ଭାଗ୍ୟରେଖା

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇ

କପାଳ ଲିଖନ କେ କରିବ ଆନ । ରାତି ପାହିଲେ ରାମଚନ୍ଦ୍ର ରାଜା ହେବେ । ବନବାସ ଯିବେ ବୋଲି କିଏ ଜାଣି ଥିଲା ? ଭାଗ୍ୟ ଫକିରକୁ ବି ରାଜା କରିଦିଏ କ୍ଷଣିକ ଭିତରେ । ଭାଗ୍ୟ କାଙ୍ଗାଳକୁ ରାଜା ଏବଂ ରାଜାକୁ କାଙ୍ଗାଳ, ଧନୀକୁ ଦରିଦ୍ର ଏବଂ ଦରିଦ୍ରକୁ ଧନୀ କରିଦିଏ । ତେଣୁ ଶ୍ଳୋକରେ କୁହାଯାଇଛି, ‘ରଙ୍କଂ କରୋତି ରାଜାନଂ ରାଜାନଂ ରଙ୍କମେବ ଚ, ଧନିନଂ ନିର୍ଦ୍ଧନଂ ଚୈବ ନିର୍ଦ୍ଧନଂ ଧନିନଂ ବିଧିଃ ।’ ଏକଥା ସ୍ୱୟଂ ସେ ବି ଜାଣି ପାରେ ନାହିଁ । ବିପରୀତ ପରିସ୍ଥିତିରେ ବି ହତୋତ୍ସାହ ନହୋଇ ଆଦର୍ଶ, କର୍ତ୍ତବ୍ୟ ଓ ମୂଲ୍ୟବୋଧରୁ ବିଚ୍ୟୁତ ହୋଇ ନାହାନ୍ତି ବନବାସୀ ରାମଚନ୍ଦ୍ର । ଭାଗ୍ୟ ସିନା କପାଳରେ ଯଦି ନାହିଁ କର୍ମକୁ ତ କେହି ଅଟକାଇ ନାହିଁ । ମହାଭାରତରେ ମହାମାନୀ ଦୁର୍ଯ୍ୟୋଧନଙ୍କ ଭାଗ୍ୟରେ ବି ହସ୍ତିନାପୁରର ରାଜ ସିଂହାସନରୁ ବିଚ୍ୟୁତ ହୋଇଥିଲେ । ଯୋଗ୍ୟତା ଓ ବଂଶାନୁକ୍ରମିକ ଅଧିକାର ବିଷୟରେ ଅନ୍ତର ପରଖି ପାରି ନଥିଲେ ଧୃତରାଷ୍ଟ୍ର ନନ୍ଦନ । ଏଥିରେ ରାଜମୁକୁଟକୁ ନେଇ ରାମଚନ୍ଦ୍ର ଓ ଦୁର୍ଯୋଧନଙ୍କ ଦୁର୍ଭାଗ୍ୟ କହିଲେ ସମାନ ନ ହୋଇ ପାରେ, କାରଣ ଜଣେ ଯୋଗୀ ହେଲେ ଜଣେ ଭୋଗୀ । କେଉଁ ଆସନ ଓ ପଦରେ ଗାରିମା ଅଳଙ୍କୃତ ହୋଇ ନଥାଏ; ବ୍ୟକ୍ତିତ୍ୱ, ଉଦାର ଓ ପରାକ୍ରମ ହିଁ ଆସନର ମର୍ଯ୍ୟାଦା ଉଚ୍ଚ କରେ । ଏକ ଅନୁକୂଳ ବାତାବରଣରେ ପରାକାଷ୍ଠା ପ୍ରକାଶ ପାଇ ନଥାଏ । ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟପଥରେ ଅଗ୍ରସର ହେବା ହିଁ ଅଙ୍ଗିକାରବଧତାର ପ୍ରକୃଷ୍ଟ ଉଦାହରଣ । ଭାଗ୍ୟକୁ ଆଳ କରି ପଛଘୁଞ୍ଚା ଦେଉଥିବା ବ୍ୟକ୍ତି ହିଁ ଦୁଃଖ ପାଇଲେ, ଏହାକୁ ବି ଦୁର୍ଭାଗ୍ୟ ମନେକରେ । ଭାଗ୍ୟରେ ନଥିଲେ ସଫଳତା ଡେରିରେ ମିଳିପାରେ ନ ମିଳିପାରେ କିନ୍ତୁ ଉଦ୍ୟମ ବିନା ଭାଗ୍ୟ ବି ସାଥ ଦିଏ ନାହିଁ । ତେଣୁ ଉଦ୍ୟମ ମନୁଷ୍ୟର ପ୍ରିୟବନ୍ଧୁ, ଭାଗ୍ୟ ନୁହେଁ । ଏଥିପାଇଁ ଶ୍ଳୋକରେ କୁହାଯାଇଛି, ‘ନାସ୍ତ୍ୟୁଦ୍ୟମସମୋ ବନ୍ଧୁର୍ଯଂ କୃତ୍ୱା ନାବସୀଦତି ।’ ସଦା ଉଦ୍ୟମ କରୁଥିବା ବ୍ୟକ୍ତି କଦାପି ବିଫଳ ହୁଏ ନାହିଁ । ଉଦ୍ୟମ ବିନା ଆଶାବାନ ବ୍ୟକ୍ତି ହିଁ ଭାଗ୍ୟର ସାହାରା ନିଅନ୍ତି ।
ଭାଗ୍ୟକୁ ସରଳ ଭାବେ ବୁଝାଇ କହିଲେ, ଯାହା ଆମ ପାଇଁ ଭାଗ୍ୟ ହୋଇପାରେ ତାହା ଆଉ କାହା ପାଇଁ ଦୁର୍ଭାଗ୍ୟ । ଆଜିର ସମାଜରେ ସଭିଏଁ ପୁତ୍ର ଚାହୁଁଥିବା ବେଳେ ଜନ୍ମ ହେଉଥିବା ଝିଅଟି କାହା ପାଇଁ ଭାଗ୍ୟବିଧାତା ହୋଇପାରେ । ସେହିପରି ଆମେ ପାଉଥିବା ମାସିକ ବେତନରୁ ଅଧିକ ପାଇବାକୁ ପ୍ରୟାସ କରି ବିଫଳ ହେବାକୁ ଦୁର୍ଭାଗ୍ୟ ମନେକରୁଥିବା ବେଳେ ସେହି ସମପରିମାଣର ବେତନ କାହାପାଇଁ ସୈାଭାଗ୍ୟ ଠାରୁ ବଳି ହୋଇଥାଏ । ତେଣୁ ଭାଗ୍ୟ ନିର୍ଭର କରେ ଆବଶ୍ୟକତା ଓ ଇନ୍ଦ୍ରିୟଗୁଡିକର ହାବଭାବ ଉପରେ । କଳା ଲୋକଟି ଗୋରା ନହେବାର ମନସ୍ତାପରେ ଥିବାବେଳେ ଗୋରା ଲୋକଟି ଅନ୍ୟ କିଛି କାରଣ ପାଇଁ ନିଜକୁ ଭାଗ୍ୟହୀନ ମନେ କରେ । ଆମେ ଏବେ କହିପାରିବା ଭାଗ୍ୟର ଏକ ନିର୍ଦ୍ଧିଷ୍ଟ ସୀମାରେଖା ନାହିଁ । କିନ୍ତୁ ଏହା ସତ୍ୟ ଯେ ସମସ୍ତଙ୍କ ଭାଗ୍ୟରେ ମୃତ୍ୟୁ ଅଛି । କିଏ ଏହାକୁ ଦୁର୍ଭାଗ୍ୟ ମଣିପାରେ । ପୁନଶ୍ଚ ଏ ସଂସାରରୁ କିଛି ନ ନେଇ ଯାଇ ପାରିବାର ଦୁର୍ଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଥାଏ । ତଥାପି ଅହରହ ଦୈାଡ ଭାଗ୍ୟର ପାତର ଅନ୍ତରକୁ ବିଚାରି । କିଏ ବିଫଳତା ପାଇ ଝୁଣ୍ଟୁଥିବା ବେଳେ କିଏ ସଫଳତାରେ ଗଦଗଦ ହୁଏ । ସଫଳତା ଓ ବିଫଳତା ଭାଗ୍ୟର ଦୁଇଟି ପାଶ୍ୱର୍ କୁହାଯାଇ ପାରେ । ଯେପରି ଦୁଃଖ ଦୁର୍ଭାଗ୍ୟର ପରିଭାଷା ହେଉଥିବାବେଳେ ସୁଖକୁ ଭାଗ୍ୟବାନ ସହିତ ତୁଳନା କରାଯାଏ । ସଂସାରରେ କେହି ଆଜୀବନ ଭାଗ୍ୟହୀନ ହୋଇନଥାଏ । ସମୟର ଚକ୍ର ଅନୁସାରେ କେତେବେଳେ ଭାଗ୍ୟ ସାଥ ଦିଏ ତ କେତେବେଳେ ଦେଇ ନଥାଏ । ସର୍ବଦା ଭାଗ୍ୟସାଥ ଦେବ ଓ ଏହାଦ୍ୱାରା ସର୍ବପ୍ରାପ୍ତି ହେବ ସମ୍ଭବ ନୁହେଁ । ଅନ୍ୟକୁ ଭାଗ୍ୟବାନ ମଣି ନିଜକୁ ଭାଗ୍ୟହୀନ ମଣୁଥିବା ଲୋକେ ହିଁ ବେଶୀ ଦୁଃଖ ପାଇଥାନ୍ତି । ସେଥିପାଇଁ କବି ତ ଲେଖିଲେ, ‘ବିଧିର ବିଧାନ ହେବ ନାହିଁ ଆନ, ଏ ସଂସାର ନୁହେଁ ଚିର ସୁଖ ସ୍ଥାନ । ଚିର ସୁଖ ଏଥି ଲୋଡେ ଯେହୁ ମୁର୍ଖ, ତାହା ଭାଗ୍ୟେ ଏକା ଲେଖା ଚିର ଦୁଃଖ ।’ ତେଣୁ ସୁଖରେ ଆତୁର ଓ ବିପଦେ କାତର ନହେବା ଉଚିତ । ବିପଦ ଓ ଦୁଃଖ ସମୟରେ ଭାଗ୍ୟକୁ ଦୋଷ ନଦେଇ ଏହାକୁ ସାମ୍ନା କରିବା ହିଁ ଏଥିରୁ ମୁକ୍ତିର ବାଟ ବାହାର କରେ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଏହା ଶିଖିବାକୁ ମିଳେ । ପୁଣି କୈାରବ ବଂଶ ନାଶକୁ ଭାଗ୍ୟଲେଖା କହିଲେ, ଅନ୍ୟାୟ, ଅନୀତି, ଦୁଃଶ୍ଚରିତ୍ର ପ୍ରେମୀ ଓ ପାପୀ ଦୁର୍ଯ୍ୟୋଧନକୁ ଭାଗ୍ୟହୀନ କହିବା କି ?
ପୁନଶ୍ଚ କଠୋର ପରିଶ୍ରମ ଅନୁଯାୟୀ ସଫଳତା ପ୍ରାପ୍ତି ନହେଲେ ମନୋବଳ ଭାଙ୍ଗି ଯାଏ । ସମାନ କଷ୍ଟ ସ୍ୱୀକାର କରି ବିଭିନ୍ନ ଲୋକଙ୍କ ସଫଳତା ପରିଣାମ ଭିନ୍ନ ଭିନ୍ନ ହୋଇଥାଏ ସତ; କିନ୍ତୁ ସେତିକି ବି ସଫଳତା ପ୍ରାପ୍ତି ହୋଇ ନଥାନ୍ତା ଯଦି ସମ ଅନୁଶାସନ ପାଳନ କରି କଷ୍ଟ ସ୍ୱୀକାର କରି ନଥାନ୍ତେ । କାରଣ ଭାଗ୍ୟ ଆମ ହାତରେ ନାହିଁ, ଯାହା ଆମ ଦ୍ୱାରା ହୋଇ ପାରିବ ସେଥିରେ ପଛଘୁଞ୍ଚା ଦେବା କାହିଁକି ? ଆମେ ଜାଣନ୍ତି ବିପଦ ଓ ଦୁର୍ଘଟଣା କେତେବେଳ ଆସିବ କହି ଆସି ନଥାନ୍ତି । ତେଣୁ ଭାଗ୍ୟର ବିଳାପ ନକରି ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ଓ ସମୟର ସଦ୍‌ଉପଯୋଗ କଲେ ଉଦ୍ଧାର ହୋଇପାରନ୍ତି । ଭାଗ୍ୟକୁ ନେଇ ଯୋଜନା କରାଯାଏ ନାହିଁ । ସଫଳତା ଓ ବିଫଳତାକୁ ଦୃଷ୍ଟି ନଦେଇ ଯୋଜନାକୁ କାର୍ଯ୍ୟରେ ରୂପାନ୍ୱୟନ କଲେ ଭାଗ୍ୟ ବଦଳିଯାଏ । ଯେଉଁମାନେ ଅଳସୁଆ, ଅନ୍ଧବିଶ୍ୱାସୀ, ପଳାୟନପନ୍ଥୀ ଓ କର୍ମକୋଢି ସେମାନଙ୍କୁ କାପୁରୁଷ କୁହାଯାଇପାରେ । ଉଦ୍‌ଯୋଗୀ ଲୋକଙ୍କୁ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ସମସ୍ତ ପ୍ରୟାସ ଓ ପ୍ରଚେଷ୍ଟା ସତ୍ତ୍ୱେ ସଫଳତା ଆଶାନୁଯାୟୀ ସର୍ବଦା ନ ମିଳିପାରେ କିନ୍ତୁ କର୍ତ୍ତବ୍ୟ ଓ କର୍ମ ବିନା ଚୁପ ହୋଇ ବସି ରହିଲେ ଅବଶୋଷ ହୋଇ ରହିଯିବ ଯେ କାଳେ ଚେଷ୍ଟା କରିଥିଲେ ସଫଳତା ମିଳିଥାନ୍ତା ! ଆଉ ଭାଗ୍ୟରେ ଥିଲା, ଦଇବ ଦେଲା ବୋଲି କାପୁରୁଷମାନେ କହିଥାନ୍ତି । ତେଣୁ ଶ୍ଳୋକରେ କୁହାଯାଇଛି, ‘ଉଦ୍ୟୋଗିନଂ ପୁରୁଷସିଂହମୁପୈତି ଲକ୍ଷ୍ମୀଃ ଦୈବେବ ଦେୟମିତି କାପୁରୁଷା ବଦନ୍ତି ।’ କିନ୍ତୁ ନିଜର ଶକ୍ତି ଅନୁଯାୟୀ ପରାକ୍ରମ ପ୍ରଦର୍ଶନ କରିବାରେ ଅସୁବିଧା କେଉଁଠି ? ସମସ୍ତ ଚେଷ୍ଟାକରି ବଫଳତା ସାଉଁଟିଲେ ଅନ୍ତତଃ ନିଜକୁ ଦୋଷୀ ନ ବିଚାରି ଭାଗ୍ୟକୁ ଦୋଷ ଦେଇ ଶାନ୍ତି ଅନୁଭବ କରିବେ । ଶେଷରେ ଭାଗ୍ୟରେଖା ସବୁକିଛି ହୋଇଥିଲେ ରାମଚନ୍ଦ୍ରଙ୍କୁ ଦୁନିଆ ରାଜା ରାମଚନ୍ଦ୍ର ବୋଲି ଜାଣିଥାନ୍ତା କିନ୍ତୁ ସେ ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର । ଭଣ୍ଡାରିପୋଖରୀ, ଭଦ୍ରକ । ମୋ: ୯୭୭୮୧୬୧୫୦୦

Add a Comment

Your email address will not be published. Required fields are marked *