଃ ରକ୍ତ ସର୍ବଭବୋଦ୍ଭବଃ । ୧୪
ନକ୍ଷତ୍ରଗ୍ରହତାରାଣା-ମଧିପୋ ବିଶ୍ୱଭାବ଼ନଃ ।
ତେଜସାମପି ତେଜସ୍ୱି ଦ୍ୱାଦଶାତ୍ମନ୍ନମୋଽସ୍ତୁ ତେ । ୧୫
ନମଃ ପୁର୍ବାୟ ଗିରୟେ ପଶ୍ଚିମାୟାଦ୍ରୟେ ନମଃ ।
ଜ୍ୟୋତି-ଗର୍ଣାନାଂପତୟେ ଦିନାଧିପତୟେ ନମଃ । ୧୬
ଜୟାୟ ଜୟଭଦ୍ରାୟ ହର‌୍ୟଶ୍ୱାୟ ନମୋ ନମଃ ।
ନମୋ ନମଃ ସହସ୍ରାଂଶୋ ଅଦିତ୍ୟାୟ ନମୋ ନମଃ । ୧୭
ନମ ଉଗ୍ରାୟ ବୀରାୟ ସାରଙ୍ଗାୟ ନମୋ ନମଃ ।
ନମଃ ପଦ୍ମପ୍ରବୋଧାୟ ମାର୍ତଣ୍ଡାୟ ନମୋ ନମଃ । ୧୮
ବ୍ରହ୍ମେଶାନାଚ୍ୟୁତେଶାୟ ସୁର୍ଯ୍ୟୟାଦିତ୍ୟବର୍ଚସେ ।
ଭାସ୍ୱତେ ସର୍ବବକ୍ଷାୟ ରୌଦ୍ରାୟ ବପୁଷେ ନମଃ । ୧୯
ତମୋଘ୍ନାୟ ହିମଘ୍ନାୟ ଶତ୍ରୁଘ୍ନାୟାମିତାତ୍ମନେ ।
କୃତଘ୍ନଘ୍ନାୟ ଦେବାୟ ଜ୍ୟୋତିଷାଂ ପତୟେ ନମଃ । ୨୦
ତପ୍ତଚାଢ଼ିକରାଭାୟ ବହ୍ନୟେ ବିଶ୍ୱକର୍ମଣେ
ନମସ୍ତମୋଽଭୀନିଘ୍ନାୟ ରୁଚୟେ ଲୋକସାକ୍ଷିଣେ । ୨୧
ନାଶୟତ୍ୟେଷ ବେ଼÷ ଭୁତଂ ତଦେବ଼ ସୃଜତି ପ୍ରଭୁଃ ।
ପାୟତ୍ୟେଷ ତପତ୍ୟେଷ ବର୍ଷତ୍ୟେଷ ଗଭସ୍ତଭିଃ । ୨୨
ଏଷ ସପ୍ତେଷୁ ଜାଗର୍ତି ଭୁତେଷୁ ପରିନିଷ୍ଠତଃ ।
ଏଷ ଏବଗ୍ନିହୋତ୍ରଂ ଚ ଫଳଂ ଚୈବାଗ୍ନିହୋତ୍ରୀଣାମ୍ । ୨୩
ବେଦାଶ୍ଚ ଋତବଶ୍ଚେବ ଋତୁନାଂ ଫଲମେବ ଚ ।
ୟାନି କୃତ୍ୟାନି ଲୋକେଷୁ ସର୍ବ ଏଷ ରବିଃ ପ୍ରଭୁଃ । ୨୪
ଫଳଶ୍ରୁତିଃ
ଏନ-ମାପତ୍ସୁ କୃଚ୍ଛେଷୁ କାନ୍ତାରେଷୁ ଭୟେଷୁ ଚ ।
କୀର୍ତୟନ୍ ପୁରୁଷଃ କଶ୍ଚିନାବସୀଦତି ରାଘବ । ୨୫
ପୁଜୟସ୍ୱୈନ-ମେକାଗ୍ରୋ ଦେବଦେବଂ ଜଗତ୍ପତିଂ ।
ଏତତ୍ ତ୍ରିଗୁଣିତଂ ଜପତ୍ ବା ୟୁଦେ୍ଧଷୁ ବିଜୟିଷ୍ୟସି । ୨୬
ଅସ୍ମିନ୍ କ୍ଷଣେ ମହାବାହୋ ରାବଣଂ ତ୍ୱଂ ବଧିଷ୍ୟସି ।
ଏବମୁକ୍ତା ତଦାଗସ୍ତ୍ୟୋ ଜଗାମ ଚ ୟଥାଗତମ୍ । ୨୭
ଏତଚ୍ଚୁତ୍ୱା ମହାତେଜା ନଷ୍ଟଶୋକୋଽଭବ଼ତ୍ତଦା ।
ଧରୟାମାସ ସୁପ୍ରୀତୋ ରାଘବଃ ପ୍ରୟତାତ୍ମବାନ୍ । ୨୮
ଆଦିତ୍ୟଂ ପ୍ରେକ୍ଷ୍ୟ ଜପ୍ତ୍ୱା ତୁ ପରଂ ହର୍ଷମବାପ୍ତବାନ୍ ।
ତ୍ରିରାଚମ୍ୟ ଶୁଚିଭୁତ୍ୱା ଧନୁରାଦାୟ ବୀର‌୍ୟବ଼ାନ୍ । ୨୯
ରାବଣଂ ପ୍ରେକ୍ଷ୍ୟ ହୃଷ୍ଟାତ୍ମା ୟୁଦ୍ଧାୟ ସମୁପାଗତମ୍ ।
ସର୍ବୟତ୍ତେନ ମହତା ବଧେ ତସ୍ୟ ଧୃତୋଽଭବ଼ତ୍ । ୩୦
ଅଥ ରବି-ରବଦ-ନ୍ନିରିକ୍ଷ୍ୟଂ ରାମଂ ମୁଦିତମନାଃ ପରମଂ
ପ୍ରହୁଷ୍ୟମାଣଃ ।
ନିଶିଚରପତି-ସଂକ୍ଷୟଂ ବିଦିତ୍ୱା ସୁରଗଣ-
ମଧ୍ୟଗତୋବ଼ଚସ୍ତ୍ୱରେତି । ୩୧

