କରୁଣାମୟୀ ମା ଦ୍ରୌପଦୀ – How Draupadi becomes a Great Mother!

ଅନ୍ୟାୟ, ଅଧର୍ମ, ଅନୀତିର ପୃଷ୍ଠପୋଷକ ସାଜି ନିଜକୁ ସବୁଠାରୁ ବଳୀୟାନ ଭାବୁଥିବା କୁରୁକୁଳ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ବିନଷ୍ଟ ହୋଇଯାଇଥାନ୍ତି । ଅହଂକାରୀ ଦୁର୍ଯ୍ୟୋଧନ ବ୍ୟାସ ସରୋବର ତୀରରେ ଭୀମଙ୍କ ଗଦାଘାତରେ ଭଗ୍ନଜାନୁ ହୋଇ ଅତି ଦୟନୀୟ ଅବସ୍ଥାରେ ପଡିରହିଥାନ୍ତି ମୃତ୍ୟୁକୁ ଅପେକ୍ଷାକରି । ଅନ୍ତିମକ୍ଷଣକୁ ଅପେକ୍ଷା କରି ପଡିରହିଥିବାବେଳେ ଅତି ଅପ୍ରତ୍ୟାଶିତ ଭାବରେ ସେଠାରେ ପହଞ୍ôଚ ଯାଇଥିଲେ ଗୁରୁପୁତ୍ର ଅଶ୍ୱତ୍‍ଥମା । ପ୍ରତିଶୋଧ ଅଗ୍ନିରେ ଜଳୁଥିବା ଜଣେ ବୀରର ଭେଟ ହୋଇଥିଲା ସମଧର୍ମା ଅନ୍ୟ ଏକ ପ୍ରତିଶୋଧପରାୟଣ ଯୋଦ୍ଧା ସହିତ । ପାଣ୍ଡବ ପାଞ୍ଚଭାଇଙ୍କ ଛିନ୍ନଶିର ଆଣି ଭେଟି ଦେବାପାଇଁ ଦୁର୍ଯ୍ୟୋଧନଙ୍କୁ ପ୍ରତିଶ୍ରୁତି ଦେଇ ବାହାରି ଆସିଥିଲେ । ସେହି କାଳରାତ୍ରିରେ ଦସ୍ୟୁଭଳି ଛପିଛପି ଅତି ସନ୍ତର୍ପଣରେ ଅଶ୍ୱତଥମା ଶୋଇଥିବା ଅବସ୍ଥାରେ ପାଞ୍ଚଜଣଙ୍କ ମୁଣ୍ଡକାଟି କଟାମୁଣ୍ଡ ସହ ପାଣ୍ଡବ ଶିବିରରୁ ବାହାରି ଆସିଥିଲେ ଅତି ଆନନ୍ଦରେ । ସନ୍ତାପିତ ହୃଦୟର ଜ୍ୱାଳା ପ୍ରଶମିତ ହୋଇଥିଲା ଏଇ ଭାବନାରେ ଯେ ଅନ୍ତତଃ ସେ ପିତୃହତ୍ୟାର ପ୍ରତିଶୋଧ ନେଇପାରିଛନ୍ତି ଓ ଦୁର୍ଯ୍ୟୋଧନଙ୍କୁ ତାଙ୍କର ଅନ୍ତିମ ମୁହୂର୍ତ୍ତରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଛନ୍ତି ।
କଟାମୁଣ୍ଡଗୁଡ଼ିକୁ ଭେଟି ଦେଲାବେଳେ ଦୁର୍ଯ୍ୟୋଧନ ଯେତେବେଳେ ସେସବୁକୁ ଦେଖିଦେଲେ ସେତେବେଳେ ମର୍ମାନ୍ତିକ ଦୁଃଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାହାଥିଲା ପାଣ୍ଡବମାନଙ୍କ କୁଳ ଦୀପାଳି ପାଞ୍ଚ ବାଳୁତ କୁମାରଙ୍କ ମସ୍ତକ । ଦ୍ରୌପଦୀ ପୁତ୍ରହତ୍ୟାରେ ଅଧିରହୋଇ ବିଳାପ କରିବାକୁ ଲାଗିଲେ । ଦ୍ରୌପଦୀଙ୍କ ମର୍ମଭେଦୀ କ୍ରନ୍ଦନ ଧ୍ୱନିରେ ଅଧିର ଅର୍ଜୁନ ପ୍ରତିଜ୍ଞାକଲେ ବାଳୁତକୁମାରଙ୍କ ହତ୍ୟାକାରୀର ଅନୁରୂପ ଭାବରେ ଶିରଚ୍ଛେଦ କରିବାପାଇଁ । ଅଶ୍ୱତ୍‍ଥମା ଭୟ ପାଇ ଲୁକ୍‍କାୟିତ ସ୍ଥାନ ଖୋଜିବାକୁ ଲାଗିଲେ । ହେଲେ ଅର୍ଜୁନ ପିଛା କରି ତାଙ୍କୁ ବନ୍ଦୀ କରିଥିଲେ, ଦ୍ରୌପଦୀଙ୍କ ସମ୍ମୁଖକୁ ଆଣିଥିଲେ ବିଚାର ନିମିତ୍ତ ।
