କଳିଯୁଗର ମଣିଷ

ନାରାୟଣ ମିଶ୍ର

କଳିଯୁଗର ଅୟମାରମ୍ଭ ବିଷୟରେ ଭାଗବତରେ ଉଲ୍ଲେଖ ଅଛି ଯେ ଏକମାତ୍ର ପାଦରେ ଠିଆ ହୋଇଥିବା କୌଣସି ଏକ ବୃଷଭକୁ ଜଣେ ବୃହଦାକାର କୃଷ୍ଣକାୟ ବ୍ୟକ୍ତି ଲୁହା ବାଡ଼ିରେ ବାରମ୍ବାର ପିଟି ଚାଲିଥିଲେ। ବୃଷଭର ଆର୍ତ୍ତନାଦ ଶୁଣି ମହାରାଜ ପରୀକ୍ଷିତ କୃଷ୍ଣକାୟ ବ୍ୟକ୍ତି ଜଣକୁ ଜୀବନରେ ମାରି ଦେବାକୁ ଉଦ୍ୟତ ହେବା ମାତ୍ରେ ଉଭୟ ବୃଷଭ ଓ ସେ ବ୍ୟକ୍ତିଜଣକ ନିଜ ସ୍ବରୂପରେ ବିରାଜମାନ ହୋଇଗଲେ। ବୃଷଭରୂପୀ ଧର୍ମ ଗତ ତିନି ଯୁଗରେ ଦାନ, ତପସ୍ୟା ଓ ଯଜ୍ଞ ରୂପକ ତିନିଟି ପୁଣ୍ୟ ହରାଇ କେବଳ ଏକ ପାଦରେ ରହିଛନ୍ତି ଏବ˚ ବ୍ୟକ୍ତିଜଣକ ଯୁଗସମ୍ରାଟ କଳି ବୋଲି ନିଜ ପରିଚୟ ପ୍ରଦାନ କଲେ। ସତ୍ୟ, ତ୍ରେତୟା ଓ ଦ୍ବାପର ଯୁଗ ପରେ କଳିର ଆବିର୍ଭାବ ଦେଖି ପରୀକ୍ଷିତ ଚିନ୍ତିତ ହୋଇପଡ଼ିଲେ। ଯୁଗସମ୍ରାଟ କଳି କେବଳ ପାଞ୍ଚଟି ଜାଗାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇ ସତ୍ୟନିଷ୍ଠ ରାଜା ପରୀକ୍ଷିତଙ୍କ ଠାରୁ ନିଜ ଜୀବନ ଭିକ୍ଷା କଲେ। ସେ ପାଞ୍ଚଟି ଜାଗା ହେଲା- ସ୍ତ୍ରୀ, ସୁନା, ଜମି, ଜୁଆ ଓ ମଦ। ପରୀକ୍ଷିତ ରାଜି ହେଲେ।

ସତ୍ୟଯୁଗରେ ଭଗବାନ୍‌ ଚାରିଟି ଅବତାର ନେଲେ- ମତ୍ସ୍ୟ, କୂର୍ମ, ବରାହ ଓ ନୃସି˚ହ। ଏହି ଯୁଗରେ ସତ୍ୟର ପୂଜାରୀ ଭାବେ ମହାରାଜ ବଳି, ବେଣୁ, ମାନ୍ଧାତା ଓ ପୁରୁରୁବା ଇତ୍ୟାଦି ପ୍ରଜାବତ୍ସଳ ରାଜାମାନେ ଶାସନ ସମ୍ଭାଳିଲେ। ତ୍ରେତୟା ଯୁଗରେ ଭଗବାନ୍‌ ଆଉ ତିନିଟି ଅବତାର ନେଲେ- ବାମନ, ପର୍ଶୁରାମ ଓ ଶ୍ରୀରାମ। ତ୍ରେତୟାରେ ଦାନ ଓ ତପସ୍ୟା ପାଇଁ ମହାରାଜ ସଗର, ଅ˚ଶୁମାନ, ଦିଲ୍ଲୀପ, ଅଜ, ଦଶରଥ ଓ ରାମଚନ୍ଦ୍ରଙ୍କ ନାମ କାଳ ବକ୍ଷରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଲା। ଦ୍ବାପର ଯୁଗରେ ଭଗବାନ୍‌ ଶ୍ରୀକୃଷ୍ଣ ଓ ବୁଦ୍ଧ ଏଭଳି ଦୁଇ ଅବତାର ଗ୍ରହଣ କଲେ। ଏ ଯୁଗର ପ୍ରସିଦ୍ଧ ରାଜାମାନଙ୍କ ମଧୢରେ ମହାରାଜ ଶାଲ୍ବ, ବିରାଟ, ହ˚ସଧ୍ବଜ, ବବ୍ରୁବାହନ, ଜରାସନ୍ଧ ଓ ଯୁଧିଷ୍ଠିରଙ୍କ ନାମ ନ୍ୟାୟିକ ଓ ପ୍ରଜାବତ୍ସଳ ଭାବେ ପ୍ରସିଦ୍ଧି ଲାଭ କଲେ।