ମକର ସଂକ୍ରାନ୍ତିର ଠିକ୍ ପୂର୍ବଦିନ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କ ସ୍ୱତନ୍ତ୍ର ବେଶ – ନବାଙ୍କ ବେଶ

ଭୁବନେଶ୍ୱର: ରାତି ପାହିଲେ ମକର ସଂକ୍ରାନ୍ତି। ଭଗବାନ୍‌ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା। ସାରା ଭାରତ ବର୍ଷରେ ଏହି ପର୍ବକୁ ବଡ଼ ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ସ୍ନାନ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଉତ୍ତରାୟଣ ମକର ସଂକ୍ରାନ୍ତି ପାଳନର ବିଧି କିନ୍ତୁ ସ୍ୱତନ୍ତ୍ର। ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟ ସ୍ୱରୂପରେ ପରିକଳ୍ପନା କରି ଏହି ଦିନ ଘରେ ଘରେ ମକର ଚାଉଳକୁ ପ୍ରସାଦ ଭାବେ ଠାକୁରଙ୍କୁ ଲାଗି କରାଯାଇଥାଏ। ଏହି ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଭାବେ ପରିକଳ୍ପିତ ହେଉଥିବା ଆମ ଠାକୁର କିନ୍ତୁ ପୂର୍ବରାତିରେ ମହା ନାରାୟଣ ଭାବେ ଉପାସିତ ହୁଅନ୍ତି।

ସଂକ୍ରାନ୍ତିର ଠିକ୍‌ ପୂର୍ବଦିନ, ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କୁ ଏ ସ୍ୱତନ୍ତ୍ର ବେଶରେ ସଜାଇ ଦିଆଯାଏ। ଜାଣିଛନ୍ତି କ’ଣ କୁହାଯାଏ ଏହି ବେଶକୁ ? ମହାପ୍ରଭୁ ଜଗନ୍ନାଥଙ୍କୁ ରାତିରେ ନବାଙ୍କ ବେଶ କରାଯାଏ। ଅନେକ ଲୋକେ ହୁଏତ ଜାଣି ନ ଥିବା ଏହି ବେଶକୁ ମହାନାରାୟଣ ବେଶ କୁହାଯାଏ। ଶ୍ରୀ ସମ୍ପ୍ରଦାୟ ଏହି ବେଶ ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ କରିଛି। ସରଳ ଭାଷାରେ କହିଲେ ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ମତବାଦ ଜଗନ୍ନାଥଙ୍କୁ ନିଜର ବୋଲି ପ୍ରମାଣିତ କରିବାକୁ ଚଷ୍ଟା କରିଛନ୍ତି। ତନ୍ମଧ୍ୟରେ ମହାନ୍‌ ଭାରତୀୟ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଶ୍ରୀ ସମ୍ପ୍ରଦାୟ ମହାପ୍ରଭୁଙ୍କୁ ଏହି ବେଶ ମାଧ୍ୟମରେ ମହାନାରାୟଣ ବା ବିଷ୍ଣୁ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥତ୍‌ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦାପନା ପୂର୍ବସନ୍ଧ୍ୟାରେ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥଙ୍କ ହାତରେ ପୁଷ୍ପ ଓ ଶୋଲ ନିର୍ମିତ ଶଙ୍ଖ, ଚକ୍ର ଓ ଶ୍ରୀ ବଳଭଦ୍ରଙ୍କ ହାତରେ ହଳ, ମୂଷଳ ଶୋଭା ପାଇଥାଏ। ଏହି ବେଶରେ ଶ୍ରୀ ବିଗ୍ରହମାନେ ସମ୍ପୁର୍ଣ୍ଣ ଭାବେ ଗେଣ୍ଡୁ ଫୁଲ ଓ ତୁଳସୀରେ ସଜ୍ଜିତ ହୋଇଥାନ୍ତି। ଏହି ବେଶରେ ମାଳଚୁଳ ସହ ଟୋପର, ତଗିଡି ଓ ମକର କୁଣ୍ଡଳ ଲାଗି କରାଯାଇଥାଏ। ସମ୍ପ୍ରତି ଶ୍ରୀ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଏହି ବେଶ ପାଇଁ ଖର୍ଚ୍ଚ ବହନ କରୁଛନ୍ତି।

ରାମାନୁଜ ଶ୍ରୀ ଜଗନ୍ନାଥ

ବିଶିଷ୍ଟ ଅଦ୍ୱେତବାଦର ପ୍ରଚାରକ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଦକ୍ଷିଣ ଭାରତର ପରମ ବୈଷ୍ଣବ ଏହି ଆଚାର୍ଯ୍ୟ ଦ୍ୱାଦଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ତାଙ୍କ ପ୍ରଭାବରେ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ନିର୍ମାଣ ଓ ଶ୍ରୀମନ୍ଦିର ଅଁଳା ବେଢାରେ ଗେରୁ ପ୍ରଳେପ(ରାମାନନ୍ଦି ଚିତା ଅଙ୍କନ) ତାଙ୍କ ସମୟରୁ କରାଯାଇଥିବା ଗବେଷକମାନେ କୁହନ୍ତି। ରାମାନୁଜଙ୍କୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ଶୁଣିବାକୁ ମିଳେ।