ପଶୁସ୍ୱରୂପ ବନ୍ଧା ହୋଇଥିବା ଅଶ୍ୱତ୍‍ଥମାଙ୍କୁ ସମ୍ମୁଖରେ ଦେଖି ଦ୍ରୌପଦୀଙ୍କ ମାତୃହୃଦୟ ଦୟା, କ୍ଷମା, କରୁଣାରେ ବିଗଳିତ ହୋଇଯାଇଥିଲା । ଯଦିଓ ପୁତ୍ରଶୋକ ତାଙ୍କୁ ବିଚଳିତ କରିଦେଇଥିଲା ତଥାପି ଅନ୍ତରର ବେଦନାକୁ ଚାପିରଖି ମମତାମୟୀ ମା’ର ଆଦର୍ଶ ଦେଖାଇଥିଲେ । ଗୁରୁପୁତ୍ରଙ୍କୁ ନମସ୍କାର କରି ଅର୍ଜୁନଙ୍କୁ କହିଥିଲେ- ହେ ଆର୍ଯ୍ୟପୁତ୍ର! ଇଏ ଗୁରୁପୁତ୍ର ତଥା ବ୍ରାହ୍ମଣ । ଆପଣ ତାଙ୍କ ପିତାଙ୍କଠାରୁ ଶସ୍ତ୍ର ଓ ଶାସ୍ତ୍ରଜ୍ଞାନ ଶିକ୍ଷା କରି ମହାରଥୀ ଭାବରେ ଖ୍ୟାତିଲାଭ କରିଛନ୍ତି । ଏବେ ପୁତ୍ର ରୂପରେ ଆଚାର୍ଯ୍ୟ ଦ୍ରୋଣ ହିଁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି । କ୍ରୋଧବଶରେ ତାଙ୍କୁ ବଧ କଲେ ତାଙ୍କର ମାତା କୃପୀ ମୋ ଭଳି ପୁତ୍ରଶୋକରେ ଅଧିରହୋଇ ବିଳାପସହ ନିରନ୍ତର ମୃତ୍ୟୁଯନ୍ତ୍ରଣା ଭୋଗ କରିବେ । ପୁତ୍ର ପ୍ରତି ବିଶେଷ ମୋହ କାରଣରୁ ସେ ପତି ଦ୍ରୋଣାଚାର୍ଯ୍ୟଙ୍କ ଚିତାରେ ସତୀ ନାରୀ ଭାବରେ ଝାସ ଦେଇ ନଥିଲେ । ତାଙ୍କୁ ବନ୍ଧନମୁକ୍ତ କରି ଛାଡ଼ି ଦିଅନ୍ତୁ ।’
ମାତୃହୃଦୟର ଏହି ଅନାବିଳ ମମତ୍ୱବୋଧ, ଆକୁଳ ନିବେଦନକୁ ଅର୍ଜୁନ ଏଡ଼ାଇ ପାରି ନଥିଲେ । ପୁତ୍ର ହତ୍ୟାର ପ୍ରତିଶୋଧ ନିକଟରେ କରୁଣାମୟୀ ମାଆର ମମତା ବିଜୟୀ ହୋଇଗଲା । ଦ୍ରୌପଦୀଙ୍କଠାରୁ ଏହା ଶୁଣିବାପରେ ଅର୍ଜୁନ ତରବାରୀରେ ଅଶ୍ୱତଥମାଙ୍କ କେଶ ମୁଣ୍ଡନ କରି ଶ୍ରୀହୀନ ଅଶ୍ୱତଥମାଙ୍କୁ ଶିବିରରୁ ବାହାର କରିଦେଇଥିଲେ । ବାତ୍ସଲ୍ୟମମତାରେ ଅନ୍ଧ ଦ୍ରୌପଦୀଙ୍କ ନିକଟରେ ସେ ଥିଲେ ଗୁରୁପୁତ୍ର । ନିଜ ଦୁଃଖକୁ ସେ କୃପୀଙ୍କ ଦୁଃଖ ସହ ତୁଳନା କରି ଯେଉଁ ମହନୀୟତାର ପରିଚୟ ଦେଇଥିଲେ ତାହା ଥିଲା ଅନନ୍ୟ ।

Add a Comment

Your email address will not be published. Required fields are marked *