ଶ୍ରୀରାମାନୁଜାଚାର୍ଯ୍ୟ – Shri Ramanujacharya

ଶ୍ରୀରାମାନୁଜାଚାର୍ଯ୍ୟ କରୁଣା ଓ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସନ୍ଥ ଭାବରେ ସେ ସକଳ ଜୀବର କଲ୍ୟାଣ କାମନା କରୁଥିଲେ । ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଗୁୁରୁ ଏକ ମନ୍ତ୍ର ଶିକ୍ଷା ଦେଇଥିଲେ- ନାରାୟଣ ମନ୍ତ୍ର । ଏହି ମନ୍ତ୍ର ଯାହାଙ୍କ କାନରେ ପଡ଼ିବ ସେ ସକଳଦୁଃଖ, ପାପତାପରୁ ମୁକ୍ତି ପାଇଯିବ ବୋଲି ଗୁରୁ କହିଥିଲେ । ତେବେ ସତର୍କ କରାଇ ଦେଇଥିଲେ ଏହି ମନ୍ତ୍ରକୁ ବଡ଼ ପାଟିରେ ଜପ ନ କରିବା ପାଇଁ । ବଡ଼ ଶ୍ରଦ୍ଧାରେ ଏହି ମନ୍ତ୍ର ଜପ କରୁଥାନ୍ତି ରାମାନୁଜାଚାର୍ଯ୍ୟ । କର୍ଣ୍ଣକୁହରରେ ସର୍ବଦା ପ୍ରତିବିମ୍ବିତ ହେଉଥିଲା ଗୁୁରୁଙ୍କ କଠୋର ନିର୍ଦେଶ- “ଏହି ମନ୍ତ୍ରକୁ ଉଚ୍ଚସ୍ୱରରେ ଜପ କରିବ ନାହିଁ ।’
ରାମାନୁଜାଚାର୍ଯ୍ୟ ପ୍ରତ୍ୟହ ଦେଖୁଥିଲେ ନିଜ ଚତୁଃପାଶ୍ୱର୍ରେ ଥିବା ଲୋକମାନଙ୍କୁ, ଯେଉଁମାନେ କିଛିନା କିଛି ଦୁଃଖ, ଅବସାଦରେ ଘାଣ୍ଟି ହେଉଥିଲେ । ବିଷଣ୍ଣ ମନରେ ସେ ଭାବୁଥିଲେ କିଭଳି ଏଇ ଲୋକମାନଙ୍କ ଦୁର୍ଦଶାର ଅପନୋଦନ ହୋଇପାରିବ? ବେଶ୍‍ କିଛିଦିନ ଏଇପରି ଭାବିବା ପରେ ଶେଷରେ ଦିନେ ତାଙ୍କର ଧ୍ୟାନ କେନ୍ଦ୍ରିତ ହେଲା ଗୁରୁମନ୍ତ୍ର ଉପରେ । ମନେମନେ ଭାବିଲେ ଯଦି ଏଭଳି ଏକ ମନ୍ତ୍ର ଶିଖିଛି ତେବେ ଏହା ଜନକଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗ ନକରିବି କାହିଁକି? ତେବେ ଠିକ୍‍ ପରମୁହୂର୍ତ୍ତରେ ଗୁରୁଙ୍କର ନିର୍ଦେଶ ଉଲ୍ଲଙ୍ଘନ ଓ ତଜ୍ଜନିତ ଗୁରୁୁଙ୍କ କ୍ରୋଧର ପାତ୍ର ହେବା ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । ଦିନେ ତାଙ୍କର ଦୟାର୍ଦ୍ର ଚିତ୍ତ ମନ୍ତ୍ରୋଚ୍ଚାରଣ ପ୍ରସଙ୍ଗରେ ବିଦ୍ରୋହ କରି ଉଠିଲା ।