କୁହାଯାଏ ଶ୍ରୀମନ୍ଦିରରେ ପୂଜିତ ବିଗ୍ରହ ସମ୍ପୁର୍ଣ୍ଣ ଉତ୍କଳୀୟ ଶୈଳୀରେ ପୂଜା ହୁଅନ୍ତି। ରାମାନୁଜଙ୍କ ଆଗମନ ସମୟରେ ଏଭଳି ପୂଜା ଦେଖି ଅସନ୍ତୁଷ୍ଟ ହୋଇ ପଡିଥିଲେ ଆଚାର୍ଯ୍ୟ ରାମାନୁଜ। ସେ ସମ୍ପୁର୍ଣ୍ଣ ନୈଷ୍ଠିକ ଓ ଦାକ୍ଷିଣାତ୍ୟ ବ୍ରାହ୍ମଣମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସେବା କରାଇବାକୁ ଗଜପତିଙ୍କୁ ଅନୁରୋଧ କରିଥିଲେ। ଗଜପତି ମଧ୍ୟ ତାଙ୍କ କଥାରେ ସହମତ ହୋଇଥିଲେ। ହେଲେ ଯେଉଁଦିନ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ବ୍ୟବସ୍ଥା କରାଗଲା ସେ ଦିନ ରାମାନୁଜ ପୁରୀରେ ଉପସ୍ଥିତ ନ ଥିଲେ। ଲୋକକଥା କୁହେ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ପାଇଁ ଚିନ୍ତା କରିଥିବା ରାମାନୁଜଙ୍କୁ ପୂର୍ବରାତିରେ ଗରୁଡଙ୍କ ମାଧ୍ୟମରେ ସ୍ୱୟଂ ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ଉଡ଼ାଇ ନେଇ ଦକ୍ଷିଣ ଭାରତ କୁର୍ମକ୍ଷେତ୍ରରେ ଛାଡି ଆସିଥିଲେ ଏବଂ ନୀତି ପରିବର୍ତ୍ତନ ନ ହୋଇ ପୂର୍ବବତ୍‌ ଚାଲିଥିଲା।

ମହାପ୍ରଭୁଙ୍କ ପରମଭକ୍ତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଗମନ ପରେ ଉପରୋକ୍ତ ମହାନାରାୟଣ ବେଶ କରାଯାଉଥିବା ଗବେଷକମାନେ ଅନୁମାନ କରନ୍ତି।

ବାପା; ଭାରି ମିଛୁଆ

ବୋଉମାନଙ୍କ ତୁଳନାରେ ବାପାମାନେ ଭାରି ବେହିସାବୀ । ପିଲାଦିନେ କୋଉ ପର୍ବପର୍ବାଣୀରେ ବାପାଙ୍କ ସହ ଡ୍ରେସ କିଣିବାକୁ ବାହାରିଲା ବେଳକୁ ବୋଉ, ବାପାଙ୍କୁ କୁହେ,

-“ସେ Kalamandir ଦୋକାନରୁ ଆଣିବନି, ବେଶୀ ଟଙ୍କା ନେବ, ପକ୍କା ଠକ ଟା ସେ । କୋଉ ଗୋଟେ ଛୋଟ ଦୋକାନରୁ ନେଇ ଆସିବ, ହଁ ବେଶୀ ଦାମୀ ଡ୍ରେସ ଆଣିବନି, ଆଗକୁ ଅମୁକ କାମଟା ଅଛି ଯେ ।”

      ଡ୍ରେସ କିଣିବାକୁ ଯିବାର ଖୁସିଟା ମିଳେଇଯାଏ । ମୁହଁ ଫୁଲେଇ ବାପାଙ୍କ ସାଙ୍ଗରେ ଯିବାକୁ ପଡେ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଯେତେବେଳେ ବାପା ସେଇ kalamandir ଦୋକାନକୁ ଯାଆନ୍ତି ଆଉ ମୋ ମନ ମୁତାବକ ଡ୍ରେସ କିଣିଦିଅନ୍ତି । କୁହନ୍ତି,

-“ବୋଉ ପଚାରିଲେ କମେଇକି କହିବୁ, ଜମା ସତକଥା କହିବୁନି ।”

ମୋତେ ଲାଗେ ମୋ ବାପା ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

     ପିଲାଦିନେ କୋଉଠିକି ବାହାରିଲା ବେଳେ ପକେଟ୍ ଖର୍ଚ୍ଚ ମାଗିଲେ ବୋଉ ଭାରି ଚିଡିଚିଡି ହୁଏ । କୋଡ଼ିଏ ଟଙ୍କା ମାଗିଲେ ଦଶଟଙ୍କା ଦିଏ, ଆଉ ଦଶ ମାଗିଲେ ପାଞ୍ଚ । କେବେକେବେ ମୁଁ ନିଏ । ବେଶୀ ଜରୁରୀ ନଥିଲେ ବୋଉ ଉପରକୁ ଫୋପାଡ଼ି ଦେଇ ଚାଲିଯାଏ । ବାପାଙ୍କ ଆଖିରେ ଏ ସବୁ ଯାଏନି । ସେ ବୋଉକୁ ଲୁଚେଇ ମୋ ମାଗିବାଠାରୁ ଅଧିକ ଦିଅନ୍ତି । ଆଉ ବୋଉକୁ ବୁଝାନ୍ତି,

-“ଟୋକାଟା ଦିନକୁଦିନ ଭାରି ବଦଖର୍ଚୀ ହେଇଯାଉଛି । ତା ହାତକୁ ମୋଟେ ପଇସାପତର ଦେବୁନି ।”

ମୋତେ ଲାଗେ ମୋ ବାପା ସତରେ ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

       ସୁଲଗ୍ନାକୁ ଭଲପାଉଥିବା କଥା ଯୋଉଦିନ ଘରେ କହିଲି ବୋଉ ରାଗିକି ଖଣ୍ଡ ପ୍ରଳୟ କରିଦେଲା ।

-“ଚିହ୍ନା ନାହିଁ, ପରିଚୟ ନାହିଁ, ବଂଶମର୍ଯ୍ୟାଦା ଜଣାନାହିଁ । କୋଉଠିକାର ଗୋଟେ ବାରବୁଲା ଝିଅକୁ ମୁଁ ବୋହୁ କରିପାରିବିନି ।” ବୋଉର ଏଇ ପଦକ କଥାରେ ମୁଁ ଭାଙ୍ଗି ପଡ଼ିଥିଲି । କାରଣ ମୁଁ ବି ସତରେ ସୁଲଗ୍ନାକୁ ଛାଡି ତା ବିଷୟରେ ଆଉ କିଛି ଅଧିକ ଜାଣି ନଥିଲି । ଏତିକିବେଳେ ବାପା କୋଉଠିଥିଲେ କେଜାଣି ହଠାତ କହି ଉଠିଲେ,

