ଶ୍ରୀମନ୍ଦିରରୁ ଚୋରି


ପୁରୀ,୨ା୪: ସୋମବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମମନ୍ଦିରରୁ ହୁଣ୍ଡିଟଙ୍କା ଓ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଚାରିପଟେ ୨୪ଘଂଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ଥିବା ସତେ୍ୱ କିପରି ଚୋରି ହେଲା ତାହା ଭକ୍ତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ଏସପି ଡା. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଓଡିଶା ପୁଲିଓ, ଜଗନ୍ନାଥ ଟେମ୍ପୁଲ ପୁଲିସ ଓ ଆବଶ୍ୟକ ସୁରକ୍ଷା କର୍ମୀ ଥିବାବେଳେ ଶ୍ରୀମନ୍ଦିର ପରିସରରୁ ଚୋରି ହେବା ଘଟଣାକୁ ଗୁରୁତର ସହ ପୁଲିସ ବିଚାର କରୁଛି । ଏଥିରେ କାହାର ହାତ ଅଛି, କିଏ ଏଭଳି କାଣ୍ଡ ଘଟାଇପାରେ, କେଉଁମାନେ ଏଥିରେ ସାମିଲ ଅଛନ୍ତି, ଏହି ଚୋରିର ମାଷ୍ଟର ମାଇଣ୍ଡ କିଏ ସେ ସଂପର୍କରେ ସିଂହଦ୍ୱାର ପୁଲିସ ଖୋଳତାଡ ଆରମ୍ଭ କରିଛି । ଦୁର୍ବୃତମାନେ ରାମମନ୍ଦିରର ଲୁହା କବାଟକୁ କଟର ସାହାଯ୍ୟରେ କାଟି ଭିତରେ ଥିବା ହୁଣ୍ଡିକୁ ଭାଙ୍ଗିଥିଲେ । ହୁଣ୍ଡିରେ ଥିବା ୧୨ହଜାର ଟଙ୍କା, ଛୋଟ ପିତଳ ମୂର୍ତି ଓ ଶାଳଗ୍ରାମଗୁଡିକ ଚୋରି କରିନେଇଥିଲେ । ରାତି ସାଢେ ୧୧ଟା ପରେ କୌଣସି ଦୁର୍ବୃତ ମନ୍ଦିର ଭିତରେ ପ୍ରବେଶ କରି ଏହି ଚୋରି କରିଥିବା ସନ୍ଦେହ କରାଯାଉଛି ।
ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଟାର୍ଗେଟ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ଶ୍ରୀମନ୍ଦିରର ଚାରିପଟେ ସିସିଟିଭି ଖଞ୍ଜାଯାଇଥିବାବେଳେ ଚୋର କିପରି ଶ୍ରୀମନ୍ଦିରରେ ପ୍ରବେଶ କଲା ତାହା ପୁଲିସ ଜାଣିପାରିଲା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି

Add a Comment