ଯୁଗ ସମ୍ରାଟ କଳି ତାଙ୍କ ଯୁଗର ଲକ୍ଷଣ ଗୁଡ଼ିକ ବିଷୟରେ ଗୋଟିଏ ଶ୍ଳୋକରେ ଲିପିବଦ୍ଧ କରିଦେଲେ- ଧର୍ମ ସ˚କୁଚିତ˚, ତପୋ ବିରହିତ˚, ସତ୍ୟ˚ ଚ ଦୂର˚ ଗତ; ଲୋକ ଧର୍ମାହତ˚, ଦ୍ବିଜାଶ୍ଚ ଲୋଭିତା, ନାରୀବସା ମାନବାଃ, ନିର୍ବୀର୍ଯ୍ୟା ପୃଥିବୀ ନିରୋଷାଧିରସା, ନୀଚା ମହତ ଗତ ଭୂପାଳ, ସ୍ବ ସ୍ବ ଧର୍ମ କର୍ମ ରହିତା, ବିପ୍ର କୁମାର୍ଗ˚ ଗତା, ଭାର୍ଯ୍ୟା ଭର୍ତ୍ତୁ ବିରୋଧୀନୀ, ପର ରତ ପୁତ୍ର, ପିତା ଦ୍ବେଷିଣ, ହା କଷ୍ଟ˚ ଖଳୁ ବର୍ତ୍ତତେ। କଳିଯୁଗେ ଧନ୍ୟ ନରା ଯୋ ମୃତା।’’-

ସ˚କ୍ଷେପରେ ଏହାର ଅର୍ଥ ଏହି ଯେ କଳିଯୁଗର ଅନ୍ୟାୟ, ଅସତ୍ୟ ମଧୢରେ ବଞ୍ଚି ରହିବା ଭାରି କଷ୍ଟ।

କଳି ତାଙ୍କ ଯୁଗରେ ସମସ୍ତ ପ୍ରାଣୀଙ୍କ ଆୟୁଷ କୋଡ଼ିଏରୁ ପଚାଶ ବର୍ଷ ମଧୢରେ ସୀମିତ ରଖିଲେ। ମଣିଷକୁ ମାତ୍ର ପଚିଶ ବର୍ଷ ଆୟୁ ଦେଇ କହିଲେ- ପ୍ରଥମ ପନ୍ଦର ବର୍ଷ ଲାଳନପାଳନ ଓ ଶିକ୍ଷା, ତା’ପରେ ସ୍ତ୍ରୀ ସହ ପରିବାର ପାଞ୍ଚ ବର୍ଷ ଓ ଶେଷ ପାଞ୍ଚ ବର୍ଷ ଈଶ୍ବର ଆରାଧନା। ମଣିଷ ତା’ର ମୂଲ୍ୟବାନ ଜୀବନକୁ ମାତ୍ର ପଚିଶ ବର୍ଷରେ ସାରିବାକୁ ରାଜି ନ ହେବାରୁ ବଳଦ, ଗଧ, କୁକୁର ଓ ପେଚା ସେମାନଙ୍କୁ ଦିଆଯାଇଥିବା ପଚାଶ ବର୍ଷ ଆୟୁରୁ ଅଧା ଅର୍ଥାତ୍‌ ପଚିଶ ବର୍ଷ ଲେଖାଁ ମଣିଷକୁ ଦେଲେ। ତେଣୁ ମଣିଷର ପାଞ୍ଚ ପ୍ରକାର ମନ ଓ ଜୀବନଧାରଣ ଶୈଳୀ ହୋଇଗଲା- ମଣିଷ ମନ, ବଳଦ ମନ, ଗଧ ମନ, କୁକୁର ମନ ଓ ପେଚା ମନ।

