ମୌନୀ ଅମାବାସ୍ୟାରେ ସ୍ନାନ ଓ ଦାନର ମହତ୍ତ୍ବ

ଫେବୃଆରୀ ୪ ତାରିଖ ସୋମବାର ଅର୍ଥାତ୍ ଆଜି ହେଉଛି ମୌନୀ ଅମାବସ୍ୟା ବା ତ୍ରିବେଣୀ ଅମାବାସ୍ୟା । ଧାର୍ମିକ ଦୃଷ୍ଟି କୋଣରୁ ଏବଂ ଜ୍ୟୋତିଷ ଶାସ୍ତ୍ର ତଥ୍ୟ ଅନୁଯାୟୀ ଏହି ତିଥି ବହୁତ ମହତ୍ତ୍ବପୂର୍ଣ୍ଣ । ଚଳିତବର୍ଷ ଅର୍ଦ୍ଧ-କୁମ୍ଭ ମେଳା ଚାଲିଥିବା ବେଳେ ମୌନୀ ଅମାବସ୍ୟା ବା ତ୍ରିବେଣୀ ଅମାବାସ୍ୟା ଏକ ଅଦ୍ଭୁତ ସଂଯୋଗ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି । ତେଣୁ ଏହି ଅବସରରେ ପ୍ରୟାଗରାଜ ସହ ହରିଦ୍ୱାର, ବାରଣାସୀ, ଗଙ୍ଗାସାଗର, ତ୍ରିବେଣୀ ଘାଟରେ ପବିତ୍ର ସ୍ନାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ମୌନୀ ଅମାବସ୍ୟାରେ ମୌନ ବ୍ରତ ଧାରଣ କରି ପବିତ୍ର ଘାଟରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି । ଏହି କାରଣରୁ ଏହି ତିଥିକୁ ମୌନୀ ଅମାବାସ୍ୟା କୁହାଯାଏ । ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ପାଇଁ ଉତ୍ତମ ଦିନ ହୋଇଥିବାରୁ ପିତୃଦୋଷରୁ ସହଜରେ ମୁକ୍ତି ମିଳିଥାଏ । ଏହା ସହ କାଳସର୍ପ ଦୋଷ ଖଣ୍ଡନ ପାଇଁ ଉପବାସ ଓ ପୂଜା କରାଯାଏ ।

ଯଦି କୌଣସି କାରଣରୁ ଆପଣ ପବିତ୍ର ଘାଟରେ ସ୍ନାନ କରିପାରୁ ନାହାନ୍ତି ତେବେ କୌଣସି ପବିତ୍ର ନଦୀ କିମ୍ବା ସ୍ନାନ ଜଳରେ ଗଙ୍ଗାଜଳ ମିଶାଇ ସକାଳ ସମୟରେ ସ୍ନାନ କରିପାରନ୍ତି । ଏହା ଦ୍ବାରା ଶାରୀରିକ, ଭୌତିକ ଏବଂ ଦୈବିକ ତିନି ପ୍ରକାରର ପାପ କ୍ଷୟ ହୋଇଥାଏ । ସକାଳ ସମୟରେ ଗଙ୍ଗାଜଳରେ ସ୍ନାନ କରିବା ଦ୍ବାରା ଗଙ୍ଗା ମା’ଙ୍କ କୃପାରୁ ସବୁ କଷ୍ଟରୁ ମୁକ୍ତି ମିଳିଥାଏ ।

ଏହା ସହ ସ୍ନାନ ପରେ ସୂର୍ୟ୍ୟଦେବଙ୍କୁ ଅର୍ଘ୍ୟ ଦେଇ ତୁଳସୀ ପୂଜା କରି ୭ଥର ତୁଳସୀ ବୃକ୍ଷ ପରିକ୍ରମା କରିବା ଦ୍ୱାରା ଦରିଦ୍ରତା ନାଶ ହୁଏ । ଏହି ଦିନ ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର, କଳା ରାଶି, ମିଶ୍ରୀ, ଚାଉଳ ଏବଂ ଧଳା ଫୁଲ ଦକ୍ଷିଣ ଦିଗକୁ ମୁହିଁ କରି ଅର୍ପଣ କରନ୍ତୁ । ଏହା ସହ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

ମୌନୀ ଅମାବାସ୍ୟାରେ କ’ଣ କରିବେ ଦାନ

ମୌନୀ ଅମାବାସ୍ୟାରେ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି । ତ୍ରିବେଣୀ ଘାଟ ବା କୌଣସି ପବିତ୍ର ନଦୀର ନାମକୁ ସ୍ମରଣ କରି ଗରିବ ବ୍ୟକ୍ତି, ଗରିବ ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ପାପ କ୍ଷୟ, ବାଧା-ବିଘ୍ନ ଦୂର ହେବା ସହ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହି ସହ ଗରିବ ଲୋକଙ୍କୁ ଭୋଜନ, ବସ୍ତ୍ର, ଔଷଧ ଏବଂ ବାସନକୁସନ ଆଦି ଦାନ କରିବା ଉଚିତ୍ । ଅଟା ଗୁଳା କରି ମାଛକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଆର୍ଥିକ ଅନଟନ ଦୂର ହୋଇଥାଏ । ମୌନୀ ଅମାବାସ୍ୟା ଦିନ ଚଢେଇଙ୍କୁ ଚିନି ମିଶା ଅଟା ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ପାପକ୍ଷୟ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

Add a Comment