ଶ୍ରୀମନ୍ଦିରରେ କାହିଁକି ବାଳ ଧୂପ ଓ ବାଳ ବେଶ ହୁଏ?

ଭୁବନେଶ୍ୱର: ତଳୁଚ୍ଛ ନାରାୟଣ ମହାପାତ୍ର। ମତିରେ ରତି ଆଉ ଭକ୍ତିକୁ ନେଇ ଜଣେ ଭଲ ସେବକ ଭାବେ ସେ ମହାପ୍ରଭୁଙ୍କ ସେବା କରୁଥା’ନ୍ତି। ସେଦିନ ବି ଠିକ୍‌ ସେମିତି କରିଥିଲେ। ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ସମାପ୍ତ ହେଲା। ଶ୍ରୀମନ୍ଦିରର ପ୍ରମୁଖ ତଥା ସାମନ୍ତ ସେବକ ଭାବେ ସେ ନିଜ ସେବା ସମର୍ପଣ କଲେ ଆଉ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମଇଲମ ହୋଇଥିବା ନାକୁଆସିକୁ ଅତି ଯତ୍ନରେ ନିଜ ଗାମୁଛାରେ ବାନ୍ଧି ନେଲେ। ଘରକୁ ଯିବା ବାଟରେ ନିଜର ପ୍ରିୟତମା ଲାବଣ୍ୟବତୀଙ୍କ ଗୃହ ଆଡକୁ ମୁହାଁଇଲେ ତଳୁଚ୍ଛ।

ମଥାରେ ଚିତା ତିଳକ, ହୃଦୟରେ ପ୍ରେମ। ଏମିତି ଅପୂର୍ବ ସମନ୍ୱୟରେ ସେଦିନ ତାଙ୍କ ହୃଦୟ ଭରି ଉଠିଥିଲା । ଗାମୁଛାରେ ମହାପ୍ରଭୁଙ୍କ ଆଳତି ତୁଳସୀ ଆଉ ଦିବ୍ୟ ନାକୁଆସି ଧରି ସେ ପହଞ୍ଚିଲେ ଦେବଦାସୀ ଲାବଣ୍ୟବତୀଙ୍କ ଘରେ। ସୁନ୍ଦରୀ ପ୍ରିୟତମାର ମୁଖାବଲୋକନ କରୁ କରୁ ତା’ ମଥାରେ ମହାପ୍ରଭୁଙ୍କ ଦିବ୍ୟ ନାକୁଆସିକୁ ଖୋସିଦେଲେ।

ଏତିକି ବେଳେ ଖବର ପହଞ୍ଚିଲା। ଗଜପତି ଶ୍ରୀମନ୍ଦିର ବିଜେ କରିବେ । ମହାପ୍ରଭୁଙ୍କ ଦର୍ଶନ କରିବେ।

ପ୍ରେମିକାର ବାହୁ ବନ୍ଧନରୁ ଚମକିପଡି ଉଠି ପଡିଲେ ନାରାୟଣ। ଲାବଣ୍ୟବତୀର କୃଷ୍ଣମୟ ଗଭାରୁ ଛଡ଼ାଇ ଆଣିଲେ ମହାପ୍ରଭୁଙ୍କ ଶ୍ରୀ ନାକୁଆସିଟିକୁ।

କାରଣ ସେ ଜାଣନ୍ତି ଶ୍ରୀମନ୍ଦିର ନୀତି ନିୟମ ବଡ କଠୋର। ଗଜପତି ମନ୍ଦିର ବିଜେ କଲେ ମାନେ ତାଙ୍କ ତାଟରେ ଶ୍ରୀ ନହରରେ ପୂଜିତ ଦେବୀ କନକ ଦୁର୍ଗାଙ୍କ ପାଇଁ ମହାପ୍ରଭୁଙ୍କ ଦିବ୍ୟ ନାକୁଆସିଟି ସମର୍ପଣ ହେବ। ସେଇଆ ହିଁ ହେଲା।

ଦର୍ଶନ ସରିବା ପରେ ମା’ କନକ ଦୁର୍ଗାଙ୍କ ପାଇଁ ଲାବଣ୍ୟବତୀଙ୍କ ଗଭାରୁ ଖସାଇ ଅଣାଯାଇଥିବା ନାକୁଆସିଟିକୁ ତାଟରେ ଥୋଇଦେଲେ ତଳୁଚ୍ଛ ମହାପାତ୍ର।

