Hanging Temple ଚୀନ୍‌ର ଝୁଲନ୍ତା ମନ୍ଦିର


ଶୀର୍ଷକଟି ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ। ମଠ ମନ୍ଦିର ଭୂମିରେ ନଚେତ୍‌ ପାହାଡ଼ ଉପରେ ତିଆରି ହୋଇଥାଏ। ହେଲେ ଚୀନ୍‌ରେ ଏମିତି ଏକ ମନ୍ଦିର ରହିଛି ଯାହା ପବନରେ ଝୁଲୁଛି। ମନ୍ଦିରଟି ଉତ୍ତର ଚୀନରେ ଅବସ୍ଥିତ। ପ୍ରାୟ ୧୫୦୦ଶହ ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିରଟି ‘ସୁଆନ୍‌ ଖୋଙ୍ଗ୍‌’ ନାମରେ ପରିଚିତ। ଇଂରାଜୀରେ ଏହାର ଅର୍ଥ ହେଉଛି ‘ହାଙ୍ଗିଙ୍ଗ୍‌ ଟେମ୍ପଲ୍‌’। ଚୀନ୍‌ ସହରଠାରୁ ୬୫ କମି ଦୂରରେ ଅବସ୍ଥିତ ଝୁଲନ୍ତା ମନ୍ଦିରଟି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରୁଛି। ଚୀନର ବୌଦ୍ଧ ଏବଂ କନ୍‌ଫୁସିୟସ୍‌ ଧର୍ମାବଲମ୍ବୀମାନେ ଏକତ୍ର ମନ୍ଦିରଟି ନିର୍ମାଣ କରିଥିଲେ । ମନ୍ଦିରଟି
ଏତେ ପୁରୁଣା ହୋଇଥିଲେ ସୁଦ୍ଧା ଆଜିବି ସୁରକ୍ଷିତ ଅବସ୍ଥାରେ ରହିଛି। ପ୍ରଥମେ ଝୁଲନ୍ତା ମନ୍ଦିରକୁ ଯିଏ ବି ଦେଖିବ ଭୟଭୀତ ହୋଇଯିବ। ଚୀନ୍‌ର ହଙ୍ଗ୍‌ ପାହାଡ଼ରେ ମନ୍ଦିରଟି ନିର୍ମିତ ହୋଇଛି। ମନ୍ଦିରର ନିର୍ମାଣ ଶୈଳୀ ଏପରି ହୋଇଛି
ଯେ, ଦେଖିଲେ ଲାଗିବ ଯେମିତି ବର୍ତ୍ତମାନ ତଳକୁ ଖସିପଡ଼ିବ। ଏଥିପାଇଁ ମନ୍ଦିରଟି ଚୀନ୍‌ରେ ବେଶ୍‌ ପ୍ରସିଦ୍ଧିଲାଭ କରିଛି। ହଙ୍ଗ୍‌ ପାହାଡ଼ର ଏକ ଘାଟି ରାସ୍ତାର ମଝାମଝିରେ ଏହା ତିଆରି ହୋଇଛି। ଘାଟିର ଦୁଇ ପାଶ୍ୱର୍ରୁ ପ୍ରାୟ ୧୦୦ମିଟର ଉଚ୍ଚରେ ଅବସ୍ଥିତ ମନ୍ଦିରଟି ଭୂମିଠାରୁ ୫୦ ମିଟର ଦୂରତାରେ ତିଆରି ହୋଇଛି। ମନ୍ଦିରଟି ଖୁବ୍‌ ଲମ୍ବା। ଏଠାରେ ଛୋଟବଡ଼ ପ୍ରାୟ ୪୦ଟି ମଣ୍ଡପ ରହିଛି। ମଣ୍ଡପ ଚଟାଣକୁ କାଟି କାଠରେ ତିଆରି ହୋଇଛି। ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ଖୁବ୍‌ ସତର୍କତାର ସହ ମନ୍ଦିରରେ ପ୍ରବେଶ କରନ୍ତି। ମନ୍ଦିରକୁ ପ୍ରବେଶ କରିବା ସମୟରେ ସମୟରେ ତଳକୁ ଚାହିଁଲେ ମୁଣ୍ଡବୁଲାଇ ଦିଏ। ଯଦି ଟିକେ ଏପଟ ସେପଟ ହୁଏ ତେବେ ସିଧା ଘାଇରେ ପଡ଼ିବାର ସମ୍ଭାବନା ରହିଛି। ହୁଏତ ମନରେ ଆସୁଥିବ ଏତେ ବିପଦର ସମ୍ମୁଖୀନ ହେଉଥିବାବେଳେ ଚୀନବାସୀ ଏଠାରେ ମନ୍ଦିର କାହିଁକି ତିଆରି କରିଛନ୍ତି?
ଏହାର ରହିଛି ଦୁଇଟି କାରଣ। ଚୀନର ସରକାରୀ େୱବ୍‌ସାଇଟ୍‌ ଅନୁସାରେ ପ୍ରଥମ କାରଣଟି ହେଉଛି- ଯେତେବେଳେ ଏହି ମନ୍ଦିର ତିଆର କରାଗଲା, ସେତେବେଳେ ଯାତାୟତର ଏହା ପ୍ରମୁଖ ମାର୍ଗ ଥିଲା। ଅନେକ ଧାର୍ମିକ, ଭିକ୍ଷୁକ ଏହି ରାସ୍ତା ଦେଇ ଯାଉଥିଲେ। ତେଣୁ ଏଠାରେ ଏକ ମନ୍ଦିର ନିର୍ମାଣ କରାଗଲେ ସେମାନେ ଆରାଧନା କରି ନିଜ ସ୍ଥାନକୁ ଯାଇପାରିବେ ଭାବି ତିଆରି କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ଅନ୍ୟ କାରଣଟି ହେଉଛି ହଙ୍ଗ୍‌ ପାହାଡ଼ ଘାଟି ଦେଇ ଅନେକ ସମୟରେ ବନ୍ୟାପାଣି ମାଡ଼ିଆସୁଥିଲା। ଏହାଦ୍ୱାରା ବିଷାକ୍ତ ସାପ ବନ୍ୟାରେ ଆସିଯାଉଥିଲେ। ଏମାନଙ୍କ କବଳରୁ ରକ୍ଷା ପାଇବାକୁ ଝୁଲନ୍ତା ମନ୍ଦିର ନିର୍ମାଣ କରାଯାଇଛି ।

Add a Comment