-“ଆରେ, ମୁଁ ସେ ଝିଅକୁ ଜାଣିଛି ପା । ମୋ ସାଙ୍ଗର ଝିଅ ସେ । ଭାରି ଶାନ୍ତ ସୁଧାର ପିଲାଟା । ତା ବାପା ବି ଭାରି ଭଲ । ଯଦି ସେ ୟା’ର ପସନ୍ଦ ହେଇଛି ତେବେ ବାହାଘର ସେଇଠି ହିଁ ହେବ ।”

ସେଦିନ ସନ୍ଧ୍ୟାବେଳେ ବୋଉ ଠାକୁରଘରେ ସନ୍ଧ୍ୟାଆଳତୀ କଲାବେଳେ ବାପା ମୋ ପାଖକୁ ଚୁପିଚୁପି ଆସି ପଚାରିଲେ,

-“ଆରେ ସେ ଝିଅ ଘର କୋଉଠି ? ତା ଠିକଣାଟା ଦେ ମୁଁ କାଲି ତାଙ୍କ ଘରେ କଥାଟା ପକେଇବି ।”

ମୁଁ ଭାବୁଥିଲି ମୋ ବାପା ସତରେ ଭାରି ମିଛୁଆ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

      ଏଇ କିଛିଦିନ ହେଲା ବାପାଙ୍କ

ଆଣ୍ଠୁଗଣ୍ଠି ଭାରି ଦରଜ ହେଉଛି । ଚାଲିଲାବେଳେ ଟିକେଟିକେ ଛୋଟଉଛନ୍ତି । ଭାବୁଥିଲି ବାପାଙ୍କୁ

କୋଉ ଭଲ ଡାକ୍ତର ପାଖକୁ ନେଇକି ଗଲେ ହେବ । ହେଲେ ମନେ ପଡିଗଲା ଏ ମାସରେ ପୁଅର ଆଡ଼ମିସନ ଅଛି । ଶାଳୀର ବାହାଘର, ଆଉ ଏଲ.ଆଇ.ସି. ର କିସ୍ତି ବି ଅଛି । ଆମ ଛକର Pabitra ମେଡ଼ିସିନ ଦୋକାନରୁ ଗୋଟେ ଶସ୍ତା ମାଲିସ ତେଲ ଆଉ ଚାରି/ପାଞ୍ଚଦିନ ପାଇଁ କେତେଟା ବଟିକା ଆଣି ବାପାଙ୍କୁ ଦେଇ କହିଲି,

-“ନିଅ, Pabitra କହିଛି ଏଇଥିରେ ତୁମ ଗୋଡ଼ ପୁରା ଠିକ ହେଇଯିବ ।”

        ଏଇଭିତରେ କିଛିଦିନ ବିତିଗଲାଣି । ପୁଅର ଆଡ଼ମିସନ ବି ସରିଲାଣି, ଶାଳୀ ବାହାଘର ଆଉ ଏଲ.ଆଇ.ସି. ଡିଉ ବି ।

ସେଦିନ ସନ୍ଧ୍ୟାବେଳେ ବୋଉ ବାପାଙ୍କ ଆଣ୍ଠୁରେ ତେଲ ଘଷି ଦେଉଥିଲା ବେଳେ କହୁଥିଲା,-“ଆଣ୍ଠୁଟା ତ ପୁରା ଭଲ ହେଇନି, ତୁମେ ସେ ଟୋକାକୁ କାଇଁ ମିଛ କହୁଛ ?”

ବାପା ହସିଦେଲେ ଆଉ କହିଲେ,-“କମ୍ ରୋଜଗାର କରୁଥିବା ଲୋକଙ୍କୁ ବେଶୀ ମିଛ କହିବାକୁ ପଡେ ।”

