ଖଣ୍ଡଗିରି ମହାକୁମ୍ଭ ମେଳା

ମେଳାର କିଂବଦନ୍ତି
ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶାମ୍ବ ଦଶମୀଠାରୁ ମାଘସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏହି ସୂର୍ଯ୍ୟ ଉପାସନା ଅବସରରେ ସେ ଚନ୍ଦ୍ରଭାଗାରେ ସପ୍ତମୀ ବୁଡ଼ ପକାଇବା ପରେ ଏକାମ୍ର ‌କ୍ଷେତ୍ରସ୍ଥିତ ପବିତ୍ର ଯୋଗନଦୀ ତଟସ୍ଥ ନୀଳଗିରି ବା କୁମାର କୁମାରୀ ପାହାଡ଼ରେ (ଏବେ ଖଣ୍ଡଗିରି ଓ ଉଦୟଗିରି) ପୂର୍ଣ୍ଣମୀ ପର୍ଯ୍ୟନ୍ତ ଉପାସନା ଜାରି ରଖିଥିଲେ ଓ ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥିଲେ। ସନ୍ଥମାନଙ୍କ କହିବା କଥା ଅର୍କକ୍ଷେତ୍ର କୋଣାର୍କ ନାଭିମଣ୍ଡଳ ହେଲେ ଖଣ୍ଡଗିରି ହେଉଛି ହୃଦୟ। ତେଣୁ ଖଣ୍ଡଗିରି ପାହାଡ଼ରେ ପୂଜାର୍ଚ୍ଚନ‌ା ବିନା ଚନ୍ଦ୍ରଭାଗା ବୁଡ଼ ଅଧୁରା ରହିଯାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ କୋଣାର୍କରେ ବୁଡ଼ ପକାଉଥିବା ସାଧୁସନ୍ଥମାନେ ଖଣ୍ଡଗିରିରେ ୯ଦିନ କାଳ ଅବସ୍ଥାନ କରନ୍ତି ଓ ସେମାନଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲାଗେ।

ପବିତ୍ର ମାଘସପ୍ତମୀ ଅବସରରେ ଫେବ୍ରୁଆରି ୧ରୁ ଆରମ୍ଭ ହେଉଛି ଖଣ୍ଡଗିରି ମହାକୁମ୍ଭ ମେଳା। ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ଼ ପରେ ସାଧୁସନ୍ଥମାନେ ଏଠାରେ ନବଦିନବ୍ୟାପୀ ଯାଗଯଜ୍ଞ କରି ମହାକୁମ୍ଭ ମେଳାର ସମାପନ କରିବେ। ତେଣୁ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ଖଣ୍ଡଗିରି। ହୋମଯଜ୍ଞ ପାଇଁ ସାଧୁସନ୍ଥମାନେ ନିଜ ନିଜ ସ୍ଥାନ ପ୍ରସ୍ତୁତ କରିବା ଆରମ୍ଭ କଲେଣି। ଓଡ଼ିଶାର ବିଭିନ୍ନ ମଠବାଡ଼ିରୁ ସନ୍ଥମାନେ ଡେରା ପକାଇବା ଆରମ୍ଭ କଲେଣି। ଚଳିତ ବର୍ଷ ଅଧିକ ସଂଖ୍ୟାରେ ନାଗାସାଧୁଙ୍କ ସମାବେଶ ହେବ ବୋଲି ଜଣାପଡ଼ିଛି। ସେହିଭଳି ମା’ ବାରଭୂଜାଙ୍କ ପୀଠରେ ନବଦିନବ୍ୟାପୀ ରାମଚରିତ ମାନସ ପାଠ କରାଯିବା ସହ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ।

ଖଣ୍ଡଗିରି ପାହାଡ଼ ଉପରେ ୪ଟି ଓ ଉଦୟଗିରି ଉପରେ ଗୋଟିଏ, ଏମିତି ୫ଟି ଜଳାଶୟ ରହିଛି। ଖଣ୍ଡଗିରି ପାହାଡ଼ ଉପରେ ରହିଛି ଗୁପ୍ତଗଙ୍ଗା, ଆକାଶ ଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଉଦୟଗିରିରେ ରହିଛି ଲଳିତା କୁଣ୍ଡ। ତନ୍ମଧ୍ୟରେ ଆକାଶ ଗଙ୍ଗା ଓ ଗୁପ୍ତଗଙ୍ଗା ହେଉଛି ପ୍ରାକୃତିକ ସୁଡ଼ଙ୍ଗ। ଏହିଦ୍ବୟକୁ ବାଦ୍‌ଦେଲେ ଅନ୍ୟଗୁଡ଼ିକ ଖୋଦିତ ଜଳାଶୟ। କିମ୍ବଦନ୍ତୀ ଅନୁସାରେ କଳିଙ୍ଗ ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ଦ୍ବାରା ଏହି ସବୁ କୁଣ୍ଡ ଖନନ କରାଯାଇଥିଲା। ଏଠାରେ ଯୋଗସାଧନ କରୁଥିବା ମୁନିଋଷିଙ୍କ ବ୍ୟବହାର ପାଇଁ ସମ୍ରାଟ ଏହି କୁଣ୍ଡସବୁ ଖନନ କରାଇଥିଲେ। ତେଣୁ ଏହି କୁଣ୍ଡଗୁଡ଼ିକୁ ପଞ୍ଚତୀର୍ଥଭାବେ ବିବେଚନା କରାଯାଏ। ମାତ୍ର ସମୟକ୍ରମେ ପଞ୍ଚତୀର୍ଥ ପୁଷ୍କରିଣୀ ରହିଛି, କିନ୍ତୁ ସେମାନଙ୍କର ପୂର୍ବ ଗୌରବ ଆଉ ନାହିଁ। ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା ଏକପ୍ରକାର ଅଲୋଡ଼ା ହୋଇପଡ଼ିଛି। ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି ଓ ଲଳିତାକୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେଉଛି। ମାଘ ସପ୍ତମୀ ରାତିରେ ପ୍ରଭୁ ଅନନ୍ତ କେଶରୀ ରାଣୀଗୁମ୍ଫାରେ କିଛି ସମୟ ଅବସ୍ଥାନ କରିବା ଅବସରରେ ଲଳିତାକୁଣ୍ଡରେ ଚାପଖେଳ ହେବାର ବିଧି ରହିଛି। କିନ୍ତୁ ପୁଷ୍କରିଣୀଗୁଡ଼ିକ ଯତ୍ନ ଅଭାବରୁ ପ୍ରଦୂଷିତ ହୋଇପଡ଼ିଛି। ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ପରିତାପର କଥା, ବିଶ୍ବ ଐତିହ୍ୟର ଏହି ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳରେ ଅଲୋଡ଼ା ହୋଇପଡ଼ିଥିବା ପୁଷ୍କରିଣୀଗୁଡ଼ିକ ପ୍ରତି କାହାରି ନଜର ନାହିଁ। ପାହାଡ଼ ଉପରେ ବର୍ଷସାରା ଜଳପୂର୍ଣ୍ଣ ରହୁଥିବା ଏହି ପୁଷ୍କରିଣୀଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଗଲେ, ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିପାରନ୍ତା।

Add a Comment