ମା’ଙ୍କୁ ପ୍ରସନ୍ନ କରିବା ପାଇଁ ସରସ୍ୱତୀ ପୂଜାରେ କ’ଣ କରିବା ଉଚିତ୍‌?

Goddess Saraswati – Embodiment of Knowledge

ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ଆବାହନ ତଥା ପୂଜା-ବନ୍ଦନା କରାଯାଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ରାଣୀ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୁତ କରି ସମସ୍ତ ପରିପୂର୍ଣ୍ଣତାରେ ଅଭିଷିକ୍ତ ହୋଇ, ମଙ୍ଗଳମୟୀ ଆଦ୍ୟାଶକ୍ତିଙ୍କ ପଦପ୍ରାନ୍ତରେ ପୂଜା ଅର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ । ଏଣୁ ଏହି ପଞ୍ଚମୀ, ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ମଧ୍ୟ ସୁବିଦିତ । ଶ୍ୱେତ ପଦ୍ମରେ ବିରାଜିତା ସରସ୍ୱତୀଙ୍କ ପଦାରବିନ୍ଦର ଅନତି ଦୂରରେ ଏକ ମନୋଜ୍ଞ ହଂସ ଉପବିଷ୍ଟ-ନତୁବା ପଦ୍ମ ଉପରେ ବିରାଜମାନ ନହୋଇ ହଂସ ଉପରେ ସ୍ୱୟଂଦେବୀ ଅଧିଷ୍ଠିତା ମଧ୍ୟ ହୋଇଥାଆନ୍ତି । କେତେକ ସ୍ଥାନରେ ମୟୂର ବା ସପ୍ତଫେଣି ନାଗୁଣୀ ବୈଦିକ ମତରେ ଗ୍ରହଣୀୟ ।
ସାଧାରଣତଃ ମରାଳବାହିନୀ ରୂପରେ ଦେବୀ ପୂଜିତା । ମାଘମାସ ଶୁକ୍ଳ ପକ୍ଷରେ ଯେଉଁ ପଞ୍ଚମୀ ତିଥି ତାହା ସରସ୍ୱତୀଙ୍କର ଅତି ପ୍ରିୟ ଅଟେ । ପଞ୍ଚମୀ ତିଥିର ପୂର୍ବାହ୍ନ୍ନରେ କେବଳ ସରସ୍ୱତୀ ପୂଜା କରଣୀୟ । ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ୱତୀ ମୂର୍ତ୍ତି, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତା ହୁଅନ୍ତି । ପୁଷ୍ପ ମଧ୍ୟରେ କୁନ୍ଦ ପୁଷ୍ପ ଦେବୀଙ୍କର ଆରାଧନା ଉପଯୋଗୀ । ମା ସରସ୍ୱତୀଙ୍କର ୧୦୮ ନାମାବଳୀରେ ଉକ୍ତ ଦିନରେ ପୂଜା କଲେ ମା ପ୍ରସନ୍ନ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଗ୍ଧ, ଦଧି, ଘୃତ, ମଧୁ ଓ ସର୍କରାକୁ ଏକତ୍ର ରଖି ଦେବୀଙ୍କୁ ପ୍ରଦାନ କରାଯାଏ । ସରସ୍ୱତୀ ସୂକ୍ତ ଆଦିରେ ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ ।

Add a Comment