ମୁଁ ଭାବୁଥିଲି ମୋ ବାପା ସତରେ ଭାରି ମିଛୁଆ ।

ସେଦିନ ମୁଁ ଭୁଲ କରିନଥିଲି,…

ଭୁବନେଶ୍ୱର: “ଜୀବନରେ ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି । କିନ୍ତୁ କିଛି ଭୁଲ୍ ସାରା ଜୀବନକୁ ପ୍ରଭାବିତ କରେ। ହୁଏତ ସେଦିନର ଭୁଲ ମୋ ଜୀବନକୁ ପ୍ରଭାବିତ କରିଛି । କିନ୍ତୁ ସେଦିନର ଭୁଲ ଯୋଗୁ ମୁଁ ଆଜି ନିଜକୁ ପାପୀ ବୋଲି ଭାବିବା ଅନୁଚିତ୍ । ସେଦିନ ହୁଏତ ମୁଁ ଭୁଲ୍ କରିଥିଲି, କିନ୍ତୁ ମୁଁ କୌଣସି ପାପ କରି ନ ଥିଲି । ମନର ଭୋକ ପରି ଭଲପାଇବାର ଭୋକ ବି ସାଧାରଣ ମଣିଷଙ୍କ ଭଳି ମୋ ପାଖରେ ଥିଲା। ନିଜକୁ ଜଣେ ପାପୀ କରିବାର ଅବକାଶ ନ ଥିଲା। ଜଣେ ପାପ କରୁଥିବା ମଣିଷ ଶତ ପ୍ରତିଶତ ଜାଣିଥାଏ ଯେ, ସେ ପାପ କରୁଛି। ଏଣୁ ବିଫଳ ହେବାର ସମ୍ଭାବନା ତା ପାଖରେ କ୍ଷୀଣ। କିନ୍ତୁ ମୋ ଭଳି ଜଣେ ଅଜ୍ଞାନୀ ମଣିଷ ପାଖରେ କୌଣସି ପଥ ନ ଥିଲା। ଆଉ ଖାସ୍ ସେଇଥି ପାଇଁ ମୁଁ ସେଦିନ ସେମିତି କରିବାକୁ ଯାଇଥିଲି। ଜାଣିଛନ୍ତି ମୋ କାହାଣୀ କ’ଣ ? ଏମିତି କ’ଣ ମୁଁ କରିଥିଲି, ଯାହାକୁ ଆପଣ କହିବେ ପାପ, ଆଉ ମୁଁ କହିବି ଅଜ୍ଞତା !”
ଭଲ ପାଇବା କଣ ଭୁ’ଲ
ଭଲ ପାଇବା କଣ ଭୁଲ? ଭଲ ପାଇବାର ଲାଳସା ମୋ ଭିତରେ ଜମାଟ ବାନ୍ଧିବାର ମୁଖ୍ୟ କାରଣ ଥିଲା ମୋ ବ୍ୟକ୍ତିଗତ ଜୀବନଶୈଳୀ। ମୁଁ ଏମିତି ଗୋଟେ ପରିବାରରେ ଜନ୍ମ ନେଇଥିଲି ଯୋଉଠି ବାପା, ମା’ଙ୍କ ଭଲପାଇବା ଟିକକ ମିଳିବା ମୋ ପାଇଁ ରକ୍ଷଣଶୀଳତାର ବେଡ଼ିରେ ଛନ୍ଦି ହୋଇଯାଇଥିଲା। ମୁଁ ପିଲାବେଳେ ଅନ୍ୟଙ୍କଠାରୁ ସ୍ନେହ ଓ ପ୍ରେମ ପାଇବା ପାଇଁ ବିକଳ ହେଉଥିଲି। ବାପାଙ୍କ ଭଲ ପାଇବା ମୋ ପାଇଁ ବାସ୍ତବରେ ଏକ ବଡ଼ ଅଭିଳାଷ ଥିଲା। କିନ୍ତୁ ସେ ଭଲପାଇବା ମୋତେ ପ୍ରାପ୍ତ ହେଲାନାହିଁ। ସ୍କୁଲ ଗଲି, ପାଠ ପଢ଼ିଲି। ବଦଳୁଥିବା ସମାଜ ମୋ ସାମ୍ନାରେ ଗତିଶୀଳ ହେଉଥିଲା। ଦେହକୁ ଲାଜ ଛୁଇଁବା ପରେ ଏ କଥା ମୁଁ ସ୍ପଷ୍ଟ ଭାବେ ଅନୁଭବ କଲି।
ଧୀରେ ଧୀରେ ମୋର ଏସବୁକୁ ଅନୁଭବ କରିବା ବଳବତ୍ତର ହେଲା । ବିଶେଷକରି ସାଙ୍ଗସାଥୀଙ୍କ ସହ କଥା ହେବା ପରେ ଇପ୍ସିତ ସ୍ୱପ୍ନର ରାଜକୁମାର କଥା ମୁଁ ଭାବିବସେ। ନିଜକୁ ସଜାଇ ଦିଏ ଜଣେ ପରୀ ଭଳି। ଭାବନାତ୍ମକ ଦୃଷ୍ଟିରେ ମୁଁ ପାଲଟିଯାଏ ଗୋଟେ ପ୍ରେମିକା। ପତଙ୍ଗଟିଏ ଭଳି ଅଗ୍ନିରେ ଝାସ ଦେଇ ସେଇ ଆନନ୍ଦରେ ଅଭିଭୂତ ହେବାକୂ ମୁଁ ଶତଚେଷ୍ଟା କରୁଥାଏ। ପରିବର୍ତ୍ତନର ଆଭାସ ମୁଁ ବାରି ପାରୁଥିଲି ସେତେବେଳେ ମୋ ଦେହରୁ।
ମୁଁ ଆଉଟିକେ ବଡ଼ ହେଲି। କଲେଜ ଗଲି। ସେତେବେଳେ ଏଇ ପୁରଷର ମାନସିକତାକୁ ମୁଁ ଆଉ ଟିକେ ଭଲ ଭାବରେ ଦେଖିଲି। ମୋ ପାଇଁ ଯାହା ସ୍ୱପ୍ନ ଥିଲା ସେଠି ମୋ ସାଥିମାନଙ୍କ ପାଇଁ ସେ ସବୁ ଥିଲା ବାସ୍ତବତା । ସମସ୍ତଙ୍କର କେହି ନା କେହି ବୟଫ୍ରେଣ୍ଡ ଥିଲେ। ରବିବାର ସେମାନେ ସବୁ ଫିଲ୍ମ ଯାଆନ୍ତି, ବିୟୁଟି ପାର୍ଲର୍ ବି ଯାଆନ୍ତି। ସେତେବେଳେ ସେମାନଙ୍କଠାରୁ ପ୍ରଥମଥର ପାଇଁ ଡେଟିଂ କରୁଥିବା କଥାଟି ଶୁଣିଥିଲି । ପରେ ସେମାନେ ଡେଟିଂ ସମୟରେ ସେଇ ସବୁ ରୋମାଣ୍ଟିକ୍ ମୁହୂର୍ତ୍ତ ସବୁକୁ କିଭଳି ଅଙ୍ଗେ ନିଭାନ୍ତି ସେକଥା ମତେ ଟିକିନିଖ୍ କୁହନ୍ତି। ମୁଁ ଖୁସି ହୁଏ। ମନ ବିଚଳିତ ହୁଏ। କ’ଣ ହୁଏ କେଜାଣି ମୋ ଦେହରେ !
ତା’ ପରେ ଭାବେ, ମୁଁ ବୋଧହୁଏ ସୁନ୍ଦରୀ ନୁହେଁ। କୋଉ ପୁଅ ମତେ କାଇଁ ପଟିବ ଯେ? ମୁଁ ବିଚଳିତ ହୁଏ। ଏକା ଏକା ବସି ଭାବେ। ନିର୍ଦ୍ଧିଷ୍ଟ ଭାବେ କହିଲେ ମୁଁ ଡିପ୍ରେସନ୍କୁ ଚାଲିଯାଏ। ଏକାକୀ ବୋଧ ମତେ ବିଚଳିତ କରିପକାଏ। ସତରେ ମୁଁ ମୋ ଅଯୋଗ୍ୟତାକୁ ସ୍ୱୀକାର କରି ନେଇଥିଲି ଯେମିତି।
ମୁଁ ପ୍ରେମିକଟେ ଚାହୁଁଥିଲି। ଖାସ୍ ସେଇଥିପାଇଁ ବୋଧହୁଏ ଇଣ୍ଟରନେଟ୍ ଚ୍ୟାଟିଂରେ ବ୍ୟସ୍ତ ରହୁଥିଲି। ଦୀର୍ଘ ସମୟ ଧରି କୌଣସି ଅଜଣା ପୁଅ ସହ ଗପୁଥିଲି। ଆପଣଙ୍କ ଭାଷାରେ କହିପାରନ୍ତି ମୁଁ ଗୋଟେ ବ୍ଲାଇଣ୍ତ ଡେଟ୍ରେ ଚାଲି ଯାଉଥିଲି ସେଇ ତଥା କଥିତ ପ୍ରେମିକମାନଙ୍କ ସହ। ହେଲେ କାହାକୁ କେବେ ସ୍ୱଦେହରେ ମୁଁ ଭେଟି ନ ଥିଲି। ପ୍ରେମିକଟିଏ ପାଇବାର ବିଫଳତା ମତେ ଅନ୍ୟମନସ୍କ କରୁଥିଲା।
