ମଥୁରା ଏବଂ କାଶୀ ଆରଏସ୍‌ଏସ୍‌ର ଏଜେଣ୍ଡା ନୁହେଁ

ମୋରଦାବାଦ୍‌: ଅଯୋଧ୍ୟା ପ୍ରସଙ୍ଗ ପରେ ଏବେ ଆରଏସ୍‌ଏସ୍‌ର ଏଜେଣ୍ଡାରେ ମଥୁରା ବା କାଶୀ ନାହିଁ। ଏହି ସଂଗଠନ ଏବେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରସଙ୍ଗ କରିବ। ଖୋଦ୍‌ ଆରଏସ୍‌ଏସ୍‌ ମୁଖ୍ୟ ବା ସରସଂଘଚାଳକ ଏପରି ଆହ୍ୱାନ ଦେଇଛନ୍ତି।

ମୋରଦାବାଦ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିଠାରେ ଶୁକ୍ରବାର ସେ କହିଥିଲେ, ଦୁଇଟି ସନ୍ତାନରେ ସୀମିତ ରହିବା ପାଇଁ ଯାହା ବି ଆଇନ ଆସିବ ଆରଏସ୍‌ଏସ୍‌ ତାକୁ ସମର୍ଥନ କରିବ। ଏହା ଦେଶର ବିକାଶରେ ସହାୟକ ହୋଇପାରିବ।

୪୦ ଜଣ ଉଚ୍ଚ ସ୍ତରୀୟ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ସେ କହିଥିଲେ, ଆମେ ଅନୁଭବ କରୁଛୁ, ଏବେ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସମୟ ଆସିଛି। ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଧର୍ମ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଲାଗୁ ହେବ। ଜନସଂଖ୍ୟା ନିୟନ୍ତ୍ରଣ ଜନିତ ସମସ୍ୟା ବାବଦରେ ସେ କହିଥିଲେ, ଭାରତ ଆଗକୁ ବଢ଼ୁଛି। କିନ୍ତୁ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବା ବିକାଶ ପାଇଁ ହିତକର ନୁହେଁ। ରାମ ମନ୍ଦିର ବାବଦରେ ସେ କହିଥିଲେ, ଏହି ପ୍ରସଙ୍ଗରେ ଆରଏସ୍‌ଏସ୍‌ର ଭୂମିକା କେବଳ ଟ୍ରଷ୍ଟ ଗଠନ ପର୍ଯ୍ୟନ୍ତ ଥିଲା। ଏଟ୍ରଷ୍ଟ ଗଠନ କାର୍ଯ୍ୟ ସରିବା ମାତ୍ରେ ଆମେ ଏଥିରୁ ଆପେ ଦୂରେଇଯିବୁ।

କେନ୍ଦ୍ର ସରକାର ଆଣିଥିବା ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନକୁ ସେ ସମର୍ଥନ କରିଥିଲେ। କିନ୍ତୁ ଏହାକୁ ନେଇ ବ୍ୟାପକ ଜନସଚେତନତା ଆବଶ୍ୟକ ଅଛି ବୋଲି ଭାଗବତ କହିଥିଲେ।

Add a Comment