ସାଧୁସନ୍ଥଙ୍କ ହୃଦୟ ବିସ୍ତୀର୍ଣ୍ଣ – The Hearts of Sadhus are ever expanding!

ସେସମୟରେ ବାବରଙ୍କ ମୃତ୍ୟୁ ହୋଇଯାଇଥାଏ । ଉତ୍ତରାଧିକାରୀ ଭାବରେ ତାଙ୍କର ପୁତ୍ର ହୁମାୟୁନ୍‍ ରାଜଗାଦିରେ ବସିଥାନ୍ତି । ହୁମାୟୁନ ଥିଲେ ଅତି ମାତ୍ରାରେ ମହତ୍ତ୍ୱାକାଙ୍‍କ୍ଷୀ ଓ ରାଜ୍ୟଲୋଭୀ । ଆଖପାଖ ରାଜ୍ୟମାନଙ୍କୁ ନିଜ ସାମ୍ରାଜ୍ୟରେ ମିଶାଇ ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏଭଳି ଏକ ଅଦମନୀୟ ଅଭୀପ୍‍ସା ନେଇ ସେ ଗୁଜରାଟ ତଥା ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ନିଜ ଅଧୀନକୁ ନେବା ପାଇଁ ଅଗ୍ରସର ହୋଇ ଶେରଶାହାଙ୍କ ରାଜ୍ୟ ଉପରେ ଆକ୍ରମଣ କଲେ । ହେଲେ ଶେରଶାହାଙ୍କୁ ଯୁଦ୍ଧରେ ପରାସ୍ତ କରିବା ହୁମାୟୁନଙ୍କ ପକ୍ଷରେ ସମ୍ଭବ ନଥିଲା । ହୁମାୟୁନ୍‍ ପରାସ୍ତହୋଇ ପଶ୍ଚିମ ଦିଗକୁ ପଳାୟନ କଲେ । ମାର୍ଗରେ ସେ ଜାଣିବାକୁ ପାଇଲେ ଯେ ଗୁରୁ ନାନକଙ୍କ ତିରୋଧାନ ପରେ ତାଙ୍କ ଆସନରେ ବସିଥିବା ଶିଖ୍‍ଗୁରୁ ଅଙ୍ଗଦ ଦେବଙ୍କ ଆଶୀର୍ବାଦର ସୁଫଳ ପ୍ରତ୍ୟେକ ଶ୍ରଦ୍ଧାଳୁ ପାଉଛନ୍ତି । ତାଙ୍କର ଆଶୀର୍ବାଦ ଅନ୍ୟଥା ହେଉ ନଥିବା ଜାଣିଲାପରେ ତାଙ୍କୁ ସାକ୍ଷାତ୍‍ କରିବାକୁ ଗଲେ ।
ହୁମାୟୁନ ତାଙ୍କ ନିକଟରେ ପହଞ୍ôଚବା ସମୟରେ ସେ ଧ୍ୟାନମଗ୍ନ ଥିଲେ । ତେଣୁ ତାଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରି ନଥିଲେ । ହୁମାୟୁନ ମନେମନେ ଭାବିଲେ ସନ୍ଥ ଏବେ ଧ୍ୟାନମଗ୍ନ ଅଛନ୍ତି । ନିଶ୍ଚୟ କିଛିକ୍ଷଣ ପରେ ଆଖି ଖୋଲିବେ । ଦୀର୍ଘସମୟ ଅପେକ୍ଷା ପରେ ହୁମାୟୁନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ହଠାତ୍‍ ଉତ୍ତ୍ୟକ୍ତ ହୋଇ ହୁମାୟୁନ ମନେମନେ ଭାବିଲେ ସନ୍ଥ ଜାଣିଶୁଣି ତାଙ୍କୁ ଉପେକ୍ଷା କରୁଛନ୍ତି । ତାଙ୍କୁ ଉପଯୁକ୍ତ ଶିକ୍ଷାଦେବା ନିମନ୍ତେ ମନସ୍ଥ କରି ତରବାରୀ କୋଷମୁକ୍ତ କଲେ । ଠିକ୍‍ ସେହି ସମୟରେ ଅଙ୍ଗଦଙ୍କ ଧ୍ୟାନ ସମାପ୍ତ ହେଲା । ଆଖିଖୋଲି