ଆଦିମାତା – The Mother


କେଉଁ ଅଦୃଶ୍ୟ ଓ ମହାନ ଶକ୍ତି ଦ୍ୱାରା ବିଶ୍ୱର ସୃଷ୍ଟି, ପାଳନ ଓ ସଂହାର ହୋଇଥାଏ ତାହାକୁ ଜାଣିବା ମାନବ ପାଇଁ ସମ୍ଭବ ଯୋଗ୍ୟ ନୁହେଁ । ମାତ୍ର କେଉଁ ଅନାଦି କାଳରୁ ବହୁ ମନିଷୀ ଓ ଦାର୍ଶନିକ, ସାଧକ ସେହି ଅଲୌକିକ ଶକ୍ତି ସମ୍ପର୍କରେ ବହୁ ତଥ୍ୟ ପ୍ରକାଶ କରିଆସୁଛନ୍ତି । ଭାରତୀୟ ସଂସ୍କୃତି ତଥା ତନ୍ତ୍ର ସାହିତ୍ୟରେ ସେହି ଶକ୍ତିକୁ “ଆଦିମାତା” ରୂପେ ବର୍ଣ୍ଣନା କରାଯାଇଛି । ମାତ୍ର ଆଧୁନିକ ଯୁଗରେ ଏହି ତନ୍ତ୍ର ଶକ୍ତିର ଗ୍ଲାନି ଘଟିଥିବା ବିଷୟ ଯଦିଓ ମତ ପ୍ରକାଶ ପାଇଛି ତଥାପି ସାର୍ ଜନ୍ ଉଡ୍ରଫଙ୍କ ଭଳି ବହୁ ପଶ୍ଚାତ୍ୟ ଗବେଷକ ଶକ୍ତି ଦର୍ଶନର ଉତ୍ସତନ୍ତ୍ର ସାହିତ୍ୟ ସମ୍ପର୍କରେ ବହୁ ଉପାଦେୟ ତନ୍ତ୍ର ପ୍ରକାଶ କରିଛନ୍ତି । ସମ୍ଭବତଃ ଶକ୍ତି ତତ୍ତ୍ୱର ପ୍ରଥମ ଏବଂ ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ଘଟେ ବିଶ୍ୱର ସର୍ବପ୍ରାଚୀନ ଅପୌରୁଷେୟ ସର୍ବଜ୍ଞାନମୟ ଗ୍ରନ୍ଥ ‘ଋଗ୍ବେଦ’ରେ । ଏହି ଋଗ୍ବେଦର ଦଶମ ମଣ୍ଡଳ ଅନ୍ତର୍ଗତ ୧୨୫ ତମ ସ୍ୱକ୍ତରେ ଅମ୍ଭୃଣ ଋଷିଙ୍କର ଯୋଗ୍ୟତମ କନ୍ୟା ‘ବାକ୍’ ମହାଦେବୀଙ୍କ ସହିତ ନିଜର ଏକାତ୍ମକତା ଅନୁଭବ କରି ‘ଆତ୍ମ ବିସ୍ମୃତ’ ତଦଗତ୍ ଚିତ୍ତରେ ସେହି ମହାଶକ୍ତିର ମହନୀୟ ପରିଚୟ ପ୍ରକାଶ କରିଥିଲେ । “ଋଷୟଃ ମନ୍ତ୍ର ଦ୍ରଷ୍ଟାରଃ” ନୀତିରେ ଋଷିଦୃଷ୍ଟ ମନ୍ତ୍ର ସାଧାରଣତଃ ଭ୍ରମପ୍ରମାଦାଦି ବିରହିତ । ଏହି ବାକ୍ସୂକ୍ତର ତୃତୀୟ ମନ୍ତ୍ରରେ ଦେବୀଙ୍କ ପ୍ରକୃଷ୍ଣ ପରିଚୟ ପ୍ରକାଶ କରି ବିଶ୍ୱବନ୍ଦିନୀ ଋଷି ନନ୍ଦିନୀ ଯଥାର୍ଥରେ କହିଥିଲେ – “ଅହଂ ରାଷ୍ଟ୍ରୀ ସଙ୍ଗମନୀ ବସୂନାଂ ଚିକିତୁଷୀ ପ୍ରଥମା ଯଜ୍ଞୟାନାମତାଂ ମା ଦେବୀ ବାଦଧୁଃ ପୁରୁତ୍ରା ଭୂରିସ୍ଥାତ୍ରାଂ ଭୂର୍ଯ୍ୟା ବେଶୟ ନ୍ତ୍ରୀମ୍ ।