ହେଲେ ତହିଁ ପରଦିନ ପୁରସ୍ତମ ସାରା ଚହଳ ପଡ଼ିଗଲା। କାଳିଆ ସେବାରେ ବିଭ୍ରାଟ ହୋଇଛି। ଶ୍ରୀ ନହରକୁ ଆସିଥିବା ନାକୁଆସିରେ ଏକ ଲମ୍ବା କେଶ ବା ବାଳ ମିଳିଛି। ଏହା କୌଣସି ନାରୀର କେଶ ହୋଇଥାଇପାରେ ବୋଲି ସନ୍ଦେହ କଲେ ରାଜା।

ତଳୁଚ୍ଛଙ୍କୁ ଡାକରା ଗଲା। ସେବାରେ ତ୍ରୁଟି ହେଉଛି କି ବୋଲି ପ୍ରଶ୍ନ କଲେ ଗଜପତି। ଯାହାର ଉତ୍ତର ଦେଇ ପାରି ନ ଥିଲେ ତଳୁଚ୍ଛ। କାରଣ ସେ ଜାଣିଥିଲେ ତ୍ରୁଟିଟି ତାଙ୍କର।

ହେଲେ ମହାପ୍ରଭୁଙ୍କ ସ୍ମରଣ କରି କହିଲେ,

“ହେ ଗଜପତି, ଏ କେଶଟି ମହାପ୍ରଭୁଙ୍କର’’

ଉତ୍ତର ଶୁଣି ସମସ୍ତେ ହସିଲେ। ହେଲେ ବିରକ୍ତ ହୋଇ ଉଠିଲେ ଗଜପତି। ମହାପ୍ରଭୁଙ୍କ ମଥାରେ କେଶ ନାହିଁ ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ଧୂର୍ତ୍ତ ତଳୁଚ୍ଛ ଏ କଥାଟି କହିଥିବାରୁ ରାଜା ଏହାର ପରୀକ୍ଷା ପାଇଁ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ମଥାରେ କେଶ ପରଖିବା ପାଇଁ ଶ୍ରୀମନ୍ଦିର ବିଜେ କରିବେ ବୋଲି କହିଲେ।

ଅଡୁଆରେ ପଡ଼ିଗଲେ ତଳୁଚ୍ଛ। ମୃତ୍ୟୁଦଣ୍ଡ ଶୁନିଶ୍ଚିତ ବୋଲି ଜାଣିପାରି କାଳିଆ ପାଖରେ ନିଜର ଦୁଃଖ ବଖାଣିଲେ। ତହିଁ ପରଦିନ ମୃତ୍ୟୁ ଦଣ୍ଡ ନିଶ୍ଚିତ ଜାଣିପାରି ତଳୁଚ୍ଛ ରତ୍ନସିଂହାସନ ତଳେ ଛିଡ଼ା ହୋଇଥା’ନ୍ତି। ଗଜପତି ବିଜେ କଲେ ପୋଖରୀଆକୁ। ମହାପ୍ରଭୁଙ୍କ ମଥାରୁ ଅଣ୍ଟାଯାଏ ଦର୍ଶନ କଲେ। ଆଉ ସେହି ବେଶରେ ଅନୁଭବ କଲେ ମହାପ୍ରଭୁଙ୍କ କେଶ ଅଛି ବୋଲି। ହେଲେ ସନ୍ଦେହ ହେବାରୁ କେଶ ଭଳି ଲାଗୁଥିବା ବସ୍ତ୍ର ସମୁହକୁ ଟାଣିଦେଲେ।

ଆଶ୍ଚର୍ଯ୍ୟ ହେଲେ ଗଜପତି,

ଆରେ ଏ ତ ସତରେ କେଶଗୁଚ୍ଛ। ମହାପ୍ରଭୁଙ୍କ ମଥାରେ କେଶ ! ପୁନର୍ବାର ସନ୍ଦେହ ମୋଚନ ଲାଗି ଟାଣିଦେଲେ ଉକ୍ତ କେଶକୁ । ମହାପ୍ରଭୁଙ୍କ ମଥାରୁ ଝରିପଡିଲା ରକ୍ତ। ରାଜା କ୍ଷମା ମାଗିଲେ। ଭକ୍ତର ତ୍ରୁଟିକୁ କ୍ଷମା ଦେଇ ନିଜ ମଥାରୁ ରକ୍ତ ଝରାଇଥିବା କଳା ଠାକୁରଙ୍କ ପାଖରେ ନିଉଛାଳି ହେଲେ।