ରାତି ପାହି ଆସୁଥାଏ । ବ୍ରାହ୍ମ ମୁହୂର୍ତ୍ତରେ ପକ୍ଷୀମାନେ ବିଚିତ୍ର କଳରବ କରି ନୀଡ଼ରୁ ଖାଦ୍ୟସନ୍ଧାନରେ ବାହାରକୁ ଉଡ଼ିଯାଉଥାନ୍ତି । ମନ୍ଦିରରେ ପ୍ରାତଃକାଳୀନ ଆରତି ଘଣ୍ଟଘଣ୍ଟିର ଧ୍ୱନି ଶୁଭୁଥାଏ । ଲୋକେ ଶଯ୍ୟାତ୍ୟାଗ କରି ଯିଏ ଯାହାର କାର୍ଯ୍ୟକରିବା ନିମନ୍ତେ ପ୍ରସ୍ତୁତ ହେଉଥାନ୍ତି । ରାମାନୁଜାଚାର୍ଯ୍ୟ ନିଜ ପର୍ଣ୍ଣ କୁଟୀରର ମଥାନକୁ ଉଠିଗଲେ । ସମସ୍ତେ ଶୁଣିପାରିଲା ଭଳି ଉଚ୍ଚସ୍ୱରରେ ଗୁରୁମନ୍ତ୍ର ପାଠ କରିବାକୁ ଲାଗିଲେ ।
ଏହି ମନ୍ତ୍ର ଉଚ୍ଚସ୍ୱରରେ ପଢ଼଼ୁଥିଲାବେଳେ ନିକଟରେ ଥିବା ଗୁରୁ ଏହା ଶୁଣିବାକୁ ପାଇ ଚକିତ ହୋଇଗଲେ । ନିଜର ଏକାନ୍ତ ଅନୁଗତ, ବିଶ୍ୱସ୍ତ ଶିଷ୍ୟର ଏଭଳି ଆଚରଣରେ ସ୍ତମ୍ଭୀଭୂତ ହୋଇ କୁଟୀର ବାହାରକୁ ଆସି ଶିଷ୍ୟଙ୍କ ଉଦ୍ଦେଶ୍ୟରେ କହିଲେ- “ରାମାନୁଜ! ତୁମେ ଏ କ’ଣ କଲ? ଗୁରୁଙ୍କ ଆଦେଶ ଉଲ୍ଳଙ୍ଘନ କଲ କାହିଁକି? ଗୁରୁଦ୍ରୋହ ଅପରାଧରେ ତୁମେ ଖାଲି ଦଣ୍ଡିତ ହେବନାହିଁ, ନର୍କଗାମୀ ହେବ । ତୁମ ଭଳି ଅବିଶ୍ୱସ୍ତ ଶିଷ୍ୟକୁ ଏହି ମନ୍ତ୍ର ଶିକ୍ଷାଦେଇ ମୁଁ ମହାଭୁଲ୍‍ କରିଛି ।’
ରାମାନୁଜ ନମ୍ରଭାବରେ ଉତ୍ତର ଦେଲେ- “ଗୁରୁଦେବ, ଆପଣଙ୍କ ଆଦେଶ ଅବମାନନା ଅପରାଧରେ ନର୍କଗାମୀ ହେଲେ ବି ତାହା ମୋ ପାଇଁ କଲ୍ୟାଣପ୍ରଦ ହେବ; କିନ୍ତୁ ଏହାଦ୍ୱାରା ଅନ୍ତତଃ ଅଗଣିତ ଲୋକଙ୍କର ଦୁର୍ଦଶା ଦୂରହୋଇ ସେମାନଙ୍କ କଲ୍ୟାଣ ହୋଇପାରିବ ତ? ନିଜର ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ମୁଁ ଏହା କରିନାହିଁ, ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ହିଁ ମୁଁ କରିଛି । ଏ ନିମନ୍ତେ ଯେଉଁ ଦଣ୍ଡ ମିଳିବ ତାହା ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ । ସେମାନଙ୍କ ଦୁଃଖଦୁର୍ଦଶା ତ ମୋତେ ଅହରହ ବିଚଳିତ କରୁଥିଲା । ମୁଁ କିପରି ବା ନିଷ୍କ୍ରିୟ ରହିଥାନ୍ତି ।’
ଜଣେ ମହାନୁଭବୀ ଶିଷ୍ୟଠାରୁ ଏଭଳି ଉତ୍ତର ଶୁଣି ଗୁରୁ ଦରଦୀ ଶିଷ୍ୟକୁ ତଳକୁ ଓହ୍ଲାଇ ଆସିବାକୁ କହିଲେ । ରାମାନୁଜ ଓହ୍ଲାଇ ଆସିବାମାତ୍ରେ ତାଙ୍କୁ ଆଲିଙ୍ଗନ କରି କହିଲେ- ତୁମଭଳି ଜଣେ ମହାନୁଭବୀ ଶିଷ୍ୟ ପାଇ ଯଥାର୍ଥରେ ମୁଁ ଗର୍ବିତ ।

Add a Comment