ଋଷି ମୁଦ୍ଗଲ – Sage Mudgal


କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହେବା ପୂର୍ବରୁ ସେଠାରେ ବହୁ ଯାଗ, ଯଜ୍ଞ ହେବା ସହ ବହୁ ମୁନି, ଋଷିମାନେ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଋଷି ମୁଦ୍ଗଲ । ସେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଭୂମିରେ ଘୋର ତପସ୍ୟାରେ ଜୀବନ ନିର୍ବାହ କରୁଥିଲେ । ତାଙ୍କର ଧର୍ମାଚରଣ ଓ ଈଶ୍ୱର ଆରାଧନାର ସାଧନା ଭିତରେ ଜୀବନ ନିର୍ବାହର ପନ୍ଥା ଥିଲା ଭିନ୍ନ । କ୍ଷେତରୁ ସଂଗୃହୀତ ଶସ୍ୟରେ ପ୍ରସ୍ତୁତ ଖାଦ୍ୟରେ ନିଜେ ଜୀବନନିର୍ବାହ ସହ ଯଜ୍ଞ ଓ ଅତିଥି ସକ୍ରାରରେ ବ୍ୟୟ କରୁଥିଲେ । ଏହା ପ୍ରାତ୍ୟହିକ କର୍ମ ଥିଲା ତାଙ୍କର ।
ଏକଦା ତାଙ୍କର ଏଭଳି ଦାନଶୀଳତାର ପରୀକ୍ଷା ନିମନ୍ତେ ଭୟଙ୍କର କ୍ରୋଧୀ ଋଷି ରୂପେ ପରିଚିତ ଦୁର୍ବାସା ତାଙ୍କ ନିକଟରେ ପହଞ୍ଚିଲେ । ସାଥୀରେ ଥିଲେ ତାଙ୍କର ଛ’ହଜାର ଶିଷ୍ୟ । ଥରେ ଦୁଇଥର ନୁହେଁ, ଏମିତି କେତେବାର ଦୁର୍ବାସା ଆକସ୍ମିକ ଭାବରେ ତାଙ୍କର ଆଶ୍ରମରେ ପହଞ୍ଚିଯା’ନ୍ତି । କିନ୍ତୁ ଦୈବବଳରେ ବଳୀୟାନ, କଠୋର ସାଧନାରେ ସିଦ୍ଧିଲାଭ କରିଥିବା ଋଷି ମୁଦ୍ଗଲ ପ୍ରତ୍ୟେକଥର ଦୁର୍ବାସାଙ୍କ ସହ ଶିଷ୍ୟମାନଙ୍କୁ ଯଥାରୀତି ସକ୍ରାର କରି ବିଦାୟ ଦେଇଥା’ନ୍ତି । ପ୍ରତ୍ୟେକ ଅତିଥି ତୁଷ୍ଟ ହୋଇ ଫେରିଥା’ନ୍ତି ତାଙ୍କ ଆଶ୍ରମରୁ ।
ଅନେକଥର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଦୁର୍ବାସା ମୁଦ୍ଗଲଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ଆଶୀର୍ବାଦ ପ୍ରଦାନ କରି ଦୁର୍ବାସା ତାଙ୍କୁ ବର ଦେଇଥିଲେ ସ୍ୱର୍ଗପ୍ରାପ୍ତି ନିମନ୍ତେ ।
ସମୟାନୁସାରେ ସ୍ୱର୍ଗର ଦେବଦୂତମାନେ ମୁ୍ଦ୍ଗଲଙ୍କ ନିକଟରେ ପହଞ୍ଚିଲେ ତାଙ୍କୁ ସ୍ୱର୍ଗକୁ ନେବା ନିମନ୍ତେ । କିନ୍ତୁ ଋଷି ମୁଦ୍ଗଲ ପ୍ରଥମେ ସ୍ୱର୍ଗପୁରର ବୈଶିଷ୍ଟ୍ୟ ସମ୍ପର୍କରେ ସେମାନଙ୍କଠାରୁ ଶୁଣିବାକୁ ଚାହିଁଥିଲେ । ସ୍ୱର୍ଗଲୋକ ସମ୍ପର୍କରେ ସବିଶେଷ ଜାଣିବାପରେ ହୃଦ୍ବୋଧ ହେଲେ ଯାଇ ପାରନ୍ତି ବୋଲି ଋଷି ମୁଦ୍ଗଗଲ କହିଥିଲେ । ଦେବଦୂତମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଇଥିପାଇଁ ଯେ ଅନେକେ ସ୍ୱର୍ଗଲୋକ ଅକୁଣ୍ଠରେ କାମନା କରୁଥିଲାବେଳେ ମୁଦ୍ଗଗଲଙ୍କଠାରେ ତା’ର ବ୍ୟତିକ୍ରମ ଘଟିଥିଲା ।