ଆଉ ତଳୁଚ୍ଛଙ୍କୁ ପାଟ ଖଣ୍ଡୁଆ ଦେଇ ସମ୍ମାନିତ କଲେ।

ସେହିଦିନ ଥିଲା ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ତିଥି। ରାଜାଆଜ୍ଞାରେ ସେହି ବେଶକୁ ନାମ ଦିଆଗଲା “ରାଧା ଦାମୋଦର ବେଶ” ବା ବାଳ ବେଶ ନାମରେ। ଭକ୍ତର ତ୍ରୁଟି ପାଇଁ ସମ୍ମାନିତ ହେଲା ଦାସୀର କେଶ। ଏହି ବେଶ ସହ ଏକ ଧୂପ ଯୋଡ଼ି ଦିଆଗଲା। ନାଁ ହେଡଲା ବାଳଧୂପ। ଯାହା ଆଜି ବି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁଳ୍କ ଦଶମୀ ଯାଏ ଦୀର୍ଘ ୧ ମାସ ବ୍ୟାପୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ଏହି ବେଶ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ଲାଗିହୁଏ ବାଳଧୂପ।

ଆଉ ସୌଭାଗ୍ୟକୁ ଆଜି ହେଉଛି ଚଳିତ ବର୍ଷର ଶେଷ ‘ରାଧା ଦାମୋଦର ବେଶ’ । ଦୀର୍ଘ ଏକମାସ ଧରି ଏହି ବେଶ ଅନୁଷ୍ଠିତ ହୁଏ। କାର୍ତ୍ତିକ ମାସକୁ ଦାମୋଦରଙ୍କ ନାମରେ ନାମିତ କରାଯାଇଥିବାରୁ ଏହି ବେଶ ହୁଏ ବୋଲି କିଛି ବୈଷ୍ଣବପନ୍ଥୀ ଗବେଷକଙ୍କ ମତ।

ବେଶ ଆରମ୍ଭ ସମୟ ଇତିହାସ ଖ୍ରୀଷ୍ଟିୟ ଦ୍ୱାଦଶ ଶତାଦ୍ଦୀରେ ଏହି ବେଶ ଆରମ୍ଭ ହୋଇଥାଇପାରେ ବୋଲି ସ୍ୱର୍ଗତଃ ପଦ୍ମଶ୍ରୀ ସଦାଶିବ ରଥଶର୍ମା ନିଜ ଗବେଷଣା ସନ୍ଦର୍ଭରେ ପ୍ରକାଶ କରିଛନ୍ତି। ଏହି ବେଶ ସମ୍ପର୍କରେ ଇତିହାସରେ ସେଭଳି କିଛି ତଥ୍ୟ ନାହିଁ। ତଥାପି ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରୁ ଏହା ବେଶ ଆରମ୍ଭ ହୋଇଥାଇପାରେ ବୋଲି ଅନୁମାନ କରାଯାଏ।

ବେଶ ଅଳଙ୍କାର ଏହି ବେଶରେ ଶ୍ରୀ ବିଗ୍ରହମାନେ ତ୍ରିକଚ୍ଛ ଧାରଣ କରିଥା’ନ୍ତି। ସୁବର୍ଣ୍ଣ ନଳୀଭୁଜ, ମଥାରେ କନା ଚୁଳ, ତ୍ରିମୁଣ୍ଡି ଅଗ୍ରରେ ଚନ୍ଦ୍ରିକା, କର୍ଣ୍ଣ କୁଣ୍ଡଳ, ଅଣ୍ଟାରେ ଓଡିଆଣି, ମସ୍ତକରେ ତଗଡି, ଚନ୍ଦ୍ର, ସୂର୍ଯ୍ୟ, ଚିତା ଆଦି ଦୁର୍ମୂଲ୍ୟ ଅଳଙ୍କାର ଧାରଣ କରିଥା’ନ୍ତି। ଏହା ବ୍ୟତୀତ ନାକୁଆସି, ଅଧରମାଳ, ଝୋବା, କଣ୍ଠି ଭଳି ପାରମ୍ପରିକ ପୁଷ୍ପ ଓ ବସ୍ତ୍ରାଳଙ୍କାର ପରିଧାନ କରିଥାନ୍ତି ଶ୍ରୀବିଗ୍ରହମାନେ।

Leave a Reply

Your email address will not be published. Required fields are marked *