ା ଏହି ବୈଦିକ ମନ୍ତ୍ରର ପଦ୍ୟାନୂଭାଷ ହେଉଛି ଏହିପରି ଯାହା ନିମ୍ନରେ ପ୍ରଦତ୍ତ କରାଗଲା । ଅନନ୍ତକୋଟି ବ୍ରହ୍ମାଣ୍ଡର ଏକଇଶ୍ୱରୀ ମୁହିଁ ସର୍ବବିଧ ଉପାସନାର ଫଳମୁଁ ଦେଇଥାଇ ।ା ସବୁଦେବାଦେବୀ ମଧ୍ୟେ ସର୍ବାଗ୍ରେ ପୂଜା ମୋର ମୁଁ ଏକା ଅନେକରୂପେ ବ୍ୟାପ୍ତ ଏ ଚରାଚର ।ା ସର୍ବଜୀବ ମଧ୍ୟେ ମୁଁ ଆତ୍ମା ରୂପେ ବିରାଜେ ସର୍ବଦେବ ରୂପେ ମୁହିଁ ଯେ ସର୍ବତ୍ର ନିଜେ ରାଜେ (ସ୍ୱରଚିତ) ଏହିତତ୍ତ୍ୱ, ତଥ୍ୟ ଏବଂ ସିଦ୍ଧାନ୍ତକୁ ଆଧାର କରି ପରବର୍ତ୍ତୀ ପର୍ଯ୍ୟାୟରେ ବିରଚିତ ‘ଶ୍ରୀ ଶ୍ରୀ ଦୂର୍ଗାସପ୍ତଶତୀ’ ବା ଚଣ୍ଡୀ ଗ୍ରନ୍ଥରେ ମହାଦେବୀ ଶକ୍ତିମୟୀ ଦୁର୍ଗାଙ୍କ ପରିଚୟ ମେଧାରିଷଙ୍କ ମୂଖରେ ନିମ୍ନୋକ୍ତ ମତେ ପ୍ରଦତ୍ତ ହୋଇଛି – “ସା ବିଦ୍ୟା ପରମା ମୁକ୍ତେ ହେତୁଭୂତା ସନାତନୀ ସଂସାର ବନ୍ଧ ହେତୁଶ୍ଚ ଶୈବ ସର୍ବେଶ୍ୱରେଶ୍ୱରୀ ।” ଅର୍ଥାତ୍, ସେହି ଆଦିମାତା ମହାଦେବୀ ଶକ୍ତିମୟୀ ପରମାବିଦ୍ୟା, ମୁକ୍ତିର କାରଣ ସ୍ୱରୂପା ଏବଂ ଅନ୍ୟ ପକ୍ଷରେ ସାଂସାରିକ ବନ୍ଧନର କାରଣ । ସେ ନିଜେ ହିଁ ‘ସର୍ବ+ଈଶ୍ୱର+ଈଶ୍ୱରୀ’ ଅର୍ଥାତ ବ୍ରହ୍ମା, ବିଷ୍ଣୁ, ଶିବ ପ୍ରଭୃତି ସମସ୍ତ ଈଶ୍ୱରଙ୍କର ପରମାରାଧ୍ୟା ପରମେଶ୍ୱରୀ । ମାତ୍ର ଏହି କଳିଯୁଗରେ ତନ୍ତ୍ରର ପ୍ରଭାବ ଅଧିକ କାରଣ ଆର୍ଯ୍ୟ ସଂସ୍କୃତି କହେ “କଳି ତନ୍ତ୍ରେøକ୍ତ କେବଳଂ” ତେଣୁ ମହାଯୋଗୀ ଅରବିନ୍ଦ ତନ୍ତ୍ରର ଅବଦାନ ବିଷୟରେ ଗଭୀର ଓ ତାତ୍ପର୍ଯ୍ୟପୂର୍ଣ୍ଣ ମତଦେଇ କହିଛନ୍ତି ପୂର୍ଣ୍ଣଯୋଗରେ ତନ୍ତ୍ରର ସ୍ଥାନ ରହିଛି କାରଣ ତନ୍ତ୍ର ଜୀବନର ବାସ୍ତବତାକୁ ସ୍ୱୀକାର କରିଥାଏ । “କୌଳାର୍ଣ୍ଣବ ତନ୍ତ୍ର” କହେ “ତନୌତି ବିପୁଳାନର୍ଥାନ୍ ମନ୍ତ୍ରତନ୍ତ୍ର ସମନ୍ୱିତାମ୍ ତ୍ରାଣଂ ଚ କ୍ରିୟତେ ଯସ୍ମାତ ତନ୍ତ୍ରମିତ୍ୟ ଭିଧିୟତେ ।” ଅର୍ଥାତ୍, ଯେଉଁ ଶାସ୍ତ୍ର ଦ୍ୱାରା ମନ୍ତ୍ରତନ୍ତ୍ର ସମ୍ବଳିତ ବିପୁଳ ଅର୍ଥ ଲାଭ ହୁଏ, ଯାହାଦ୍ୱାରା ଜୀବକୁ ପରିତ୍ରାଣ ମିଳେ ତାହାକୁ ତନ୍ତ୍ର କୁହାଯାଏ । ଏହାର ଅନ୍ୟନାମ “ଆଗମ” ଏବଂ ଏହାର ପ୍ରବର୍ତ୍ତକ ସ୍ୱୟଂ ସଦାଶିବ । ସେଥିପାଇଁ କୁହାଯାଇଛି – “ଆଗତଂ ଶିବ ବକ୍ତେଭ୍ୟ ଗତଂ ଚ ଗିରିଜା ଶ୍ରୁତୌ ମତଂ ଚ ବାସୁଦେବସ୍ୟ, ତସ୍ମାତ ଆଗମ ସମ୍ଭବଂ ।” ଏହା ଶିବଙ୍କ ମୂଖ୍ୟ ନିଶୃତ ଓ ଗିରିଜାଙ୍କ ଦ୍ୱାରା ପ୍ରଥମେ ଶୁଣାଯାଇଥିଲା । ଦକ୍ଷ ପ୍ରଜାପତି ସଦାଶିବଙ୍କୁ ଅବମାନନା କରି ଯେପରି ବିପର୍ଯ୍ୟସ୍ତ ହେଲେ ଏବଂ ଅନେକ ବୈଦିକ ଋଷି ଏକତ୍ର ହୋଇ ମଧ୍ୟ ସଦାଶିବଙ୍କ ଶକ୍ତି ନିକଟରେ ମଥାନତ କରିଥିଲେ ଏବଂ ସେହିଦିନଠାରୁ ଅନନ୍ତକାଳ ଯାଏ ସମସ୍ତେ ସେହି ଶକ୍ତିଙ୍କ ପାଦରେ ନିଜକୁ ସମର୍ପଣ କରି ରଖିଛନ୍ତି । ଯାହାକି ଶକ୍ତି ରହସ୍ୟର ପ୍ରାମାଣିକ ଗ୍ରନ୍ଥ ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି । “ସୁରାସୁର ଶିରୋ ରତ୍ନ, ନିଘୃଷ୍ଟ ଚରଣା ମ୍ବୁଜେ ରୂପ ଦେହୀ, ଜୟଂ ଦେହୀ, ଯଶୋଦେହୀ ଦ୍ୱିଷୋଜହି ।ା ଅର୍ଥାତ୍, ଯେଉଁ ଆଦିମାତା ଆଦ୍ୟାଶକ୍ତିଙ୍କ ପାଦ ପଦ୍ମରେ ଦେବତା ଓ ଅସୁରମାନଙ୍କ ରତ୍ନରୂପୀ ମସ୍ତକ ବିଲୁଣ୍ଠିତ ହୁଏ, ସେହି ଶକ୍ତି ଆମ୍ଭମାନଙ୍କୁ ରୂପ, ଜୟ, ଯଶ ପ୍ରଦାନ କରିବା ସହ ଆମ୍ଭଠାରେ ଥିବା ଦ୍ୱେଷକୁ ବିନାଶ କରନ୍ତୁ । ଏଣୁ ଭାରତର ବିଭିନ୍ନ ଧର୍ମ ପୀଠରେ ଶକ୍ତିଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗକୁ ଉପାସନା କରିବା ପାଇଁ ଦ୍ୱିଭୂଜା, ଚତୁର୍ଭୁଜା,ଷଢ଼ଭୂଜା, ଅଷ୍ଟଭୂଜା, ଦଶଭୂଜା ଓ ଦ୍ୱାଦଶଭୂଜା ଦେବୀ ମୂର୍ତ୍ତୀଙ୍କୁ ପ୍ରତିଷ୍ଠା କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସତୀଙ୍କର ନାଭି ପତନର ସ୍ମାରକୀ ରୂପେ ବିରଜା ଓ ପାଦପୀଠ ରୂପେ ଶ୍ରୀ କ୍ଷେତ୍ରରେ ମା ବିମଳାଙ୍କୁ ସମସ୍ତେ ପୂଜା ଆରାଧନା କରି ଅସୁଛନ୍ତି । କିନ୍ତୁ ଯଦି ଇତିହାସକୁ ରୋମନ୍ଥନ କରାଯାଏ, ତେବେ ଶକ୍ତି ପୂଜାର ମୂଳ ଉପାସକ ଶାବରୀୟମାନେ ଅଟନ୍ତି । ସେମାନେ ଅସମ ଗୋଲାକାର ପଥରଖଣ୍ଡ ମଧ୍ୟଦେଶକୁ ଛିଦ୍ର କରି ଯୋନିର ପ୍ରତୀକ ରୂପେ ମାତୃପୂଜା ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ । ଏବଂ ସେହି ମାତୃପୂଜା ପରବର୍ତ୍ତୀ କାଳରେ ଶକ୍ତିପୂଜାରେ ପର୍ଯ୍ୟବେଶିତ ହେଲା । ଭାରତୀୟ ଶାକ୍ତ ପରମ୍ପରାରେ ଆଦ୍ୟାଶକ୍ତିଙ୍କୁ ଆଦିମାତା, ମହାମାୟା କୁହାଯାଏ । ସେ ଚିତ୍ ଓ ଆନନ୍ଦ ସ୍ୱରୂପିଣୀ ଓ ଅମର ଆତ୍ମାଜ୍ଞାନ ପ୍ରଦାୟିନୀ । ତାଙ୍କର ତ୍ରିବିଧ ଶକ୍ତିର ପରିପ୍ରକାଶ ହେଉଛି ଜ୍ଞାନଶକ୍ତି, ଇଚ୍ଛାଶକ୍ତି ଓ କ୍ରିୟାଶକ୍ତି । ଶାକ୍ତ ଦର୍ଶନ, ଅନୂଯାୟୀ ସେହି ଆଦିଶକ୍ତିଙ୍କ ପ୍ରକାଶ ଅଗ୍ନିର ଉତାପରେ ବିଦ୍ୟୁତ୍ ଶକ୍ତିରେ, ମେଘର ବର୍ଷାରେ, ପବନର ବେଗରେ ସୂର୍ଯ୍ୟଙ୍କ କିରଣରେ ଚନ୍ଦ୍ରଙ୍କ ସ୍ନିଗ୍ଧତାରେ, ବିଜ୍ଞାନର ପରମାଣୁ ଶକ୍ତିରେ ଜୀବନର ପ୍ରାଣଶକ୍ତିରେ, ଶାସନର ରାଜଶକ୍ତିରେ, ସମାଜର ଗଣଶକ୍ତିରେ, ଅର୍ଥଶକ୍ତିର ଓ ରାଷ୍ଟ୍ରର ସାର୍ବଭୌମ ଶକ୍ତିରେ ଲୁକ୍କାୟିତ ରହିଛି ଯାହା ପ୍ରମାଣିତ କରିଛି ସଦ୍ୟ ସମାପନ୍ନ ହୋଇଥିବା ପୌର ନିର୍ବାଚନ । ସେ ଯାହା ହେଉନା କାହିଁକି, ସେ ଶକ୍ତି ହିଁ ରାଷ୍ଟ୍ରର ଅଧିଶ୍ୱରୀ, ରାଷ୍ଟ୍ରରକ୍ଷା ପାଇଁ ଯେଉଁ ସମ୍ପଦ ଆବଶ୍ୟକ ସେହି ଶକ୍ତି ହିଁ ତାର ବିଧାନ କତ୍ର୍ତ୍ରୀ । ସେ ସର୍ବଂସହା ମା ଏ କଳୁଷିତ ସମାଜରୁ ଅସତ୍ୟ, ଅଜ୍ଞାନ, ହିଂସା, ପାଶବିକତା, ଅନୀତି ଇତ୍ୟାଦି ଦୂର କରି ତା’ର ଶୁଭାଶିର୍ବାଦ ସ୍ୱରୂପ ଅନ୍ନ, ପ୍ରାଣ, ମନ, ଚୈତନ୍ୟ, କର୍ମ, ବିଭବ, ତପସ୍ୟା ପ୍ରଦାନ କରନ୍ତୁ ଏବଂ ସମସ୍ତିଙ୍କୁ ସତ୍ପଥରେ ପରି·ଳିତ ପାଇଁ ପଥ ପଦର୍ଶକ ହୁଅନ୍ତୁ ।

Add a Comment