ଯାହା ପାଗଳାମୀର ରୂପ ନେବାକୁ ଆରମ୍ଭ କଲା। ଦିନେ ମୋତେ ଭେଟିବାକୁ ମୋ ଜଣେ ସମ୍ପର୍କୀୟ ଭାଇ ମୋ ହଷ୍ଟେଲକୁ ଆସିଲେ। ମୁଁ ସମସ୍ତଙ୍କୁ କହିଦେଲି ମୋ ବୟଫ୍ରେଣ୍ଡ ଆସୁଛି ବୋଲି। ସେ ମୋ ପାଖକୁ ଆସିବାର ଠିକ୍ କିଛି ଦିନ ପୂର୍ବରୁ ମୁଁ ଟେଲିଫୋନ୍ ରିସିଭର ଉଠାର ବ୍ଲାଙ୍କ କଲ୍ରେ ଢେର ସମୟ ମନକୁ ମନ ଗପୁଥିଲି। ଭାବୁଥିଲି ସମସ୍ତେ ଅନୁଭବ କରନ୍ତୁ ମୁଁ ବି ପ୍ରେମ କରିପାରେ।
ମ୍ୟାନେଜମେଣ୍ଟ କଲେଜରେ ଜଏନ୍ କଲି। ଏଠି ପ୍ରେମ କରିବା କି ସେକ୍ସ କରିବା ସେମିତି କିଛି ବଡ଼ କଥା ନ ଥିଲା। ସବୁ ଠିକ୍ ଠାକ୍ ପାରସ୍ପରିକ ସହମତିରେ ଚାଲିଥିଲା। ମୋତେ ବି କେହି ଜଣେ ମିଳିଗଲେ ଏଠି। ମୁଁ ପାଦ ତଳେ ଲାଗୁ ନ ଥାଏ। ଜୀବନ ବ୍ୟାପୀ ଯେଉଁ ସବୁ ଅଶା ସଞ୍ଚିଥିଲି ସେ ସବୁ ଏଠି ଫଳବତୀ ହେବାକୂ ବସିଥାଏ। ମୁଁ କାହାର ପ୍ରେମିକା ପାଲଟି ଯାଇଥାଏ, ସତସତିକା। ମ୍ୟାନେଜମେଣ୍ଟ କଲେଜରେ ମୋର ପ୍ରଥମ ପ୍ରେମ ମୋତେ ଯେତିକି ଭଲ ଲାଗୁଥାଏ ସେତିକି କଣ୍ଟା ଭଳି ଫୋଡ଼ି ହୁଏ। କାରଣ ସେଇ ପ୍ରେମିକ ଜଣକ ମୋ ପ୍ରତି କମିଟେଡ୍ ନ ଥିଲେ କିନ୍ତୁ ମୁଁ ସାବିତ୍ରୀ ଭଳି ତାଙ୍କୁ ହିଁ ମୋର ସତ୍ୟବାନ୍ ରୂପେ ପ୍ରାପ୍ତ କରିବାକୁ ପ୍ରତୀକ୍ଷା କରିଥିଲି। ହେଲେ ପରିଣାମ ଭୟଙ୍କର ହେଲା।
ସାବିତ୍ରୀ ସତ୍ୟବାନ୍ଙ୍କ ପାଇଁ ଉପବାସ କରିଥିଲେ, ହେଲେ ଏଠି ମୁଁ ପ୍ରେମିକାଟିଏ ହେବାକୁ ମୋର ତଥାକଥିତ ସତ୍ୟବାନ୍ଙ୍କ ସହ ସେକ୍ସ କଲି। ଭାବିଥିଲି ସେକ୍ସ ହିଁ ଗୋଟିଏ ମାଧ୍ୟମ ଯାହା ତାଙ୍କ ସହ ମୋର ସମ୍ପର୍କକୁ ମଜଭୁତ୍ କରିବ ଆଉ ଏକାଠି ହୋଇ ପାରିବୁ ସବୁଦିନ ପାଇଁ। ହୁଏତ ମୋ ସହ ସେକ୍ସ କରିବା ପରେ ସେ ମତେ କେବେ ଛାଡ଼ିବେନି। କିନ୍ତୁ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ସେ ମୋତେ ପରିତ୍ୟାଗ କଲେ। ନିଜ ଶରୀରକୁ ମୁଁ ଧିକ୍କାର କଲି। ଗଭୀର ଆତ୍ମଦହନରେ ଦ୍ରଵୀଭୁତ ହେବା ପରେ ନିଜ ଶରୀରକୁ ମୁଁ ଥୁ’ ବୋଲି କହିଲି। ତାଙ୍କ ସହ ସେଇ ଅନ୍ତରଙ୍ଗତା ପାଇଁ ଯଦି ମୁଁ ଗର୍ଭବତୀ ହୋଇଯାଏ, ମୋତେ କେହି ବିବାହ କରିବେନି। ମୁଁ ସମାଜ ଆଗରେ ଲଜ୍ଜିତ ହେବି । ଏହା ଭାବି ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲି। ଡାହାଣ ହାତର ଶୀରା କାଟିଦେଲି।
କିନ୍ତୁ କିଛି କ୍ଷଣ ପରେ ବିଚଳିତ ହୋଇ ମୃତ୍ୟର ନିର୍ଣ୍ଣୟ ଜୀବନ ବଞ୍ଚିବାର ମୋହ ଆଗରେ ହାର ମାନିଗଲା। ମତେ ପହଞ୍ଚାଇଦେଲା ପୁନାର ସେହି ହସ୍ପିଟାଲରେ। ମୁଁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ହାବୁଡ଼ରେ ପଡିଲି। ସେ ଚିକିତ୍ସା କଲେ ହାତରେ ପଟି ବାନ୍ଧି ମୋତେ ସମ୍ଭାବ୍ୟ ମୃତ୍ୟୁରୁ ପୁଣି ଥରେ ଜୀବନମୁହାଁ କରାଇଲେ।
ମୁଁ ବଞ୍ଚିଗଲି। ବାପା ଏ କଥା ଜାଣିବା ପରେ ନିଜ ନିଷ୍ପତ୍ତି ଶୁଣାଇଦେଲେ। ତୁରନ୍ତ ମୋ ବିବାହ ସ୍ଥିର ହେଲା। ମୋର ହୃଦୟ ଭାଙ୍ଗିଥିଲା, ମୁଁ ପ୍ରେମ ପାଇବାରୁ ବଞ୍ଚିତ ହେଉଥିଲି ଏହି କ୍ଷତିର ଭରଣା ପାଇଁ ମୋର ବିବାହ ସ୍ଥିର ହେଲା ତାହା ନୁହେଁ ବରଂ ସନ୍ତାନ ଜନ୍ମର ଅଭୀପ୍ସା ଆଉ ମୋ ତଥା ମୋ ପରିବାରର ଆତ୍ମଗ୍ଲାନିର ରକ୍ଷା ପାଇଁ ସମ୍ଭବତଃ ଏପରି ଥିଲା ନିଷ୍ପତ୍ତି।
ଆଜି ମୁଁ ଏମିତି..
ମୁଁ ଆଜି ଜଣେ ୬ ବର୍ଷୀୟ ପୁଅର ଜନନୀ। ଯାହାର ପିତା ତାକୁ ଛାଡ଼ି ଚାଲିଯାଇଛନ୍ତି। ଏକେଲା ପଣ ମୋ ପାଖରେ ଏବେବି ସେମିତି ଅଛି ଯେମିତି ଥିଲା। କିନ୍ତୁ ଆଜି ମୋ ପୁଅ ମୋର ସର୍ବସ୍ୱ ପାଲଟି ଯାଇଛି। ଯାହା ମୁଁହକୁ ଚାହିଁ ମୁଁ ମୃତ୍ୟୁ ପର‌୍ୟ୍ୟନ୍ତ ଅନ୍ତତଃ ବାସ୍ତବିକ ଜୀବନ ଜୀଇଁ ପାରିବି ବୋଲି ଭାବୁଛି।
ମୁଁ ସବୁବେଳେ ଭାବେ ମୁଁ ପ୍ରେମରେ ପଡ଼ିଥିଲି କିନ୍ତୁ ପ୍ରେମରେ କେବେ ବଢ଼ିପାରିନି। ଏହା କ’ଣ ମୋର ଭାଗ୍ୟ ଥିଲା, ମୁଁ କ’ଣ ଜଣେ ଅନୁଚିତ୍ ପୁରୁଷର ଚୟନ କରି ନିଜ ଭାଗ୍ୟକୁ ଅନ୍ଧକାରକୁ ଠେଲି ଦେଇଥିଲି ? ଏମିତି ଅନେକ ପ୍ରଶ୍ନ ଆଜି ମୋତେ ଆନ୍ଦୋଳିତ କରେ। ଜଣେ ପ୍ରାପ୍ତ ବୟସ୍କା ନାରୀଟିଏ ଭାବେ ମୁଁ ଆଜି ଗୋଟିଏ କଥାରେ ଅଟକିଛି, ଯଦି ସେଦିନ ମୁଁ ଜାଣିଥାନ୍ତି କେମିତି ନିଷ୍ପତ୍ତି ନିଆଯାଏ, ତେବେ କ’ଣ ଏତେ ସବୁ ଘଟଣା ହୋଇଥାନ୍ତା ?
ବି.ଦ୍ର. – ପଲ୍ଲବୀ ନାମ୍ନୀ ଜଣେ ମହିଳାଙ୍କ ଏହି କାହାଣୀଟି The Logical Indian Crewରୁ ସଂଗୃହୀତ

