ଶ୍ରବଣାନନ୍ଦ

ଶୁଣିବାରେ ଯେଉଁ ଆନନ୍ଦ ମିଳେ କହିବାରେ ତାହା ନଥାଏ । ତେଣୁ ଦୈନନ୍ଦିନ ଜୀବନରେ କହିବା ଅପେକ୍ଷା ଆମେ ଅଧିକ ଶୁଣିବା ଉଚିତ୍ । ସେଇଥିପାଇଁ ବୋଧେ ଭଗବାନ ଆମକୁ କହିବା ଏବଂ ଖାଇବା ପାଇଁ ଗୋଟିଏ ପାଟି ଦେଇଥିବା ବେଳେ ଶୁଣିବାପାଇଁ ଦୁଇଟି କାନ ଦେଇଛନ୍ତି । କିନ୍ତୁ ଆମେ ଅନ୍ୟମାନଙ୍କୁ ନଶୁଣି ସବୁବେଳେ କହିବାପାଇଁ ବ୍ୟାକୁଳ ହୋଇଥାଉ । ସରଳ ଭାବରେ କହିବାକୁ ଗଲେ ଆମେ ଆମ ନିଜ କଥାକୁ ନିଜେ ନଶୁଣି ଅନ୍ୟମାନଙ୍କୁ ଶୁଣେଇବାକୁ ଅଧିକ ପସନ୍ଦ କରିଥାଉ । ଫଳରେ ଆମେ ଆମ ମନକୁ ଆବଦ୍ଧ କରି ରଖିବା ଯୋଗୁ ଜୀବନରେ କିଛି ନୂଆ କଥା ଶିଖି ପାରିନଥାଉ ।
ଏହି ପରିପ୍ରେକ୍ଷୀରେ ମନେପଡେ ଗୋଟିଏ ଘଟଣାଟିଏ ।
ଥରେ ଜଣେ ଦାର୍ଶନିକ ଜଣେ ସାଧୁ ମହାତ୍ମାଙ୍କ ପାଖରେ ପହଞ୍ôଚଲେ ତାଙ୍କଠାରୁ କିଛି ଉପଦେଶ ପାଇବା ପାଇଁ । ମହାତ୍ମାଙ୍କ ପାଖରେ ପହଞ୍ôଚବା ମାତ୍ରେ ସେ ଅନର୍ଗଳ ଭାବେ ଅବିରତ କହିବାରେ ଲାଗିଲେ । ମହାତ୍ମା ତାଙ୍କ କଥାରେ ବାଧା ନଦେଇ ମନଯୋଗ ସହକାରେ ଧୈର୍ଯ୍ୟର ସହ ଶୁଣିବାକୁ ଲାଗିଲେ । ବହୁ ସମୟ ଧରି କହିବା ପରେ ଦାର୍ଶନିକ ସାଧୁ ମହାତ୍ମାଙ୍କୁ କହିଲେ, ‘ଏଥର ଏ ବିଷୟରେ ମତେ କିଛି ଉପଦେଶ ଦିଅନ୍ତୁ ।’
ସାଧୁ ମହାତ୍ମା କହିଲେ, ଆସନ୍ତୁ ଆଗ ଟିକେ ଚା’ ପାନ କରିବା, ତା’ପରେ ମୁଁ ମୋ ଉପଦେଶ ପ୍ରଦାନ କରିବି ।’ ଏହା କହି ସାଧୁ ମହାତ୍ମା ଘର ଭିତରକୁ ଯାଇ ଗୋଟିଏ ପାତ୍ରରେ ଚା’ ଓ କପ୍‌ଟିଏ ଧରି ଆସିଲେ । ଦାର୍ଶନିକଙ୍କ ଆଗରେ ଚା’ କପ୍ ରଖି ସେ ପାତ୍ରରୁ ଚା’ ଢାଳିବାକୁ ଲାଗିଲେ । କପ୍‌ଟି ଚା’ରେ ପୂର୍ଣ୍ଣ ହୋଇଗଲେ ମଧ୍ୟ ସାଧୁ ମହାତ୍ମା ଚା’ ଢାଳିବାକୁ ଲାଗିଥାନ୍ତି କପ୍‌ରେ । କପ୍‌ରୁ ଉଛୁଳି ଚା’ ତଳେ ପଡ଼ିଲେ ମଧ୍ୟ ସାଧୁ ମହାତ୍ମା ସେଥିରେ ପାତ୍ରରୁ ଚା’ ଢାଳୁଥାନ୍ତି । ଏ ଦୃଶ୍ୟ ଦେଖି ଦାର୍ଶନିକ ପାଟିକରି ଉଠିଲେ, ‘ଏ କ’ଣ କରୁଛନ୍ତି? କପ୍ ତ ପୂର୍ଣ୍ଣ ହୋଇଗଲାଣି । ଆଉ ଟୋପାଏ ବି ଚା’ ସେଥିରେ ଧରିବ ନାହିଁ ।’ ଏହା ଶୁଣି ସାଧୁ ମହାତ୍ମା କହିଲେ, ‘ଏଥର ଆପଣ ବୁଝିପାରିଲେ ଯେ କପ୍ ପୂର୍ଣ୍ଣ ହୋଇଗଲେ, ସେଥିରେ ଗୋଟିଏ ଟୋପା ବି ଚା’ ରହି ପାରିବନି । ଠିକ୍ ସେହିପରି ଆପଣଙ୍କ ମନ ଓ ବୁଦ୍ଧି ବିଭିନ୍ନ ଚିନ୍ତାଧାରା ଓ ଖବରରେ ପୂରା ଜାମ୍ ହୋଇ ରହିଛି । ସେ ମନରେ ଆଉ କିଛି ଉପଦେଶ ଗ୍ରହଣ କରିବାକୁ ଟିକିଏ ହେଲେ ବି ଜାଗାନାହିଁ । ତେଣୁ ଉପଦେଶ ଦେଲେ ସେ ଚା’ଭଳି ବାହାରେ ପଡ଼ି ରହିବ ସିନା, ଆପଣଙ୍କ ମନ ଭିତରେ ସ୍ଥାନ ପାଇବନି । ପ୍ରଥମେ ମନକୁ ଟିିକିଏ ଖାଲି କରନ୍ତୁ । ତା’ପରେ ମୋର କିଛି ଉପଦେଶ ଆପଣଙ୍କ ମନ ଗ୍ରହଣ କରିବ ।’

Add a Comment

Your email address will not be published. Required fields are marked *