ସ୍ୱର୍ଗପୁରର ବର୍ଣ୍ଣନା କରି ଦେବଦୂତମାନେ କହିଥିଲେ, ତପସ୍ୱୀ ଶ୍ରେଷ୍ଠ! ସ୍ୱର୍ଗପୁରରେ ମର୍ତ୍ତ୍ୟର ଦୁଃଖ, କ୍ଲେଶ, ନିରାନନ୍ଦ କିଛି ହେଲେ ନାହିଁ । ସେଠାରେ ଜରା କିମ୍ବା ମୃତ୍ୟୁର ମଧ୍ୟ ଭୟ ନାହିଁ । କେବଳ ସୁଖ ହିଁ ସୁଖ । ପୁଣ୍ୟକର୍ମାମାନଙ୍କର ଏହା ଆବାସସ୍ଥଳ । ଧର୍ମାତ୍ମା, ଜିତେନ୍ଦ୍ରିୟ ଓ ଦାନୀ ବ୍ୟକ୍ତି ହିଁ ଏହି ପୁରର ଅଧିକାରୀ ହୋଇଥା’ନ୍ତି । ଆପଣ ଏହି ତିନିଟିଯାକ ଗୁଣର ଅଧିକାରୀ । ତେଣୁ ଆପଣଙ୍କୁ ସ୍ୱର୍ଗ ଲୋକକୁ ନେବା ପାଇଁ ଆମେ ଆସିଛୁ ।
ଯଦି ଧର୍ମାତ୍ମା, ଜିତେନ୍ଦ୍ରିୟ ଓ ଦାନୀ ବ୍ୟକ୍ତିମାନଙ୍କର ସ୍ୱର୍ଗ ଏକମାତ୍ର ନିବାସ ସ୍ଥଳ, ତେବେ ଦିନକୁ ଦିନ ସେମାନଙ୍କର ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ହେଉଥିବ? ଦେବଦୂତମାନଙ୍କୁ ପୁଣି ପଚାରିଥିଲେ ଋଷି ମୁଦ୍ଗଲ ।
ଏହାର ଉତ୍ତରରେ ଦେବଦୂତମାନେ କହିଥିଲେ – ସ୍ୱର୍ଗ ହେଉଛି ଭୋଗଭୂମି, ଅତଏବ ଏଠାରେ କର୍ମର ଲେଶମାତ୍ର ସ୍ଥାନ ନାହିଁ । ପୂର୍ବର କର୍ମଫଳ ଆଧାରରେ ଯେହେତୁ ଏହା ପ୍ରାପ୍ତ ହୋଇଥାଏ ତେଣୁ ଏଠାରେ କର୍ମର ଆବଶ୍ୟକତା ପଡ଼ି ନଥାଏ । ଜୀବନକାଳରେ ମୃତ୍ୟୁଲୋକର କରାଯାଇଥିବା କର୍ମର ଫଳ ହିଁ ଏଠାରେ ଭୋଗ କରିବାକୁ ହୋଇଥାଏ, କୌଣସି ନୂଆ କର୍ମ କରିବାକୁ ପଡ଼ି ନଥାଏ । ଯେତେବେଳେ ପୁଣ୍ୟ କର୍ମଫଳ କ୍ଷୀଣ ହୋଇଯାଏ, ସେତେବେଳେ ସେମାନଙ୍କୁ କର୍ମକ୍ଷେତ୍ରକୁ ଫେରିଯିବାକୁ ପଡିଥାଏ ।
ଏହା ଶୁଣିବାପରେ ମୁଦୁଗଲ ଗମ୍ଭୀର ସ୍ୱରରେ କହିଲେ- “ତୁମମାନକୁ ସ୍ୱର୍ଗପୁରକୁ ଫେରିଯିବାକୁ ପଡ଼ିବ । ଯେଉଁ ଲୋକରେ କୌଣସି କର୍ମ ନାହିଁ, କେବଳ ଭୋଗ ହିଁ ଭୋଗ, ମୁଁ ସେଠାକୁ ଯିବାକୁ ପସନ୍ଦ କରିବି ନାହିଁ । ତୁମର ସ୍ୱର୍ଗଲୋକ ଅପେକ୍ଷା ଏହି ମୃତ୍ୟୁଲୋକ ମୋ ନିକଟରେ ଅଧିକ ପ୍ରିୟ । ଏଇଠାରେ ହିଁ ମୁଁ କର୍ମସାଧନାରେ ମଗ୍ନ ରହିବି । ମୃତ୍ୟୁଲୋକରେ ଲୋକମଙ୍ଗଳ ମାଧ୍ୟମରେ ମୁଁ ମୋର କର୍ମସାଧନା ଜାରି ରଖିବି । ଏହା ମାଧ୍ୟମରେ ଯଦି ମୁଁ ମୋକ୍ଷ ପାଇବି ତ ଭଲ ନଚେତ୍ ମୋ ମନରେ କୌଣସି ଅବସାଦ ନାହିଁ ।”
ଋଷି ମୁଦ୍ଗଲଙ୍କଠାରୁ ଏହା ଶୁଣି ସ୍ୱର୍ଗଦୂତମାନେ ଫେରିଯାଇଥିଲେ ।

Add a Comment

Your email address will not be published. Required fields are marked *