ପଣସ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃଦରୋଗକୁ ଦୂର କରାଏ

ଭୁବନେଶ୍ୱର: ଅନେକ ଲୋକ ପଣସ ଖାଇବାକୁ ବେଶ୍ ଭଲ ପାଆନ୍ତି। ପଣସ କଠାକୁ ତରକାରୀ, ବରା ଓ ବିଭିନ୍ନ ଉପାୟରେ ଲୋକମାନେ ରୋଷେଇ କରି ଖାଇବାକୁ ଭଲପାଆନ୍ତି। ସେହିପରି ଏହା ପାଚିଗଲେ ମଧ୍ୟ ଲୋକମାନେ ଏହାର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହା ସ୍ୱାଦରେ ଯେମିତି ଭଲ, ଶରୀର ପକ୍ଷେ ମଧ୍ୟ ସେତିକି ଭଲ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଭିଟାମିନ୍-ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ଭିଟାମିନ-ଇ, କାର୍ବୋହାଇଡ୍ରେଟ୍ସ୍, ସେଲେନିୟମ୍ ଓ ପୋଟାସିୟମ୍ ଏଥିରେ ପ୍ରଚୁର ମାତ୍ରାରେ ଅଛି। ଯାହାକି ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପଣସରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ।
• ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଉପକାରୀ। ପଣସକଠାକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ପ୍ରତିଦିନ ପିଇଲେ ଆଜମା ରୋଗରୁ ଉପଶମ ମିଳିଥାଏ।
• ପଣସରେ ଥିବା ଭିଟାମିନ୍ ‘ସି’ ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।
• ପଣସରେ ଥିବା କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ ହାଡ଼କୁ ମଜଭୂତ କରିଥାଏ।
• ପଣସ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଏଜେଣ୍ଟ ପରି ମଧ୍ୟ କାମ କରିଥାଏ। ଫଳରେ ଆମ ଚେହେରାର ସୌନ୍ଦର‌୍ୟ୍ୟ ରକ୍ଷା ହେବା ସହ କେଶର ମଧ୍ୟ ରକ୍ଷା ହୋଇଥାଏ।
• ପଣସରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦରୋଗ ଜନିତ ରୋଗରୁ ମଧ୍ୟ ସୁରକ୍ଷିତ ରଖିଥାଏ।
• ଏଥିରେ ଥିବା ଆଇରନ୍ ଏନିମିଆ ଓ ଅଲସର୍ ପରି ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ ରଖିଥାଏ।