ଏ ପାଞ୍ଚ ପ୍ରକାର ମନ ସହ ପଚିଶ ପ୍ରକାର ପ୍ରକୃତି ବି ଖଞ୍ଜି ଦିଆଗଲା। ମଣିଷ ମନର ରାଜା ହେଲା ଲୋଭ; ଯାହାର ପାଞ୍ଚଟି ପ୍ରକୃତି ହେଲା- ମୋହ, ମାୟା, ମମତା, ସ୍ନେହ ଓ ଶ୍ରଦ୍ଧା। ବଳଦ ମନର ସେନାଧୢକ୍ଷ ହେଉଛି ମିଥ୍ୟା ଏବ˚ ପାଞ୍ଚଟି ପ୍ରକୃତି ହେଲା ମୁଦ୍ରା, ସନ୍ତାନ, ପାପ, ଗର୍ବ ଓ ଅହଙ୍କାର। ଗଧ ମନର ସେନାଧୢକ୍ଷ କ୍ରୋଧ ଏବ˚ ପାଞ୍ଚ ପ୍ରକୃତି ହେଲା ରୋଗ, ରାଗ, କଷ୍ଟ, ଦୁଃଖ ଓ ଯନ୍ତ୍ରଣା। କୁକୁର ମନର ନିୟନ୍ତ୍ରଣକାରୀ ହେଲା ବ୍ୟଭିଚାର ଏବ˚ ଏହାର ପାଞ୍ଚଟି ପ୍ରକୃତି ହେଲା- ମତ୍ସ୍ୟ, ମା˚ସ, ମଦ୍ୟ, କାମ (ମୈଥୁନ) ଓ ହତ୍ୟା। ପେଚା ମନର ସେନାପତି ହି˚ସା ଏବ˚ ପାଞ୍ଚଟି ସହାୟକ ପ୍ରକୃତି ହେଉଛନ୍ତି- ନିଦ୍ରା, ପରଶ୍ରୀକାତରତା, ନିନ୍ଦା, କୁକର୍ମ ଓ ଧର୍ଷଣ। ମଣିଷର ପଚିଶ ସହ ବଳଦ, ଗଧ ଓ କୁକୁରର ପଚିଶ ଲେଖାଁ ମିଶି ଶହେ ବର୍ଷ ଏବ˚ ପେଚା ପଚିଶ ଜାଗାରେ ମାତ୍ର କୋଡ଼ିଏ ବର୍ଷ ଦେଇଥିବାରୁ ମଣିଷର ପରାମାୟୁ ଏକଶହ କୋଡ଼ିଏ ବର୍ଷ ହୋଇଗଲା।

କିନ୍ତୁ ମଣିଷ ତଥାପି ଅସନ୍ତୁଷ୍ଟ ରହିଲା। ଯୁଗ ସମ୍ରାଟ କଳି ମଣିଷକୁ ସନ୍ତୁଷ୍ଟ କରିବାକୁ କ’ଣ କ’ଣ ଆଉ ଦରକାର ପଚାରିବାରୁ ମଣିଷ କହିଲା- ‘‘ମୋତେ ଆଶୀର୍ବାଦ କରନ୍ତୁ ଯେ ମୋର ଆୟୁଷ ଯେମିତି ମୋ ମନକୁ ନିୟନ୍ତ୍ରଣ ନ କରୁ; ଅର୍ଥାତ୍‌ ମଣିଷ ଏ ଯୁଗରେ ଷାଠିଏ ବର୍ଷରେ ବି ମଦ୍ୟ ପାନରେ ବୁଡ଼ି ରହିପାରିବ, ଅଶୀ ବର୍ଷରେ ବି ଧର୍ଷଣ କରିପାରିବ, ଶହେ ବର୍ଷ ବୟସରେ ବି ପରଶ୍ରୀକାତରତା ବା ଈର୍ଷାରେ ଅନ୍ୟକୁ ଜୀବନରୁ ମାରି ଦେବାକୁ ସକ୍ଷମ ହେବ। କଳି ସମ୍ରାଟ ସେଇୟା ହିଁ ଚାହୁଁଥିଲେ; ତେଣୁ ତତ୍‌କ୍ଷଣାତ୍‌ ତଥାସ୍ତୁ କହିଦେଲେ।

କଳିଯୁଗର ଲକ୍ଷଣ ସମ୍ବନ୍ଧରେ ଆଉ ଏକ ସୁନ୍ଦର ଗଳ୍ପ ଶୁଣାଯାଏ। ଦ୍ବାପର ଯୁଗରେ ଥରେ ଶ୍ରୀକୃଷ୍ଣଙ୍କୁ ପାଣ୍ତବମାନେ ପଚାରିଲେ- ଆଗକୁ ଯେଉଁ କଳିଯୁଗ ଆସିବାର ଅଛି ତା’ ବିଷୟରେ କିଛି କହନ୍ତୁ। ଭଗବାନ୍‌ ଶ୍ରୀକୃଷ୍ଣ କହିଲେ- ତୁମେ ପାଞ୍ଚ ଜଣ ଯାକ ବାହାରକୁ ଯାଇ ଘଣ୍ଟାଏ ଦୁଇଘଣ୍ଟା ବୁଲି କ’ଣ ଦେଖିଲ ମୋତେ ଆସି କୁହ। ପ୍ରଥମେ ଯୁଧିଷ୍ଠିର ଫେରି ଆସି କହିଲେ- ମୁଁ ଦୁଇଟି ଶୁଣ୍ଢ ଥିବା ଏକ ହାତୀ ଦେଖିଲି। ଭୀମ କହିଲେ ମୁଁ ଦେଖିଲି ଯେ ମଶାଣିରେ ମଢ଼ ଖାଉଥିବା ଶାଗୁଣା ପରରେ ମନ୍ତ୍ର ସବୁ ଲେଖାଯାଇଛି। ଅର୍ଜୁନ କହିଲେ ଗୋଟାଏ ଗାଈ ତା’ ନିଜ ବାଛୁରୀକୁ ଚାଟି ଚାଟି ତା’ ଦେହରୁ ରକ୍ତ ବାହାର କରିଦେଲାଣି। ନକୁଳ ଦେଖିଲେ ଯେ ଗୋଟିଏ ଜାଗାରେ ସାତଟି କୂଅ ଅଛି, ସେଥିରୁ ଛଅଟିରେ ପାଣି ଭର୍ତ୍ତି ହୋଇଥିବା ସ୍ଥଳେ ସପ୍ତମଟି ସ˚ପୂର୍ଣ୍ଣ ଶୁଖିଲା ଅଛି; କିନ୍ତୁ ଏ ଛଅଟିରୁ ଟୋପାଏ ପାଣି ବି ସପ୍ତମକୁ ଯାଇପାରୁନି। ଶେଷକୁ ସହଦେବ କହିଲେ- ମୁଁ ଦେଖିଲି ପାହାଡ଼ରୁ ଏକ ବିରାଟକାୟ ପଥର ଖଣ୍ତେ ଖସୁଥିଲା, କିନ୍ତୁ ତା’କୁ ସାମାନ୍ୟ ଗୋଟାଏ ଘାସ ଅଟକାଇ ଦେଲା।

ଭଗବାନ୍‌ ଶ୍ରୀକୃଷ୍ଣ ବୁଝାଇ ଦେଲେ ଯେ ହାତୀର ଦୁଇଟି ଶୁଣ୍ଢ ଅର୍ଥ କଳିଯୁଗରେ ପ୍ରତ୍ୟେକ ମଣିଷର ଦୁଇଟି ମୁହଁ ଥିବ, ସେ ଯାହା କହିବ ତାହା କରିବ ନାହିଁ। ଶାଗୁଣା ପିଠିରେ ମନ୍ତ୍ର ଅର୍ଥ କଳିଯୁଗର ବେଦାଧୢୟନ କରୁଥିବା ମଣିଷ ମାଛ ମା˚ସ ଖାଇବାକୁ ବିକଳ ହେବ। ଗାଈ ତା’ ନିଜ ବାଛୁରୀକୁ ଚାଟି ଚାଟି ରକ୍ତ ବାହାର କରି ଦେଉଛି ଅର୍ଥ କଳିଯୁଗରେ ବାପ, ମା’ମାନେ ସେମାନଙ୍କ ପିଲାମାନଙ୍କୁ ଦରକାର ଠାରୁ ଅଧିକ ଭଲ ପାଇ ଅମଣିଷ କରିଦେବେ। ଛଅଟି କୂଅରୁ ଟୋପାଏ ପାଣି ସପ୍ତମକୁ ଯାଉନି ଅର୍ଥ କଳିଯୁଗରେ ଛଅ ଭାଇ ଭଲରେ ଚଳିଲେ ବି ସପ୍ତମ ଗରିବ ଭାଇକୁ ଆଦୌ ସାହାଯ୍ୟ କରିବେନି। ବିରାଟକାୟ ପଥରକୁ ଘାସ ଅଟକେଇ ଦେଉଛି ଅର୍ଥ କଳିଯୁଗରେ ଯେତେ ଅନ୍ୟାୟ, ପାପ କଲେ ବି କେବଳ ‘ରାମ’ ନାମକ ଦୁଇଟି ଅକ୍ଷରର ଜପ ସବୁ ମହାପାପକୁ ଧୋଇ ଦେବ। କଳିଯୁଗର ଲକ୍ଷଣ ସମ୍ବନ୍ଧରେ ଆଉ କେତେ ସ୍ପଷ୍ଟ ଭାବେ ବର୍ଣ୍ଣନା ହୋଇଥା’ନ୍ତା!

Add a Comment

Your email address will not be published. Required fields are marked *