ବଳପୂର୍ବକ ସଂଖ୍ୟାଲଘୁଙ୍କ ଝିଅଙ୍କୁ ଇସଲାମ ଧର୍ମାନ୍ତରଣ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ: (ଏଜେନ୍ସି) : ପାକିସ୍ତାନ ସର୍ବଦା ବିଶ୍ୱ ସମୁଦାୟ ସମ୍ମୁଖରେ ଜମ୍ମୁକାଶ୍ମୀରରେ ଭାରତୀୟ ସେନାର ଜୱାନମାନେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାକାର ବାସିନ୍ଦାଙ୍କ ମାନବାଧିକାର ହନନ କରୁଛି ବୋଲି ଗାଇବୁଲୁଛି । କିନ୍ତୁ ତା’ର ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ସମୁଦାୟ ଉପରେ ସେଠାକାର ଇସ୍‌ଲାମୀୟ ମୋଳବାଦୀ, ପୁଲିସ ଓ ସେନା କରୁଥିବା ଅକଥନୀୟ ନିର୍ଯ୍ୟାତନା ପ୍ରତି ଆଖି ବୁଜି ଦେଇଛି । ଫଳରେ ନିକଟରେ ସେଠାରେ ବସବାସ କରୁଥିବା ଏକାଧିକ ସଂଖ୍ୟଶଲଘୁ ହିନ୍ଦୁ ବା ଶିଖ ସମୁଦାର ଯୁବତୀମାନଙ୍କୁ ବଳପୂର୍ବକ ଉଠାଇ ନିଆଯାଇ ସେମାନଙ୍କୁ ଇସଲାମୀୟ ଧର୍ମାନ୍ତରୀକରଣ କରାଯିବା ସହ ଯୁବତୀମାନଙ୍କ ଅନିଚ୍ଛା ସତ୍ତ୍ୱେ ସେମାନଙ୍କୁ ମୁସଲିମ୍ ଯୁବକଙ୍କ ସହିତ ବିବାହ କରିଦିଆଯାଉଛି । ଏହାକୁ ବିରୋଧ କରି କରାଚୀରେ ପ୍ରେସ କ୍ଲବ୍ ସମ୍ମୁଖରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ଯୁବତୀମାନେ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁଙ୍କ ମାନବାଧିକାର ବୋଲି କିଛି ନାହିଁ । ସେମାନଙ୍କୁ ସେଠାରେ ଦାସୀ ଠାରୁ ବି ହୀନ ଆଖିରେ ଦେଖାଯାଇଥାଏ । ନିକଟରେ ମହକ କୁମାରୀ ନାମକ ଜେନୈକ ୧୫ ବର୍ଷର ହିନ୍ଦୁ ନାବାଳିକାକୁ ଜୈକୋବାବାଦର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବଳପୂର୍ବକ ଅପହରଣ କରିନେଇ ତାଙ୍କୁ ଶିକାରପୁର ଦରଘାରେ ଜବରଦସ୍ତି ଇସ୍‌ଲାମ ଧର୍ମରେ ଧର୍ମାନ୍ତରୀଣ କରି ବିବାହ କରିନେଇଥିବା ପ୍ରଦର୍ଶନକାରୀ ହିନ୍ଦୁ ଓ ଶିଖ ମହିଳାମାନେ କହିବା ସହ ପାକିସ୍ତାନ ସରକାର ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ବୋଲି ଦାବି କରିଛନ୍ତି । ପୁନଶ୍ଚ ଏ ସବୁକିଛି ପାକିସ୍ତାନ ପୁଲିସ ସମ୍ମୁଖରେ ହେଉଥିଲାବେଳେ ପୁଲିସ ନୀରବଦ୍ରଷ୍ଟା ସାଜିଥିବା ସେମାନେ ଅଭିଯୋଗ କରିଛନ୍ତି ।

Add a Comment