ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା ଶ୍ୟାମାକାଳୀଙ୍କ ଜନ୍ମୋତ୍ସବ

କଟକ: ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ଜନ୍ମ ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଭୋର ୪ଟ ୩୦ ମିନିଟରେ ମଙ୍ଗଳ ଆଳତୀ, ବିଶ୍ୱର ମଙ୍ଗଳ ନିମିତ୍ତ ସମୂହ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ମା’ଙ୍କର ମହାସ୍ନାନ ଉତ୍ସବ ପରେ ସପ୍ତସତୀ ଚଣ୍ଡୀପାଠ, ହୋମଯଜ୍ଞ, ବେଦପାଠ ଇତ୍ୟାଦି ହୋଇଥିଲା । ଏହି ଉପଲକ୍ଷେ ଦିବା ୧୨ଘଟିକାରେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଧର୍ମସଭାରେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ଶିଷ୍ୟ ବାବାଜୀ ଦିବାକର ଦାସ, ପ୍ରାର୍ଥନା ଚାନେଲର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଶପଥ କୁମାର ମହାପାତ୍ର, ଡ. ରତ୍ନାକର ପ୍ରମୁଖ ଯୋଗଦେଇ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶପଥ କୁମାର ମହାପାତ୍ରଙ୍କ ରଚିତ ‘କେତେ ଗାଁରେ କେତେ ନାଁରେ ପୂଜା ପାଉଛି ମୋର ମା’ରେ’ କବିତାଟିକୁ ବାବାଜୀ ଦିବାକର ଦାସ ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ଭକ୍ତ ଶଙ୍କର ସାହୁ, ମନମୋହନ ସାହୁ, ଧନେଶ୍ୱର ସାହୁ ପରିଚାଳନା କରିଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଏହି ଉତ୍ସବରେ ଯୋଗଦେଇଥିଲେ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Add a Comment