ମଥୁରାନଗରୀ କଂସଙ୍କ ଶାସନରେ ଥରହର

ବରଗଡ଼ : ଗତକାଲିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଦୁଲୁକୁଛି ବରଗଡ଼ ସହର। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି।

ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି।

ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ ମଥୁରାନଗରୀ କାରାଗୃହରେ ଶ୍ରୀକୃଷ୍ଣ ଜନ୍ମ ନେବେ। ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବେ। ଉଗ୍ରସେନଙ୍କ ସହ ଭେଟ ଓ ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦରାଜାଙ୍କ ଘରେ ପ୍ରବେଶ ଦୃଶ୍ୟ ଅଭିନୀତ ହେବ। ଏହାସହ ବିଜୁଳି କନ୍ୟାଙ୍କୁ ଧରି ବସୁଦେବ ମଥୁରା ପ୍ରତ୍ୟାବର୍ତ୍ତନ କରିବେ।

ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପଦାର୍ପଣ କରିଛି। ଗତକାଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଧନୁଯାତ୍ରାକୁ ଉଦ୍‌ଘାଟନ କରିଥିଲେ।

କ୍ରିକେଟର ହେବାକୁ ଲକ୍ଷ୍ୟ ରଖି ନଥିଲେ ମୟଙ୍କ

ନୂଆଦିଲ୍ଲୀ: ୨୭ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ଏବେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏକ ଜଣାଶୁଣା ନାଁ ପାଲଟି ଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ସେ ଡେବ୍ୟୁ କରିଥିଲେ। ମେଲବର୍ଣ୍ଣରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ହନୁମା ବିହାରୀଙ୍କ ସହିତ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ମୟଙ୍କ। ପଦାର୍ପଣ ମ୍ୟାଚ୍‌ରେ ସେ ୭୬ ରନ୍ କରି ସମସ୍ତଙ୍କ ମନ ଜିଣି ନେଇଥିଲେ। ସେହିଭଳି ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ସେ ୪୨ ରନ୍ କରିଥିଲେ।

ଏବେ ସିଡ୍‌ନୀରେ ଜାନୁଆରୀ ୩ ତାରିଖରୁ ଚାଲିଥିବା ଚତୁର୍ଥ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୭୭ ରନ୍ କରିଥିଲେ। ଏଥର ବି ସେ ଇନିଂସ୍ ଓପନ୍‌ କରିବାକୁ ଆସି ଏହି ରନ୍ ସଂଗ୍ରହ କରିଥିଲେ ଓ ଭାରତକୁ ଏକ ଭଲ ପ୍ରାରମ୍ଭ ଦେଇଥିଲେ।

ଅଷ୍ଟ୍ରେଲିଆ ମାଟିରେ କ୍ୟାରିୟରର ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସ୍‌ରେ ୫୦ରୁ ଅଧିକ ରନ୍ କରି ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଥିବା ମୟଙ୍କ ପିଲା ବେଳେ କ୍ରିକେଟର ହେବା ପାଇଁ ସ୍ୱପ୍ନ ଦେଖି ନଥିଲେ। ସେ ପାଇଲଟ୍ ହେବାକୁ ଚାହୁଁଥିଲେ। କାରଣ ପିଲାବେଳେ ବିମାନ ପ୍ରତି ତାଙ୍କର ଏକ ଭିନ୍ନ ଆକର୍ଷଣ ଥିଲା। ତେଣୁ ସେ ବିଜ୍ଞାନ ପଢ଼ିବାକୁ ଚାହୁଁଥିଲେ ଓ ପରେ ପାଇଲଟ୍ ହେବାକୁ ଲକ୍ଷ୍ୟ ରଖିଥିଲେ। ‘ବିସିସିଆଇ.ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ମୟଙ୍କ କହିଛନ୍ତି, କର୍ଣ୍ଣାଟକ ପାଇଁ ଖେଳିବା ପରେ ମୁଁ କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ମନ ବଳାଇଥିଲି। ମୋ ବାପାମା’ ବି ମତେ ସମର୍ଥନ କରିଥିଲେ। ତେବେ ଅନ୍ୟ ବିକଳ୍ପ ବି ଖୋଲା ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

ଡେବ୍ୟୁ କରିବା ପାଇଁ କୋଚ୍ ରବି ଶାସ୍ତ୍ରୀ ପ୍ରସ୍ତୁତ ହେବାକୁ କହିବା ପରେ ସେ ବିଶ୍ୱାସ କରିପାରି ନଥିଲେ ବୋଲି କହିଛନ୍ତି।

ରଣଜୀ ଟ୍ରଫିରେ ମୟଙ୍କ କର୍ଣ୍ଣାଟକ ପକ୍ଷରୁ ଖେଳି ୫୦.୨୨ ହାରରେ ୩,୭୦୦ ରନ୍ କରିଛନ୍ତି।

ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ

ଭୁବନେଶ୍ୱର – ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।