ଦେଖନ୍ତି ତ ସମ୍ମୁଖରେ ସମ୍ରାଟ ହୁମାୟୁନ ଶାଣିତ ତରବାରୀ ହାତରେ ଧରି ଦଣ୍ଡାୟମାନ । ନିମିଷକରେ ସବୁକଥା ଜାଣିନେଲେ ଦିବ୍ୟଦ୍ରଷ୍ଟା ଗୁରୁ ଅଙ୍ଗଦ । ହସିହସି ହୁମାୟୁନଙ୍କ ଉଦ୍ଦେଶ୍ୟରେ କହିଲେ- ସେଭଳି କୌଣସି କାରଣ ନଥାଇ ଖୁବ୍‍ଶୀଘ୍ର ତୁମେ କ୍ରୋଧିତ ହୋଇଗଲ ଯେ? ସମ୍ରାଟ ଭାବରେ ଏହା ଭୁଲିଯାଉଛ କ୍ରୋଧ ମନୁଷ୍ୟର ହିତାହିତ ଜ୍ଞାନ, ସକଳ ବୁଦ୍ଧିବିବେକ ନଷ୍ଟ କରିଦିଏ । ଏଭଳି ଅବସ୍ଥାରେ ତା’ର ବିନାଶ ବିଳମ୍ବିତ ହୁଏନାହିଁ । ବିବେକଭ୍ରଷ୍ଟ ବ୍ୟକ୍ତି ଅଚିରେ ନାଶ ଗଲାପରି ନଷ୍ଟବୁଦ୍ଧି ବ୍ୟକ୍ତି ଅବିଳମ୍ବେ ନାଶ ଯାଇଥାଏ । ଏଭଳି କ୍ରୋଧ ଦ୍ୱାରା ତୁମେ ଅଯଥାରେ ତୁମ ଶକ୍ତିର ଅପଚୟ କରୁଛ । ଏହି ଶକ୍ତିକୁ ମହତ୍‍ ଉଦ୍ଦେଶ୍ୟରେ ବିନିଯୋଗ କରିବାସ୍ଥଳେ ଏହାର ଦୁରୁପଯୋଗ କରୁଛ । ଶେର୍‍ଶାହଙ୍କ ସହ ସମ୍ମୁଖ ଯୁଦ୍ଧରେ ପରାଜିତ ହୋଇ ତୁମେ ପଳାୟନ କଲ, ଆଉ ଜଣେ ସନ୍ଥ (ଫକିର) ସମ୍ମୁଖରେ ନିଜ ଶକ୍ତିର ବୃଥା ଅସ୍ଫାଳନ ଦେଖାଉଛ; ତଥାପି ମୋର ତୁମପ୍ରତି ଦ୍ୱେଷ ଭାବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ତୁମେ ବହୁକଷ୍ଟ ସ୍ୱୀକାର କରି ଏଠାକୁ ଆସିଛ, ସେ କଷ୍ଟ ବ୍ୟର୍ଥ ହେବନାହିଁ । ତୁମେ ବିଜୟୀ ହେବ, କିନ୍ତୁ ବିଳମ୍ବରେ । ସମୟ ଅତିକ୍ରାନ୍ତ ହେଲା । ହୁମାୟୁନ ବିଜୟୀ ହେଲେ । ଅଙ୍ଗଦଙ୍କ ଆଶୀର୍ବାଦ ସତ୍ୟ ସାବ୍ୟସ୍ତ ହୋଇଥିଲା । ଅଙ୍ଗଦ ଦେବଙ୍କ ଆଶୀର୍ବାଦ କଥା ମନେପଡ଼ିଗଲା ହୁମାୟୁନଙ୍କର । କୃତଜ୍ଞତା ପ୍ରକାଶ ଉଦ୍ଦେଶ୍ୟରେ ତତ୍‍କ୍ଷଣାତ୍‍ ତାଙ୍କ ନିକଟକୁ ଆସିବାକୁ ମନସ୍ଥ କଲେ, ହେଲେ ସେ ସମୟକୁ ଅଙ୍ଗଦଙ୍କ ସ୍ୱର୍ଗବାସ ହୋଇଯାଇଥାଏ । ତାଙ୍କ ଆସନ ଅଳଙ୍କୃତ କରିଥିଲେ ଗୁରୁ ଅମର ଦାସ । ସାଧୁସନ୍ଥଙ୍କ ହୃଦୟ ଏହିପରି ବିସ୍ତୀର୍ଣ୍ଣ, କିନ୍ତୁ ସଂକୀର୍ଣ୍ଣମନା ବ୍ୟକ୍ତି ଏହା ଉପଲବ୍ଧି କରିପାରି ନ ଥା’ନ୍ତି ।

Add a Comment

Your email address will not be published. Required fields are marked *